Unknown

 

 

 

 

 

 

 

 

 

 

ବେନ୍‍ହୁର

ଅନୁବାଦକ : ଶ୍ରୀ ଯୋଗୀନ୍ଦ୍ର ପଟ୍ଟନାୟକ

 

ବେନ୍‍ହୁର

 

ଜୁଡ଼ା ବେନ୍‍ହୁରର ପରିବାର ଉପରେ ରୋମାନ୍ ସମ୍ରାଟମାନଙ୍କର.... । ଅତ୍ୟାଚାରିତ ଓ ନିଷ୍ପେଷିତ ଜନସମାଜକୁ ଉଦ୍ଧାରପାଇଁ..... ଆବିର୍ଭାବ ଓ ଜୁଡ଼ାର ଜନ୍ମ । ଘାତ ପ୍ରତିଘାତ ମଧ୍ୟରେ ଗତି.... ବେନ୍‍ହୁର ଖୋଜି ବୁଲେ ତା’ର ମା ଓ ଭଉଣୀଙ୍କୁ । ସେଥିପାଇଁ..... ଭାବେ ନାବିକ ହେବାକୁ ପଡ଼ିବ, ସେଥିପାଇଁ ତାକୁ ଶେଖ ଅଶ୍ୱଚାଳକ ହେବାକୁ ପଡ଼ିଛି–

 

ଶେଷରେ ଧର୍ମ ନ୍ୟାୟରହିଁ ଜୟ ହୁଏ । ସ୍ଵୟଂ ଜୁଡ଼ାହିଁ.... । ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ଯୁଦ୍ଧ କରିବାପାଇଁ ସ୍ଵୟଂ.... ହିଁ ଆବିର୍ଭାବ ହୁଅନ୍ତି ଯୁଗାନ୍ତକାରୀ ସମୟରେ ନୂତନ ଧର୍ମ ଓ .....ପ୍ରତିଷ୍ଠାପାଇଁ–

Image

 

ପ୍ରଥମ ପରିଚ୍ଛେଦ

ଏକ

 

ଯୀଶୁଖ୍ରୀଷ୍ଟ ଜନ୍ମ ହେବାର କେଇବର୍ଷ ଆଗର କଥା । ପାଲେସ୍ତାଇନ୍ ସେତେବେଳେ ରୋମ୍‍ ଅଧୀନରେ ଥିଲା । ବିରାଟ ଦେଶ । ଜେରୁଜେଲାମ ଥିଲା ପ୍ରଧାନ ସହର ଏବଂ ଜୁଡ଼ିଆ, ସାମାରିଆ ଓ ଗେଲିଲି ତିନୋଟି ବଡ଼ ଜିଲା । ଅନ୍ୟ କେତେକ ଜିଲା ଅଛି ହେଲେ ଏହି ତିନୋଟି ବଡ଼ ଜିଲାରେ ଇହୁଦୀମାନେ ଅଧିକ ଭାବରେ ବାସ କରୁଥିଲେ । ସିଜାରଙ୍କ ଆସନରେ ସେତେବେଳେ ବସିଥାନ୍ତି ଅଗଷ୍ଟାସ । ଜୁଡ଼ିଆର ରାଜା ହେରଦ୍ ସିଜାର ଅଧୀନରେ ହେଲେ ସାମନ୍ତ ରାଜା ।

 

ହେରଦ ଯେପରି ଦାମ୍ଭିକ ସେହିପରି ଥିଲେ ଅତ୍ୟାଚାରୀ । ତାଙ୍କର ପ୍ରବଳ ଅତ୍ୟାଚାରରେ ଧନ, ଜୀବନ, ମାନ ହରାଇବା ଭୟରେ ଲୋକମାନେ ଭୟଭୀତ ହୋଇ ପଡ଼ିଥିଲେ-। ତାଙ୍କ ଅତ୍ୟାଚାରରେ ଦେଶ ଜର୍ଜରିତ ହୋଇ ଉଠିଛି । ସାଧୁ, ସନ୍ୟାସୀ ଓ ଜ୍ୟୋତିଷମାନେ ଗଣନା କରି ଜାଣିପାରିଲେ ଯେ ପାଲେସ୍ତାଇନରେ ଗୋଟିଏ ଶିଶୁ ଜନ୍ମ ହେବ ଓ ସେ ଏହି ଅତ୍ୟାଚାରୀର ଦାଉରୁ ଲୋକଙ୍କୁ ରକ୍ଷା କରିବ । ସେସବୁ ଅନାଚାର, କୁସଂସ୍କାର ଧ୍ଵଂସ କରି ଏକ ନୂଆ ଧର୍ମ ପ୍ରଚାର କରି ଶାନ୍ତି ପ୍ରତିଷ୍ଠା କରିବ ।

 

ଏହା ଶୁଣି ରାଜା ହେରଦ କ୍ରୋଧରେ ଜଳି ଉଠିଲେ । ସେ ରାଜ୍ୟରେ ଘୋଷଣା କଲେ ଯେ ରାଜ୍ୟରେ ଯାହାଘରେ ଶିଶୁ ଜାତ ହେବ ଦୟାମାୟା ନ ରଖି ଶିଶୁଟିକୁ ଟାଣିଆଣି ମାରିଦେବାକୁ ହେବ । ଏ ଆଦେଶରେ ରାଜ୍ୟର ଗୁପ୍ତଚରମାନେ ଦିନ ରାତି ଘୁରିବୁଲି ଯାହା ଘରେ ଶିଶୁ ଜନ୍ମ ହେଲା ତାକୁ ମା କୋଳରୁ କାଢ଼ିଆଣି ମାରିଦିଅନ୍ତି ।

 

ଲୋକମାନେ ଆତଙ୍କରେ ଥରିଉଠିଲେ । ସମସ୍ତେ ଡାକୁଛନ୍ତି କେବେ ସେ ଶିଶୁ ଆସିବ ମୁକ୍ତି ନିଶାଣ ନେଇ ।

 

ଏହି ଭୟ ଓ ଭାବନା ଭିତରେ ଯୀଶୁ ଜନ୍ମନେଲେ ଏକ ନିରୋଳା କୁଟୀରରେ । ତାଙ୍କ ଜନ୍ମକଥା କେହି ଜାଣିଲେ ନାହିଁ । ଯେଉଁ ବର୍ଷ ଯୀଶୁ ଜନ୍ମ ହେଲେ ସେ ବର୍ଷ ପୂରଣ ହେବା ପୂର୍ବରୁ ରାଜା ହେରଦଙ୍କ ମୃତ୍ୟୁ ହେଲା ।

 

ହେରଦଙ୍କ ପରେ ତାଙ୍କ ତିନିପୁଅ ଭିତରେ ସିଂହାସନପାଇଁ ଲାଗିଲା ବିବାଦ । ଏହା ଦେଖି ସିଜାର ଅଗଷ୍ଟାସ୍ ଜୁନିଆର ଶାସନ ଭାର ପୂର୍ବ ରାଜବଂଶ ହାତରୁ କାଢ଼ିନେଇ ଜଣେ କର୍ମଚାରୀ ହାତରେ ଦେଲେ । ଏ କର୍ମଚାରୀ ହେଲେ ଜୁଡ଼ିଆର ରାଜ୍ୟପାଳକ ଏବଂ ତାଙ୍କର ଦପ୍ତର ରହିଲା ଜେରୁଜେଲମରେ । ଜୁଡ଼ିଆର ରାଜା ହେରଦଙ୍କର ଥିଲା ପ୍ରକାଣ୍ଡ ପ୍ରାସାଦ, ବଗିଚା, ପୋଖରୀ, ଝରଣା । ପ୍ରାସାଦର ଗୋଟିଏ ପାଖରେ ଥିଲା ପୁରୋହିତମାନଙ୍କର ସ୍ଥାନ ଏବଂ ଅନ୍ୟଏକ ଦପ୍ତରରେ ରୋମାନ୍‍ ପ୍ରହରୀମାନଙ୍କର ଏକ ଗୋଇନ୍ଦା ଅଫିସ ।

 

ଜୁଡ଼ିଆର ଏତେ ଗୌରବ, ଐଶ୍ୱର୍ଯ୍ୟ ସିଜାର ଅଗଷ୍ଟାସ୍‍ଙ୍କ ହାତରେ ଶେଷ ହୋଇଗଲା ।

Image

 

ଦୁଇ

 

କେଇବର୍ଷ ବିତିଗଲା–

 

ଜୁଡ଼ିଆର ଜିଅନ ପାହାଡ଼ରେ ହେରଦ ରାଜାଙ୍କର ବଗିଚାଘେରା ଏକ ପ୍ରସାଦ ଥିଲା । ପ୍ରାସାଦ ତଳରୁ ବଗିଚାଟି ବହୁ ଦୂରକୁ ଲମ୍ବିଯାଇଛି । ବଚିଚାର ମଝିରେ ରହିଛି ପ୍ରକାଣ୍ଡ ଜଳକୁଣ୍ଡ ଏବଂ ପଥରବନ୍ଧା ଝରଣା । କୁଣ୍ଡର ମଝିରେ ମଝିରେ କବାଟ । ଏସବୁ କବାଟ ଖୋଲି ସହଜରେ କୁଣ୍ଡରେ ପାଣି ପ୍ରବେଶ କରେ ଓ ଇଚ୍ଛାକଲେ ଖାଲିକରି ଦିଆଯାଇପାରେ ।

 

ଝରଣାର କିଛି ଦୂରରେ ପୋଖରୀ । ପୋଖରୀର ପାଣି ସ୍ୱଚ୍ଛ ଓ ତା’ର ଆଡ଼ିରେ ବେତବୁଦା–ଓଲିୟାଣ୍ଡର ।

 

ଜୁଲାଇ ମାସ ମଝାମଝି ହୋଇଛି । ଦ୍ୱିପହର । ବଡ଼ ଗରମ ପଡ଼ିଛି । ପବନର ନାମ ଗନ୍ଧନାହିଁ । ଏହି ପୋଖରୀର ଆଢ଼ୁଆଳରେ ବଗିଚାରେ ବସି ଦି’ଜଣ ସୁଶ୍ରୀ ଯୁବକ କଥାବାର୍ତ୍ତା ହେଉଛନ୍ତି । ଜଣକର ବୟସ ଊଣେଇଶି ଏବଂ ଅନ୍ୟର ବୟସ ସତର ହେବ । ବଡ଼ଟିର ନାମ ମେଖାଲା–ଜାତିରେ ରୋମାନ୍ ଏବଂ ଅନ୍ୟଟିର ନାମ ଜୁଡ଼ା–ସେ ଇହୁଦୀ । ପିଲା ବେଳୁ ଏକାସାଙ୍ଗରେ ବଡ଼ ହୋଇଥିବାରୁ ଦି’ଜଣଙ୍କ ଭିତରେ ବେଶ ଆନ୍ତରିକତା । ମେଖାଲା ଏଇ କେତେବର୍ଷ ରୋମରେ ରହି ପଢ଼ାପଢ଼ି କରି, କାମଦାମ ଶିଖି ଫେରିଛି । ଜୁଡ଼ିଆକୁ ଫେରି ଦୁଇ ବନ୍ଧୁଙ୍କର ପୁଣି ଦେଖା ସାକ୍ଷାତ ହୋଇଛି ।

 

ଜୁଲିଅସ୍ ସିଜାରଙ୍କୁ ମାରିଦେବାପାଇଁ ଯେଉଁମାନେ ଚକ୍ରାନ୍ତ କରିଥିଲେ ସେ ଦଳର ନାୟକ ଥିଲେ ବୃଟାସ୍‍ । ଏହି ବୃଟାସ୍‍ର ସହଚର ଥିଲେ ମେଖାଲାର ପିତାମହ । ତେଣୁ ମେଖାଲାମାନଙ୍କର ରାଜଦରବାରରେ ବେଶ୍ ଖାତିର ଅଛି ସେହିଦିନଠାରୁ । ଜୁଡ଼ିଆର ଇହୁଦୀ ରାଜା ହେରଦକୁ ଜୟ କରି ରୋମାନ୍‍ମାନେ ରାଜ୍ୟ ଚାଳନା ଭାର ମୋଗଲମାନଙ୍କୁ ଦେବାରୁ ସେମାନେ ମନ୍ତ୍ରୀ ଓ ଅଫିସର ହୋଇ ରହିଲେ । ନାମକୁମାତ୍ର ଇହୁଦୀ ରାଜା । ସିଂହାସନରେ ସେ ବସନ୍ତି ସତ କିନ୍ତୁ ରୋମାନ୍‍ମାନଙ୍କ ହୁକୁମରେ ସବୁକଥା ଚାଲେ । ମେଖାଲାର ବାପ ମନ୍ତ୍ରୀ ହୋଇ ଜୁଡ଼ିଆକୁ ଆସିଥିଲେ ।

 

ଦି’ଜଣ ବସି କଥା ହେଉଥିଲେ । ଜୁଡ଼ା କହିଲା–ତମେ ଶୁଣିଛକି ଆସନ୍ତା କାଲି ଏଠାକୁ ନୂତନ ରାଜ୍ୟପାଳ ଆସୁଛନ୍ତି ।

 

ମେଖାଲା କହିଲା–ହଁ ।

 

–କାହାଠାରୁ ଶୁଣିଛ ।

 

ବେଶ୍ ମୁରବିଆନା ଢଙ୍ଗରେ ମେଖାଲା କହିଲା–ଇସ୍‍ମାଇଲ ପାଖରୁ–ତମ ଜାତିର ପୁରୋହିତ ଠଉଁ । ସେ କହୁଥିଲେ ଆସନ୍ତା କାଲି ନୂଆ ରାଜ୍ୟପାଳ ଆସୁଛନ୍ତି । ପୁରୋହିତଟା ଜାତିରେ ମିଶରୀ ? ଜାଣ ତ ସେମାନେ ସତକଥା କେବେ କହନ୍ତିନାହିଁ । ପ୍ରକୃତ କଥା ଜାଣିବାକୁ ଟାଉଆରାକୁ ଯାଇଥିଲି କେପ୍ଟେନ ପାଖକୁ । କେପ୍ଟେନ କହିଲେ କଥାଟା ସତ, ରାଜ୍ୟପାଳ ଆସୁଛନ୍ତି । ବଡ଼ ଧୁମ୍‍ଧାମ୍ ଚାଲିଛି ଦେଖି ଆସିଲି । ସୈନ୍ୟମାନେ ପ୍ରସ୍ତୁତ ହେଉଛନ୍ତି ଏବଂ ଟାଓଆର ମୁଣ୍ତରେ ଯେଉଁ ପ୍ରକାଣ୍ଡ ଗ୍ଲୋବ ଓ ଇଗଲ ମୂର୍ତ୍ତି ଅଛି ସେ ଦିଓଟି ରଙ୍ଗକରା ହେଉଛି । ରାଜ୍ୟପାଳଙ୍କ ସାଙ୍ଗରେ ବଡ଼ ଫଉଜ ଆସୁଛନ୍ତି । ସେମାନେ ଏ ଟାଓଆରରେ ରହିବେ ।

 

ଜୁଡ଼ାକୁ ଏସବୁ ଭଲ ଲାଗୁନଥିଲା । ମୋଖାଲାର କହିବା ଭଙ୍ଗୀକୁ ସେ ପସନ୍ଦ କରୁନଥିଲା କାରଣ ଅହଙ୍କାର ଓ ତାଚ୍ଛଲ୍ୟ ଭରିଥିଲା ତା’ର କଥାରେ । କଥାଟା ହେଲା–ଜୁଡ଼ା ବିଜିତ ଇହୁଦୀ ଏବଂ ମେଖାଲା ବିଜୟୀ ରୋମାନ୍‍ ଶାସକ ଦଳର । ଜୁଡ଼ା ଦୁଃଖ କଲା । ଦି’ଜଣଙ୍କ ଭିତରେ ଏତେ ବନ୍ଧୁତ୍ଵ, ଏତେ ଭାବ । ସେଦିନ ରୋମ୍‍କୁ ଗଲାବେଳେ ଛଳ ଛଳ ଆଖିରେ ଏଇ ମେଖାଲା କହିଥିଲା–ଜୁଡ଼ା, ଆମର ବନ୍ଧୁତ୍ୱ, ରହିବ, ଚିରଦିନପାଇଁ ।

 

କିନ୍ତୁ ଆଜି ମେଖାଲାର କି ଅଦ୍ଭୁତ ପରିବର୍ତ୍ତନ । ସେ ନୀରବ ରହିଲା ।

 

ମୋଖାଲା ପଚାରିଲା–କଣ ଚୁପ୍‍ଚାପ୍ ରହିଲ ଯେ ଜୁଡ଼ା । ରାଜ୍ୟପାଳ ଆସୁଥିବା ଶୁଣି କ’ଣ ଏତେ ଭାବୁଛ ! କ’ଣ ହେଲା ?

 

ଦୀର୍ଘନିଶ୍ଵାସ ପକାଇ ଜୁଡ଼ା କହିଲା–ନାଁ, ତାହାନୁହେଁ ମେଖାଲା । ରାଜ୍ୟପାଳଙ୍କ କଥା ଭାବୁନାହିଁ ଯେ ଭାବୁଛି ତୁମକଥା । ତୁମେ କ’ଣ ସେଇ ପାଞ୍ଚବର୍ଷ ତଳର ମେଖାଲା ?

 

ମେଖାଲା ହସିଉଠି କହିଲା–ନୂଆ ପାଲଟିଛି ବୋଲି କହୁଛ ତ ? କିନ୍ତୁ ଏଥିରେ ତମର ବା କ୍ଷତି କ’ଣ ?

 

ଜୁଡ଼ା କହିଲା–ଏଇ ପାଞ୍ଚବର୍ଷ ଭିତରେ ମୁଁ ମଧ୍ୟ ବଦଳିଛି । ଏଭିତରେ ମୋର ଅନେକ ଶିକ୍ଷାଲାଭ ହୋଇଛି । ଜୁଡ଼ିଆ ଆଉ ସେଇଆ ହୋଇ ରହିନି । ଜୁଡ଼ିଆ ଆଜି ପରାଧୀନ ଇସ୍‍ମାଇଲ ପ୍ରଧାନ ପୁରୋହିତ ସତ, କିନ୍ତୁ ରୋମାନ୍‍ର ଚାକର ।

 

ମେଖାଲା କହିଲା ଉତ୍ସାହରେ–ବୁଝିଛି, ତମେ କହିବାକୁ ଚାହଁଯେ ଇସ୍‍ମାଇଲ ଯୋଗ୍ୟ ଆସନରେ ନାହିଁ–ଏହା ପାଇଛି ରୋମ୍‍ର କୃପାରୁ, ତୋଷାମଦରୁ । ଜାତିରେ ଇହଦେଶ ନୁହେଁ–ଶିକାରୀ । ଯାହା ମୁଁ ଦେଖୁଛି–ପୃଥିବୀ ପୃଷ୍ଠରେ କେତେ କ’ଣ ବଦଳୁଛି କିନ୍ତୁ ତମର ଏହି ମିଶରୀ ଓ ଇହୁଦୀମାନେ ପାହାଡ଼ପରି ଅଟଳ ରହିଛନ୍ତି । ପ୍ରାଣ ଥିଲେ ସିନା ପରିବର୍ତ୍ତନ ହେବ ? ତମର ଏ ଦୁଇଟା ଜାତି ଭିତରେ ଜଡ଼ତା ଭରିଛି–ତମେମାନେ ପ୍ରାଣହୀନ ।

 

ବାଲି ଉପରେ ମେଖାଲା ଗୋଟାଏ ବୃତ୍ତ କାଟି ପୁଣି କହିଲା–ଏ ବୃତ୍ତର ଯେପରି ଆରମ୍ଭ ବା ଶେଷ ନାହିଁ । ସେହିପରି ତମେମାନେ ଘୂରି ଚାଲିଛ । ଟିକିଏ ଏପାଖ ସେପାଖ ହେବାକୁ ଇଚ୍ଛା କରୁନ । ମଣିଷ ହେଇ କ’ଣ ରହିପାରିବ ?

 

ମେଖାଲାର କଥାକୁ ଜୁଡ଼ା ପସନ୍ଦକଲା ନାହିଁ । ସେ କହିଲା–ବନ୍ଧୁ ମୁଁ ଯାଉଛି ।

 

ଜୁଡ଼ାର ହାତ ଧରି ବସାଇଦେଇ ମେଖାଲା କହିଲା–ନା, ନା ତମେ ବସ । ତୁମକୁ ଯାହା କହୁଛି ଶୁଣ । କାବ୍ୟ, ଚିତ୍ରକଳା, ଶିଳ୍ପ ଚାତୁରୀ–ଏସବୁ କ’ଣ ତମେ କିଛି ଜାଣନା । ତମ ଧର୍ମରେ ଛବି ଆଙ୍କିବା, କାବ୍ୟ ଲେଖିବା ମହାପାପ । ଗୀତ ନାଚ ମଧ୍ୟ ମହାପାପ । ବକ୍ତୃତା ଦେବା ମଧ୍ୟ ମନା । ଭାବି ଦେଖତ, ତମର କି ଭଳି ଜୀବନ । ମଣିଷ ହୋଇ ଏ ଜନ୍ମରେ କ’ଣ ବା ପାଇଲ । ପଶୁମାନଙ୍କପରି ବଞ୍ଚିରହୁଛ । କଥାଟା ଭାବି ଦେଖ–

 

ଜୁଡ଼ା କୌଣସି ଜବାବ ଦେଲା ନାହିଁ । ମେଖାଲା କହିଚାଲିଲା–ସତରେ ତମ ଉପରେ ମୋର ବଡ଼ ଦୟା ହୁଏ । ଜୀବନରେ ତମର କୌଣସି ଆଶା ନାହିଁ–କଳ୍ପନା ନାହିଁ–ଲକ୍ଷ୍ୟ ନାହିଁ ? ମନେ ହୁଏ, ଇହୁଦୀଜାତି ଉପରେ ଭଗବାନଙ୍କର ଅଭିଶାପ ପଡ଼ିଛି ।

 

ଜୁଡ଼ା ମେଖାଲା ଆଡ଼କୁ ଅନାଇଲା । ମେଖାଲାର ଦିଓଟି ଆଖି କରୁଣା ଓ ସହାନୁଭୂତିରେ ପୂରିଗଲା ।

 

ମେଖାଲା ମନକୁମନ କହିଚାଲିଲା–ଏତେବଡ଼ ପୃଥିବୀରେ କେତେ ଅଜଣା ଦେଶ ଅଛି-। ସେ ଦେଶର ନାମ ଅନେକ ଜାଣନ୍ତି ନାହିଁ । ମୁଁ ସେହି ନୂଆ ନୂଆ ଦେଶକୁ ଜୟ କରିବାକୁ ଚାହେଁ-। ଆମ ଜୀବନରେ ସେ ସୁଯୋଗ ଅଛି–କିନ୍ତୁ ତମ ଜୀବନରେ ? ରୋମରେ ଯାଇ ଦେଖିଲି–ରୋମ୍‍ ସ୍ଵର୍ଗ–ଯାହା ଦରକାର କରିବ, ପାଇବ । ଜୁଡ଼ିଆରେ ଟଙ୍କା ଅଛି ସତ କିନ୍ତୁ ଟଙ୍କା ନେଇ କ’ଣ କରିବ-? ଜମେଇବ ? ଭୋଗ କରିବାର ଉପାୟ ନାହିଁ ?–ଯେପରି ଗୋଟାଏ ଜେଲଗାରଦ ।

 

ଜୁଡ଼ା ଧୀର କଣ୍ଠରେ କହିଲା–ମେଖାଲା, ତୁମେ ଯାହା କହୁଚ ମୁଁ ବୁଝି ପାରୁନି । ତେବେ ବୁଝି ପାରିଚି ଯେ ତୁମ ଓ ମୋ ଭିତରେ ପୃଥିବୀ ଓ ଆକାଶର ପ୍ରଭେଦ । ତମ ମନ ଯାହା ଲୋଡ଼େ ମୋ ମନ ତାହା ଚାହେଁନା । ତେଣୁ ଦେଖା ସକ୍ଷାତ ଠିକ୍ ହେବନି । ଏଣିକି ଅଲଗା ରହିବା ଭଲ । ମନରେ ମେଳ ହେଉନି–ତମେ ପୁଣି ମନେ କରେଉ ଦେଇଛ ଯେ ରୋମାନ୍‍ ବିଜୟୀ ଏବଂ ମୁଁ ସେହି ରୋମାନ୍‍ ଅଧୀନରେ ଇହୁଦୀ ।

 

ମେଖାଲା କହିଲା–ଭୁଲ୍ ବୁଝିଲ, ଜୁଡ଼ା । ତମେ ମୋର ବନ୍ଧୁ ଓ ମୋଠାରୁ ଛୋଟ । ମୁଁ ତୁମର ଭଲ ଚାହେଁ ।

 

ଜୁଡ଼ା କହିଲା–ଦେଖ, ମୋର ଭଲ ତୁମ ବର୍ଣ୍ଣିତ ବୃତ୍ତରେ ଘୂରୁ–ମୁଁ ତାହା ଛାଡ଼ି ରୋମାନ୍‍ ହେବାକୁ ଚାହେଁନା ।

 

ମେଖାଲା କହିଲା–ଜୀବନରେ ଯଦି ଲକ୍ଷ୍ୟ ନଥିବ ତେବେ ପାଇବ କ’ଣ ? ବେଶୀ ହେଲେ ପୁରୋହିତର ଆସନ । ତମ କଥା କୁହ ?

 

ଜୁଡ଼ା କହିଲା–ତମେ ସେକଥା ବୁଝି ପାରିବନି ମେଖାଲା ! ମୁଁ ଇହୁଦୀ, ତମେ ରୋମାନ୍‍-। ତମ ମନର ଆଶା କଳ୍ପନା ତୁମେ ପୂରଣ କର । ମୋପାଇଁ ତମକୁ ଭାବିବାକୁ ହେବ ନାହିଁ । ତେବେ ଦୁଃଖ ଏହିଯେ ଆଜିଠାରୁ ଆମର ବନ୍ଧୁତ୍ୱ ଶେଷହେଲା ।

 

କଥାଟି କହି ଜୁଡ଼ା ଦୃତ ଗତିରେ ବଗିଚାରୁ ବାହାରି ଗଲା ମେଖାଲା ଅବାକ୍ ହୋଇ ଅନେକ ସମୟ ଅନାଇଲା । ଜୁଡ଼ା ଆଖି ଆଗରୁ ଅନ୍ତର୍ହିତ ହେବାପରେ ମେଖାଲା ଏକ ନିଶ୍ଵାସ ପକାଇ କହିଲା ବେଶ୍–ତାହା ହେଉ । ଜାଣିଲି, ମୋ ବଂଧୁ ଜୁଡ଼ାର ମୃତ୍ୟୁ ହୋଇଛି । ଜୁଡ଼ା ବୋଲି ବଂଧୁ ମୋର ଆଉ କେହିନାହିଁ ।

Image

 

ତିନି

 

ଜୁଡ଼ା ଘରକୁ ଆସିଲା ।

 

ଆନ୍ତେନିଆ ଟାଓଆରର ଉତ୍ତରରେ ବଡ଼ ରାସ୍ତା ଉପରେ ପ୍ରକାଣ୍ତ ଏକ ବିଜୟ ବଗିଚା ଅଛି । ବଗିଚା ଭିତରେ ବିରାଟ ଘର ଏବଂ ଘରଟିର ଅନେକ ଫାଟକ ରହିଛି । ଦିଓଟି ଫାଟକରେ ଲୋକମାନେ ଯିବା ଆସିବା କରନ୍ତି କିନ୍ତୁ ଅନ୍ୟ ଫାଟକଗୁଡ଼ିକ ପ୍ରାୟ ବନ୍ଦଥାଏ । ଘରର ଫାଟକ, କାନ୍ଥ, ଝରକା ଓ କବାଟରେ ବିଭିନ୍ନ ଚିତ୍ର ଅଂକିତ ହୋଇଛି । ଫାଟକରେ ଜଗୁଆଳ ଜଗି ରହିଛି ।

 

ଜୁଡ଼ା ଫାଟକ ଦେଇ ଭିତରକୁ ପଶିଲା । ଭିତରେ ଏକ ପ୍ରାଙ୍ଗଣ । ପ୍ରାଙ୍ଗଣର ଦୁଇଧାରରେ ପଥରରେ ତିଆରି ଅନେକ ବେଂଚ ରହିଛି । ଅଗଣାର ଶେଷରେ ଗୋଟିଏ ପଥରର ସିଡ଼ି । ଅଗଣା ପାରହୋଇ ସିଡ଼ିଦେଇ ଜୁଡ଼ା ଉପରକୁ ଆସିଲା, ଦୋତାଲା ଘରର ବାରଣ୍ଡାରେ କ୍ରୀତଦାସ ମାନେ ଯାତାୟତ କରୁଛନ୍ତି । ଦଉଡ଼ିରେ ପୋଷାକ ପତ୍ର ଶୁଖାଉଛନ୍ତି–ଗୁଡ଼ାଏ ପାରା ଓ କୁକୁଡ଼ା ମନ ଖୁସିରେ ଦାନା ଖାଉଛନ୍ତି । ଏକତାଲାର ଗୋଟିଏ ପାଖରେ ଗୋରୁ, ଗାଈ, ଘୋଡ଼ା, ଛେଳି, ଗଧ ରହିଅଛି ଓ ଅନ୍ୟ ଦିଗରେ ପ୍ରକାଣ୍ତ କୁଣ୍ତ । ପୂର୍ବ ଆଡ଼କୁ ପ୍ରାଚୀର ଏବଂ ପ୍ରାଚୀର ଧାରଦେଇ ଏକ ପ୍ରବେଶ ପଥ । ଏ ରାସ୍ତାରେ ଆଉ ଗୋଟାଏ ଜାଗା–ଯତ୍ନରେ ତିଆରି ହୋଇଛି । ବଗିଚାରେ ଅଜସ୍ର ଫୁଲଗଛ–ଅଙ୍ଗୁର ।

 

ସିଡ଼ିରେ ଦୋତାଲାକୁ ଉଠିଲା ଜୁଡ଼ା ଏବଂ ତା’ପରେ ବାରଣ୍ଡାର ଉତ୍ତର ଦିଗେରେ ପର୍ଦ୍ଦା ଢଙ୍କା ଏକ କୋଠରୀରେ ପଲଙ୍କ ଉପରେ ଶୋଇ ପଡ଼ିଲା । ମନ ଭିତରେ କେତେ ଚିନ୍ତା ।

 

ସଂଧ୍ୟା ହେଲା । ରାତ୍ରି ଘନେଇ ଆସିଲା । କବାଟ ପାଖରେ ସ୍ତ୍ରୀ ଲୋକଟିଏ ଆସି କହିଲା–ରାତିହୋଇ ଗଲାଣି । ସମସ୍ତେ ଖାଇ ସାରିଲେଣି, ତମେ କାହିଁକି ଖାଇନାହଁ ବାପା, କ’ଣ ଭୋକ କରୁନି ?

 

ଉଦାସ କଣ୍ଠରେ ଜୁଡ଼ା କହିଲା–ନା,

 

–କଣ ଦେହ ଖରାପ ହୋଇଛି ?

 

–ନା, ମୋତେ ବଡ଼ ନିଦ ଲାଗୁଛି ।

 

–ମା, ତମକୁ ଖୋଜୁଥିଲେ

 

–ମା ଗଲେ କୁଆଡ଼େ ?

 

–ଛାତ ଉପରକୁ ।

 

–ଆଚ୍ଛା ମୋତେ ଏଠାକୁ ଖାଇବାକୁ ଆଣିଦବ ।

 

–କାହିଁକି ଦେବିନି ବାପା ? କ’ଣ ଖାଇବ କୁହ ?

 

–ଯାହେଉଛି ଆଣ, ମୋର ଦେହ ଖରାପ ହେଇନି ତଥାପି ଖାଇବାକୁ ଇଚ୍ଛା ହେଉନି । ମନଟା ଭଲ ନାହିଁ ।

 

ସ୍ତ୍ରୀ ଲୋକଟି ଅନେକ ଦିନର ପୁରୁଣା ଦାସୀ–ନାମ ଅମରା । ଅମରା ଖାଇବାକୁ ଆଣିବାକୁ ଗଲା ଓ ଡେରି ନ କରି ସଙ୍ଗେ ସଙ୍ଗେ ଟ୍ରେରେ ତାଟିଏ ଦୁଧ, ରୁଟି ହାଲୁଆ, ରୋଷ୍ଟ କରିଥିବା ଗୋଟିଏ ପକ୍ଷୀ, ଲୁଣ ଓ ମଧୁ ଆଣିଦେଲା । ଏହାଛଡ଼ା ଆଉ ଏକ ପାତ୍ରରେ ଦମ ନେଇ ଥୋଇଲା । ଟ୍ରେର ଧାରରେ ପିତଳର ଦୀପଟିଏ ଜଳୁଥାଏ ।

 

ଅମରାର ବୟସ ପ୍ରାୟ ପଚାଶ । ସେ ମିଶରୀ କ୍ରୀତବାସୀ, ସେ ଏଠାଛାଡ଼ି ଯିବାକୁ ଚାହେଁନା । ଏ ଘରେ ତା’ର ବଡ଼ ମାୟା । ଏଘର ଛାଡ଼ି ଅନ୍ୟ କେଉଁଠାକୁ ଗଲେ ସେ ସୁଖ ପାଇବ ନାହିଁ । ଏଇ ଜୁଡ଼ାକୁ ନିଜହାତରେ ମଣିଷ କରିଛି ସେ । ଜୁଡ଼ା ତା’ର ପ୍ରାଣ ।

 

ଜୁଡ଼ା ଖାଇବାକୁ ବସିଲା । ଖାଉଁ ଖାଉଁ ଜୁଡ଼ା କହିଲା, ମୋର ବନ୍ଧୁ ମେଖାଲା କଥା ମନେଅଛି ? ମୋ ପାଖକୁ ପ୍ରାୟ ଆସୁଥାଏ ।

 

ଅମରା କହିଲା–ଭଲମନେ ଅଛି । ସେ ରୋମ୍‍କୁ ଯାଇଛି ତ !

 

–ହଁ କାଲି ସେ ଫେରି ଆସିଛି । ଆଜି ତା’ସାଙ୍ଗରେ ଦେଖା କରିବାକୁ ଯାଇଥିଲି ।

 

–ତା ସଙ୍ଗରେ କ’ଣ କଳି ହେଲା ? ତୁମେ ଯାହା କୁହନା କାହିଁକି, ତମର ସେହି ବନ୍ଧୁଟିକୁ ମୋତେ ଭଲ ଲାଗେନା । ସବ୍‍ଜାନତା ଦେଖେଇହୁଏ ।

 

ଜୁଡ଼ା କହିଲା–ସେ ଏକା ବେଳେକେ ବଦଳି ଯାଇଛି ଅମରା କୌଣସି କଥା କହିଲା ନାହିଁ । ଜୁଡ଼ା ନିଶବ୍ଦରେ ଖାଇବାକୁ ଲାଗିଲା । ଖାଇବାପରେ ଅମରା ପାତ୍ର ନେଇ ଚାଲିଗଲା ଏବଂ ଜୁଡ଼ା ମା ପାଖକୁ ଛାଡ଼ି ଉପରକୁ ଚାଲିଗଲା ।

 

ଛାତର ପୂର୍ବଦିଗରେ ଏକ କୋଠରୀ । ଏ ଦେଶରେ ପ୍ରଚଣ୍ଡ ଗରମ ପଡ଼େ ତେଣୁ ବଡ଼ ଲୋକଙ୍କ ଘର ଛାତରେ କବାଟ ଝରକା ଥିବା ବଡ଼ ବଡ଼ କୋଠରୀ ଅଛି। ଜୁଡ଼ାର ମାଙ୍କ କୋଠରୀର ପର୍ଦ୍ଦା ତୋଳା ହୋଇଛି। ମୁଣ୍ଡ ଉପରେ ନକ୍ଷତ୍ରଭରା ଆକାଶ । ଘରେ ଆଲୋକ ନାହିଁ । ନକ୍ଷତ୍ର ଆଲୋକରେ ଦେଖା ଯାଉଛି ଯେ ମା ପଲଙ୍କରେ ଚିତ୍ ହୋଇ ଶୋଇଛନ୍ତି । ହାତରେ ମଣିରତ୍ନ ଖଚିତ ହାତପଙ୍ଖା–ମଝିରେ ମଝିରେ ପଙ୍ଖା ବିଞ୍ଚୁଛନ୍ତି ।

 

ଘର ଭିତରେକୁ ପଶି ଜୁଡ଼ା ମା’ପାଖରେ ବସିଲା, ମା ଡାକିଲେ–ଜୁଡ଼ା !

 

–ହଁ ମା ।

 

ମା ଉଠି ବସିଲେ । ତାଙ୍କ କୋଳରେ ମଥାରଖି ଜୁଡ଼ା ଶୋଇ ପଡ଼ିଲା । ପୁଅର ମୁଣ୍ଡରେ ହାତ ବୁଲାଉ ବୁଲାଉ ମା କହିଲେ–ଅମରା କହିଲା ତୋ ମନଟା କୁଆଡ଼େ ଭଲ ନାହିଁ–କାହିଁକି, କ’ଣ ହୋଇଛି ? ବୀରତ୍ଵ ଦେଖାଇ ପାରୁନୁ ବୋଲି ଦୁଃଖ କରୁଛୁ ?

 

ଜୁଡ଼ା କହିଲା–ନା, ମା ! ଆମେ ଇହୁଦୀ–ଇହୁଦୀମାନେ ଚାକର ଜାତି । ରୋମ୍‍ ଆଇନ ଅନୁସାରେ ଇହୁଦୀମାନଙ୍କୁ ଅସ୍ତ୍ର ଧରିବା ମନା । ତେଣୁ ବୀରତ୍ଵ ଦେଖାଇବା ଏ ଜନ୍ମରେ ବନ୍ଦ । ଏହା ପରେ ମେଣ୍ଢା ଚରେଇ ଦିନ କାଟିବାକୁ ପଡ଼ିବ । ବୀରତ୍ଵ ଆଉ କ’ଣ ଦେଖାଇବି, ବଣକୁ ଯାଇ କାଠ କାଟିବା ସାର ହେବ । ଲେଖାପଢ଼ା ଭଲ କରି ଶିଖି ପାରିଲେ ସ୍କୁଲ ମାଷ୍ଟର–ସତ ମା–ଏସବୁ କଥା ଯେତେବେଳେ ମୁଁ ଭାବେ..... । ଜୁଡ଼ା ନିଶ୍ୱାସ ପକାଇଲା ।

 

ସେ ଉଠି ପଡ଼ି କହିଲା–ତମେ ବୁଝୁନା ମା–ଖାଲି ପୁଅକୁ ବଞ୍ଚିବାକୁ କୁହନା । ପୁଅ ଯେମିତି ମଣିଷପରି ବଞ୍ଚିପାରିବ ତାହା କରିବାକୁ ହେବ । ମୁଁ ଯାହା ପଚାରୁଛି ତା’ର ଜବାବଦିଅ । ତମେ ଏବେ ବଞ୍ଚିଛ । ତମେ ମଲାପରେ ମୁଁ କ’ଣ କରିବି କ’ଣ ନେଇ ରହିବି ? ଖାଲି ଖିଆ ପିଆ କରି ପୋଷାକ ପିନ୍ଧିବି ? ନା ମ, ତାକୁ ବଞ୍ଚିବା କୁହାଯାଏନା । ସେପରି ବଞ୍ଚିବାରେ କି ସୁଖ–କି ଲାଭ ? ମୁଁ ମଣିଷପରି ବଞ୍ଚି ରହିବାକୁ ଚାହେଁ–ଏ ଗଧ, ଘୋଡ଼ା, କୁକୁର ପରି ନୁହେଁ ।

 

ମାଙ୍କ ମନରେ କିପରି ଖଟକା ଲାଗିଲା ପୁଅ । ପୁଅ ମୁହଁରେ ପୁଣି ଆଜି ଏ କି କଥା ? ଏପରି କଥା ପୁଅ ମୁହଁରେ ସେ ତ କେବେ ଶୁଣି ନାହାନ୍ତି । ଆଜି ପୁଣି ତା’ର କ’ଣ ହେଲା ? କହିଲେ–କାହିଁକି ? ହଠାତ୍ ପୁଣି ଏ କି କଥା ?

 

ଜୁଡ଼ା କହିଲା–ଜାଣିଛ ମା, ପାଞ୍ଚବର୍ଷପରେ ମୋର ସେହି ରୋମାନ୍‍ ବନ୍ଧୁ ମେଖାଲା ଜୁଡ଼ିଆକୁ ଫେରି ଆସିଛି । ସଞ୍ଜବେଳେ ଦେଖାହେଲା ।

 

ସଞ୍ଜର କଥା ଜୁଡ଼ା ସବୁ କହିଲା ଏବଂ ପୁଣି ପଚାରିଲା–ଆଚ୍ଛା ମା, ତମେ କୁହ–ଯେଉଁ ଭଗବାନ ରୋମାନ୍‍ମାନଙ୍କୁ ତିଆରି କରିଛନ୍ତି ସେହି ଭଗବାନ କ’ଣ ଆମର ଇହୁଦୀ ଜାତିଟାକୁ କରି ନାହାନ୍ତି । ସେହି ଏକ ଇଶ୍ଵର ଯଦି ତିଆରି କରିଥାନ୍ତି ତେବେ ରୋମାନ୍‍ମାନେ ଯାହା କରି ପାରନ୍ତି ଇହୁଦୀମାନେ ତାହା କରି ପାରିବେ ନାହିଁ କାହିଁକି ?

 

ମା ଶୁଣି କହିଲେ–ଏ କଥା ପାଗଳ ଛଡ଼ା ଆଉ କିଏ କହିବ ? ପୃଥିବୀରେ କୌଣସି ଜାତି ଚିରଦିନ ଶକ୍ତିମାନ ନଥାନ୍ତି । ଆଜି ଏ ଜାତି, କାଲି ସେ ଜାତି ବଡ଼ ହୋଇଛନ୍ତି । ଗୋଟାଏ ଜାତି ଅନ୍ୟ ଜାତିକୁ ପରାସ୍ତ କରି ବଡ଼ ହୋଇଛି । ଯେଉଁ ଜାତି ବଡ଼ ହୋଇଛି, ଦିଦିନପରେ ସେ ଜାତି ଅନ୍ୟ ଜାତି ନିକଟରେ ପରାସ୍ତ ହୋଇ ମଥା ତଳକୁ କରିଛି । ଆଜି ପର୍ଯ୍ୟନ୍ତ ଏପରି କୌଣସି ଜାତି ପୃଥିବୀରେ ଜନ୍ମ ହୋଇ ନାହିଁ ଯେକି ଅନ୍ୟ ଜାତିକୁ ଚିରଦିନ ଧରି ପରାସ୍ତ କରି ଦବାଇ ରଖି ପାରିଛି । ଏଇ ନଗରୀମାନେ ଦିନେ ବଡ଼ ଥିଲେ । ଏହି ଗ୍ରୀକ୍‍ଜାତି ଶକ୍ତିର ଅହମିକାରେ ସବୁଜାତିକୁ ଛୋଟ ବୋଲି ଭାବୁଥିଲା । ଆଜି ରୋମାନ୍‍ ମଥା ଟେକିଛି–ଇହୁଦୀର ମୁଣ୍ଡ ତଳକୁ ହୋଇଛି । କାଲି ପୁଣି ଏଇ ଇହୁଦୀ ମଥା ଟେକିବ ଏବଂ ରୋମାନ୍‍ମାନେ ମଥା ତଳକୁ କରିବେ । ଦିନପରେ ରାତି । ରାତି ପରେ ପୁଣି ନୂତନ ଦିନ ଆସେ, ଏହାହିଁ ଚାଲିଛି ଜୁଡ଼ା ।

 

ଜୁଡ଼ା କହିଲା–କିନ୍ତୁ ମା, ମେଖାଲା କହିଲା ଇହୁଦୀଙ୍କର ଶିଳ୍ପ, କାବ୍ୟ, ସଙ୍ଗୀତ, ଲଳିତକଳା ନାହିଁ–ଏସବୁ ଧର୍ମ୍ମରେ ମନା ।

 

ମା କହିଲେ–ଶିଳ୍ପକଳା ଅର୍ଥ ଯଦି ଛବି ଆଙ୍କିବା, ମୂର୍ତ୍ତି ଗଢ଼ିବା କୁହ ଆମର ତାହା ନାହିଁ-। ତା’ବୋଲି ମଣିଷ ହେବାର ଆପତ୍ତି କ’ଣ ? ଆମ ଜାତିରେ କ’ଣ ଡେଭିଡ, ସୁଲେମାନ ନଥିଲେ-? ପୃଥବୀରେ ଏମାନଙ୍କର ନାମ ସବୁଜାତିର ଲୋକ କହିବ । ଆଜିର ଏହି ବୀର ରୋମାନ୍‍ମାନଙ୍କୁ ପୃଥିବୀବାସୀ ଭୁଲିଯିବେ କେଇ ବର୍ଷରେ, କିନ୍ତୁ ଜ୍ଞାନୀ, ସାଧୁ ଡେଭିଡ, ସୁଲେମାନ ଯୋଶେଫ୍‍ଙ୍କୁ କେବେ ଭୁଲିପାରିବେ ନାହିଁ ।

 

ଜୁଡ଼ା କ’ଣ ଭାବି କହିଲା–ମୁଁ ବୀର ହୋଇ ଯୁଦ୍ଧ କରିବାକୁ ଚାହେଁ–କଣ ପୌଜରେ ପଶିପାରିବି ନାହିଁ ।

 

ମା କହିଲେ–କାହିଁକି ନୁହଁ–ମୋସେସ୍ କ’ଣ ବୀର ନଥିଲେ ?

 

ଜୁଡ଼ା ଏ କଥାରେ ଜବାବ ଦେଲାନାହିଁ । ମା କହିଲେ–ମୋ କଥା ଶୁଣ । ଭଗବାନଙ୍କୁ ଭୁଲନାହିଁ–ତାଙ୍କୁ ଡାକ–ତାଙ୍କୁ ମାନିଚଳ–ସେହି ଏକମାତ୍ର ସହାୟ । ସେ କେବଳ ତୋର ମନର ଇଚ୍ଛା ପୂରଣ କରିବେ । ତାଙ୍କ ଉଦ୍ଦେଶ୍ୟରେ ମନର କାମନା ଜଣାଅ । ସେ ତତେ ଶ୍ରେଷ୍ଠବୀର କରିବେ । ଥାଉ ଜୁଡ଼ା–ଅନେକ ରାତି ହେଲାଣି–ଏବେ ଶୋଇବାକୁ ଯାଅ ।

 

ମା ପୁଣି କହିଲେ–ଗୋଟିଏ କଥା କହୁଛି । ସେ କଥା ଚିରଦିନ ମନରେ ରଖିବୁ ।

 

ଜୁଡ଼ା କହିଲା–କି କଥା ମା ?–କୁହ !

 

ମା କହିଲେ–ନିଜ ଦେଶର, ନିଜ ଜାତିରେ ଯେଉଁମାନେ ଶ୍ରେଷ୍ଠ–ଯେଉଁମାନେ ମଣିଷପରି ମଣିଷ ଥିଲେ ତାଙ୍କ କଥା ଜୀବନରେ ଯେପରି ଭୁଲିବୁ ନାହିଁ । ଯେଉଁ ଜାତି ଭିତରେ ଯେଉଁ ଟିକକ ଭଲଗୁଣ ପାଇବୁ ତାହା ମନ ପ୍ରାଣରେ ଗ୍ରହଣକରିବୁ । ଅନ୍ୟଜାତିର ଶ୍ରେଷ୍ଠ ପୁରୁଷମାନଙ୍କ ସହିତ ନିଜ ଜାତିର ଶ୍ରେଷ୍ଠ ପୁରୁଷମାନଙ୍କୁ ମିଳାଇ ଦେଖିବୁ–ଯୋସେଫ୍‍ଙ୍କ ସହିତ ସିଜାରଙ୍କୁ, ଡେଭିଡ୍‍ଙ୍କ ସହିତ ଟାର୍କୁଇନ୍‍ଙ୍କୁ, ସୁଲୋମନ ସହିତ ଅଗଷ୍ଟାସ୍‍ଙ୍କୁ ଭଲକରି ମିଳାଇ ଦେଖିବୁ ।

 

ବିଭିନ୍ନ ଦେଶର ବିଭିନ୍ନ ମହାପୁରୁଷମାନଙ୍କ କଥା ମା କହିଲେ । ତା’ପରେ କହିଲେ ଜୁଡ଼ା ଶୋଇବୁ ଯାଆ ।

 

–ହଁ ମା, ଏବେ ମୁଁ ଶୋଇବି, ହେଲେ ଗୋଟିଏକଥା–

 

–କହ !

 

–ମୁଁ ସତ କହୁଛି ମା, ମୋର କେବଳ ଗୋଟିଏ କାମନା–ମୁଁ ବୀର ହେବାକୁ ଚାହେଁ–ଯୁଦ୍ଧ କରି ମୋ ଜାତିକୁ ମୁଁ ସ୍ଵାଧୀନ କରିବି । ମୋର ଏ ଇଚ୍ଛା କ’ଣ ପୂର୍ଣ୍ଣ ହେବ ?

 

–ନିଶ୍ଚୟ ହେବ । ଭଗବାନଙ୍କ ନିକଟରେ ତୋର ଏ ଇଚ୍ଛା ଜଣା । ଜୁଡ଼ା, ସେ କେବଳ ପୂର୍ଣ୍ଣ କରି ପାରିବେ ।

 

–ତମର ଏଥିରେ ଆପତ୍ତି ନାହିଁତ ମା ?

 

–ନା, ମୁଁ କେବଳ ଚାହେଁ ଯେ ତୁ କେବେହେଲେ ଯେପରି ଭଗବାନଙ୍କୁ ଭୁଲିଯିବୁ ନାହିଁ-

 

ଜୁଡ଼ାର ମନଟି ଏବେ ଶାନ୍ତ ହେଲା । ମାଙ୍କ କୋଳରେ ମଥାରଖି ଜୁଡ଼ା ଶୋଇ ପଡ଼ିଲା-

Image

 

ଚାରି

 

ପରଦିନ ସକାଳେ ଜୁଡ଼ାର ଯେତେବେଳେ ନିଦ ଭାଙ୍ଗିଲା ସୂର୍ଯ୍ୟ ସେତେବେଳକୁ ପାହାଡ଼ର ଅଡ଼ୁହାଳରୁ ଆକାଶକୁ ଉଠିଛି–ଘର ଭିତରକୁ ସୂର୍ଯ୍ୟ କିରଣ ପଶି ଆସିଛି । ଆକାଶ ଝଲସି ଉଠୁଛି–ଦଳଦଳ ପାରା ଉଡ଼ୁଛନ୍ତି । ଦକ୍ଷିଣରେ ମନ୍ଦିରର ଚୂଡ଼ା ସୂର୍ଯ୍ୟଙ୍କ କିରଣରେ ଆକାଶ ଛାତି ଉପରେ ଯେପରି ଆଲୋକସ୍ତମ୍ଭ ।

 

ଜୁଡ଼ାର ପଲଙ୍କ ଓ ପାରାଗୁଡ଼ିକ ଆଡ଼କୁ ଅନାଇ ଜୁଡ଼ାର ଛୋଟ ଭଉଣୀ ଟିରା ଗୀତ ଗାଉଛି ଯନ୍ତ୍ରରେ । ଟିରାର ବୟସ ପ୍ରାୟ ପନ୍ଦର ହେବ ।

 

ନିଦ ଭାଙ୍ଗିଲା ପରେ ଜୁଡ଼ା ଉଠି ପଲଙ୍କରେ ବସିଲା । ଟିରା ଗୀତ ବନ୍ଦକରି ଯନ୍ତ୍ରଟା ରଖିଲା ।

 

ଜୁଡ଼ା କହିଲା–ବଡ଼ ମିଠା ଲାଗିଲା ।

 

ଟିରା କହିଲା–କେଉଁଟା ?

 

–ସବୁ ମିଠା, ଗାନ, କଣ୍ଠ, ବଜେଇବା । ସୁରଟା ମଧ୍ୟ ଚମତ୍କାର । ସେ ଦିନ ଏହି ଗୀତଟା ଗୋଟାଏ ଗ୍ରୀକ୍ ବୋଧହୁଏ ଗାଇଥିଲା–ଶୁଣିଛି ।

 

ଟିରାର ଦିଓଟି ଆଖି ଉଜ୍ଜ୍ଵଳ ହୋଇ ଉଠିଲା । ସେ କହିଲା ହଁ,–ତେବେ ଭାଇ ତମେ ସେ ଗ୍ରୀକ୍‍କୁ ମନେ ରଖିଛ । ସେହି ଅଭିନୟ ମଞ୍ଚରେ ନା ? ସେ ଗ୍ରୀକ୍ ରାଜା ହେରଦଂକ ସଭାରେ ଥିବାର ଶୁଣିଛି । ସେ ହେରଦଂକୁ ଓ ତାଙ୍କ ଭଉଣୀ ସୋଲମକୁ ଗୀତ ଗାଇ ଶୁଣାଇଥିଲା । ଦେଖିଲତ ଥିଏଟରରେ କୁସ୍ତି କସରତ ଚାଲିଥିଲା କେତେ ଗୋଳମାଳ କିନ୍ତୁ ଯେତେବେଳେ ସେ ଗାଇବାକୁ ଲାଗିଲା ସବୁ ଚୁପ୍‍ଚାପ୍ । ଗୀତର ପ୍ରତ୍ୟେକଟି ଧାଡ଼ି କେତେ ସ୍ପଷ୍ଟ କୁହତ ? ତା’ଠାରୁ ମୁଁ ଗୀତଟା ଲେଖି ନେଇଛି ।

 

–ସେତ ଗ୍ରୀକ୍ ଭାଷାରେ ଗାଉଥିଲା ।

 

–ହଁ । ସେଇଟି ମୁଁ ଆମ ହିବୃ ଭାଷାରେ ଅନୁବାଦ କରିଛି ସତ କିନ୍ତୁ ସୁରଟି ସେଇଭଳି ଅଛି ।

 

–ସତରେ ଟିରା ମୋର ଅହଂକାର ହେଉଛି ମୋ ଭଉଣୀ ଏପରି ଗୁଣୀ–ତୁ ଏଡ଼େ ସୁନ୍ଦର ଗୀତ ଗାଇ ଜାଣୁ ।

 

–କିନ୍ତୁ ଏବେ ଗୀତ କଥା ଥାଉ ଭାଇ । ତମର ଖାଇବା ଏଠାକୁ ଆସିବକି ନାହିଁ ଜାଣିବାକୁ ଅମରା ମୋତେ ଏଠାକୁ ପଠାଇଛି । ତମର ଦେହ କୁଆଡ଼େ ଭଲନାହିଁ । କୁହନା, କ’ଣ ହେଇଛି ତମର ? ଅମରା ଔଷଧ ଦେବ । ଜାଣତ ସେ ମିଶରୀ ।

 

ଜୁଡ଼ା ହସି କହିଲା–ତୁ ଯେପରି ଅମରା ସେହିପରି ।

 

ଟିରା କହିଲା–ସତରେ ଭାଇ ବିଶ୍ୱାସ କର । ମୋର କାନର ରିଙ୍ଗ୍‍ ଟାକୁ ଦେଖୁଛ–ଗୋଟାଏ ଇରାଣୀ ମାକୁ ନୁହେଁ ବାପାଙ୍କୁ ଅନେକ ବର୍ଷ ପୂର୍ବରେ ଦେଇଥିଲା । ଏ ଇୟାରିଙ୍ଗରେ କୁଆଡ଼େ କ’ଣ ମନ୍ତ୍ର ଲେଖାଥିଲା । ଏବେ ଲେଖା ଲିଭିଯାଇଛି, ତଥାପି ଏହାର ଗୁଣ ବହୁତ ।

 

–ପାଗଳ ନା କ’ଣ ? ମୁଁ ଏ ଯନ୍ତ୍ର ମନ୍ତ୍ର ଭଲ ପାଏନା । ଆମେ ଅବ୍ରାହମ ଜାତିର ଲୋକ-। ଆମ ଜାତିରେ ଏସବୁ ମନା କାନରୁ ସେ ମନ୍ତ୍ରପୂତ ରିଙ୍ଗ ଖୋଲି ପକାଇ ଦେ ।

 

–ମୁଁ ତ ମନ୍ତ୍ରଯନ୍ତ୍ରପାଇଁ କାନରେ ପିନ୍ଧି ନାହିଁ–ସେସବୁ ମୁଁ ବି ଜାଣେନା । ସୁନ୍ଦର ବୋଲି ପିନ୍ଧିଥିଲି । ତମେ ଯେତେବେଳେ କହୁଛ ଖୋଲି ପକାଉଛି ।

 

ଟିରା ଇୟାରିଂ ଖୋଲୁଥିଲା । ଜୁଡ଼ା କହିଲା–ନା, ନା, କାନରେ ଥାଉ । ବେଶ୍‍ ଭଲ ଦିଶୁଛି ।

 

କ୍ରୀତଦାସ ମୁହଁ ଧୋଇବାପାଇଁ ପାଣି ଓ ପାତ୍ର ନେଇ ଆସିଲା ।

 

ଟିରା କହିଲା–ଏଠାରେ ଥୋଇ ଦେଇ ଯା ।

 

କ୍ରୀତଦାସ ଯିବା ପରେ ଜୁଡ଼ା ମୁହଁ ହାତ ଧୋଇବାକୁ ଲାଗିଲା ଟିରା କେଶ ବିନ୍ୟାସ କରିବାକୁ ଦର୍ପଣ ଆଗରେ ଠିଆ ହେଲା ।

 

ଜୁଡ଼ା କହିଲା–ମୁଁ ଏଠାରୁ ଚାଲି ଯାଉଛି ଟିରା ।

 

କେଶ ବାନ୍ଧୁ ବାନ୍ଧୁ ଟିରା ଫେରି ଚାହିଁ କହିଲା–ସତରେ ? କୁଆଡ଼େ ଯିବ ଭାଇ ? କେବେ ? କେତେବେଳେ ?

 

ଜୁଡ଼ା ହସି କହିଲା–ଏକା ସାଙ୍ଗରେ ପୁଣି ଏତେଗୁଡ଼ାଏ ପ୍ରଶ୍ନ । ଏତେଗୁଡ଼ାଏ ଜବାବ ଦେବାକୁ ବହୁତ ସମୟ ଲାଗିବ ।

 

–କହିବ ନାହିଁତ ? ବାସ୍, ମୁଁ ଶୁଣିବାକୁ ଚାହେଁନା ।

 

–ନା, ନା, ରାଗ କରନା । ଶୁଣ । ଆଇନରେ ଅଛି ପିଲା ବଡ଼ ହେଲେ ଘରେ ବସିବା ନିଷେଧ–ଗୋଟାଏ କିଛି କରିବାକୁ ହେବ । ଜାଣୁତ, ବାପା ବ୍ୟବସାୟ କରି କେତେଟଙ୍କା ଜମା କରି ଯାଇଛନ୍ତି । ମୁଁ ଯଦି କୌଣିସି କାମ ନ କରି ଘରେ ବସି ରହେ ତେବେ ତୁ ଭଉଣୀ ହେଲେ ବି ମୋତେ ଭଲ ପାଇବୁ ନାହିଁ । ତେଣୁ ମୁଁ ରୋମ୍‍କୁ କାମ କରିବାକୁ ଯିବି ।

 

ଟିରା କହିଲା–ମୁଁ ବି ତମ ସାଙ୍ଗରେ ଯିବି ।

 

–ନା, ତୁ ଯିବୁନାହିଁ । ତୁ ଘରେ ଥିବୁ–ମାକୁ ଦେଖିବୁ । ଆମେ ଦି’ଜଣ ଚାଲିଗଲେ ମାଙ୍କର ବଡ଼ କଷ୍ଟ ହେବ ।

 

ଟିରାର, ମୁଖ ମଳିନ ହେଲା । ସେ କହିଲା–ଠିକ୍ କହିଛ ।

 

ବେଶ୍ ତମେ ଏକା ଯାଅ । ବ୍ୟବସାୟ କରିବାକୁ ଯିବ ଯଦି ତ ପାଖରେ ଜେରୁଜେଲମ ଅଛି, ସେଠାରେ ଯେପରି ବ୍ୟବସାୟ ଚଳେ ଅନ୍ୟ କେଉଁଠାରେ ହୁଏନା ।

 

ଜୁଡ଼ା କହିଲା–ବ୍ୟବସାୟ ଯେ ମୋତେ କରିବାକୁ ହେବ ଏପରି କିଛି କଥା ନାହିଁ । ଆଇନ କହୁନାହିଁ ଯେ ବାପ ଯାହା କରିବ ପୁଅ ସେଇଆ କରିବ । ମୁଁ ବ୍ୟବସାୟ କରିବି ନାହିଁ । ମୁଁ ଯୁଦ୍ଧ କରିବି–ଫଉଜରେ ଭର୍ତ୍ତି ହେବି ।

 

ଟିରା ଶିହରି ଉଠି କହିଲା–ଯୁଦ୍ଧରେ ?

 

–ମରିଯିବି ! ଭଗବାନଙ୍କର ଯଦି ସେଇଆ ଇଚ୍ଛା ସେଥିରୁ ଛାଡ଼ ପାଇ ପାରିବି ନାହିଁତ ।

 

ଟିରା ଆଖିରେ ଅଶ୍ରୁ । ଜୁଡ଼ା ଲୁହ ପୋଛି ଦେଇ କହିଲା–ଯେଉଁମାନେ ଯୁଦ୍ଧ କରନ୍ତି ସେମାନେ ସମସ୍ତେ କ’ଣ ମରନ୍ତି ? ସେମାନଙ୍କ ମଧ୍ୟରେ ଯେ ଯୁଦ୍ଧରେ ଜିତେ ସେ ରାଜା ହୁଏ । ସେତେବେଳେ କେତେ ମଜା କହ ତ ?

 

–ନା ଭାଇ ଆମେ ରାଜା ନ ହୋଇ ବେଶ୍ ଭଲରେ ଅଛେ । ଭାଇ ତମେ ଯାଅନା । ତମେ ଦୂରକୁ ଗଲେ ମୋ ମନ ଭଲ ଲାଗିବ ନାହିଁ । ମୁଁ ଖାଲି କାନ୍ଦିବି । କାନ୍ଦି କାନ୍ଦି ମରିଯିବି ।

 

ଜୁଡ଼ା ହସି କହିଲା–ଆଚ୍ଛା, ତୋର ଯେତେବେଳେ ବିବାହ ହେବ ତୁ ବର ସାଙ୍ଗରେ କେତେ ଦୂରକୁ ଚାଲିଯିବୁ । ତୁ ଚାଲିଗଲେ ମୋର କେତେ ଦୁଃଖ ହେବ କହିଲୁ ?

 

ଟିରା କହିଲା–ମୁଁ ବାହା ହେବିନି ।

 

ଜୁଡ଼ା କହିଲା–କେଉଁ ଦେଶର ରାଜପୁତ ଆସି ତୋତେ ବାହା ହେବ । ସେଠାରେ ତୁ କେତେ ସୁଖରେ ରହିବୁ । ତୋ ଭାଇ ସେତେବେଳକୁ କ’ଣ କହିବ କହତ ?

 

ଟିରା ଆଖିରେ ଲୁହ ଭରିଗଲା ।

 

ଜୁଡ଼ା କହିଲା–ତା ଛଡ଼ା ଯୁଦ୍ଧ ମଧ୍ୟ ଗୋଟାଏ ବ୍ୟବସାୟ । ଏହାକୁ ଶିଖିବାକୁ ପଡ଼େ । ସେଥିପାଇଁ ବିଦ୍ୟାଳୟ ଅଛି ।

 

ଟିରା କହିଲା–ରୋମ୍‍ ଦଳ ପକ୍ଷରୁ ତମେ ଯୁଦ୍ଧ କରିବ–ଯେଉଁ ରୋମ୍‍କୁ ତମେ ଏତେ ଘୃଣା କର ?

 

ଜୁଡ଼ା ହସି କହିଲା–ରୋମ୍‍ ବିରୁଦ୍ଧରେ କିପରି ଯୁଦ୍ଧ କରି ପାରିବି ବୁଝାଇ ଦେଇ ପାରିବୁତ ମୁଁ ରୋମ୍ ତରଫରୁ ଯୁଦ୍ଧ କରିବି ନାହିଁ ।

 

ଟିରା କହିଲା–ତମେ ଯୁଦ୍ଧ ଶିଖିବାକୁ ଇଚ୍ଛା କର ?

 

ଅମରା ସେତେବେଳେ ଆସିଲା । ଦି’ଜଣ ଯାକ ନୀରବ ହେଲେ । ରାସ୍ତାରେ କୋଳାହଳ ସହ ବାଦ୍ୟର ଶବ୍ଦ ଆସିଲା ।

 

ଜୁଡ଼ା କହିଲା–ନୂଆ ରାଜ୍ୟପାଳ ଆସୁଛନ୍ତି ଯେ ଶୋଭାଯାତ୍ରା ବାହାରିଛି । ଜୁଡ଼ା ଛାତ ଉପରକୁ ଉଠିଗଲା । ଟିରା ମଧ୍ୟ ସାଙ୍ଗରେ ଗଲା । ଦି’ଜଣ ଠିଆ ହେଲେ ଦେଖିବାକୁ ।

 

ପ୍ରାସାଦର ଛାତ ଉପରୁ ଆତଳାନ୍ତିଆ ଟାଉଆର ପର୍ଯ୍ୟନ୍ତ ଦେଖାଯାଏ । ସେହି ଟାଉଆରରେ ମିଲିଟାରି ଫଉଜ ଥାନ୍ତି । ରାସ୍ତାଟା ସାରା ଲୋକାରଣ୍ୟ । ସ୍ତ୍ରୀ ପୁରୁଷ ପିଲା ବୁଢ଼ା ରାସ୍ତାରେ ଭରି ଯାଇଛନ୍ତି । ଛୋଟ ଛୋଟ ପିଲାଙ୍କୁ କୋଳରେ ଧରି କେତେଲୋକ ଜମିଛନ୍ତି । ବେଣ୍ଡ ଦଳ ସହିତ ମାର୍ଚ୍ଚ କରି ଶୋଭା ଯାତ୍ରାରେ ଆସୁଛନ୍ତି ଦଳ ଦଳ ସୈନ୍ୟ । ଜଣେ ଅଫିସର ଘୋଡ଼ାରେ ଆଗରେ ଚାଲିଛନ୍ତି ।

 

ସେମାନେ ଜୁଡ଼ାର ପ୍ରାସାଦ ପାଖକୁ ଆସି ଗଲେଣି । ଏକାଗ୍ର ଚିତ୍ତରେ ଜୁଡ଼ା ଛାତର ଅଳ୍ପ ଉଚ୍ଚ କାନ୍ଥ ଉପରେ ପେଟେଇ ପଡ଼ି ଦେଖୁଛି । ନୂତନ ରାଜ୍ୟପାଳ ଘୋଡ଼ା ଉପରେ ବସିଛନ୍ତି । ମଥାରେ ଟୋପି ନାହିଁ । ଦେହଟା ବର୍ମରେ ଅଣ୍ଟା ।

 

ଅଫିସରଙ୍କୁ ଦେଖିବାପାଇଁ ଜନତା ପାଗଳ । ଘର ପାଚେରୀରୁ ପାଟିତୁଣ୍ଡ ଶୁଭୁଛି । ଲୋକମାନଙ୍କର ପାଟିତୁଣ୍ଡ ସହିତ ସ୍ତ୍ରୀ ଲୋକମାନଙ୍କର ପାଦର ଚଟି ଶୋଭାଯାତ୍ରା ଉପରେ ପଡ଼ୁଛୁ-। କେଇଟା ଚଟି ରାଜ୍ୟପାଳଙ୍କ ଦେହରେ ମଧ୍ୟ ବାଜିଛି । ଭିଡ଼ ଭିତରୁ ଚିତ୍କାର ଶୁଭୁଛି–ବେଇମାନ ରୋମାନ୍–କୁକୁର–ଡକାଏତ–ଇସମାଇଲିଟାକୁ ଫେରାଇ ନେଇଯା ।

 

ଜୁଡ଼ା ଛାତର ଗୋଟିର କୋଣରେ ଠିଆ ହୋଇ ରାଜ୍ୟପାଳ ଉପରେ ନିଷ୍ଫଳ ଆକ୍ରୋଶ ଶୁଣୁଛି । ଜୁଡ଼ାର କେତେ କାଳର ପୁରୁଣାଘର । ଜୁଡ଼ା ଦେହର ଚାପାରେ ହଠାତ୍ କାର୍ଣ୍ଣିସ୍ ଧସିଯାଇ ତଳ ରାସ୍ତାରେ ପଡ଼ିଲା । ଜୁଡ଼ା କଂପି ଉଠିଲା । ସର୍ବନାଶ–ତଳେ ଯେ ବହୁତ ଲୋକ ! ପଥରଟା ଖସିବାକୁ ଗଲାବେଳେ ଜୁଡ଼ା ହାତ ବଢ଼ାଇ ସେଇଟା ଧରିବାକୁ ଗଲା କିନ୍ତୁ ସେଇଟା ନ ଅଟକି ରାସ୍ତାରେ ପଡ଼ିଲା । ଜୁଡ଼ା ଚିତ୍କାର କଲା–ତଳ ଲୋକ ଉପରକୁ ଅନାଇଲେ । ସେମାନେ ଭାବିଲେ ଇଚ୍ଛାକରି ଜୁଡ଼ା ପଥରଟା ତଳକୁ ଖସେଇଛି ।

 

ସେ ପଥରଟା ଯାଇ ରାଜ୍ୟପାଳ ଗ୍ରେଟାସର ମୁଣ୍ଡ ଉପରେ ପଡ଼ିଲା । ସେ ଆଘାତ ପାଇ ଘୋଡ଼ାରୁ ଛିଟିକି ତଳେ ପଡ଼ିଗଲା ।

 

ସୈନ୍ୟମାନେ ତାତି ଉଠିଲେ । ସେମାନେ ଯାହାକୁ ଆଗରେ ପାଇଲେ ତାକୁ ମାଡ଼ ଦେବାକୁ ଲାଗିଲେ । ଜନତା ମଧ୍ୟ ତିଆର । ଦୁଇ ପକ୍ଷରୁ ଚାଲିଲା ଲଢ଼େଇ; କିନ୍ତୁ ସଶସ୍ତ୍ର ସୈନ୍ୟ ବିରୁଦ୍ଧରେ ସାଧାରଣ ପାରିଲେ ନାହିଁ । ଆଖିର ପଲକରେ ରକ୍ତର ନଦୀ ବହିଗଲା ।

 

ଜୁଡ଼ା ଭୟରେ କାଠ ପାଲଟିଯାଇଥିଲା । ଟିରାକୁ ଅନାଇ କହିଲା–ଏବେ କ’ଣ ହେବ ?

 

ଟିରା କହିଲା କ’ଣ ହୋଇଛି ଯେ ।

 

–ମୁଁ ବୋଧହୁଏ ରୋମାନ୍‍ ରାଜ୍ୟପାଳକୁ ମାରି ଦେଲି ।

 

–ସେମାନେ କ’ଣ କହିବେ ?

 

‘ଜାଣେନା’ କହି ଟିରାର ହାତଧରି ଟାଣୁ ଟାଣୁ ଜୁଡ଼ା ଅନ୍ୟ ଘରକୁ ଆସିଲା । ତଳଘର କବାଟ ସେତେବେଳେ ଧକ୍କାରେ କଂପି ଉଠୁଥାଏ । ଦି’ଜଣ ଭୟରେ ଶେତା ପଡ଼ିଗଲେ ।

 

ଟିରା କାନ୍ଦିଉଠିଲା–କଣ ହେରା ଭାଇ ?

 

ଜୁଡ଼ା କହିଲା–ତୁ ଏ ଘରେ ଥା, ମୁଁ ନ ଫେରିଆସିବା ପର୍ଯ୍ୟନ୍ତ ଏ ଘରୁ ବାହାରିବୁ ନାହିଁ, ଖବରଦାର । ମୁଁ ତଳକୁ ଓହ୍ଲାଇ ଅବସ୍ଥାଟା ଦେଖେଁ ।

 

ଟିରା ଭୟରେ କହିଲା–ନା, ଭାଇ–ସଙ୍ଗେ ସଙ୍ଗେ ମାଙ୍କର କଣ୍ଠସ୍ଵର ଶୁଣାଗଲା, ଜୁଡ଼ା ଡାକିଲା–ମା । ସେତେବେଳେ ସେ ସିଡ଼ି ତଳରେ ସୈନ୍ୟ ଘେରି ଗଲେଣି ।

ଜୁଡ଼ା ଦୌଡ଼ିଆସି ଚିତ୍କାର କଲା–ମା !

 

ମା ଦୌଡ଼ିଆସି ଜୁଡ଼ାର ହାତ ଚାପି ଧରିଲେ କିନ୍ତୁ ଗୋଟାଏ ସୈନ୍ୟ ଜୁଡ଼ାକୁ ଟାଣି ନେଇ ଚାଲିଗଲା । ଜୁଡ଼ା ମେଖାଲାକୁ ଦେଖିଲା ! ମେଖାଲା ବର୍ମ ଆଣ୍ଟିଛି ।

 

ଜୁଡ଼ା ଶୁଣିଲା ମେଖାଲା ତା’ର ପାଖର ଫୌଜଦାରକୁ କହୁଛି–ଏଇ ଖୁନ୍ କରିଛି । ଫୌଜଦାର କହିଲା–ଏକଦମ ପିଲାଟାଯେ ।

 

ମେଖାଲା ମୁହଁରୁ ଏ କଥା ଶୁଣି ଜୁଡ଼ା ଚମକି ଉଠିଲା । ଜୁଡ଼ା ମେଖାଲାକୁ ମିନତିଭରା କଣ୍ଠରେ କହିଲା, ଆମର ପିଲା ଦିନର ବନ୍ଧୁତ୍ଵ କଥା ମନେକର । ମୋତେ ଯେଉଁଭଳି ସଜାଦେବାକୁ ଇଚ୍ଛା କରୁଛ ଦିଅ କିନ୍ତୁ ମୋର ମା, ଭଉଣୀଙ୍କର କିଛି ଦୋଷ ନାହିଁ । ତାଙ୍କଉପରେ ଯେପରି ଅତ୍ୟାଚାର ନକର ।

 

ମେଖାଲା କହି ଉଠିଲା–ଖୁନୀ, ଖୁନୀ । ଖୁନୀଟାକୁ ନେଇଯାଅ । ଫୌଜଦାର, ତମର କାମ ତମେ କର ମୁଁ ଯାଉଛି ।

 

ମେଖାଲା ଅଦୃଶ ହେଲା । ସେ ଫୌଜଦାରକୁ ମିନତିଭରା କଣ୍ଠରେ କହିଲା–ମୋର ଛୋଟ ଭଉଣୀ, ମା ଏସବୁ କିଛି ଜାଣନ୍ତି ନାହିଁ । ଦୟାକରି ତାଙ୍କୁ ଧରିବେ ନାହିଁ ।

 

ଫୌଜଦାର ଶୁଣିକହିଲା–ସବୁ ସ୍ତ୍ରୀ ଲୋକଙ୍କୁ ଟାଉଆରକୁ ନେଇଯାଅ–ମୁଁ ସେଠାକୁ ଯାଇ ବ୍ୟବସ୍ଥା କରିବି । ହଁ, ଦଉଡ଼ି ଆଣି ଏ ଟୋକାଟାକୁ ବାନ୍ଧି ନେଇଆସ ।

 

ଦଳେ ସୈନ୍ୟ ଜୁଡ଼ାର ମା ଓ ଟିରାକୁ ଧରିଆଣିବାର ଜୁଡ଼ା ଦେଖିଲା । ମନେହେଲା ହଠାତ୍ କ’ଣ ଗୋଟାଏ ହୋଇଗଲା । ତା’ର ଆଖିରେ ଲୁହ ଭରିଗଲା ।

 

ସୈନ୍ୟମାନେ ଦଉଡ଼ି ନେଇ ଆସିଲା ବେଳକୁ ଜୁଡ଼ା ହାତ ବଢ଼ାଇ କହିଲା–ବାନ୍ଧ ।

 

ସୈନ୍ୟମାନେ ଚାଲିଗଲେ । ସେମାନେ ଅନେକ ଦାମିକା ଜିନିଷ ନେଇଗଲେ । ଜୁଡ଼ାକୁ ରାସ୍ତାକୁ ଅଣାଗଲା । ରାସ୍ତାରେ ଆସି ଦେଖେତ ଲାଇନ୍‍ଧରି ଠିଆ ହୋଇଛନ୍ତି ରୋମାନ୍‍ ସୈନ୍ୟ ଆଦେଶ ଅପେକ୍ଷାରେ ।

 

ଜୁଡ଼ାର ମା, ଟିରା ଓ ଅନ୍ୟାନ୍ୟ ସ୍ତ୍ରୀ ଲୋକଙ୍କୁ ନେଇ ସୈନ୍ୟମାନେ ଆଗେଇଲେ ।

 

ରାସ୍ତାସାରା ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଥିବା ଜିନିଷପତ୍ର ଓ ଆହତ ନରନାରୀ ପଡ଼ିରହିଛନ୍ତି-

 

ଜୁଡ଼ା ଚାଲିଛି । ମନରେ ତା’ର ଚିନ୍ତା ନାହିଁ । ଶୂନ୍ୟ ଉଦାସ ମନ । ଛାତି ଭିତରେ ଯେପରି ଆଗ୍ନେୟ ଗିରି ଜଳୁଛି । ହଠାତ୍ ଗୋଟାଏ ସ୍ତ୍ରୀ ଲୋକ ଆସି ତା’ ପାଦରେ ମଥାରଖି ଭୋ ଭୋ ରଡ଼ି ଛାଡ଼ିଲା । ଜୁଡ଼ା ଅମରାକୁ ଚିହ୍ନିଲା । ସେ କହିଲା–ଅମରା, ଭଗବାନଙ୍କୁ ଡାକ । ତାଙ୍କ ଛଡ଼ା ଏ ବିପଦରେ ଆମର ସହାୟ କେହି ନାହାନ୍ତି ।

 

ଅମରା ଧକେଇ ଧକେଇ କାନ୍ଦୁଛି । ପୁଣି ଜୁଡ଼ା କହିଲା–ଦେଖ ଅମରା, ତମଛଡ଼ା ମା ଓ ଟିରାକୁ କିଏ ଦେଖିବ ? ସେମାନେ ଘରକୁ ଫେରିଆସିବେ ।

 

ଜଣେ ସୈନ୍ୟ ଅମରାକୁ ଘୁଞ୍ଚାଇ ଦେଲା । ଅମରା ଆଉ ଠିଆ ନହୋଇ ଘରର ଫାଟକ ଭିତରକୁ ପଶିଗଲା ।

 

ଫୌଜ ସର୍ଦ୍ଦାର ହୁକୁମ ଦେଲା–ଆଉ କାହାକୁ ଧରନାହିଁ ଯେ ଯୁଆଡ଼କୁ ଯିବ ତାକୁ ସେ ଆଡ଼କୁ ଯିବାକୁ ଦିଅ । ଘରର ଫାଟକ ଆଗରେ ଆମେ କାନ୍ଥ ଠିଆ କରିଦେବା । ଭିତରେ ଯେଉଁମାନେ ଥିବେ ସେମାନେ ଆଉ ବାହାରି ପାରିବେ ନାହିଁ । ନଖାଇ ଶୁଖି ମରିଯିବେ । ଆମକୁ ଆଉ ବେଶୀ ପରିଶ୍ରମ କରିବାକୁ ପଡ଼ିବ ନାହିଁ ।

 

ଦଳେ ସୈନ୍ୟଙ୍କୁ ଆଦେଶ ଦିଆଗଲା ଯେ ଘରର ସବୁ ଫାଟକ ବନ୍ଦ କରି ଫାଟକ ସାମ୍ନାରେ ମଝବୁତ କାନ୍ଥ ଉଠାଅ, ଡେରିକରନା ।

 

କେତେକ ସୈନ ସେଠାରେ ରହିଲେ ଏବଂ ଅନ୍ୟମାନେ ଟାଓଆରକୁ ଗଲେ । ଅଚେତ ଅଜ୍ଞାନ ରାଜ୍ୟପାଳ ଗ୍ରେଟାସ୍‍କୁ ବୋହି ଟାଓଆରକୁ ଅଣାଗଲା । ଡାକ୍ତରମାନେ କହିଲେଏହା ଭଲ ହେବାକୁ ରୀତିମତ ବେଶି ସମୟ ଲାଗିବ ।

Image

 

ପାଞ୍ଚ

 

ଏ ଘଟଣାର ପରଦିନ–

 

ଦିନେ ସୈନ୍ୟ ଆସି ଜୁଡ଼ାର ଘର ଆଗରେ ଠିଆ ହେଲେ । ବନ୍ଦ ଫାଟକ ଆଗରେ ପଥରର ଗୋଟିଏ ଫଳକ ଲଗାଇ ଦିଆଗଲା । ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଛି–

 

ଏ ଘରଟି ବର୍ତ୍ତମାନ ସମ୍ରାଟଙ୍କ ସଂପତ୍ତି ।

 

ପରଦିନ ଦଶଜଣ ଅଶ୍ଵାରୋହୀ ସୈନ୍ୟ ନେଇ ଜଣେ ସୈନ୍ୟାଧ୍ୟକ୍ଷ ଜେରୁଜେଲମରୁ ନାଜରେଥ୍‍କୁ ଆସୁଥିଲେ । ସେ ରହିବାକୁ ଆଦେଶ କଲେ । ଅଶ୍ଵାରୋହୀ ସୈନ୍ୟ ଆଦେଶପାଇଁ ଠିଆ ହେଲେ । ଏମାନଙ୍କ ସାଙ୍ଗରେ ଅଛି ଗୋଟିଏ କିଶୋର ବୟସର ବନ୍ଦୀ । ବନ୍ଦୀ ପାଦରେ ଚାଲି ଚାଲି ଆସୁଛି । ହାତ ଦିଓଟି ବଂଧା ହୋଇଛି । ରାସ୍ତା ଚାଲି ସେ କ୍ଳାନ୍ତିରେ ଠିଆହେବାର ସାମର୍ଥ୍ୟ ଯେପରି ହରାଇଛି ।

 

ଏମାନେ ଗୋଟିଏ ଛୋଟ ଗାଁରେ ପହଞ୍ଚିଲେ । ଏଠାରୁ ଜୋର୍ଡ଼ାନ ନଦୀର ସେ ପଟେ ଭୂମଧ୍ୟ ସାଗରର ଉଚ୍ଚ ଜାଗା ଏବଂ ସେଠାରେ ବଗିଚା, ବିଲ, ଅଙ୍ଗୁର କ୍ଷେତ । ମଝିରେ ମଝିରେ କୁଡ଼ିଆ ଘର ଦିଶୁଛି । ଖରାରେ ଜୁଡ଼ିଆର ମାଟି ଶୁଖି ଯାଇଛି କିନ୍ତୁ ଏହା ସମୁଦ୍ରର ଧାରରେ ଅଛି ବୋଲି ଏ ସ୍ଥାନଟିର ଉତ୍ତାପ ଅସହ୍ୟ ନୁହେ । ମାଟି ମଧ୍ୟ ଉର୍ବର ।

 

ଅଶ୍ଵାରୋହୀ ବିଗୁଲ ବଜାଇଲେ । ଗାଁ ଲୋକ ଧାଇଁ ଆସିଲେ । ବନ୍ଦୀକୁ ଦେଖି ସେମାନେ ଚକିତ ହୋଇଗଲେ–ଆହା ପିଲାଟାଏ ! ଏହାପାଇଁ ଏତେ ସୈନ୍ୟ ସାମନ୍ତ । ଏହାକୁ କୁଆଡ଼ୁକୁ ନେଉଛନ୍ତି ? ପିଲାଟା ମରିଯିବ ଯେ ।

 

ଫଉଜକୁ ପ୍ରଶ୍ନ କରିବାକୁ କାହାରି ଭରସା ହେଲାନାହିଁ । ସମସ୍ତେ ନିର୍ବାକ ବିସ୍ମୟରେ ଠିଆହୋଇ ଦେଖୁଛନ୍ତି ।

 

ଫୌଜଦାରର ହୁକୁମରେ ସମସ୍ତେ କୂଅ ପାଖକୁ ଯାଇ ପେଟଭରି ପାଣି ପିଇ ବିଶ୍ରାମ କଲେ । ବନ୍ଦୀଟି ରାସ୍ତା ଧୂଳିରେ ଲୋଟି ପଡ଼ିଛି । ସତରେ ବର୍ତ୍ତମାନ ଯେପରି ପ୍ରାଣଟା ବାହାରିଯିବ-। ସୈନ୍ୟମାନେ ବନ୍ଦୀ କଥା ଭାବୁନାହାନ୍ତି । ସେ ମରୁ କି ବଞ୍ଚୁ ସେଥିରେ ଯାଏ ଆସେ କ’ଣ । ଗାଁ ଆଡ଼ୁ ଜଣେ ବୁଢ଼ା ଆସିଲେ । ତାଙ୍କ ସାଙ୍ଗରେ ଗୋଟିଏ ପିଲା । ପିଲାଟି ଦେଖିବାକୁ ବଡ଼ ଅସୁନ୍ଦର-। ସେମାନଙ୍କୁ ଦେଖି ଗାଁ ଲୋକେ କଥାବାର୍ତ୍ତା ହେବାକୁ ଲାଗିଲେ–ଏଇ ତ ବୁଢ଼ା ଅଇଲାଣି–ତାକୁ କହ, ସେ ପଚାରୁ ଏ ବନ୍ଦୀ ପିଲାଟିର ଦୋଷ କ’ଣ ।

 

ବୁଢ଼ା ଆସିଲେ । ତାଙ୍କ ମଥାରେ ଧଳା କନାର ପଗଡ଼ିପରି ଶୁକ୍ଳ କେଶ–ଲମ୍ବା ଦାଢ଼ି । ତାଙ୍କୁ ଦେଖିଲେ ମନେହୁଏ, ସେ ଯେପରି ବହୁଦୂରରୁ ଆସୁଛନ୍ତି; ଅଥଚ ଏତେଟିକିଏ କ୍ଳାନ୍ତି ନାହିଁ ।

 

ବୁଢ଼ା ଆସି ସବୁ ଦେଖିଲେ । ଭିଡ଼ ଭିତରୁ ଗୋଟିଏ ବୁଢ଼ୀ କହି ଉଠିଲା–ଯୋଶେଫ୍, ପଚାର ତ ଏ ପିଲାଟାକୁ ବାନ୍ଧି କେଉଁଠାକୁ ନେଇଯାଉଛନ୍ତି । କ’ଣ ଦୋଷ କରିଛି ! ପିଲାଟିକୁ ଦେଖିଲେ ବଡ଼ ଦୟା ଆସୁଛି ।

 

ବୁଢ଼ା ଯୋଶେଫ ବନ୍ଦୀକୁ ଦେଖିଲେ । ଫୌଜଦାର ନିକଟକୁ ଯାଇ ପଚାରିଲେ–କଣ ଜେରୁଜେଲମରୁ ଆସୁଛନ୍ତି ।

 

–ହଁ

 

ଯୋଶେଫ୍ କହିଲେ–ଆଚ୍ଛା । ହୁର୍‍ ରାଜାକୁ ମୁଁ ଦେଖିଛି । ଇଏତ ତାଙ୍କରି ପୁଅ । ସେ କ’ଣ କରିଛି ।

 

ଫୌଜଦାର କହିଲା–ପରଦିନ ରାଜ୍ୟପାଳ ସହରରେ ଶୋଭାଯାତ୍ରା କରି ଆସୁଥିଲା ବେଳେ ପିଲାଟି ତା’ଛାତ ଉପରେ ଠିଆ ହୋଇ ଗୋଟାଏ ପଥର ତାଙ୍କ ଉପରକୁ ପକାଇଲା । ରାଜ୍ୟପାଳ ଖୁବ୍ ଆଘାତ ପାଇଛନ୍ତି । ପ୍ରାଣଟା ରହିଯାଇଛି–କପାଳ ଭଲ ।

 

ଯୋଶେଫ୍ କହିଲା–ରାଜ୍ୟପାଳ ମରିନାହାନ୍ତି–ଭଲ । କିନ୍ତୁ କିପ୍ରକାର ଶାସ୍ତିର ବ୍ୟବସ୍ଥା ହୋଇଛି ।

 

ଫୌଜଦାର କହିଲା–ବଞ୍ଚିଥିବା ପର୍ଯ୍ୟନ୍ତ କଏଦୀ ହୋଇ ରହିବ ।

 

–‘ହେ ଭଗବାନ’ କହି ବୁଢ଼ା ଯୋଶେଫ୍ ଆକାଶ ଆଡ଼କୁ ଅନାଇଲା । ତାଙ୍କପଛରୁ ପିଲାଟି କେତେବେଳେ ଯାଇ କୂଅ ପାଖରେ ଠିଆ ହୋଇଛି କେହି ଦେଖିନାହାନ୍ତି । କୂଅରୁ ପାଣି ଆଣି ପାତ୍ର ଭର୍ତ୍ତିକରି କିଶୋର ବନ୍ଦୀପାଖକୁ ଆସିଲା । ଜୁଡ଼ା କ୍ଳାନ୍ତିରେ, ତୃଷାରେ ଆଖି ବୁଜି ମାଟିରେ ପଡ଼ିଛି ।

 

ପିଲାଟି ବନ୍ଦୀର କାନ୍ଧରେ ହାତରଖି ଡାକିଲା–ପାଣିପିଅ–ମୁଁ ପାଣି ଆଣିଛି ।

 

ସ୍ପର୍ଶପାଇ ଜୁଡ଼ା ଚେତନା ଫେରିପାଇଲା । ସେ ସ୍ପର୍ଶରେ ଜୁଡ଼ାର ଜଡ଼ତା କଟିଗଲା; ସେ ପାଣି ପିଇଲା । ଜୁଡ଼ା ପାଣି ପିଇବା ପରେ ପିଲାଟି ପାଣିର ପାତ୍ର ନେଇ କୂଅ ପାଖରେ ରଖିଆସି ଜୋଶେଫ୍ ପାଖରେ ଠିଆହେଲା ।

 

ଏ ପିଲାଟି ଯୀଶୁ । ନାଜରେଥର୍ କୁଞ୍ଜତଳେ ଜୁଡ଼ା ସହିତ ଯୀଶୁଙ୍କର ଏଇ ପ୍ରଥମ ଦେଖା ।

 

ଫୌଜଦାର ଜୋଶେଫ୍‍କୁ ଜୁଡ଼ାର ପରିଚୟ ଦେଇଛି । ଜୁଡ଼ାର ବାପାଙ୍କୁ ହେରଦ ରାଜା ଖୁବ୍ ଭଲ ପାଉଥିବାରୁ ‘ଜେରୁଜେଲମର ପ୍ରିନ୍‍ସ’ ବୋଲି ଉପାଧିରେ ଭୂଷିତ କରିଥିଲେ । ଜୁଡ଼ାର ବାପାଙ୍କର ଖୁବ୍ ଖାତିର ଥିଲା, ପ୍ରତିପତ୍ତି ଥିଲା । ଅଗାଧ ଐଶ୍ୱର୍ଯ୍ୟ, ଉଚ୍ଚ ଉପାଧି ସତ୍ଵେ ସେ ସାରାଜୀବନ କାର୍ଯ୍ୟରତ ଥିଲେ । ଆଳସ୍ୟତା ଜାଣନ୍ତି ନାହିଁ । ସେ ଯେପରି ସାଧୁ ସେହିପରି ଦାନୀ-। ତାଙ୍କର କାରବାର ଥିଲା ଭାରତବର୍ଷ, ସ୍ପେନ ସବୁଆଡ଼େ ।

 

ଏ କାହାଣୀ ଆରମ୍ଭର ଦଶବର୍ଷ ପୂର୍ବରୁ ବ୍ୟବସାୟ କରିବାକୁ ଯାଇ ଜାହାଜ ବୁଡ଼ିରେ ଜୁଡ଼ାର ବାପା ମରିଯାନ୍ତି । ସେତେବେଳେ ଜୁଡ଼ାର ବୟସ ସାତବର୍ଷ ଓ ଟିରାଗ ବୟସ ପାଞ୍ଚବର୍ଷ ମାତ୍ର ।

Image

 

ଦ୍ଵିତୀୟ ପରିଚ୍ଛେଦ

ଏକ

 

ନେପଲେସ୍‍ର ଦକ୍ଷିଣ ପଶ୍ଚିମରେ ଅଳ୍ପ କେତେ ମାଇଲ ଦୂରରେ ମିଲୋନାମ ସହର । ଦିହଜାର ବର୍ଷ ଆଗରେ ଇତାଲିର ବେଶ୍ ସୁନ୍ଦର ସମୃଦ୍ଧ ସହର ଥିଲା ଏଇ ମିଲେନାମ । ଏବେ ସେ ସମୃଦ୍ଧି ଲୋପ ପାଇ ଯାଇନି । ସମୁଦ୍ର ଧାରରେ ଥିଲା ଗୋଟିଏ ଫାଟକ । ଏହି ଫାଟକ ଦେଇ ସମୁଦ୍ର କୂଳକୁ ଯିବାକୁ ହୁଏ ।

 

ସେ ଦିନ ଭୋରରୁ କୋଡ଼ିଏ ତିରିଶ ଜଣ ଲୋକ ଫାଟକ ପାରି ହୋଇ ସମୁଦ୍ର ଆଡ଼କୁ ଯାଉଛନ୍ତି । ପ୍ରହରୀର ଏବେ ବି ନିଦ ଭାଜିନି । ପ୍ରହରୀଟି ଲୋକମାନଙ୍କ ଆଡ଼କୁ ଥରେ ଅନାଇ ପୁଣି ଆଖି ବୁଜି ଶୋଇଲା ।

 

ସମୁଦ୍ର କୂଳକୁ ଆସୁଥିବା ଏହି ଲୋକମାନଙ୍କ ଭିତରେ କ୍ରୀତଦାସ ସଂଖ୍ୟା ବେଶୀ । ସେମାନେ ହାତରେ ଧରିଛନ୍ତି ଜ୍ୱଳନ୍ତ ମଶାଲ ଓ ସାଙ୍ଗରେ ତାଙ୍କ ମୁନିବ ଅଛନ୍ତି । ମୁନିବଙ୍କ ମୁଣ୍ଡରେ ଲରେଲର ଭୂଷଣ–ପହରଣରେ ଚଉଡ଼ା ଧଡ଼ିର ପଶମ ପୋଷାକ ।

 

ଜଣେ ସଙ୍ଗୀ ସେହି ଲରେଲ ଧାରୀକୁ କହିଲା–ସତରେ କୁଇଣ୍ଟାସ୍‍, ତମେ ଅସାମାନ୍ୟ । ଦରିଆ ବୁକୁରେ ଏତେଦିନ ଧରି ବୁଲି ଦେଶକୁ ଆସିଲ–ପୁଣି ସେଇ ସମୁଦ୍ରକୁ ଫେରିଯାଉଛ ।

 

ଆଉ ଜଣେ କହିଲା–ତେବେ ଏଥିରେ ଦୁଃଖ ନାହିଁ । ସ୍ଥଳରେ କୁଇଣ୍ଟାସ୍‍ଙ୍କୁ ଅସ୍ଵସ୍ତି ବୋଧ ହେଉଥିଲା–ତାହା ଏବେ ଘୁଞ୍ଚିଲା ।

 

ଏଥର ଆଉଜଣେ ବାହାରି ପଡ଼ି କହିଲା–ଏଥର ଗ୍ରୀସ୍ ଆଡ଼କୁ ଚାଲିଛନ୍ତି । ବ୍ୟବସାୟ କରି ଗ୍ରୀକ୍‍ମାନେ ଯୁଦ୍ଧ ଭୁଲିଗଲେଣି ।

 

ସମସ୍ତେ ଫାଟକ ପାର ହୋଇ ସମୁଦ୍ର କୂଳକୁ ଆସିଲେ । ନେପଲେସ ଉପସାଗର ଢେଉ ତୋଳି ଯେପରି ସ୍ୱାଗତିକା ଜଣାଉଅଛି । କୁଇଣ୍ଟାସ୍‍ଙ୍କୁ ସାଗରର ଗନ୍ଧ ଅତୁଳନୀୟ । ଦରିଆ ସାଙ୍ଗରେ ତାଙ୍କର ସଂପର୍କ ବେଶୀ ।

 

ଦରିଆ ବୁକୁରେ ଜାହାଜଥିଲା । କୁଇଣ୍ଟାସ୍‍ ହାତ ତୋଳି ସଙ୍କେତଦେଲେ । ସେ ସଂକେତରେ ଢେଉ କାଟି କାଟି ଜାହାଜଟି କୂଳକୁ ଆସିଲା । ସମସ୍ତଙ୍କ ଆଡ଼କୁ ଅନାଇ କୁଇଣ୍ଟାସ୍ କହିଲେ,–ଏବେ ଆମେ କୁଆଡ଼େ ଚାଲିଛୁ ଜାଣକି ? ଇଜିୟାନ ସାଗର । ଆଲେକ୍‍ଜାଣ୍ଡ୍ରିୟା ସହିତ ଆମର ଯେମିତି ବ୍ୟବସାୟ ଚାଲିଛି ଠିକ୍ ସେମିତି ଗ୍ରୀସ୍‍ର ବି ଚାଲିଛି । ତମେ ନିଶ୍ଚୟ ଜାଣିଛ ଯେ, ଚାର୍ଲୋନେଶର ଜଳଦସ୍ୟୁମାନେ ଇଜିୟାନରେ ଆଡ଼ା ଜମେଇଛନ୍ତି । କାଲି ଖବର ଆସିଛି ଯେ ବରଫରାଶିରେ ଜାହାଜ ନେଇ ସେମାନେ ବୈଜନ୍ତିଆର ଓ ଚଲସିଡନରେ ବହୁ ଜାହାଜ ବୁଡ଼ାଇ ଦେଇଛନ୍ତି । ତା’ପରେ ପ୍ରୋପୋନତିଶକୁ ଲୁଟ୍‍କରି ଇଜିଆନ ଆଡ଼କୁ ପଳାଇଛନ୍ତି । ଭୂମଧ୍ୟସାଗରର ପୂର୍ବ ଅଞ୍ଚଳରେ ଯେତେ ଫସଲ ଓ ମାଳପତ୍ର ବ୍ୟବସାୟୀମାନେ ଭୟରେ ଥରହର ହୋଇ କାନ୍ଦି କାନ୍ଦି ସମ୍ରାଟଙ୍କ ପାଖକୁ ଆସିଛନ୍ତି, ତେଣୁ ତାଙ୍କୁ ରକ୍ଷା କରିବାକୁ ହେବ । ସମ୍ରାଟଙ୍କ ଆଦେଶରେ ରାଭେନ୍ ଓ ଆଇ ସେନାଶରୁ ଶହେ ଯୁଦ୍ଧ ଜାହାଜ ଚାଲିଛି, ଏଠାରୁ ମାତ୍ର ଗୋଟାଏ ଯାଉଛି ।

 

ସମସ୍ତେ କହିଲେ–କୁଇଣ୍ଟାସ୍‍ ଏକାହିଁ ଶହେର ସମର୍ଥ । ସମ୍ରାଟ ଠିକ୍ ଲୋକକୁ ବାଛି ପଠାଇଛନ୍ତି । ଏ କଥାରେ କୁଇଣ୍ଟାସ୍ ଗର୍ବ ବୋଧକଲେ ଏବଂ କୌଣସି କଥା କହିଲେ ନାହିଁ ।

 

ଜାହାଜଟି କୂଳକୁ ଆସିଲା । ବେଶ୍‍ ଲମ୍ବ ଜାହାଜ, ଚଉଡ଼ା ନୁହେଁ । ତୀର ବେଗରେ ଚାଲେ । ସାମନା ଆଡ଼କୁ ଜଳ ଉପରେ ଦୁଇଟା ଲୁହାର ଗୋଜା ରହିଛି ଯେମିତି ଶତ୍ରୁମାନେ ଜାହାଜ ଭାଙ୍ଗି ପାରିବେ ନାହିଁ । ମଝିରେ ମାସ୍ତୁଲ–ଦି’ଧାରରେ ନାବିକମାନଙ୍କର ଆହୁଲା ଟାଣିବାପାଇଁ ବସିବାର ସ୍ଥାନ । ଜାହାଜରେ ବଡ଼ପାଲ ଆଗରେ କେଇଜଣ ଠିଆ ହୋଇଛନ୍ତି । ଜାହାଜର ଉଚ୍ଚ ଜାଗାରେ ମଥାରେ ହେଲମେଟ ହାତରେ ଢାଲ ଧରି ଠିଆ ହୋଇଛନ୍ତି ଜଣେ ଯୁବକ ।

 

ଏକା ସାଙ୍ଗରେ ଶହେ କୋଡ଼ିଏ ଆହୁଲା ପଡ଼ୁଛି–ଏକା–ତାଳରେ–ଏକାପରି ।

 

ଜାହାଜ କୂଳରେ ଲାଗିଲା । ଟ୍ରାମ୍ପେଟ୍ ବାଜିଉଠିଲା । ଦଳେ ନୌସେନା ଡେକ୍ ଉପରକୁ ଆସିଲେ ।

 

କୁଇଣ୍ଟାସ୍ ସମସ୍ତଙ୍କଠାରୁ ବିଦାୟ ନେଲେ । ମଥାର ଲରେଲ ଭୂଷଣଟି ଖୋଲି କୁଇଣ୍ଟାସ୍ ଜଣେ ବନ୍ଧୁ ହାତରେ ଦେଇ କହିଲେ–ଏଇଟି ତମ ପାଖରେ ରଖ । ଫେରିଆସିଲେ ନେବି, ନ ଫେରିଲେ ତମର କାନ୍ଥରେ ଲଟକେଇ ରଖିବ–ସେଇ ହେବ ମୋର ସ୍ମୃତି ।

 

ସମସ୍ତଙ୍କ ନିକଟରୁ ବିଦାୟ ନେଇ କୁଇଣ୍ଟାସ୍ ଜାହାଜକୁ ଉଠିଲେ । ସମସ୍ତେ ଶୁଭକାମନା କଲେ । ଜାହାଜ ଛାଡ଼ିଲା । ଶହେ କୋଡ଼ିଏ ଜଣ ପାଣିରେ ଏକା ସାଙ୍ଗରେ ଆହୁଲା ପକାଇଲେ–ଜାହାଜ ଚାଲିଲା ।

 

ଜାହାଜରେ ବାଜୁଥିଲା ଛନ୍ଦ ତୋଳି ଉତ୍ତେଜକ ବାଦ୍ୟ ।

Image

 

ଦୁଇ

 

ନୌସେନାର ଅଫିସରକୁ କୁଇଣ୍ଟାସ୍ ପଚାରିଲେ–ତମ ସାଙ୍ଗରେ କେତେ ସୈନ୍ୟ ଅଛନ୍ତି-

 

–ଦୁଇଶହ ବାଉନ୍, ତା’ଛଡ଼ା ଇମିତି ଚଉରାଅଶି ।

 

–ନାଉରିଆ ସବୁ ବେଶ୍ ଭଲ ତ ?

 

–ହଁ,

 

–ବେଶ୍, କିନ୍ତୁ ଦିନରାତି କାମ ଚାଲିବ, ଅବସର ମିଳିବ ନାହିଁ ।

 

–ସେଇଆ ହେବ । ପବନ ଆମର ସହାୟ । ପାଲଟଣା ଯାଇଛି ।

 

–ତମେ ଜାହାଜରେ କେତେଦିନ କାମ କଲଣି ?

 

–ତିରିଶବର୍ଷ ।

 

–କେଉଁ କେଉଁ ସମୁଦ୍ର ଦେଖିଛ ?

 

–ରୋମ୍‍ର ଏହି ପୂର୍ବ ଦିଗର ସବୁ ଅଞ୍ଚଳ ।

 

–ଏ ରାସ୍ତା ତମର ଜଣା ଶୁଣା ?

 

–ହଁ,

 

ଶହେ କୋଡ଼ିଏ ଆହୁଲା ଚାଲୁଛି । ଜାହାଜ ଚାଲୁଛି ତୀର ବେଗରେ । କୁଇଣ୍ଟାସ୍ କହିଲେ–କାମଲେନଶାନ୍ ଠାରୁ ମେଖିନାକୁ ଯିବା, ତା’ପରେ ବଙ୍କେଇଯାଇ କାଲାବ୍ରିଆ–ମେଲିଟୋ ବାଁଆଡ଼େ ରହିବ । ତା’ପରେ ଆୟୋନିଅନ୍ ସାଗରକୁ ଯିବା ।

 

ଅଫିସର କହିଲେ–ମୁଁ ଜାଣେ ମହାଶୟ ।

 

କୁଇଣ୍ଟାସ୍ କହିଲେ–ମେଲିଟୋ ବୁଲି ସାଇନରା ଯିବାକୁ ହେବ ଦୁର୍ଯୋଗ ନପଡ଼ିଲେ, କାରଣ ଆନ୍ତା ମେନୋ ସାଗରରେ ଜାହାଜ ନଙ୍ଗର ପକାଇବା କଷ୍ଟ । ବଡ଼ ଜରୁରୀ–ସବୁ ଭାର ତୁମ ଉପରେ ।

 

ଅଫିସରର ନାମ ଅରିୟାସ୍ । ବେଶ୍‍ ପୋଖତ ଅଫିସର । ବହୁ ଯୁଦ୍ଧରେ କୃତିତ୍ଵ ହାସଲ କରିଛନ୍ତି । ସେ ଏବେ ମେରିନ କମାଣ୍ଡର ।

 

ଢେଉ କାଟି କାଟି ଚାଲିଛି ଜାହାଜ ।

 

ଦି’ପହର ହେଲାଣି । ପଶ୍ଚିମା ପବନ ବହୁଛି । ଅରିୟାସ୍ ତା’ କେବିନରେ ବସିଛନ୍ତି–ସବୁଥିରେ ତାଙ୍କର ନଜର । ଜାହାଜ ମଝିରେ କେବିନ । ଷାଠିଏ ହାତ ଲମ୍ବ; ଚଉଡ଼ା କୋଡ଼ିଏ ଫୁଟ-। ଜାହାଜର ଗୋଟିଏ ଦିଗରୁ ଅନ୍ୟ ଦିଗ ପର୍ଯ୍ୟନ୍ତ ଖମ୍ବ । ଖମ୍ବ ଉପରେ ଛାତ । ମଝିରେ ମାସ୍ତୁଲ । ମାସ୍ତୁଲ ଦିହରେ ହତିଆର–ବର୍ଚ୍ଛା, ଢାଲ, ତଲୁଆର । ଛାତ ତଳଟି ସମସ୍ତଙ୍କର ଆଶ୍ରୟ–ଏଇଠି ଖିଆପିଆ, ନିଦ୍ରା ଓ ଅସ୍ତ୍ରଶସ୍ତ୍ର ଶିକ୍ଷା, ବିଶ୍ରାମ । ଶେଷରେ ସିଡ଼ି । ସିଡ଼ିଦେଇ ଉପରେ ପ୍ଳାଟଫର୍ମ ଏବଂ ପ୍ଳାଟଫର୍ମ ଉପରେ ବସିଛି ସର୍ଦ୍ଦାର ନାଉରିଆ । ସର୍ଦ୍ଦାରର ପ୍ଳାଟଫର୍ମ ତା’ପରେ ଆଉ ଗୋଟାଏ ପ୍ଳାଟଫର୍ମ ରେଲିଂରେ ଘେରା ହୋଇଛି । ଏଇଠି ବସନ୍ତି କୁଇଣ୍ଟାସ୍‍ । କେବିନ ଦୁଇଧାରରେ ବାରଣ୍ଡା ଏବଂ ସେଠାରେ ଗଦିଦିଆ ହାଇବେକ୍ କୁଶନ ।

 

ନାଉରିଆମାନେ ସମସ୍ତେ କ୍ରୀତଦାସ । ସେମାନଙ୍କର ନାମ କେହି ଜାଣନ୍ତି ନାହିଁ–ଜାଣିବାର ପ୍ରୟୋଜନ ନାହିଁ । ପୋଷାକ ଉପରେ ଏକ ଦୁଇ ତିନି ନମ୍ବର ଲେଖାହୋଇଛି । ସମସ୍ତେ ଯେ ଯାହାର ନମ୍ବର ଅନୁଯାୟୀ ଆସନରେ ବସି ଆହୁଲା ମାରନ୍ତି । ବଦଳେଇବାର ଉପାୟ ନାହିଁ ।

 

ପ୍ଳାଟଫର୍ମରେ ବସି କୁଇଣ୍ଟାସ୍ ଚାରିଆଡ଼କୁ ଅନାଇଛନ୍ତି । ନାଉରିଆମାନଙ୍କୁ ମଧ୍ୟ ଦେଖୁଛନ୍ତି । ହଠାତ୍ ଷାଠିଏ ନମ୍ବର ନାବିକ ଉପରେ ତାଙ୍କର ନଜର ପଡ଼ିଲା । ପିଲାଟା ରୋଗା କିନ୍ତୁ, ଚେହେରା ଚମତ୍କାର । କୁଇଣ୍ଟାସ୍‍ଙ୍କ ମନରେ କୌତୁହଳ ହେଲା–ଏ ପିଲାଟି କିଏ ?

 

ପିଲାଟିର ନଜର ପଡ଼ିଲା କୁଇଣ୍ଟାସ୍‍ଙ୍କ ଆଡ଼କୁ । ସେ ଦେଖିଲା, କୁଇଣ୍ଟାସ୍ ତା’ ଆଡ଼କୁ ଅନାଇଛନ୍ତି । ସେ ଭୟକଲା । ତା’ର କାଳେ କ’ଣ ଦୋଷ ହୋଇଛି ପରା !

 

କୁଇଣ୍ଟାସ୍ ତା’ ପାଖକୁ ଆସି କହିଲେ–ତମେ କ’ଣ ଇହୁଦୀ ? ଏ କଥାରେ ପିଲାଟିର ମୁହଁ ରଙ୍ଗାପଡ଼ିଗଲା ! ସେ ଜୋରରେ ଆହୁଲା ପକାଇଲା ।

 

କୁଇଣ୍ଟାସ୍‍ଙ୍କ ଆଡ଼ୁ ପିଲାଟି ଆଖି ଫେରାଇ ନେଲା । କୁଇଣ୍ଟାସ୍ କେବଳ ହସିଲେ ।

 

ଜାହାଜ ମେଖିନା ଅନ୍ତରୀପରେ ପଶିଲା । ସହରଟିର ନାମ ମଧ୍ୟ ମେଖିନା । ମେଖିନା ପାର ହେଲେ ଏଟ୍‍ନା ଆଗ୍ନେୟଗିରି–ଜାହାଜ ପାରିହୋଇ ଚାଲିଛି ।

 

କୁଇଣ୍ଟାସ୍ ସେଇଠି ଠିଆହୋଇ ପିଲାଟି ଆଡ଼କୁ ଅନାଇଛନ୍ତି । ପିଲାଟିର ତେଜ ଅଛି । ଜାତିରେ ଇହୁଦୀ ହେଲେ ମଧ୍ୟ ଭଦ୍ର ଘରର ପିଲା । ଲେଖାପଢ଼ା ଜାଣେ ବୋଧହୁଏ ।

 

ପିଲାଟିର କଥା ପଚାରିଲେ ।

 

ଅରିୟାସ୍ କହିଲେ–କ୍ରୀତଦାସ ବୋଲି ମୁଁ ଜାଣେ । ଅନ୍ୟ ପରିଚୟ ଜାଣେନା । ଖବର ନେଇ କହିବି ।

Image

 

ତିନି

 

ଜାହାଜଟିର ନାମ ଆସ୍ତ୍ରା ।

 

ଚତୁର୍ଥ ଦିନ ଆୟୋନିଆନ୍ ସାଗରକୁ ଜାହାଜ ଆସିଲା । ଆକାଶ ପରିଷ୍କାର ଦିଶୁଛି । ମୃଦୁମନ୍ଦ ପବନ ବହୁଛି । ଚମତ୍କାର ପାଗ ।

 

ଜଳଦସ୍ୟୁ ଜାହାଜ ଆସିବା ପୂର୍ବରୁ କୁଇଣ୍ଟାସ୍‍କୁ ଠିକ୍ ଜାଗାରେ ପହୁଂଚିବାକୁ ହେବ ।

 

ସାଇନେରା ଦ୍ୱୀପରେ ପହୁଂଚିବା ଦରକାର ।

 

କୁଇଣ୍ଟାସ୍ ମଧ୍ୟ ଠିଆ ହୋଇ ଚାରିଆଡ଼କୁ ଅନାଇ ଦେଖିଲେ । ଦେଖିଲେ ଯେ ଷାଠିଏ ନମ୍ବରର ପିଲାଟି ହଠାତ୍ ଆସି ଅରିୟାସ୍ ସାମନାରେ ଠିଆ ହେଲା ଓ ପ୍ରଶ୍ନ କଲା ।

 

–କଣ ଆପଣ ମୋତେ ଡାକୁଛନ୍ତି ।

 

–ହଁ ସର୍ଦ୍ଦାର ତମର ପ୍ରଶଂସା କରୁଥିଲା । ପିଲାଲୋକ ହେଲେ ବି ଚମତ୍କାର ଆହୁଲା ମାରିପାର ।

 

ପ୍ରଶଂସାରେ ପିଲାଟି ମୁଣ୍ଡ ତଳକୁ କଲା ।

 

ଅରିୟାସ୍ କହିଲା–କେତେ ଦିନ ହେଲା ଏ କାମ କରୁଛ ?

 

–ତିନି ବର୍ଷ ହେଲା ।

 

–ତମେ ଇହୁଦୀ, ଦେଖିଲେ ମନେହୁଏ ବଡ଼ ଘରର ପିଲା, ଲେଖାପଢ଼ା ଜାଣିଛ ବୋଧହୁଏ । ବାପା କ’ଣ ଜୀବିତ ?

 

ପିଲାଟି ସଜଳ ଆଖିରେ କହିଲା–ନା ।

 

–ବାପା କ’ଣ କାମ କରନ୍ତି ।

 

–ମୋ ବାପା ଜେରୁଜେଲମର ଜଣେ ପ୍ରିନ୍‍ସ । ସେ ବ୍ୟବସାୟ କରୁଥିଲେ । ସମ୍ରାଟ ଅଗଷ୍ଟାସଙ୍କ ସଭାରେ ତାଙ୍କର ଖାତିର ଥିଲା । ସମୁଦ୍ରରେ ଜାହାଜ ବୁଡ଼ିଯିବାରେ ଚଉଦ ବର୍ଷ ପୂର୍ବେ ତାଙ୍କର ମୃତ୍ୟୁ ହୋଇଯାଇଛି ।

 

–ତାଙ୍କର ନାମ ।

 

–ଇଥାମାର–ହୁର ବଂଶରେ ଜନ୍ମ ।

 

କୁଇଣ୍ଟାସ୍‍ର ଦିଓଟି ଆଖି ବିସ୍ଫାରିତ ହୋଇ ଉଠିଲା ।

 

ଅରିୟାସ୍‍ କହିଲେ–ତମେ ହୁର୍ ବଂଶର ପିଲା, କିନ୍ତୁ କ୍ରୀତଦାସ ।

 

ପିଲାଟି ମୁଣ୍ଡ ତଳକୁ କଲା । ଛାତି ଭିତରେ ସେ ବ୍ୟଥା ଅନୁଭବ କଲା । ଦୀର୍ଘଶ୍ଵାସ ପକାଇ କହିଲା–ରାଜ୍ୟପାଳ ଗ୍ରେଟସ୍‍କୁ ମୁଁ ମାରିବାକୁ ଯାଇଥିଲି । ସେହି ଅପରାଧରେ ।

 

କୁଇଣ୍ଟାସ୍‍ ଚମକି ଉଠି କହିଲେ–ରାଜ୍ୟପାଳକୁ ମାରିବାକୁ ତମେ ଉଦ୍ୟମ କରିଥିଲ ?

 

ତା’ପରେ କାହାରି ମୁହଁରେ ଅନେକ ସମୟ ଧରି କଥା ନ ଥିଲା ଉଭୟେ ନୀରବ ।

 

ତାପରେ କୁଇଣ୍ଟାସ୍‍ କହିଲେ–ମୁଁ ଜାଣିଥିଲି ହୁର୍ ବଂଶର କେହି ନାହାନ୍ତି । ଆଚ୍ଛା ତମ ମା ଅଛନ୍ତି ?

 

–ମା ଅଛନ୍ତି, ଛୋଟ ଭଉଣୀଟିଏ ବି ଅଛି । ଜାଣେନା ସେମାନେ ଜୀବିତ କି ନା ? କୌଣସି ଖବର ପାଇନି, ଆପଣ ଦୟା କରି ଖବର ନେବେ ?

 

ଜୁଡ଼ା ଆଖିରେ ଲୁହର ଲହଡ଼ି ମାଡ଼ିଆସିଲା ।

 

ତା’ ଆଡ଼କୁ ଅନାଇ କୁଇଣ୍ଟାସ୍ ପଚାରିଲେ–ସତରେ କ’ଣ ତମେ ରାଜ୍ୟପାଳକୁ ମାରିବାକୁ ଯାଇଥିଲ ?

 

କମ୍ପିତ କଣ୍ଠରେ ଜୁଡ଼ା କହିଲା–ନା, ଭଗବାନ ଜାଣନ୍ତି, ମୋର କିଛି ଦୋଷ ନ ଥିଲା । ତା’ପର ସେ ସବୁକଥା ବର୍ଣ୍ଣନା କଲା ।

 

କୁଇଣ୍ଟାସ୍‍ କହିଲେ–ତମର ବିଚାର ହୋଇଥିଲା ?

 

–ନା,

 

–ବିନା ବିଚାରରେ ଦଣ୍ଡ । ଏ ଦଣ୍ଡ କିଏ ଦେଇଛି ?

 

–ମୁଁ ଜାଣେନା । ସୈନ୍ୟମାନେ ଟାଉଆରକୁ ନେଇଗଲେ । ମୋତେ କୌଣସି କଥା କେହି ପଚାରି ନାହିଁ । ତା’ପରେ ପରଦିନ ସମୁଦ୍ରରେ ଜାହାଜରେ ମୋତେ ରଖାଗଲା । ସେହିଦିନୁ ମୁଁ ଏ କାମ କରି ଆସୁଛି ।

 

କୁଇଣ୍ଟାସ୍‍ କହିଲେ–ତମେ ଦୋଷ କରିନ । ପ୍ରମାଣ କରିପାରିବ ?

 

–ପାରନ୍ତି । ଛାତର ଫଟା କାର୍ଣ୍ଣିଶଗୁଡ଼ିକ ଦେଖି ଯେ କେହି ଦେଖି ବୁଝି ପାରିବ । ମୁଁ କୌଣସି ଚକ୍ରାନ୍ତ ଭିତରେ ନଥିଲି, କାରଣ ଘରଟା ଆମର ଥିଲା । ଘରେ ମୋର ମା ଏବଂ ଛୋଟ ଭଉଣୀ ଥିଲା । ବିପଦ କ’ଣ ମୁଁ ବୁଝେ । ତା’ଛଡ଼ା ମୁଁ ଇହୁଦୀ ହେଲେ ବି ମଣିଷ ତ–ମୋର ଧର୍ମଭୟ ଅଛି । ତାକୁ କାହିଁକି ବା ମାରିବି–ତାଙ୍କୁ ମାରି କ’ଣ ଲାଭ ହେବ ?

 

–ଘରୁ ପଥର ଖସିଲା ବେଳକୁ ତମ ମା କେଉଁଠି ଥିଲେ ?

 

ତାଙ୍କ ଘରେ ଥିଲେ । ଅନେକ ସମୟ ପରେ ଦେଖିଲି ଗାଈଗୋରୁ ପରି ମୋ ମାକୁ ସେମାନେ ଟାଣି ଟାଣି କୁଆଡ଼େ ନେଇଗଲେ । ଫାଟକ ଆଗରେ ପାଚେରି ଉଠିଛି ବର୍ତ୍ତମାନ । ମୁଁ ଦୋଷ କଲେ ମୋତେ ଶାସ୍ତି ମିଳୁ; କିନ୍ତୁ ପିଶାଚପରି ତାଙ୍କୁ କାହିଁକି ବ୍ୟବହାର କରାଗଲା । ମୁଁ ଭଗବାନଙ୍କୁ ପ୍ରାର୍ଥନା କରିଛି, ଠାକୁର ମୋତେ ଗୋଟିଏ ସୁଯୋଗ ଦିଅ, ମୁଁ ପରିଶୋଧ କରିବି । କିନ୍ତୁ ଏହା କ’ଣ ସମ୍ଭବ; ମୁଁ ଯେ କ୍ରୀତଦାସ ।

 

କୁଇଣ୍ଟାସ୍‍ ମନଦେଇ ସବୁ ଶୁଣିଲେ । ପିଲାଟି ଉପରେ ତାଙ୍କର ସ୍ନେହ ହେଲା । ଗୋଟାଏ ଘଟଣାକୁ ବିଚାର ନ କରି ବୁନିଆଦି ପରିବାରଟା ଧ୍ଵଂସ ହେଲା । ପିଲାଟି ଯେ ସତ କହୁଛି, ଏଥିରେ ସଂଦେହ ନାହିଁ ।

 

କୁଇଣ୍ଟାସ୍ କହିଲେ–ତମ କାର୍ଯ୍ୟ କରିବାକୁ ଯାଅ, ମୁଁ ଏହାର ପ୍ରତିକାର କରିବାକୁ ଚେଷ୍ଟା କରିବି ।

 

ବେନ୍‍ହୁର ତା’ର ଷାଠିଏ ନମ୍ବର ଜାଗାରେ ଯାଇ ବସି ଆହୁଲା ମାରିଲା । ତା’ ବୁକୁର ବେଦନା ଯେପରି ହାଲୁକା ହେଲା । ଘୋର ଅନ୍ଧକାରରେ ଯେପରି କ୍ଷୀଣ ଆଲୋକର ରେଖା ଦେଖାଦେଲା । ଏତ ନିଶ୍ଚୟ ଭଗବାନଙ୍କର କୃପା, ତା’ ନ ହେଲେ ସେ’ବା କାହିଁକି ତାଙ୍କ ସାଙ୍ଗରେ ଏତେ କଥା ହୁଅନ୍ତେ ।

Image

 

ଚାରି

 

ସିନ୍ଥାରା ଦ୍ୱୀପର ପୂର୍ବ ଦିଗରେ ଆନ୍ତିମୋନା ଉପସାଗର । ଶହେ ଯୁଦ୍ଧଜାହାଜ ସେଠାରେ ଠୁଳ ହୋଇଛନ୍ତି । କୁଇଣ୍ଟୋସ୍‍ ଆସି ସେ ଜାହାଜ ସବୁ ଦେଖିଲେ । ତା’ପରେ ଗ୍ରୀସ୍ ଓ ଏସିଆର ମଝାମଝି ନାକଶୋସ୍ ଦ୍ୱୀପକୁ ଚାଲିଲା । ଏଠାରୁ ଚତୁର୍ଦ୍ଦିଗ ଦେଖାଯାଏ ଓ ସବୁଆଡ଼ର ଖବର ଏଠାରେ ମିଳେ । ଜଳଦସ୍ୟୁମାନଙ୍କର ଖବର ଏଠାରେ ପାଇଲେ ସେମାନେ ପିଛା କରିବେ-

 

ଏହି ଦ୍ଵୀପ ଆଡ଼କୁ ଶହେ ଜାହାଜ ଚାଲିଲା । ହଠାତ୍ ଆଖିରେ ଗୋଟାଏ ଜାହାଜ ଦେଖାଗଲା । କୁଇଣ୍ଟାସ୍‍ ଆଦେଶ କଲେ, ସେଇ ଆଡ଼େ ଚଲାଅ ।

 

ଜାହାଜଗୁଡ଼ିକ ଲକ୍ଷ୍ୟକରି ଚାଲିଲେ । ଆଗେଇ ଆସି ଦେଖିଲେ ଯେ, ତାହା ଗୋଟିଏ ମାଲବୁହା ଜାହାଜ ବାଇଜନ୍ତିଆରୁ ଆସୁଛି । ଏମାନଙ୍କଠାରୁ ସବୁ ସଂଧାନ ମିଳିଲା ।

 

ଇୟୁକଜେନ୍ ଆଡ଼ୁ ଜଳଦସ୍ୟୁମାନେ ଆସୁଛନ୍ତି । ତାଙ୍କର ଷାଠିଏଟି ଜାହାଜ ଅଛି । ଜାହାଜଗୁଡ଼ିକର କମାଣ୍ଡର ଗ୍ରୀକ୍ ଓ ନାବିକମାନେ ମଧ୍ୟ ଗ୍ରୀକ୍ । ଏମାନେ ଏ ଅଂଚଳର ସାଗର ଉପସାଗର ବୁଲି ଜାହାଜ ଓ ସହର ଲୁଟ କରନ୍ତି । ଲୋକମାନେ ଏମାନଙ୍କ ଭୟରେ ଥରହର । ଚାରିଆଡ଼େ ପ୍ରହରୀ ଜଗାଇଥାନ୍ତି ।

 

କୁଇଣ୍ଟାସ୍‍ ପଚାରିଲେ–ଏବେ ସେମାନେ କେଉଁଠି ଅଛନ୍ତି କହି ପାରିବ ?

 

ମାଲଜାହାଜର କପ୍ତାନ କହିଲେ–ସେମାନେ ଲେମନ୍ସ ଦ୍ଵୀପର ବଡ଼ ସହର ହେଫସ୍‍ତିୟା ଲୁଟକରି ମେଖାଲି ଦ୍ଵୀପ ଟପି ଇଓରିଆ ଓ ହେଲେନିଶା ଆଡ଼କୁ ଯାଉଛନ୍ତି ।

 

ଗ୍ରୀସ୍‍ ପାଖରେ ଇଉରିଆ ଦ୍ଵୀପ । ଗ୍ରୀସ୍‍ ଓ ଏହି ଦ୍ଵୀପର ମଝିରେ ଗୋଟିଏ ସରୁ ନାଳ-। ଏହି ନାଳ ଦେଇ ସମ୍ରାଟ ଜାରାକସେଶ୍ ଅଭିଯାନରେ ବାହାରିଥିଲେ । ଏହାହିଁ ଜଳଦସ୍ୟୁମାନଙ୍କର ଆଡ୍‍ଡାରୁଳୀ । ପୁଣି ଏପାଖରେ ବଡ଼ ବନ୍ଦର ବହୁତ ଅଛି, ଲୁଟ ଜିନିଷ ମଧ୍ୟ ପ୍ରଚୁର ମିଳେ ।

 

ନାନା କଥା ଚିନ୍ତାକରି କୁଇଣ୍ଟାସ୍ ଠିକ୍ କଲେ ଯେ, ଥର୍ମୋପିଲର ପାଖ ଆଖ କୌଣସି ସ୍ଥାନରେ ସେମାନଙ୍କର ରହିବା ସମ୍ଭାବନା । ତାହା ହେଲେ ତାଙ୍କୁ ଉତ୍ତର ଦକ୍ଷିଣଦିଗରୁ ଘେରାଉ କରିବେ । ସେ ଆଦେଶ ଦେଲେ–ତୀରବେଗରେ ଜାହାଜ ଚଳାଅ ।

 

ସଂଜ ଆଗତ ପ୍ରାୟ । ଜାହାଜ ଚାଲିଛି ବିଜୁଳିବେଗରେ । ସର୍ଦ୍ଦାର ନାବିକ କହିଲା–ଇଉରିଆର କୂଳ ଦିଶୁଛି ।

 

ଦି’ଧାରରେ ପଚାଶ ପଚାଶ କରି ଜାହାଜ ଚାଲିଛି । ଆହୁଲା ବନ୍ଦ ହେଲା । ସେହି ନାଳରେ ଗୁଡ଼ାଏ ଜାହାଜ ଧରି କୁଇଣ୍ଟାସ୍ ପଶିଲେ । ଅନ୍ୟ ଜାହାଜକୁ ଅନ୍ୟ ବାଟଦେଇ ଯିବାକୁ ଆଦେଶ କଲେ ।

 

ନାଳରେ ଜାହାଜ ଚାଲିଛି । ବେନ୍‍ହୁର ତା’ ଆସନରେ ବସି ଆହୁଲା ମାରୁଛି । ଛଅଘଣ୍ଟା ଏକାପରି ଟାଣିବାପରେ ଦିଘଣ୍ଟା ବିଶ୍ରାମ । ବିଶ୍ରାମବେଳେ ମଧ୍ୟ ସେମାନେ ତାଙ୍କ ଆସନରେ ବସିଥାନ୍ତି । ପାଦରେ ଶିକୁଳି ବଂଧାଥାଏ ସବୁବେଳେ । ତିନିବର୍ଷ ପରେ ବେନ୍‍ହୁରର ଶିକୁଳି ଖୋଲିଥିଲା ଏବଂ ସେ କୁଇଣ୍ଟାସ୍ ପାଖକୁ ଯାଇଥିଲା । ଆନ୍ତିଆନା ସାଗରରେ ବେନ୍‍ହୁର ବିଶ୍ରାମଛୁଟି ପାଇଥିଲା ।

 

ସୂର୍ଯ୍ୟ ଅସ୍ତମିତ । ରାତି ଆସିଲା । ଆହୁଲା ମାରିବାରେ କିନ୍ତୁ ବିଶ୍ରାମ ନାହିଁ । ହଠାତ୍ ଉପରୁ ଧୂପର ଗନ୍ଧ ଆସିଲା । ବେନ୍‍ହୁର ଜାଣିଲା କୁଇଣ୍ଟାସ୍ ଉପାସନା କରୁଛନ୍ତି । ତେବେ କ’ଣ ଯୁଦ୍ଧ ହେବ ? ଯୁଦ୍ଧ ଆଗରୁ ଉପାସନା ହୁଏ, ସେ ଜାଣିଛି; ଏହା ତା’ର ଅନୁଭୂତିର କଥା । କିନ୍ତୁ କାହାକୁ ସେ ଏ କଥା ପଚାରିବ ?

 

ସିଡ଼ି ଧାରେ ଧାରେ ଆଲୋକ ଟଣାଗଲା । କୁଇଣ୍ଟାସ୍‍ ତଳକୁ ଆସି ଆଦେଶ କଲେ । ଜାହାଜର ସୈନ୍ୟମାନେ ସାଂଜୁ ପିନ୍ଧିଲେ । କୁଇଣ୍ଟାସ୍‍ ପୋଷାକ ପିନ୍ଧିଛନ୍ତି । ମଥା ଉପରେ ହେଲମେଟ୍ ।

 

ବେନ୍‍ହୁର ବୁଝିପାରିଲା, ଯୁଦ୍ଧ ଅବଶ୍ୟମ୍ଭାବୀ । ସର୍ଦ୍ଦାର ନାବିକ ଆସି ଆହୁଲା ସାଙ୍ଗରେ କ୍ରୀତଦାସମାନଙ୍କର ଶିକୁଳି ବାନ୍ଧିଦେଲା । ଲଢ଼େଇରେ ଯାହା ହେଉନା କାହିଁକି ଶିକୁଳିରେ ବଂଧା ହୋଇ ରହିଥିବେ ।

 

କୁଇଣ୍ଟାସ୍‍ ଦେଖିଲେ, ଅଣଷଠି କଏଦୀଙ୍କର ଶିକୁଳି ବଂଧାଗଲା । କୁଇଣ୍ଟାସ୍‍ର ମନ ଚଞ୍ଚଳ ହେଲା ଷାଠିଏ ନମ୍ବର ପାଖରେ । ସେ ସର୍ଦ୍ଦାରକୁ ଡାକି କ’ଣ କହିଲେ ବେନ୍‍ହୁର ଶୁଣିପାରିଲା ନାହିଁ । ସର୍ଦ୍ଦାର ତା’ପରେ ଏକଷଠି ପାଖକୁ ଗଲା । ବେନ୍‍ହୁର ମନପ୍ରାଣ ଦେଇ ଆହୁଲା ମାରୁଛି ।

 

ବେନ୍‍ହୁର ଏତେ ଜୋରରେ ଆହୁଲା ମାରିଲା ଯେ ତା’ର ଆହୁଲା ବଙ୍କେଇଗଲା । କୁଇଣ୍ଟାସ୍‍ ଦେଖିଲେ । ସର୍ଦ୍ଦାର କହିଲା–ପିଲାଟିର ଦେହରେ କେତେ ଜୋର ।

 

କୁଇଣ୍ଟାସ୍‍ କହିଲେ–କଣ ସେତିକି ! କାର୍ଯ୍ୟରେ କ’ଣ କମ ଉତ୍ସାହ ! ତା’ ପାଦରେ ଝଂଜିର ଦିଅନା ।

 

ଏ କଥା କହି କୁଇଣ୍ଟାସ୍‍ ବସିଲେ । ପବନ ବନ୍ଦ । ପାଣିରେ ଢେଉ ନାହିଁ । ତୀର ବେଗରେ ଜାହାଜ ଚାଲିଛି । କୁଇଣ୍ଟାସ୍ ଶୋଇପଡ଼ିଛନ୍ତି ।

 

ରାତି ଶେଷ ହେଲା । ଆକାଶରେ ଭୋର ସୂର୍ଯ୍ୟର ଆଲୋକ ରଶ୍ମି । ଜଣେ ଅଫିସର ଆସି କୁଇଣ୍ଟାସ୍‍ର ନିଦ ଭାଙ୍ଗିଦେଲା । କୁଇଣ୍ଟାସ୍ ମଥାରେ ହେଲମେଟ୍‍ ପିନ୍ଧି କମାଣ୍ଡରକୁ କହିଲେ–ଶୀଘ୍ର ପ୍ରସ୍ତୁତ ହୁଅ । ଜଳଦସ୍ୟୁମାନେ ପାଖରେ ।

 

ଏ କଥା କହି ସେ ସିଡ଼ିରେ ଉପରକୁ ଉଠିଲେ । ସଙ୍ଗେ ସଙ୍ଗେ ସମସ୍ତେ ପ୍ରସ୍ତୁତ ହେଲେ-। ସୈନ୍ୟମାନେ ହତିଆର ନେଇ ପ୍ରସ୍ତୁତ । ବେନ୍‍ହୁରର ସେତେବେଳେ ବିଶ୍ରାମର ସମୟ । ତାକୁ ସୈନ୍ୟଦଳ ସହିତ ଠିଆ କରାହେଲା ।

 

ସର୍ଦ୍ଦାର ନାବିକ ପାଖକୁ ଆସି ସଂକେତ କଲେ । ସଙ୍ଗେ ସଙ୍ଗେ ସବୁ ଆହୁଲା ବନ୍ଦ ହୋଇଗଲା । କଥା କ’ଣ ! ସମସ୍ତେ ଉତ୍କୀର୍ଣ୍ଣ ହୋଇ ଚାରିଆଡ଼କୁ ଅନାଇଲେ । ପଛରେ ଗୋଟାଏ ଜାହାଜ ଆସୁଛି ଆହୁଲାର ଶବ୍ଦ । ଅସ୍ତ୍ରାଜାହାଜ ଦୋହଲି ଉଠିଲା । ବେନ୍‍ହୁରର ସର୍ବାଙ୍ଗରେ ରୋମାଞ୍ଚ ସୃଷ୍ଟି ହେଲା । ତେବେ ଏଇଥର କ’ଣ ଯୁଦ୍ଧ ହେଲା !

 

ପୁଣି ସର୍ଦ୍ଦାର ସଂକେତ କଲେ ଆହୁଲା ପଡ଼ିଲା । ମନ୍ଥରଗତିରେ ଜାହାଜ ଚାଲିଲା । ଆହୁଲାର ଶଦ୍ଦ ନାହିଁ । ଜାହାଜରେ ଟୁଁ ଶବ୍ଦ ନାହିଁ । ସମସ୍ତେ ଭାବୁଛନ୍ତି ଏଇଥର ତେବେ ଯୁଦ୍ଧ ଲାଗିଲା ।

 

ନାବିକମାନେ ବ୍ୟାପାରଟି ବୁଝିପାରୁ ନାହାନ୍ତି । ହଠାତ୍ ଜାହାଜରେ ବିଗୁଲ ବାଜିଉଠିଲା-। ନାବିକମାନେ ଜୋରରେ ଆହୁଲା ମାରିଲେ । ଜାହାଜ କମ୍ପି ଉଠିଲା–ଦୁରନ୍ତ ଗତିରେ ଆଗେଇ ଚାଲିଛି । ପଛରେ ବହୁ ଲୋକର ଚିତ୍କାର ଓ ବିଗୁଲ ।

 

ବେନ୍‍ହୁରର ମନେହେଲା ଯେପରି ତଳେ ଭାଙ୍ଗିବାର ଶବ୍ଦ । ଜାହାଜର ଲୋକେ ଚାରିଆଡ଼କୁ ଅନାଇଛନ୍ତି । ହଠାତ୍ ଜାହାଜରେ ଜୟଧ୍ୱନି । ତେବେ କ’ଣ ରୋମାନ୍‍ମାନେ ଜିତିଛନ୍ତି-! ଜଳଦସ୍ୟୁ ପରାସ୍ତ ହେଲେ ।

 

କେଇଜଣ ସୈନ୍ୟ ହଠାତ୍ ତଳକୁ ଆସିଲେ । ସେମାନେ ତୁଳାର ବଳିତାରେ ତେଲ ଭିଜାଇ ଦେଇ ସିଡ଼ିରେ ଥିବା ସୈନ୍ୟଙ୍କୁ ବଢ଼ାଇଦେଲେ । ସେମାନେ ନିଆଁ ଜାଳି ଜଳଦସ୍ୟୁଙ୍କ ଜାହାଜକୁ ଅବିରାମ ଗତିରେ ଫିଙ୍ଗିଲେ । ଜୟଧ୍ଵନି ହେଲା । ଜଳଦସ୍ୟୁମାନଙ୍କର ଗୋଟିଏ ଜାହାଜ ବୁଡ଼ିଗଲା ।

 

ଆକାଶ ସାଗର ମନ୍ଥନ କରି ବିକଟ ଚିତ୍କାର ଶୁଭୁଛି । ମଝିରେ ମଝିରେ ମଡ଼ ମଡ଼ ଶବ୍ଦ-। ଅସ୍ତ୍ରାଜାହାଜ ଆଉ ଗୋଟାଏ ଜଳଦସ୍ୟୁର ଜାହାଜକୁ ବୁଡ଼ାଇଦେଲା । ଚାରିଆଡ଼େ ଧୂଆଁ ଓ ଅଗ୍ନିର କୁଣ୍ଡଳୀ ।

 

ଜାହାଜ ଚାଲିଛି । ବେନ୍‍ହୁର ଅନୁଭବ କଲା, ଯେପରି ସେମାନେ ଅନ୍ୟ ଜାହାଜକୁ ପଛରେ ପକାଇ ଆଗେଇ ଚାଲିଛନ୍ତି ।

 

ଅସ୍ତ୍ରାଜାହାଜର ହଠାତ୍ ଗତି ବନ୍ଦହେଲା । ଆଗର ନାବିକମାନଙ୍କ ହାତରୁ କିଏ ଯେପରି ଆହୁଲା ଛଡ଼ାଇନେଲା । ଡେକରେ କେତେ ଲୋକର ଦଉଡ଼ା ଦଉଡ଼ି ଶବ୍ଦ–ଚିତ୍କାର । ତା’ପରେ ଜାହାଜରେ ଗୋଟାଏ ଧକ୍କା । ନାବିକମାନେ ଆଘାତରେ ଛିଟିକିପଡ଼ିଲେ । ବେନ୍‍ହୁର ଯେପରି କାଠଖେଳନା । ପଲକହୀନ ଦୃଷ୍ଟି । ସେ କାନ ଡେରି ସବୁ ଶୁଣୁଛି । ହଠାତ୍ ତା’ ଆଗରେ ଗୋଟାଏ ଲୋକ ପଡ଼ିଗଲା । ପ୍ରାଣହୀନ ଦେହ । ଏ ଯେ ଉତ୍ତର ଦେଶରେ ମଣିଷ–ଏ ଜାହାଜକୁ ପୁଣି କିପରି ଆସିଲା ! ଆସ୍ତ୍ରା ଉପରେ କ’ଣ ଶତ୍ରୁ ? ତା’ ହେଲେ ତ...

 

କୁଇଣ୍ଟାସ୍‍ କଥା ମନେହଲା । ତାକୁ ଯଦି ଜଳଦସ୍ୟୁମାନେ ଘେରାଉ କରିଥାନ୍ତି–ରକ୍ଷା ନ ପାଇଥିଲେ ଯେ ବେନ୍‍ହୁରର ଭବିଷ୍ୟତ ଧୂଳିସାତ୍ ହେବ ।

 

ଅଧୀର ଦୃଷ୍ଟିରେ ବେନ୍‍ହୁର ଚାରିଆଡ଼କୁ ଅନାଇଲା । ଆସ୍ତ୍ରାର ଦୁଇଦିଗରୁ ଜଳଦସ୍ୟୁ ଆକ୍ରମଣ କରିଛି । ନାବିକମାନେ ଝଂଜିର ଫିଟାଇବାକୁ ଆପ୍ରାଣ ଚେଷ୍ଟା କରୁଛନ୍ତି । କିନ୍ତୁ ପାରୁ ନାହାନ୍ତି–କି ଭୀଷଣ ମର୍ମାନ୍ତିକ ଚିତ୍କାର ! ପ୍ରହରୀମାନେ କିଏ କେଉଁଠି ରହିଛନ୍ତି ଠିକଣା ନାହିଁ । ଚାରିଆଡ଼େ ବିପର୍ଯ୍ୟୟ । ସର୍ଦ୍ଦାର ନାବିକ କିନ୍ତୁ ନିଜ ସ୍ଥାନରେ ଠିଆହୋଇ ତା’ର କର୍ତ୍ତବ୍ୟ କରୁଛି । ସତେ ଯେପରି ପଥରର ମୂର୍ତ୍ତି ।

 

ବେନ୍‍ହୁର ତାକୁ ଦେଖିଲା ଓ କୁଇଣ୍ଟାସ୍‍କୁ ଖୋଜିବାକୁ ଗଲା ।

 

ସିଡ଼ିଦେଇ ବେନ୍‍ହୁର ଡେକ୍ ଉପରକୁ ଗଲା । ଦେଖିଲା ଆକାଶ ଲାଲ ହୋଇଯାଇଛି ନିଆଁରେ । ନିଆଁର ଆଲୋକରେ ସମୁଦ୍ରରେ ଆବର୍ଜନା ଭାସୁଥିବାର ଦେଖାଯାଉଛି । ଜାହାଜ ସହିତ ଜାହାଜର ତୁମୁଳ ଲଢ଼େଇ ଚାଲିଛି । କି ବିକଟ ଚିତ୍କାର–ଆର୍ତ୍ତନାଦ !

 

ବେନ୍‍ହୁର ଦେଖିଲା ଜଳଦସ୍ୟୁମାନଙ୍କର ସୈନ୍ୟ ବହୁତ ବେଶୀ । ତାହା ତୁଳନାରେ ରୋମାନ୍‍ମାନଙ୍କ ସଂଖ୍ୟା ଖୁବ କମ୍ ।

 

ଦେଖୁ ଦେଖୁ ସିଡ଼ିଟା ଭାଙ୍ଗିପଡ଼ିଲା । ତା’ ସଙ୍ଗେ ସଙ୍ଗେ ବେନ୍‍ହୁର ମଧ୍ୟ ତଳେ ପଡ଼ିଗଲା । ସେ ଚଞ୍ଚଳ ଉଠି ପ୍ଳାଟଫର୍ମକୁ ଆସିଲା । ସେ ଅନୁଭବ କଲା, ଯେପରି ଜାହାଜରେ କିଏ ଥରକୁ ଥର ଧକ୍କା ଲଗାଉଛି । ଆସ୍ତେ ଆସ୍ତେ ଜାହାଜର ପଛପାଖଟା ଭାଙ୍ଗି ଦିଗଡ଼ ହୋଇଗଲା । ଢେଉଗୁଡ଼ିକ ଜାହାଜ ଉପରକୁ ମାଡ଼ି ଆସୁଛି । ଯେପରି ରାମାନ୍‍ମାନଙ୍କର କୌଣସି ଚିହ୍ନ ରଖିବ ନାହିଁ । ବେନ୍‍ହୁରର ଆଖି ଆଗରେ ଘନେଇ ଆସିଲା ଅନ୍ଧକାର । ସେହି ଅନ୍ଧକାର ଓ ଜଳର ପ୍ରମତ୍ତ ଢେଉରେ ସେ ନିସ୍ପନ୍ଦ ହେଲା । ସମୁଦ୍ରର ତରଙ୍ଗ ବେନ୍‍ହୁରକୁ ଯେପରି ଟୁକୁରାଏ କାଠ ପରି କେବିନକୁ ନେଇଗଲା; କିନ୍ତୁ କେବିନ ପାଣିରେ ପୂରିଛି । ବେନ୍‍ହୁରର ଭାଗ୍ୟ–ସଙ୍ଗେ ସଙ୍ଗେ ଜାହାଜ ଦୋହଲି ଉଠିଲା । ସେହି ହଲ ଚଲରେ ବେନ୍‍ହୁର କେବିନରୁ ଛିଟିକି ବାହାରି ପାଣିରେ ପଡ଼ିଗଲା ।

 

ହଠାତ୍ ଚେତନା ହେଲା ବେନ୍‍ହୁର ଦେଖିଲା, ଗୋଟାଏ କାଠ ପଟା ଭାସି ଯାଉଛି । ଦି ହାତରେ ପଟାଟି ଧରି ବେନ୍‍ହୁର ଜଳ ସ୍ରୋତରେ ଭାସି ଚାଲିଲା ।

 

ସମୁଦ୍ରରେ ଭାସୁ ଭାସୁ କେତେ ଜିନିଷ ଦେଖିଲା । ଏବେ ବି ନିଆଁ ଜଳୁଛି, ଧୂଆଁ କୁଣ୍ଡଳୀ ଉପରକୁ ଉଠୁଛି । ପାଣିରେ କେତେ ମଣିଷ ଭାସୁଛନ୍ତି ଓ ବୁଡ଼ିଯାଉଛନ୍ତି । ଜଳଦସ୍ୟୁମାନଙ୍କ ମଧ୍ୟରୁ ଅନେକ କାଠ ପଟାର ଆଶ୍ରୟ ନେଇଛନ୍ତି । ସେମାନଙ୍କ ହାତରେ ତଲୁଆର ବା ଖଡ୍‍ଗ । ମରିବାକୁ ଗଲାବେଳେ ମଧ୍ୟ ସେମାନଙ୍କର ହିଂସା କେତେ ଉଗ୍ର । ବେନ୍‍ହୁର ଭୟକଲା, ତାକୁ ଯଦି ସେମାନେ ଦେଖିବେ ସଙ୍ଗେ ସଙ୍ଗେ ମାରିଦେବେ । ଯେତେ ଦୂରରେ ରହିବ ସେତେ ଭଲ ।

 

ହଠାତ୍ ଆହୁଲାର ଶବ୍ଦ ଆସିଲା । ଚାରିଆଡ଼େ ଅନାଇ ଦେଖିଲା, ଧୂଆଁ ଭିତର ଦେଇ ଗୋଟାଏ ବଡ଼ ଜାହାଜ ଆସୁଛି । ବେନ୍‍ହୁରର ଛାତି କମ୍ପି ଉଠିଲା । ଯଦି ସେ ଜାହାଜରେ ଧକ୍କା ପାଏ ! ତେଣୁ ତା’ ପଟାଟାକୁ ଘୁଞ୍ଚାଇବାକୁ ଚେଷ୍ଟାକଲା । କାଠ ପଟାଟି ଘୁଞ୍ଚାଉ ଘୁଞ୍ଚାଉ ଦେଖିଲା, ଗୋଟିଏ ମଣିଷର ଦେହ ଭାସୁଛି । ମୁଣ୍ଡରେ ତା’ର ହେଲମେଟ୍‍ ।

 

ଲୋକଟି ଦୁଇହାତ ଉଠାଇ ଭାସିବାକୁ ଉଦ୍ୟମ କରୁଛି; କିନ୍ତୁ ପାରୁନାହିଁ ଯେପରି ମୃତ୍ୟୁ ସହିତ ଯୁଦ୍ଧକରି ଶ୍ରାନ୍ତ । ଶେଷଥରପାଇଁ ହାତ ଦିଓଟି ଭାସିଉଠିଲା ତା’ପରେ ଚୁପ୍‍ଚାପ ।

 

ଚଳମାନ ଜାହାଜର ଆଲୋକରେ ବେନ୍‍ହୁର ଦେଖିଲା ଲୋକଟିର ମୁହଁ–ଏଯେ କୁଇଣ୍ଟାସ୍ !

 

ବେନ୍‍ହୁର ବହୁ ପରିଶ୍ରମ କରି ପଟାଟିକୁ ତାଙ୍କ ପାଖକୁ ନେଇ ଗୋଟାଏ ହାତ ଧରି ଦେହଟିକୁ ତକ୍ତା ଉପରକୁ ଟାଣି ଆଣିଲା ।

 

ପଟାରେ କୁଇଣ୍ଟୋସ୍‍ର ଦେହ । ଭଙ୍ଗା ମାସ୍ତୁଲର ଖଣ୍ଡିଏ କାଠ ମିଳିଲା । ସେଇଟି ଭାସି ଯାଇଥିଲା । ବେନ୍‍ହୁର ତାକୁ ନେଇ ଢେଉ କାଟି ପଟା ନେଇ ଚାଲିଲା । କୁଆଡ଼େ ଚାଲିଛି ଜଣାନାହିଁ ।

 

ରାତି ଶେଷ ହେଲା । ଭୋର ହେଲା । ଅନେକ ଦୂରରେ କୂଳ ଦେଖାଯାଉଛି । ପାଣିରେ ଭାସୁଛି ଅଗଣିତ ମଲା ମଣିଷର ଦେହ ।

 

କୂଳରେ ସେ ପହଞ୍ଚିପାରିବ ସତେ ! ସେ ଉଦ୍ୟମ କରିଯିବ । ଭଗବାନ ନିଶ୍ଚୟ ସହାୟ ହେବେ ।

 

ବେନ୍‍ହୁର ଚାଲିଛି । କୁଇଣ୍ଟାସ୍ ଆଡ଼କୁ ଥରକୁ ଥର ଅନାଉଛି । ସତରେ କ’ଣ ସେ ବଞ୍ଚିଛନ୍ତି ! ବେଳେ ବେଳେ ଭୟରେ ସେ ଶିହରି ଉଠୁଛି ।

 

ମନର ଅସ୍ଥିରତା ତଥାପି ଯାଇନି । କୁଇଣ୍ଟାସ୍ ମୁଣ୍ଡରୁ ହେଲମେଟ୍‍ଟି ବେନ୍‍ହୁର ଖୋଲି ରଖିଲା । ଅଣ୍ଟାରୁ ଛୁରା ଓ ବେଲ୍‍ଟ ଖୋଲିଦେଲା ।

 

ତା’ପରେ ଛାତିରେ ହାତଦେଲା–ନାକ ପାଖରେ ହାତ ଦେଲା । ନିଶ୍ଵାସ ତ ପଡ଼ୁଛି ! ତେବେ କୁଇଣ୍ଟାସ୍ ଜୀବିତ ।

 

ମନରେ ଭରସା ହେଲା । ଏତେ ବିପଦରେ ଭଗବାନ ବଞ୍ଚେଇଛନ୍ତି, ଭୟ ନାହିଁ । ନିଶ୍ଚୟ ସେ ବଞ୍ଚିଉଠିବେ ।

Image

 

ପାଞ୍ଚ

 

କାଠପଟା ଭାସି ଚାଲିଛି । ଅନେକ ସମୟ ପରେ କୁଇଣ୍ଟାସ୍ ଏକ ବିହ୍ଵଳ ଦୃଷ୍ଟିରେ କିପରି ଅନାଇଲେ । ସେ ଦେଖିଲେ, ବିରାଟ ସମୁଦ୍ର ଭିତରେ ଅଥଳ ପାଣିରେ ଗୋଟିଏ ପଟାକୁ ଆଶ୍ରୟ କରି ଭାସି ଚାଲିଛନ୍ତି ବେନ୍‍ହୁର ଓ ସେ ।

 

କୁଇଣ୍ଟାସ୍ ପଚାରିଲେ–ତମେ !

 

ବେନ୍‍ହୁର ଆନନ୍ଦରେ ଆତ୍ମହରା ହୋଇ କେବଳ ଅନାଇ ରହିଲା ।

 

କୁଇଣ୍ଟାସ୍ କହିଲେ–ତମେ ମୋତେ ବଞ୍ଚେଇଛ । ଏ ଋଣ କିପରି ପରିଶୋଧ କରିବି ! ଯଦି ବଞ୍ଚିଥାଏ, ଦେଶକୁ ଯଦି ଫେରେ, ତେବେ ତମକୁ ଏ କ୍ରୀତଦାସତ୍ୱରୁ ମୁକ୍ତି ଦେବି । ତମର ଖୁସି ଅନୁଯାୟୀ ଯୁଆଡ଼େ ଯାଇପାର । ଚିରଦିନ ତମକୁ ସାହାଯ୍ୟ କରିବି ।

 

ବେନ୍‍ହୁର ଲାଜରେ ମଥା ତଳକୁ କଲା ।

 

କୁଇଣ୍ଟାସ୍ କହିଲା–ତମେ ମୋର ପ୍ରାଣ ବଞ୍ଚେଇଛ । ପ୍ରକୃତରେ ତମେ ଜେରୁଜେଲମ ପ୍ରିନ୍‍ସ ହୁର୍‍ର ପୁଅ ।

 

–ଆଜ୍ଞା ହଁ । ଧୀର ନମ୍ର କଣ୍ଠରେ ବେନ୍‍ହୁର ଜବାବ ଦେଲା ।

 

–ତମ ବାପାଙ୍କୁ ମୁଁ ବେଶ୍ ଭଲକରି ଜାଣେ । କେଟୋଓ ବୃଟାସ୍‍ଙ୍କ କଥା ତମେ ବୋଧହୁଏ ଜାଣ । ନ ଜାଣିଥିଲେ ମଧ୍ୟ ସେମାନେ ଯେ କେତେ ମହତ୍, ମହାପୁରୁଷ ଥିଲେ ଜାଣିଥିବ । ରୋମାନ୍‍ମାନଙ୍କ ଭିତରେ ସେପରି ମହାପୁରୁଷ କାହାନ୍ତି ! ଜାଣିଛ ତ ?

 

–ଜାଣେ ।

 

କୁଇଣ୍ଟାସ୍ କହିଲେ–ତମେ ରୋମ୍‍ର ନିୟମ ଜାଣ । ବୁନିଆଦି ଘରର ରୋମାନ୍‍ମାନେ ମୁଦି ପିନ୍ଧନ୍ତି । ମୋର ମୁଦିଟି, ଦେଖ ।

 

ସେ ବେନ୍‍ହୁରକୁ ଅଙ୍ଗୁରୀୟଟି ଦେଖାଇଲେ । ମୁଦିଟି ଆଙ୍ଗୁଳିରୁ ଖୋଲି ବେନ୍‍ହୁର ହାତରେ ଦେଇ କହିଲେ–ଏହିଟି ତମେ ପିନ୍ଧ, ମୁଁ ଦେଉଛି ।

 

ବେନ୍‍ହୁର ନେଇ ନିଜ ଆଙ୍ଗୁଳିରେ ପିନ୍ଧିଲା ।

 

କୁଇଣ୍ଟାସ୍ କହିଲେ–ମୋର ସମ୍ପତ୍ତି, ଐଶ୍ଵର୍ଯ୍ୟ ଅନେକ । ଧନୀ ବୋଲି ମୋର ଯଶ ଅଛି, କିନ୍ତୁ ମୋର ସ୍ତ୍ରୀ, ପୁଅ ଝିଅ ବା ନିକଟ ଆତ୍ମୀୟ ବୋଲି କେହି ନାହାନ୍ତି । ମୁଁ ମରିଗଲେ ତୁମେ ମାଇଲେନାମକୁ ଯାଅ । ସେଠାରେ ପ୍ରକାଣ୍ଡ ଘରଦ୍ୱାର ଅଛି । ସେଠାରେ ଲୋକମାନେ ତମ ହାତରେ ଏହି ଅଙ୍ଗୁରୀୟ ଦେଖିଲେ ମାଲିକ ବୋଲି ମାନିବେ । ତମର କୌଣସି ଦୁଃଖ ରହିବ ନାହିଁ-। ମୁଁ ଯଦି ବଞ୍ଚିରହେଁ, ତମର ଭବିଷ୍ୟତର ଭାର ମୋ’ଉପରେ । ତମର ଏ କ୍ରୀତଦାସର ନାଗପାଶ ନିଶ୍ଚୟ କଟିବ । ଦେଶରେ ତମେ ଯେପରି ଗଣ୍ୟମାନ୍ୟ ହେବ, ପ୍ରତିପତ୍ତି ବଢ଼ିବ ମୁଁ ସେ ବ୍ୟବସ୍ଥା କରିବି ।

 

ବେନ୍‍ହୁର କହିଲା–ଆପଣଙ୍କର ଅସୀମ ଅନୁଗ୍ରହ ।

 

–ନା, ନା, ଏ ଦୟାନୁହଁ । ତମେ ମୋତେ ମୃତ୍ୟୁମୁଖରୁ ଉଦ୍ଧାର କରିଛ । ବଞ୍ଚେଇଛ । ତମକୁ ନ ଦେବାର କିଛି ନାହିଁ ।

 

ଏକଥା କହି କୁଇଣ୍ଟାସ୍ ବେନ୍‍ହୁର ଆଡ଼କୁ ବହୁ ସମୟ ଅପଲକ ନେତ୍ରରେ ଅନାଇ ରହିଲେ ଏବଂ କହିଲେ ତମକୁ ଗୋଟିଏ କାର୍ଯ୍ୟ କରିବାକୁ ପଡ଼ିବ ।

 

–ଅନ୍ୟାୟ ନ ହେଲେ କରିବି ।

 

–ନା, ଅନ୍ୟାୟ ନୁହଁ, ତେବେ ଟିକିଏ ମିଥ୍ୟା । ମୁଁ ରୋମ୍‍କୁ ଯଦି ଯାଏଁ, ତେବେ ସେଠାକୁ ଯାଇ କହିବ ଯେ, ଜଳଦସ୍ୟୁମାନଙ୍କୁ ମୁଁ ନିର୍ମୂଳ କରିଛି । ତମେ ଏଥିରେ ହଁ ଭରିବ । ତମେ ଯେଉଁଭଳି ମୋତେ ରକ୍ଷାକରିଛ, ତାହା ଛପିଯିବ । ଏହାହିଁ ମୁଁ ଗୋପନରେ ରଖିବାକୁ ଚାହେଁ-। କ’ଣ ତମେ ରାଜି ?

 

ବେନ୍‍ହୁର କହିଲା–ବେଶ୍, ସେଇଆ ହେବ ।

 

କୁଇଣ୍ଟାସ୍ କହିଲେ–ବ୍ୟକ୍ତିର ଏଇ ଦମ୍ଭ–ମଣିଷର ଏକ ବଡ଼ ଦୁର୍ବଳତା । କିନ୍ତୁ ହୁର୍‍, ଉପାୟ ନାହିଁ । ଯୋଦ୍ଧାର ଯଦି କୀର୍ତ୍ତି ନ ରହେ, ତା’ହେଲେ ଏ ଜୀବନ ତୁଚ୍ଛ । ତମେ ହୁଏତ ମନେ ମନେ ହସୁଛ, ଘୃଣା କରୁଛ ।

 

ବେନ୍‍ହୁର କହିଲା–ଏତେକଥା କାହିଁକି କହୁଛନ୍ତି । ଆପଣ ଯେ ମହତ୍, ପ୍ରଥମ ଦିନରୁ ତା’ର ପରିଚୟ ପାଇଛି । ତିନିବର୍ଷ ଧରି ଆହୁଲା ମାରିଛି, କାହିଁ କେହି ତ ମୋ ଆଡ଼କୁ ଅନାଇନି ! ପଦେ କଥା କେହି କହିନି !

କହୁଁ କହୁଁ ବେନ୍‍ହୁରର ସ୍ଵର ଆବେଗରେ ରୁଦ୍ଧ ହେଲା ।

କୁଇଣ୍ଟାସ୍ କହିଲେ–ବୁନିଆଦି ପରିବାରରେ ଯାହାର ଜନ୍ମ, ତାହାର ପରିଚୟ ମୁହଁ ଆଖି, ଭାବ ସ୍ୱଭାବରେ ପ୍ରକାଶ ପାଇଥାଏ । ତୁମକୁ ଦେଖି ଜାଣିପାରିଥିଲି ଯେ, ତମେ ବଡ଼ ଘରର ପିଲା ବୋଲି ।

କଥା କହୁଁ କହୁଁ ଦି’ ଜଣ ଦେଖିଲେ ଯେ, ଚକ୍ରବାଳରେ କ’ଣ ଗୋଟାଏ ଧଳା ଜକ ଜକ କରୁଛି । ଗୋଟାଏ ଜାହାଜ ଏପଟକୁ ଆସୁଛି ।

ବେନ୍‍ହୁର କହିଲା–ଗୋଟାଏ ଜାହାଜ !

କୁଇଣ୍ଟାସ୍ କହିଲେ–ହଁ, ରୋମାନ୍‍ ଜାହାଜ ? ନା ଜଳଦସ୍ୟୁର ?

–କିପରି ବୁଝିବି ?

ଜାହାଜର ମାସ୍ତୁଲ ଉପରେ ଗୋଟାଏ ହେଲମେଟ୍ ଅଛି ?

ବେନ୍‍ହୁର କହିଲା–ହଁ ମାସ୍ତୁଲ ଉପରେ ହେଲମେଟ୍ ଅଛି ।

–ତାହାହେଲେ ରୋମାନ୍‍ ଜାହାଜ । ଏହାହିଁ ନିଶାଣ । ଏମାନଙ୍କୁ କୌଣସି ପ୍ରକାର ଗୋଟାଏ ସଙ୍କେତ ଦେବାକୁ ହେବ । ବେନ୍‍ହୁର କହିଲା–ବୋଧହୁଏ ଆମକୁ ଦେଖିପାରିଛି ।

–ବୁଝିଲ କିପରି ?

–ଜାହାଜ ଠିଆ ହୋଇଛି, ଗୋଟାଏ ଛୋଟ ଡଙ୍ଗା ଓହ୍ଲାଇ କେଇଜଣ ଏ ଆଡ଼କୁ ଆସୁଛନ୍ତି ।

–ଭଗବାନଙ୍କର ଜୟ ହେଉ ।

ଜାହାଜର ବୋଟ ଏ ଦି’ଜଣଙ୍କୁ ନେଇ ଜାହାଜକୁ ନେଇଗଲା ।

ବିଜୟୀ ବୀର ବୋଲି ଜାହାଜରେ କୁଇଣ୍ଟାସ୍‍ର ବିରାଟ ବିପୁଳ ସମ୍ବର୍ଦ୍ଧନା । ବେନ୍‍ହୁରକୁ ଦେଖି ସମସ୍ତଙ୍କର କୌତୁହଳ ହେଲା ।

କୁଇଣ୍ଟାସ୍ ହସି କହିଲେ–ଏଇଟି ମୋର ପୁଅ । ଏହାଛଡ଼ା ଦୁନିଆରେ ମୋର ଆଉ କେହି ନାହାନ୍ତି । ଏହାକୁ ପୋଷ୍ୟ ପୁତ୍ର କରିଛି, ମୁଁ ମଲେ ଏ ହେବ ମୋର ସଂପତ୍ତିର ମାଲିକ ମୋ ବଂଶର ନାମ ନେଇ ମୋର ମୁଖ ଉଜ୍ଜ୍ୱଳ କରିବ ଏହାହିଁ ପ୍ରାର୍ଥନା ।

ଏହାପରେ ଯଥାରୀତି ଅନୁଷ୍ଠାନ କରି ବେନ୍‍ହୁରକୁ ପୋଷ୍ୟପୁତ୍ର କରିନେଲେ । ବେନ୍‍ହୁରର ଦାସତ୍ୱ ଛିନ୍ନ ହେଲା । ସେ ରୋମ୍‍ର ସମ୍ଭ୍ରାନ୍ତ ସମାଜରେ ପାଇଲା ସମ୍ମାନସ୍ପଦ ଆସନ-

Image

 

Unknown

ତୃତୀୟ ପରିଚ୍ଛେଦ

ଏକ

 

ଏହା ଭିତରେ ପାଞ୍ଚବର୍ଷ ବିତିଗଲା ।

 

ଆନ୍ତିୟକ ସହର ପୁଣି ଖ୍ୟାତି ପ୍ରତି ପତ୍ତିରେ ଜମି ଉଠିଲା । ରୋମ୍‍ ପରେ ଆନ୍ତିୟକର ନାମ ।

 

ଦ୍ୱିପହରର ଟିକିଏ ଆଗରେ ଅରନ୍ତେଖ ନଦୀରେ ଜାହାଜଟିଏ ପ୍ରବେଶ କଲା । ଗ୍ରୀଷ୍ମର ଉତ୍ତାପରେ ଯାତ୍ରୀମାନେ କେବିନ ଛାଡ଼ି ଡେକରେ ଠିଆହେଲେ । ଏହି ଯାତ୍ରୀଦଳ ଭିତରେ ଥିଲେ ବେନ୍‍ହୁର ।

 

ସେ ବର୍ତ୍ତମାନ ଯୁବକ–ସୁନାମ ଏବଂ ମର୍ଯଦାରେ ଭରପୁର । ଶିକ୍ଷା ଦୀକ୍ଷାର ସମ୍ଭ୍ରାନ୍ତ ସମାଜରେ ଗଣ୍ୟମାନ୍ୟ ।

 

ଏ ଜାହାଜ ସହିତ ଆଉ ଦିଓଟି ଜାହାଜ ନଦୀରେ ପ୍ରବେଶ କଲା । ଦୁଇଟି ଜାହାଜରେ ଝୁଲୁଛି ହଳଦିଆ ରଙ୍ଗର ଦିଓଟି ପତାକା–ସଙ୍କେତ ।

 

ଜଣେ ଯାତ୍ରୀ ପାଖର ଯାତ୍ରୀକୁ କହିଲା–ଏ ହଳଦିଆ ପତାକାର ଅର୍ଥ କ’ଣ ଜାଣିଛ–ଏହା ମାଲିକର ନିଶାଣ ।

 

ସହଯାତ୍ରୀ କହିଲେ–ଏ ମାଲିକର କ’ଣ ବହୁତ ଜାହାଜ ?

 

ବହୁତ । ମୁଁ ସେ ମାଲିକକୁ ଜାଣିଛି । ଅନେକ କାରବାର ତାଙ୍କ ସାଙ୍ଗରେ ହୋଇଛି ।

 

ଏହି ଦିଓଟି ଯାତ୍ରୀମାନଙ୍କ ପାଖରେ ଠିଆହୋଇ ବେନ୍‍ହୁର ମନଯୋଗ ଦେଇ ଶୁଣିବାକୁ ଲାଗିଲା ।

 

ଯାତ୍ରୀଟି ହିବୃ । ସେ କହିଲା–ଏହି ମାଲିକ ଏହି ଆନ୍ତିୟକ ସହରରେ ଥାଆନ୍ତି । ପ୍ରଚୁର ଅର୍ଥ ଓ ଐଶ୍ୱର୍ଯ୍ୟର ଅଧିକାରୀ । ଏତେ ଐଶ୍ୱର୍ଯ୍ୟ କିପରି ହେଲା ତାହା ସଂପର୍କରେ ସହରର ଲୋକମାନେ ଅନେକ ପ୍ରକାରର କଥା ହୁଅନ୍ତି । ଶୁଣାଯାଏ ଜେରୁଜେଲମରେ ହୁର୍ ନାମକ କ୍ରୋଡ଼ପତିଙ୍କ ଦୌଲତରେ ଏ ସଂପତ୍ତି ।

 

ବେନ୍‍ହୁର ଛାତିଟା ଥରିଉଠିଲା । ସେ ଶୁଣିବାକୁ ଲାଗିଲା ।

 

ହିବୃଯାତ୍ରୀ କହିବାକୁ ଲାଗିଲା–କାରବାରରେ ହୁର୍ ବଡ଼ ଧୂରନ୍ଦର ଥିଲେ । ବହୁ ପ୍ରକାର ଜିନିଷ କାରବାର । ଏସିଆଠାରୁ ୟୁରୋପ ସର୍ବତ୍ର ତାଙ୍କର କାରବାର । ଆନ୍ତିୟକର ଏହି ମାଲିକଙ୍କର ନାମହେଲା ସାଇମାଣ୍ଡିସ୍ । ଲୋକେ କହନ୍ତି ସେ କୁଆଡ଼େ ହୁର୍‍ଙ୍କର ଚାକର ଥିଲା । ଜାତିରେ ଇହୁଦୀ । ପ୍ରିନ୍‍ସ ଏହାକୁ ଖୁବ୍ ଭଲ ପାଉଥିଲେ ତେଣୁ ଏହି ସହରକୁ ପଠାଇଥିଲେ । ପ୍ରିନ୍‍ସ ବାଣିଜ୍ୟ କରୁ କରୁ ଜାହାଜ ବୁଡ଼ିରେ ମରିଯାନ୍ତି । ପ୍ରିନ୍‍ସ ସ୍ତ୍ରୀ, ପୁଅ ଓ ଗୋଟିଏ ଝିଅଥିଲା । ସେମାନେ ବଂଚିଛନ୍ତି କି ନାହିଁ ଖବର ମିଳେନାହିଁ । ରୋମାନ୍‍ ରାଜ୍ୟପାଳ ଗ୍ରେଟାସ୍ ପ୍ରିନ୍‍ସର ବଂଶଟା ଏକଦମ ଛାରଖାର କରିଦେଇଛନ୍ତି । ତାଙ୍କ ପ୍ରାସାଦର ଫାଟକରେ ପାଚେରୀ ଉଠାଇ ବନ୍ଦକରି ଦେଇଛନ୍ତି । ଘରର କାନ୍ଥରେ ଲଟକା ହୋଇଛି ବିଜ୍ଞପ୍ତି–ଏ ଘର ସମ୍ରାଟର ସଂପତ୍ତି । ହୁର୍‍ର ଯାହାକିଛି ସଂପତ୍ତି ରୋମାନ୍ ସମ୍ରାଟ ବାଜ୍ୟାପ୍ତ କରି ନେଇଛନ୍ତି ।

 

ଜଣେ କହିଲା–ଗ୍ରେଟାସ୍ ସବୁ ଆତ୍ମସାତ କରିଛି । ଜଣେ କହିଲା–ଲୋକେ ସେଇଆ କହନ୍ତି ମୁଁ ଶୁଣି କହୁଚି । ମୁଁ ତା’ ଖାତାପତ୍ର ଦେଖିନି । ଏପଟେ ସାଇମାଣ୍ଡିସ୍ ନିଜ ନାମରେ କାରବାର ଚଳାଇଛନ୍ତି । କାରବାରର ମାଲିକ ହୋଇ ଯାଇଛି । ପୁଣି ଭାରତବର୍ଷ ସହିତ କାରବାର ଚଳେଇଲାଣି । ତା’ର ଯେତେ ରୋମାନ୍‍ମାନଙ୍କର ଯୁଦ୍ଧ ଜାହାଜ ଗଣି ହେବନାହିଁ । ଭାଗ୍ୟ ଇମିତି ଦେଖ ମାଟି ଧରିଲେ ସୁନା ପାଲଟୁଛି ।

 

–ନିଜେ ମାଲିକ ହୋଇ କେତେଦିନ ଏପରି ଚଳେଇଛି ?

 

–ଚାରିପାଞ୍ଚ ବର୍ଷହେବ ।

 

ବେନ୍‍ହୁର–ଜୁଡ଼ା ଶୁଣିଲା । ସେଠାରୁ ଯାଇ ତା’ ମନରେ ବହୁଚିନ୍ତା ଖେଳିଲା ! ସେ ଚିନ୍ତାରେ ଏପରି ମଗ୍ନ ହେଲା ଯେ ଜାହାଜ କେତେବେଳେ ଘାଟରେ ପହୁଂଚିଛି ତା’ର ହୋସ୍ ନାହିଁ ।

Image

 

ଦୁଇ

 

ପରଦିନ ସକାଳେ ବେନ୍‍ହୁର ଆସି ସାଇମାଣ୍ଡିସ୍ ଘରକୁ ଗଲା । ପ୍ରକାଣ୍ଡଘର । ଦ୍ଵାରରେ ଫଳକ ନାହିଁ । ଘରେ ଅନେକ ଲୋକ । ସମସ୍ତେ ବ୍ୟସ୍ତ ।

 

ଘର ଆଗରେ ନଦୀ । ନଦୀରେ ମାଲ ବୋଝାଇ ବହୁ ଜାହାଜ । କେତେକରୁ ମାଲ ଖଲାସ ହେଉଛି ତ କେଉଁଥିରେ ମାଲ ବୋଝେଇ ହେଉଛି । ଲୋକମାନଙ୍କର ଯେତିକି ଭିଡ଼ ସେତିକି ପାଟିତୁଣ୍ଡ ।

 

ଘରର ସଦରଟା ଖୋଲା । ପ୍ରହରୀ ନାହାନ୍ତି । ବେନ୍‍ହୁର ଘରେ ପଶିଲା । ଘରେ ବାରଣ୍ଡା । ବାରଣ୍ଡାରେ ଲୋକବାକ । ବାରଣ୍ଡାରେ ବଡ଼ଘର–ସେ ଘରେ ଲୋକ ଭିଡ଼ । ବେନ୍‍ହୁର ଘରେ ପଶିଲା ଅଥଚ କେହି ତାକୁ ଲକ୍ଷ୍ୟ କରୁନାହାନ୍ତି । ଚୁପ୍‍କରି ଠିଆହୋଇ କାହାକୁ ପଚାରିବ ବୋଲି ଭାବୁଛି ।

 

ଏଣେ ତେଣେ ଅନାଉଛି ହଠାତ୍ ଗୋଟାଏ ଲୋକ ଆସି ପଚାରିଲା–କଣ ଦରକାର ?

 

ବେନ୍‍ହୁର କହିଲା–ମୁଁ ସାଇମାଣ୍ଡିସ୍‍ଙ୍କ ସହିତ ଦେଖା କରିବି ।

 

–ଆସନ୍ତୁ କହି ଲୋକଟି ବେନ୍‍ହୁରକୁ ଗୋଟିଏ ଘରକୁ ନେଇ ଆସିଲା । ଘରେ ପର୍ଦ୍ଦା ଝୁଲୁଛି–ଲୋକଟି ଏହାକୁ ଠିଆ କରେଇ ଭିତରେ ପଶିଲା । ଟିକିଏ ପରେ ଆସି କହିଲା–ଭିତରକୁ ଯାନ୍ତୁ ।

 

ବେନ୍‍ହୁର ଘର ଭିତରକୁ ପଶିଲା । ବେଶ୍‍ ବଡ଼ଘର । ତଳେ ନରମ କାର୍ପେଟ ବିଛା ହୋଇଛି ।

 

ଘରେ ଦିଓଟି ମାତ୍ର ବ୍ୟକ୍ତି । ଜଣେ ବୃଦ୍ଧ ଓ ଜଣେ କିଶୋରୀ । ବୃଦ୍ଧଙ୍କ ପଛରେ କିଶୋରୀଟି ଠିଆ ହୋଇଛି । ସେମାନଙ୍କୁ ଦେଖି ବେନ୍‍ହୁର ମଥା ତଳକୁ କରି ଅଭିବାଦନ ଜଣାଇଲା ଏବଂ ନମ୍ର ମୃଦୁକଣ୍ଠରେ କହିଲା–ସାଇମଣ୍ଡିସ୍‍ଙ୍କ ପାଖକୁ ଆସିଛି ।
 

ବୃଦ୍ଧ କହିଲେ–ମୁଁ ସାଇମାଣ୍ଡିସ୍, ଆପଣ କିଏ ? ବେନ୍‍ହୁର କହିଲା–ମୋର ନାମ ଜୁଡ଼ା-। ଜେରୁଜେଲମର ପ୍ରିନ୍‍ସ ଇଥାମାରଙ୍କର ପୁଅ ।

 

ପରିଚୟରେ ବୃଦ୍ଧଙ୍କର ନୟନ ଯୁଗଳ ବିସ୍ଫାରିତ ହେଲା । କହିଲେ–ଏଠାରେ ପ୍ରିନ୍‍ସ ହୁର୍‍ଙ୍କ ଗୋଷ୍ଠୀର ସମସ୍ତଙ୍କପାଇଁ ଦ୍ୱାର ଅବାରିତ ଖୋଲା । ଏ କଥା କହି କିଶୋରୀ ଆଡ଼କୁ ଅନାଇ କହିଲେ–ୟାଙ୍କପାଇଁ ଆସନ ଆଗେ ଆସ୍ଥାର ।

 

ଗୋଟିଏ କାଉଚ ଆଣି କିଶୋରୀ କହିଲା–ବସନ୍ତୁ । କାଉଚରେ ବସି ବେନ୍‍ହୁର କହିଲା–ମୋର ଆସିବାରେ ଆପଣ ବିରକ୍ତ ନୁହନ୍ତି ତ ? କାଲି ଆପଣଙ୍କ କଥା ଜାହାଜରେ ଶୁଣିଲି-

 

ଶୁଣିଲି ଯେ ବାପାଙ୍କ ସହିତ ଆପଣଙ୍କର ଭଲ ପରିଚୟ ଅଛି । ତେଣୁ ଦେଖା କରିବାକୁ ଆସିଲି ।

 

ବୃଦ୍ଧ କହିଲେ–ତମର ବାପାଙ୍କୁ ମୁଁ ଖୁବ୍ ଭଲ ଭାବରେ ଜାଣେ । ଦି’ଜଣ ଏକା ସାଙ୍ଗରେ କାର୍ଯ୍ୟ କରୁଥିଲୁ ।

 

ତା’ପରେ ସେ କିଶୋରୀଙ୍କୁ କହିଲେ–ଏହାଙ୍କପାଇଁ ସରବତ୍ ନେଇ ଆସ ଏସ୍‍ଥାର ।

 

ଏସ୍‍ଥାର ସରବତ ନେଇ ଆସିଲା । ବେନ୍‍ହୁର କହିଲା–ଆପଣଙ୍କ ବାପାଙ୍କୁ ମଧ୍ୟ ସରବତ୍ ଦିଅନ୍ତୁ । ଆପଣଙ୍କ ବାପାଙ୍କ ସହିତ ମୋର କଥାବାର୍ତ୍ତା ଅଛି । ଜାଣେନା ସେ ରାଗ କରିବେକି ନା ?ତଥାପି ସେ କଥା ତାଙ୍କୁ କହିବି ।

 

ଏସ୍‍ଥାର ବାପାଙ୍କ ହାତରେ ସରବତ ଦେଲା । ବୃଦ୍ଧ ପାତ୍ର ନେଲେ କିନ୍ତୁ ଖାଇଲେ ନାହିଁ-। ବୃଦ୍ଧ ବେନ୍‍ହୁର ଆଡ଼କୁ ପଲକ ହିନ ଦୃଷ୍ଟିରେ ଅନାଇ ରହିଲେ ।

 

ବେନ୍‍ହୁର କହିଲା–ମୋ ବାପା ମଲାପରେ ତାଙ୍କର ଜଣେ ବିଶ୍ୱାସୀ କର୍ମଚାରୀ ଥିଲେ । ତାଙ୍କ ନାମ ମଧ୍ୟ ଥିଲା ସାଇମଣ୍ଡିସ୍‍ । କ’ଣ ସତକଥା ?

 

ସାଇମଣ୍ଡିସ୍‍ ଚମକି ଉଠିଲେ । ଭୃକୁଞ୍ଚିତ ହେଲା ଏବଂ ଦୁଇହାତ ମୁଷ୍ଟିବଦ୍ଧ ହେଲା । ଶାନ୍ତ କଣ୍ଠରେ କହିଲେ–ପ୍ରିନ୍‍ସ ସହିତ ମୋର ସମ୍ପର୍କ କ’ଣ ବୁଝିବା ଆଗରୁ ତମେ କିଏ ତାହାର ପ୍ରମାଣ ଦରକାର । କ’ଣ ଲିଖିତ୍ ପ୍ରମାଣ ଅଛି ? ନା ଖାଲି ଲୋକଙ୍କ କଥା ଶୁଣି କହୁଚ ?

 

ବେନ୍‍ହୁର ଏଥିରେ କ’ଣ ଜବାବଦେବ ? ପ୍ରମାଣ–ପ୍ରମାଣ କ’ଣ । ତିନିବର୍ଷ ଧରି କ୍ରୀତଦାସ ହୋଇ ଆହୁଲାମାରିଛି । ମା ଭଉଣୀ କେହି ବଞ୍ଚିଛନ୍ତି କି ନାହିଁ ଜାଣିନାହିଁ । ଏତେବଡ଼ ଦୁନିଆରେ ସେ କେବଳ ଏକା । କିପରି ସେ ପ୍ରମାଣ ଦେବ । ସାଇମଣ୍ଡିସ୍‍ ଅପଲକ ଦୃଷ୍ଟିରେ ଅନାଇ ରହିଛନ୍ତି । ବେନ୍‍ହୁର କହିଲା–ମୋର ଜୀବନରେ ଯାହା ଯାହା ଘଟିଛି ତାହା କେବଳ କହିପାରେ । ଯଦି ଶୁଣିବେ କହିବି ।

 

–କୁହ ।

 

ବେନ୍‍ହୁର ସବୁକଥା କହିଲା ।

 

କହିସାରି ପଚାରିଲା–ଏସବୁ କଥା କ’ଣ ବିଶ୍ୱାସ କରୁଛନ୍ତି ?

 

ସାଇମଣ୍ଡିସ୍‍ ନିରୁତ୍ତର ସତେଯେପରି ପଥରମୂର୍ତ୍ତି ।

 

ବେନ୍‍ହୁର କହିଲା–ମୁଁ ଯେ ପ୍ରିନ୍‍ସଙ୍କ ପୁତ୍ର ଏ ସମ୍ପର୍କରେ କୌଣସି ଦଲିଲ ବା ଲିଖିତ ପ୍ରମାଣ ଦେବାକୁ ମୁଁ ଅକ୍ଷମ ତେଣୁ ମୁଁ ଯାହା କହିବାକୁ ଆସିଛି ତା’ର ମୂଲ୍ୟ କିଛିନୁହେଁ । ଅନର୍ଥକ ବିରକ୍ତ କଲି । ତଥାପି ମୁଁ ଜାଣେ ଯେ ଆପଣ ଦିନେ ଆମ ଘରେ ଥିଲେ କ୍ରୀତଦାସ ରୂପେ । ସେ ଦାସତ୍ଵରେ ବାନ୍ଧିବାକୁ ଆସିନି । ନିଜର ଉଦ୍ୟମରେ ଯେଉଁ ଐଶ୍ଵର୍ଯ୍ୟ କରିଛନ୍ତି ସେଥିରୁ କପର୍ଦ୍ଦକ ନେବାକୁ ଚାହେଁନା । କୁଇଣ୍ଟାସ୍‍ଙ୍କ ଦୟାରୁ ଯେଉଁ ଐଶ୍ୱର୍ଯ୍ୟ ମୁଁ ପାଇଛି ତାହା ସୀମାତୀତ୍ । ମୁଁ ମୋର ମା ଓ ଭଉଣୀର ଖବର ଜାଣିବାପାଇଁ ଆସିଥିଲି । ଟିରା ମୋର ଭଉଣୀ ଏହି କିଶୋରୀ ପରି ସୁନ୍ଦର । ସେମାନଙ୍କ କଥା ଯଦି ଆପଣ ଜାଣନ୍ତି କୁହନ୍ତୁ ? ସେମାନେ କ’ଣ ବଞ୍ଚିରହିଛନ୍ତି ? ତେବେ କେଉଁଠି ?

 

ସାଇମାଣ୍ଡିସ୍ ଅଟଳ କିନ୍ତୁ କିଶୋରୀ ଏସ୍‍ଥାର ଆଖିରେ ଲୋତକ ।

 

ଦୀର୍ଘନିଃଶ୍ଵାସ ପକାଇ ସାଇମାଣ୍ଡିସ୍ କହିଲେ–ଯେଉଁମାନେ ତମ ଉପରେ ଅତ୍ୟାଚାର କରିଛନ୍ତି ମୋତେ ମଧ୍ୟ ଛାଡ଼ିନାହାନ୍ତି । ତମ ତିନିଜଣଙ୍କର ଅନେକ ସଂଧାନ ନେଇଛି କିନ୍ତୁ ପାଇନି । ତମର ମା ଓ ଭଉଣୀ ହୁଏତ ଜୀବିତ ନାହାନ୍ତି ।

 

ବେନ୍‍ହୁର ଟିକିଏ ରହି ଦୀର୍ଘ ନିଃଶ୍ଵାସ ପକାଇ କହିଲା–ତେବେ ମୋର ଆସିବା ବୃଥା । ଯା’ହେଉ ଆପଣଙ୍କୁ ଯେ ବିରକ୍ତ କଲି ଏଥିପାଇଁ କ୍ଷମା କରିବେ । ମୋର ଗୋଟିଏ ମାତ୍ର କାମ ଆଗରେ–ଏ ଅତ୍ୟାଚାରର ପ୍ରତିଶୋଧ ନିଶ୍ଚୟ ନେବି । ଆଚ୍ଛା ଯାଉଛି ।

 

ଏସ୍‍ଥାର ଓ ସାଇମାଣ୍ଡିସ୍ ନୀରବ । ବେନ୍‍ହୁର ତତ୍‍କ୍ଷଣାତ୍ ଘରୁ ବାହାରି ଚାଲିଗଲା ।

Image

 

ତିନି

 

ବେନ୍‍ହୁର ଯିବାପରେ ସାଇମଣ୍ଡିସ୍‍ର ଚେତନା ଫେରିଲା । ଝିଅକୁ କହିଲେ–ଶୀଘ୍ର ଘଣ୍ଟି ବଜାଅ ଏସ୍‍ଥାର ।

 

ଟେବୁଲ ପାଖକୁ ଯାଇ ଏସ୍‍ଥାର ଘଣ୍ଟା ବଜାଇଲା । ଜଣେ ଦାସ ଆସି ପହଞ୍ଚିଲା । ସାଇମାଣ୍ଡିସ୍ ତାକୁ କହିଲା–ଦୌଡ଼ିଯାଅ । ଯେଉଁ ଅମୀର ସାହେବ ବର୍ତ୍ତମାନ ଚାଲିଗଲେ–ଇହୁଦୀ ପୋଷାକ ପିନ୍ଧିଛନ୍ତି, ତାଙ୍କ ପଛରେ ଯାଅ ଯେମିତି ସେ ଜାଣିପାରିବେ ନାହିଁ । ଦେଖି ଆସି କୁହଯେ ସେ କୁଆଡ଼କୁ ଯାଉଛନ୍ତି । କାହା ସାଙ୍ଗରେ କଥାବାର୍ତ୍ତା ହେଲେ ସାବଧାନରେ ଶୁଣ । ଯାଅ ଶୀଘ୍ର ।

 

ଦାସ ମୁଲୁଶ ବାହାରିଗଲା ।

 

ସାଇମାଣ୍ଡିସ୍ ଝିଅକୁ କହିଲେ–ପିଲାଟିକୁ ତୋତେ ଭଲ ଲାଗିଛି ନା ?

 

ଏସ୍‍ଥାର କହିଲେ–ତାଙ୍କ କଥା ମୁଁ ବିଶ୍ୱାସ କରୁଛି ।

 

–ତା ଅର୍ଥ ତୁ କହୁଛୁ ଯେ ସେ ପ୍ରିନ୍‍ସ ହୁର୍‍ର ପୁଅ ।

 

–ମୋର ସେଇଆ ବିଶ୍ୱାସ । ତମ ପାଖକୁ ତ ଅନେକ ଲୋକ ଆସନ୍ତି ସେମାନେ ମିଛ କି ସତ କହନ୍ତି ମୁଁ ବୁଝିପାରେ । ସେ ଯଦି ମିଛ କଥା କହିଥାନ୍ତି ତେବେ ମୁଁ କହିବି ଯେ ସେ ଖୁବ୍ ଭଲ ଅଭିନୟ କରି ପାରନ୍ତି ।

 

–ଏସ୍‍ଥାର କ’ଣ କହୁଛ ? ତା’ହେଲେ ତୁ ବିଶ୍ୱାସ କରୁଯେ ତୋର ବାପା ତାଙ୍କ ବାପାଙ୍କର କ୍ରୀତଦାସ ଥିଲା ।

 

ନମ କଣ୍ଠରେ ଏସ୍‍ଥାର କହିଲା–ସେ ଯାହା ଶୁଣିଛନ୍ତି ସେଇଆ କେବଳ କହୁଛନ୍ତି ।

 

ଉଦାସ କଣ୍ଠରେ ସାଇମାଣ୍ଡିସ୍ କ’ଣ ଭାବିଲା, ତା’ପରେ କହିଲା–ତୋର ବାପାଙ୍କ ସମ୍ବନ୍ଧରେ କେତଟି କଥା ତୁ ଜାଣୁ । ତୁ ଜାଣୁ ଯେ ବାପ ତୋର ବ୍ୟବସାୟୀ ଏବଂ ସେଇଥିରେ ଅର୍ଥ ପ୍ରଚୁର ଅର୍ଜନ କରିଛି ! ଏବେ ତୋତେ ସବୁକଥା କହିବି ।

 

ସାଇମାଣ୍ଡିସ୍ କହିଲେ–ମୋର ବାପା ମା ଜାତିରେ ହିନ୍ଦୁ । ସେମାନେ କ୍ରୀତଦାସ ଥିଲେ-। ମିଲେନାମ ରାଜାଙ୍କ ବଗିଚାରେ ସେ ମାଳି କାମ କରୁଥିଲେ । ସେଇଠି ମୁଁ ଜନ୍ମ ହୁଏଁ । ବଡ଼ ହେଲାପରେ ମୋତେ ପ୍ରିନ୍‍ସ ହୁର୍‍ଙ୍କୁ ବିକି ଦିଆଯାଏ । ଜୁଡ଼ିଆ ସେତେବେଳେ କରଦରାଜା । ପ୍ରିନ୍‍ସ ହୁର୍ ଥିଲେ କ୍ରୋଡ଼ପତି । ମୁଁ ବଡ଼ ହେବାରୁ ପ୍ରିନ୍‍ସ ଆଲେକ୍‍ଜାଣ୍ଡ୍ରିଆର ଗୋଦାମରେ କାମ କରିବାକୁ ପଠାନ୍ତି । ଦୁଇବର୍ଷ କାର୍ଯ୍ୟକଲାପରେ ମୋର ଦାସତ୍ୱ ବନ୍ଧନ କଟିଲା ।

 

ଏସ୍‍ଥାର ଛଳ ଛଳ ଆଖିରେ କହିଲା–ଦାସତ୍ୱର ବନ୍ଧନ ତୁମର କଟିଛି ।

 

ସାଇମଣ୍ଡିସ୍‍ କହିଲା–ମା ମୋ କଥା ଶୁଣ । ଓକିଲମାନେ କହିଲେ ମୁଁ କୁଆଡ଼େ ସ୍ଵାଧୀନ ନୁହେଁ । ଦାସତ୍ୱରୁ ମୁଁ ଖଲାସ ହୋଇ ପାରେନା, କାରଣ ମୁଁ ଯେତେବେଳେ ଜନ୍ମ ହୁଏ ବାପା ଓ ମା ଥିଲେ କ୍ରୀତଦାସ । କିନ୍ତୁ ପ୍ରିନ୍‍ସ ହୁର୍‍ ଜଣେ ମହତ୍ ଲୋକଥିଲେ । ତାଙ୍କୁ ଭଲଭାବେ ଆଇନ ଜଣା-। ସେ ଦଲିଲ ଦେଖି ମୁକ୍ତି ଦେଲେ ।

 

ଏସ୍‍ଥାର କହିଲେ–ତେବେ ମୋ ମା କାହିଁ ?–ସବୁକଥା କହୁଛି । ଅଧୀର ହୁଅନା । ଖଲାସ ହୋଇ ଜେରୁଜେଲମକୁ ଆସିଲି । ପ୍ରିନ୍‍ସ ହୁର୍ ମୋତେ ପୁଅ ପରି ସ୍ନେହ କରୁଥିଲେ ଏବଂ ମୁଁ ତାଙ୍କୁ ବାପଠାରୁ ଅଧିକ ଭକ୍ତି କରୁଥିଲି । ମୁଁ ଯିବାକୁ ଇଚ୍ଛା କଲିନି । ସେ ଦରମା ବ୍ୟବସ୍ଥା କରିଦେଲେ । ମୁଁ ତାଙ୍କ ବ୍ୟବସାୟ ଚାରିଆଡ଼େ ବୁଲି ଦେଖିଲି । ତମର ମା ମଧ୍ୟ ଜେରୁଜେଲମର ମୁନିବ ଘରେ ଥିଲେ ଜଣେ କ୍ରୀତଦାସୀ । ସେହିଠାରେ ପରିଚୟ ହୋଇଥିଲା । ମୁନିବଙ୍କୁ ବିବାହ କରିବି ବୋଲି କହିଲି । ମାଲିକ ଶୁଣି କହିଲେ–ତା ଯଦିହୁଏ ତାକୁ ବିବାହ ପୂର୍ବରୁ ମୁକ୍ତି ଦେବି । ଦଲିଲ ଲେଖି ସେ ଦାସୀକୁ ଖଲାସ କଲେ । କିଏ କେତେ ବୁଝାଇଲେ କିନ୍ତୁ ସେ ମୁକ୍ତି ଚାହେଁନା ।

 

ଏସ୍‍ଥାର ପୁଣି କହିଲା–ମୋ ମା–

 

–ଆମର ବିବାହପରେ ମୁନିବଙ୍କ ଘରେ ରହିଲୁ । ସେଇଠି କାମ କରିବାକୁ ଲାଗିଲୁ । ତା’ପରେ ତୁ ଜନ୍ମ ହେଲୁ ।

 

ତମେ ଜନ୍ମ ହେବାପରେ ମାଲିକ ମରିଗଲେ । ମାଲିକଙ୍କ ସ୍ତ୍ରୀ ମୋତେ ଖୁବ୍ ଭଲପାଉଥିଲେ, ତେଣୁ ବିଦେଶରେ କାରବାର କରିବାକୁ ପଠାନ୍ତି । ତୋର ମା କୁ ଜୋରକରି ମୋ ସାଙ୍ଗରେ ପଠାନ୍ତି । ତୋର ମା ମୋ ସାଙ୍ଗରେ ବିଦେଶରେ ଥାଏ । ତା’ପରେ ଦିନେ–

 

ଗ୍ରେଟାସ ମୋତେ ମଧ୍ୟ ବନ୍ଦୀ କରି ନେଇଗଲା । କହିଲା କେଉଁଠି କ’ଣ ଅଛି ଦେଇଦେ-। ସବୁ କଷ୍ଟ ସହ୍ୟ କଲି । ମୁକ୍ତି ପାଇ ନିଜ ନାମରେ ବ୍ୟବସାୟ ଖୋଲିଲି । ତା’ପରେ ଘରକୁ ଆସି ଦେଖେଯେ ତମର ମା ମରିଯାଇଛି । ତୋପାଇଁ ପୁଣି ବଞ୍ଚି ରହିବାକୁ ହେବତ । ତା’ପରେ ମୁଁ ସମ୍ରାଟଙ୍କ ପାଖକୁ ଗଲି । ତାଙ୍କର ଅନୁମତି ନେଇ ବ୍ୟବସାୟ କଲି । ଆଗରୁ ଟଙ୍କା ପଇସା ଥିଲା ।

 

ଏସ୍‍ଥାର କହିଲା–ଏହାଙ୍କର ମା–ଭଉଣୀ–

 

ଅନେକ ସନ୍ଧାନ କଲି । ସନ୍ଧାନ ପାଇନି । ଭାବିଥିଲି ପୁଅ ବି ନାହିଁ । ଆଜି ପିଲାଟିକୁ ଦେଖି କି ଆନନ୍ଦ ମୋର । ଆଜି ଯେତେବେଳେ ପ୍ରିନ୍‍ସର ପୁଅକୁ ପାଇଛି ତା’ରି ହାତରେ ସବୁ ସମର୍ପଣ କରିଦେବି । ଭାବୁଛି ତୋର କ’ଣ ହେବ ?

 

–ତାଙ୍କଘରେ ଦାସୀ ହୋଇ ରହିବି ।

 

ସାଇମଣ୍ଡିସ୍‍ କହିଲେ–ଶୁଣମା । ଦେଖି ମନେହେଲା ସତେ ଯେପରି ସେଇ ମାଲିକ ପୁଣି ଯୁବା ବୟସ ଧରି ମୋ ଆଗରେ ଠିଆ ହୋଇଛନ୍ତି । ପରିଚୟ ପରେ କହିବାକୁ ଇଚ୍ଛା ହେଉଥିଲା ତାକୁ କହନ୍ତି । ମୁଁ ସେଇ ସାଇମଣ୍ଡିସ୍‍ ତମର ଦାସାନୁଦାସ । ସେ କଥା ତିନୋଟି କାରଣପାଇଁ କହିବି । ପ୍ରଥମଟି ହେଲା ପ୍ରକୃତରେ ଏ ପ୍ରିନ୍‍ସର ପୁଅ କି ନା ? ଦ୍ଵିତୀୟ କାରଣଟି ହେଲା–ମାଲିକର ପୁଅ ଯଦି ସ୍ଵଭାବଟି କିପରି ? ତୃତୀୟଟି ହେଲା–ତୋର ଦଶା କ’ଣ ହେବ ?

 

–କିନ୍ତୁ ବାପା

 

–ମୁଁ ଠିକ୍ କରିଛି ଜାଣୁମା । ତାକୁ କହିବି ଏସବୁ ତୁମର ତମେ ନିଅ । କିନ୍ତୁ ସେ ଚାଲିଗଲା । ସେ ଯୁଆଡ଼େ ଯାଉ ତାକୁ ନିଶ୍ଚୟ ପାଇବି । ଏସ୍‍ଥାର ସେ ଅଭିମାନ କରି ଚାଲିଗଲା-। ଏହି ଅଭିମାନହିଁ ପ୍ରମାଣ କରିଛି ଯେ ସେ ପ୍ରିନ୍‍ସ ହୁର୍‍ର ପୁଅ–ତାର ସାକ୍ଷୀ ଏସ୍‍ଥାର ଦୂରରେ ନୁହେଁ ।

 

–କିଏ ସାକ୍ଷୀ ବାପା–ତାର ମା ?

 

–ନା । ସେ ସାକ୍ଷୀ ତା’ ଆଗରେ ମୁଁ ହାଜିର କରି ଦେବି । ନା ଏବେ ଥାଉ । ମୁଁ ବଡ଼ କ୍ଳାନ୍ତ । ଅବିଣ ଲେଖକୁ ଡାକ ଏସ୍‍ଥାର ଡାକିବାକୁ ଗଲା ।

Image

 

ଚାରି

 

ବେନ୍‍ହୁର ମନେକଲା, ଯେପରି ଏ ପୃଥିବୀରେ ସେ ଏକା । ମନରେ ଟିକିଏ ଆନନ୍ଦ ବା ଆଶା ଭରସା ନାହିଁ । ଲକ୍ଷ୍ୟହୀନ ଭାବରେ ଚାଲିଛି । କୁଆଡ଼େ ଯାଉଛି ସେ ଜାଣେନା ।

 

ସେ ଚାଲିଛି ନଦୀତଟରେ । ଛୋଟ ଛୋଟ ଢେଉ ଆସି ଯେପରି ବେନ୍‍ହୁରକୁ ସ୍ୱାଗତ କରି ଲୋଟିପଡ଼ୁଛି ଥରକୁ ଥର । ଏ ଦିଗରେ ଗୋଟିଏ ଡାଫନି ଫୁଲର କୁଞ୍ଜ ଅଛି । ଗୋଟିଏ ଝିଅକୁ ପଚାରିଲା ଡାଫନିକୁଞ୍ଜଟା କେଉଁଠି । ଝିଅଟି ଆଶ୍ଚର୍ଯ୍ୟ ହୋଇ ତା’ ଆଡ଼କୁ ଅନାଇ କହିଲା–ସହରକୁ କ’ଣ ନୂଆ ଆସିଛ ? ହେରଦ ରାଜାଙ୍କ ଡାଫନିକୁଞ୍ଜ କେଉଁଠି ଜାଣନା ? ରୋମାନ୍‍ମାନେ କ’ଣ ସେ କୁଞ୍ଜକୁ ଆଉ ରଖିଛନ୍ତି !

 

ବେନ୍‍ହୁରର ଏତେକଥା ଜାଣିବାର ବା କ’ଣ ଦରକାର ।

 

ଅନେକ ରାସ୍ତା ଆସିବାପରେ ହଠାତ୍ ଏକ ତରୁଣୀର କଣ୍ଠ ଶୁଣିଲେ । ତରୁଣୀଟି କହିଲା–ଏଥର କୁଆଡ଼କୁ ?

 

ତରୁଣ ତରୁଣୀକୁ କହିଲା–ଡାଫନିକୁଞ୍ଜକୁ ।

 

–ହଁ ହଁ ।

 

ପାଖକୁ ପାଖ ଲଗାଲଗି ହୋଇ–ପଛରେ ଚାଲିଛି ବେନ୍‍ହୁର । ସେମାନେ ହସି ହସି କଥା କହି ଚାଲିଛନ୍ତି । ବେନ୍‍ହୁର ଭାବିଲା ସତରେ କ’ଣ ଦୁନିଆରେ ଏବେ ବି ହସ କାନ୍ଦ ଅଛି !

 

ରାସ୍ତାଧାରରେ ଉଚ୍ଚ ସ୍ଥାନରେ ଗୋଟାଏ ଚମତ୍କାର ଘର । ଘରଟି ଛୋଟ ହେଲେ ବି ଲତାପତ୍ର ଫୁଲରେ ସୁନ୍ଦର ହୋଇଛି ।

 

ତରୁଣୀ କହିଲା–ଏଇ ସୁନ୍ଦର ଘରଟି କାହାର ?

 

–ତମେ ଜାଣିନା–

 

କଥା ଶେଷ ନ ହେଉଣୁ ସେ ଘରୁ କେଇଜଣ କିଶୋରୀ ବାହାରି ଆସିଲେ, ସତରେ ଯେପରି ହରିଣଶାବକ । ପାଦରେ ଚଟି ।

 

ତରୁଣୀ କହିଲା–ସେମାନେ ମନ୍ଦିରର ଦେବଦାସୀ । ଏହି ଘରେ ଥାନ୍ତି । ପୂଜା ସମୟରେ ଏମାନେ ନୃତ୍ୟ ସଙ୍ଗୀତ କରନ୍ତି । ଦେବତାମାନଙ୍କ ସହିତ ତାଙ୍କର କେବଳ ସମ୍ପର୍କ । ବୁଲିବାକୁ ବାହାରିଛନ୍ତି ।

 

ବେନ୍‍ହୁରକୁ ଏସବୁ କଥା ଭଲଲାଗିଲା ନାହିଁ । ସେମାନଙ୍କୁ ଅତିକ୍ରମ କରି ବେନ୍‍ହୁର ଆଗେଇ ଚାଲିଲା । ଦଶଟା ପ୍ରାୟହେଲାଣି । ଟିକିଏ ବାଟ ବୁଲିଯାଇ ଦେଖେ ଯେ, ଲୋକଙ୍କର ଭିଡ଼ ଜମିଛି । ସ୍ତ୍ରୀ ପୁରୁଷ, ପିଲା ବୁଢ଼ା । ପଥଧାରରେ ପଥର ସ୍ତମ୍ଭ ଏବଂ ସ୍ତମ୍ଭ ଉପରେ ମର୍ମର ମୂର୍ତ୍ତି-। ମଝିରେ ମଝିରେ ବଡ଼ ବଡ଼ ଓକ୍ ଓ ଫିଗ୍ ଗଛ । ଗଛର ଛାଇରେ ଶ୍ରାନ୍ତ ପଥିକ କ୍ଳାନ୍ତି ଉପଭୋଗ କରେ । ଅଙ୍ଗୁର ଲତାରେ ଅଙ୍ଗୁର ଫଳିଛି ପ୍ରଚୁର । ଟିକିଏ ଆଗକୁ ବଗିଚାର ଫାଟକ । ବଗିଚା ଭିତରେ ଗାଡ଼ି ଘୋଡ଼ା, ମଣିଷ ଯିବାପାଇଁ ଅଲଗା ରାସ୍ତା । ଗାଡ଼ିପାଇଁ ଜମାଟ ବାଲି ଏବଂ ମଣିଷ ଚଲା ରାସ୍ତା ପଥରରେ ବନ୍ଧା । ରାସ୍ତା ମଝିରେ ମଝିରେ ଅସଂଖ୍ୟ ଝରଣାରୁ ପାଣି ଝରୁଛି ।

 

ବେନ୍‍ହୁର ଉଦାସ ଭାବରେ ଚାଲିଛି ଅତିକ୍ରମ କରି । ହଠାତ୍ ତା’ କାନରେ ସ୍ତୋତ୍ର ପାଠର ଶବ୍ଦ ଆସିଲା । ମନ୍ଦିର ଭିତରେ ବହୁଲୋକ କଣ୍ଠମିଳାଇ ସ୍ତୋତ୍ର ପାଠ କରୁଛନ୍ତି । ବେନ୍‍ହୁର ମଧ୍ୟ ମନେ ମନେ ପାଠ କରିବାକୁ ଲାଗିଲା ।

 

ତା’ପରେ ଫାଟକ ଆଡ଼କୁ ଆସିଲା । ସେ ପଶିଗଲା, ସମସ୍ତେ ଯାଉଛନ୍ତି–ଏହିଟି ଡାଫନିକୁଞ୍ଜ ! ବଗିଚା ଆଗରେ ମନ୍ଦିରରେ ଭିଡ଼ ହୋଇଛି । ବେନ୍‍ହୁର ବଗିଚାକୁ ପଶିଲା ମନ୍ଦିରକୁ ଗଲାନାହିଁ । ଭିଡ଼ ଭିତରକୁ ନ ଯାଇ ଘଞ୍ଚ ଗଛପତ୍ର ଗହଳ ଭିତରକୁ ଗଲା ।

 

ଏ ରାସ୍ତାରେ ଲୋକବାକ ନାହିଁ । ଏକା ଚାଲିଛି ବେନ୍‍ହୁର । ହଠାତ୍ ଗୋଟିଏ ମୂର୍ତ୍ତିର ଆବିର୍ଭାବ ହେଲା । ଗୋଟାଏ ଶାଣଦିଆ ଚକ୍ ଚକ୍ ଛୁରୀ ନେଇ ଗୋଟାଏ ଲୋକ ଆଗରେ । ବେନ୍‍ହୁର ଚମକି ପଡ଼ିଲା । ପରେ ବୁଝିଲା ଏ ତ ବଗିଚାର ମାଳୀ !!

 

ବେନ୍‍ହୁର ଗୋଟିଏ ଗଛତଳରେ ବସିପଡ଼ିଲା । ମନେ ହେଲା ମାର କଥା, ଭଉଣୀର କଥା !

 

ବେନ୍‍ହୁର ଉଠି ପୁଣି ସାଇପ୍ରାସ୍‍ର ଘନ ଜଙ୍ଗଲ ଭିତର ଦେଇ ଚାଲିଲା । ହଠାତ୍ ବିଗୁଲ ଶବ୍ଦରେ ସେ ଚମକିପଡ଼ିଲା । ଆଗରେ ଜଣେ ଇହୁଦୀକୁ ଦେଖିଲା ।

 

ପଚାରିଲା–କ’ଣ ଖେଳ ଦେଖିବାକୁ ଯାଉଛନ୍ତି ?

 

–ଖେଳ ?

 

–ହଁ ଖେଳ, ବିଗୁଲ ଶୁଣିଲେ ନାହିଁ, ସେଠାରେ ଖୁବ୍ ଖେଳ ଜମକିଛି । ଗାଡ଼ିର ଦୌଡ଼ ଚାଲିଛି । ଦୌଡ଼ାରେ ଖୁବ୍ ପ୍ରତିଯୋଗିତା ହୁଏ । ଶୁଣୁନାହାନ୍ତି ଗାଡ଼ି ଚକର ଶବ୍ଦ ?

 

ବେନ୍‍ହୁର ପଚାରିଲା–ଆପଣ କ’ଣ ସେଠାକୁ ଚାଲିଛନ୍ତି ?

 

–ହଁ ।

 

–ମୁଁ ଆପଣଙ୍କ ସାଙ୍ଗରେ ଯାଇପାରେ ?

 

–କାହିଁକି ନୁହେଁ । ଗଲେ ମୁଁ ଜଣେ ସଙ୍ଗୀ ପାଇବି । ଆପଣ ଏଠାକୁ ନୂଆ ଆସିଛନ୍ତି କି-? –ହଁ ।

 

–ଆପଣଙ୍କର ନାମ ? ଘର ?

 

ବେନ୍‍ହୁର କହିଲା–ସେନାପତି କୁଇଣ୍ଟାସ୍ ମୋର ବାପା । ଇହୁଦୀ କହିଲା–ତେବେ ଜାତିରେ ରୋମାନ୍‍ ?

 

କିନ୍ତୁ ଇହୁଦୀ ପୋଷାକୀ ବେନ୍‍ହୁର କହିଲା–ପ୍ରକୃତରେ ସେ ମୋର ବାପା ନୁହନ୍ତି । ମୋତେ ସେ ପୋଷ୍ୟପୁତ୍ର କରି ନେଇଛନ୍ତି । ଆପଣଙ୍କର ନାମ ?

 

–ମୁଲୁସ୍, ଇହୁଦୀ ।

 

ଦି’ଜଣ ଖେଳପଡ଼ିଆକୁ ଆସିଲେ । ରାସ୍ତାରେ ନରମ ମାଟି ପଡ଼ିଛି । ରାସ୍ତାର ଦିଧାରରେ ଧାଡ଼ି ଧାଡ଼ି ଖୁଣ୍ଟ ପୋତା ହୋଇଛି । ଖୁଣ୍ଟରେ ବନ୍ଧା ହୋଇଛି ଲମ୍ବା ଦଉଡ଼ି । ଦର୍ଶକମାନଙ୍କ ପାଇଁ ପଥର ଗେଲେରି ସଜାହୋଇଛି । ଇହୁଦୀ ଓ ବେନ୍‍ହୁର ବସିଲେ ଲଗାଲଗି ହୋଇ । ନଅଟି ଗାଡ଼ି ରୁଣ୍ଡ ହେଲେ ।

 

ବେନ୍‍ହୁର କହିଲା–ରୋମ୍‍ର ଗାଡ଼ି ଦୌଡ଼ପରି ଏଠାରେ ଦୌଡ଼ ହେଉଛି ।

 

ସାମ୍ନାରେ ଆଠୋଟି ଗାଡ଼ି ଗଲା । କେଉଁ ଗାଡ଼ି ଜୋରରେ ଯାଉଛି ତ କେଉଁଟା ଧୀରେ ଧୀରେ । ଘୋଡ଼ାଗୁଡ଼ିକ ବଡ଼ ତେଜି । ଦର୍ଶକମାନେ ଘନ ଘନ କରତାଳି ଦେଇ ଚିତ୍କାର କରୁଛନ୍ତି । ଜଣେ ବୃଦ୍ଧଲୋକ ଉଠି ଚିତ୍କାର କଲେ–ଜିତ୍‍ରହୋ । ବେନ୍‍ହୁର କହିଲେ–ଏ ଉତ୍ସାହୀଟି କିଏ ?

 

–ସେ ଜଣେ ବିରାଟ ବ୍ୟକ୍ତି । ଶେଷର ଦୌଡ଼ ଗାଡ଼ିଗୁଡ଼ିକ ତା’ର । ମରୁଭୂମିରେ ତାଙ୍କର ଯେପରି ଶକ୍ତି ସେହିପରି ପ୍ରତିପତ୍ତି । ସେ ମରୁଦେଶର ରାଜା । ହଜାରେ ଖଣ୍ଡେ ତାଙ୍କର ଓଟ ଘୋଡ଼ା ଅଛି । ଆଫ୍ରିକାର ପ୍ରଥମ ଫାରାଓ ବଂଶର ଘୋଡ଼ାମାନଙ୍କଠାରୁ ଏସବୁ ଘୋଡ଼ାର ଜନ୍ମ-। ଜାତିଆ ଘୋଡ଼ା ।

 

ଲାଇନରେ ଠିଆ ହୋଇଛନ୍ତି ଘୋଡ଼ାମାନେ । ବୃଦ୍ଧ ଏଲ ଦାହମ୍ ଚିତ୍କାର କରିଉଠିଲେ–ଆବାଦାନ୍ ଜଲଦି ଯାଇ ଘୋଡ଼ାଗୁଡ଼ିକୁ ଶାନ୍ତକର । ତାଙ୍କର ଜନ୍ମ ମରୁଭୂମିରେ–ଦୌଡ଼ିଯାଅ ।

 

ଏଲ ଦାହମ୍‍ଙ୍କ ପାଦ ଉଠାଉଛନ୍ତି–ତା’ପରେ ହଠାତ୍ ତୀର ବେଗରେ ଗାଡ଼ିନେଇ ଛୁଟିଲେ । କଚୁଆନ ଅଟକାଇ ପାରୁନି । ବୃଦ୍ଧ ଦାହମ୍‍ ଚିତ୍କାର କରୁଛନ୍ତି–ତାକୁ ଅଟକାଅ । ବୋକା ରୋମାନ୍ ମୋର ଘୋଡ଼ାକୁ କିପରି ଅଟକେଇବ ? ଖାଲି ବାକ୍ୟବୀର । ମୋ ଘୋଡ଼ା ଦେହରେ ଚାବୁକ ବସେ ନାହିଁ । ସେ ଲଗାମ ବୁଝି ଦୌଡ଼େ । ଏ ବୋକା ରୋମାନ୍‍ଟା ହାତରେ ଘୋଡ଼ା ଦେଇଛି ଯେ, କ’ଣ ବୁଝିବ ୟେ ।

 

ଏଲ ଦାହମ୍‍ କହି ଚାଲିଛନ୍ତି । ବେନ୍‍ହୁର ଭଦ୍ରଲୋକଙ୍କ ମନକଥା ବୁଝିଲା । ଘୋଡ଼ା ଛୁଟିଛି–ଏଲ ଦାହମ୍‍ର ପାଞ୍ଚ ଛଅଜଣ ଅଟକେଇବାକୁ ଯାଇଛନ୍ତି । ଖେଳରେ ଭୟଙ୍କର ଚଞ୍ଚଳତା, ଉତ୍ତେଜନା, ଆତଙ୍କ । ଘୋଡ଼ାଗୁଡ଼ିକ ଯଦି ଦର୍ଶକ ଆଡ଼କୁ ଆସନ୍ତି, ତେବେ ଆଉ ରକ୍ଷାନାହିଁ ।

 

ଏଲ ଦାହମ୍‍ର ଲୋକେ ଘୋଡ଼ାକୁ ଅଟକାଇ ଶାନ୍ତକଲେ । ତା’ପରେ ଗୋଟାଏ ଅଧାଭଙ୍ଗା ଗାଡ଼ି ନେଇଗଲେ ।

 

ଦର୍ଶକମାନଙ୍କ ଆଗରେ ଗାଡ଼ି ଗଲା । ଏପଟେ ଘୋଡ଼ାଯୋଚା କେଇଖଣ୍ତ ଗାଡ଼ି ଧାଡ଼ିରେ ଠିଆ ହୋଇଛନ୍ତି । ଗାଡ଼ିଗୁଡ଼ିକରେ ଅପୂର୍ବ ସାଜସଜ୍ଜା । ଯେଉଁମାନେ ଗାଡ଼ି ଚଳାଇବେ ଦର୍ଶକ ଆଗ ଦେଇ ଚାଲିଛନ୍ତି । ଦର୍ଶକମାନେ ନୀରବରେ ଦେଖୁଛନ୍ତି । କାହାକୁ ହାତତାଳି କି ସଂବର୍ଦ୍ଧନା ନାହିଁ ।

 

ପଛରେ ଜଣେ ଆସିଲେ । ଦର୍ଶକ ଦେଲେ ହାତତାଳି । ଦି’ଟା ଧଳା ଓ ଦି’ଟା କଳାଘୋଡ଼ା ଯୋଚା ଗାଡ଼ିରେ ସେ ଚାଲିଛି ।

 

ବେନ୍‍ହୁର ତାକୁ ଦେଖି ଚିହ୍ନିଲା–ଏତ ମେଖାଲା !!!

Image

 

ପାଞ୍ଚ

 

ବେନ୍‍ହୁର ତା’ର ଆସନରେ ବସି ଦେଖୁଛି ଯେ, ସେଖ୍ ଏଲ ଦାହମ୍‍ ଉଠି ଠିଆହେଲେ ଏବଂ ଚିତ୍କାର କରି ଉଦ୍ଦେଶ୍ୟରେ କହିଲେ–ଆଜିନୁହଁ, ବାଜି ଦିନ ମୋର ଭଲ ଚାରିଟି ଘୋଡ଼ାପାଇଁ ଏପରି ଏକ ଓସ୍ତାଦ୍ ସବାର ଦରକାର, ଯେ କି ମୋର ଏ ଚାରିଟି ଘୋଡ଼ାକୁ ଭଲ କରି ଚଳାଇବ । ଯେ ପାରିବ ତାକୁ ମୁଁ ପ୍ରଚୁର ଅର୍ଥ ଦେବି ।

 

ଏ କଥାରେ ବେନ୍‍ହୁର ଚାରିଆଡ଼କୁ ଅନାଇଲା । ଦର୍ଶକ ଓ ଘୋଡ଼ା ସବାରମାନଙ୍କ ଭିତରେ କଥାବାର୍ତ୍ତା ଚାଲିଛି । ସେଖ୍ ଆଡ଼କୁ ବେନ୍‍ହୁର ଅନାଇଲା ଏବଂ ମୁଲୁସ୍ ବେନ୍‍ହୁର ଆଡ଼କୁ ଅନାଇଲା, ମୁଲୁସ୍ ଭାବିଲା, କ’ଣ ବେନ୍‍ହୁର ଯିବ କି ? ବେନ୍‍ହୁର କହିଲା–ମୋତେ ଆଉ ଭଲ ଲାଗୁନାହିଁ । କୁଆଡ଼େ ଯିବା କହ ତ ମୁଲୁସ୍ ?

 

–କାନ୍ତାଲିୟା ?

 

–ବେଶ୍ ତ, ଚାଲ ।

 

ଗେଲେରିରୁ ଓହ୍ଲାଇ ଦୁହେଁ କାନ୍ତାଲିୟା ଆଡ଼କୁ ଚାଲିଲେ । ମେଖାଲାକୁ ଦେଖି ବେନ୍‍ହୁର ସେହି ଭୟଙ୍କର ଦିନ କଥା ମନେପଡ଼ିଲା । ସେଦିନ ରୋମାନ୍‍ ଫୌଜର ବର୍ବର ଅତ୍ୟାଚାର । ସେ କିପରି ବନ୍ଦୀ ହେଲା । ସେଦିନ ବେନ୍‍ହୁର ମେଖାଲାକୁ ମା ଭଉଣୀପାଇଁ କେତେ ମିନତି ଅନୁନୟ ବିନୟ କରିଥିଲା । ସେ ମିନତିକୁ ମେଖାଲା କର୍ଣ୍ଣପାତ କରିନାହିଁ । ସେ ପ୍ରାର୍ଥନା କରିବାକୁ ଲାଗିଲା–ଭଗବାନ, ଯେ ମୋର ମା ଭଉଣୀ ଉପରେ ଏପରି ନିର୍ଯ୍ୟାତନ କରିଛି, ତାକୁ ଯଦି ଉଚିତ ଶାସ୍ତି ନ ଦେଇପାରିବି ତେବେ ଏ ଜୀବନ ବୃଥା ।

 

ବହୁଦିନପରେ ସେଇ ମେଖାଲା ସାଙ୍ଗରେ ତା’ର ଦେଖାହୋଇଛି । ମେଖାଲା ଦୀନ ଦୁଃଖୀ, ଦରିଦ୍ର ହୋଇଥିଲେ ହୁଏତ ସେ କ୍ଷମା କରିଥାନ୍ତା; କିନ୍ତୁ ଏବେ ବି ମେଖାଲା ଦମ୍ଭରେ ମଥାତୋଳି ଚାଲିଛି, ଯେପରି ଏକଦମ ବେପରୁଆ ଭାବ ।

 

ମୁଲୁସ୍‍ ଓ ବେନ୍‍ହୁର ତଳକୁ ଗଡ଼ି ଚାଲିଲେ ଢାଲୁ ଜମିରେ । ଡାହାଣକୁ କଳାରଙ୍ଗର ପାହାଡ଼, ବାଁପଟେ ସବୁଜ ଘାସର ପ୍ରାନ୍ତର । ଦି’ଜଣ ଝରଣା ପାଖକୁ ଆସିଲେ । ଝରଣା ଝୁରୁଛି–ଥଣ୍ଡା ପବନ । ପାଖରେ ଗୋଟିଏ ଆସନରେ ବସିଛନ୍ତି ଜଣେ ବୃଦ୍ଧ ପୁରୋହିତ–ଦିହର ରଙ୍ଗ ଲାଲ, ମୁହଁରେ ଦାଢ଼ି, ମଥାରେ ଟୋପି । ଯିବା ଆସିବା କରୁଥିବା ପଥିକମାନେ କିଏ ପଇସା, ଫଳ ଦେଉଛି । ସେ ତାହାକୁ ନେଇ ହାତ ତୋଳି ଆଶୀର୍ବାଦ କରି ଗୋଟିଏ ପପିରାସ ଗଛର ପତ୍ର ଦେଉଛନ୍ତି ଏବଂ ପତ୍ରରେ ଗୋଟିଏ ବାଣୀ ଲେଖା ହୋଇଛି ।

 

ପଇସା ଦେଇ ବେନ୍‍ହୁର ଗୋଟିଏ ପତ୍ର ନେଇ ଯିବାକୁ ବସିଛି, ଦେଖିଲା ଯେ, ଗୋଟିଏ ବଡ଼ ଓଟ ଆସୁଛି ଏବଂ ଓଟ ପିଠିରେ ସୁନେଲି ରଙ୍ଗର ହାଉଦା ପଡ଼ିଛି । ଓଟ ଆଗରେ ଆସୁଛନ୍ତି ଦୁଇଜଣ ପ୍ରହରୀ ଏବଂ ଓଟ ପିଠିରେ ବସିଛନ୍ତି ଜଣେ ପୁରୁଷ ଓ ଜଣେ ଝିଅ । ପୁରୁଷଟିର ଅନେକ ବୟସ ହୋଇଛି । ବଡ଼ ଶୁଖିଲା, କିନ୍ତୁ ଦେହରେ ଦାମିକା ପୋଷାକ । ଝିଅଟି ବସିଛି ଖୁବ୍ ସରୁ ଲେଶ୍‍ର ପର୍ଦ୍ଦାଭିତରେ । ଦେହରେ ଭରିଛି ସୁନାର ଗହଣା । ପଥିକମାନେ ଦେଖୁଛନ୍ତି । ସୁନ୍ଦରୀ କିଶୋରୀଟି ହାଉଦାରେ ବସି ଚାରିଆଡ଼େ ପ୍ରସନ୍ନ ଶାନ୍ତ ଦୃଷ୍ଟିରେ ଅନାଉଛି ।

 

ଓଟ ଚାଳକ ଝିଅଟିକୁ କ’ଣ କହିଲା ଏବଂ ସଙ୍ଗେ ସଙ୍ଗେ ଝରଣା ପାଖକୁ ନେଇଗଲା । ଓଟଟି ଆଣ୍ଠୁ ମାଡ଼ି ବସିଲା ଏବଂ ଝିଅଟି ହାତରୁ ପିଆଲାଟିଏ ନେଇ ଚାଳକ ଝରଣା ପାଣି ନେବାକୁ ଗଲା । ହଠାତ୍ ଗୋଟାଏ ଦୌଡ଼ୁଥିବା ଗାଡ଼ିର ଶବ୍ଦ ଆସିଲା । ସେ ଶବ୍ଦରେ ଚାରିଆଡ଼େ ପାଟିତୁଣ୍ଡ ହେଲା । ଚିତ୍କାର ହେଲା, ରୋମାନ୍‍ ଘୋଡ଼ା ଚଳେଇବାକୁ ଜାଣେନା । ଆମକୁ ମାରି ପକାଇବ ।

 

ମୁଲୁସ୍‍ ଘୋଡ଼ାକୁ ଅଟକାଇବାକୁ ଗଲା–ଗାଡ଼ିରେ ବସିଛି ମେଖାଲା । ସେ ଭିଡ଼ ଭିତରେ ଘୋଡ଼ା ଛୁଟେଇଛି ।

 

ଝରଣା ଧାରରେ ଓଟଟା ସେହିପରି ବସିଛି । ମେଖାଲାର ଗାଡ଼ି ଓଟଉପରେ ପଡ଼ିଲା । ଓଟ ଡରି ଯାଇନି; କିନ୍ତୁ ବୃଦ୍ଧ, କିଶୋରୀଟି ବେପରୁଆ କୌତୁକ କରୁଛି । ବେନ୍‍ହୁର ଦୌଡ଼ିଯାଇ ବାଁ ଆଡ଼ର ଘୋଡ଼ାର ଲଗାମଟା ଚାପିଧରି ପ୍ରାଣପଣେ ଧମକ ଦେଲା–ରୋମାନ୍‍ କୁକୁର । ମଣିଷର ଜୀବନ ନେଇ ଖେଳୁଚୁ ।

 

ଲଗାମ ଟାଣିବାରେ ଘୋଡ଼ାଗୁଡ଼ିକ ଗୋଡ଼ ଉଠାଇ ଠିଆ ହେଲେ ଏବଂ ଗାଡ଼ିଟା ଓଲଟିଲା । ମେଖାଲା ଅଟକିଲା ସିନା କିନ୍ତୁ ଗାଡ଼ିରେ ଯେଉଁ ସଙ୍ଗୀ ଥିଲା ମାଟିରେ ପଡ଼ିଗଲା । ମେଖାଲା ଉପରେ ବିଦ୍ରୂପ ବର୍ଷଣ ହେଲା ।

 

ମେଖାଲା ଓହ୍ଲାଇ ଓଟପାଖକୁ ଯାଇ କହିଲା–ମାଫ୍ କରିବେ, ଆପଣଙ୍କୁ ଦେଖିନି । ଭାବିଥିଲି ଟିକିଏ ମଜାକରିବି, ଘୋଡ଼ାଗୁଡ଼ିକ କିପରି ।

 

ବୃଦ୍ଧ ଓ ଝିଅଟି କିଛି ଜବାବ ଦେଲେ ନାହିଁ ।

 

ମେଖାଲା ଘୋଡ଼ାଗୁଡ଼ିକ ଶାନ୍ତକରି ଚାଲିଗଲା । ବୃଦ୍ଧ ବେନ୍‍ହୁରକୁ ଡକାଇଲେ । ବେନ୍‍ହୁର ଅଭିବାଦନ କରି ଠିଆହେଲା ।

 

ବୃଦ୍ଧ କହିଲେ–ଲୋକଟାକୁ ବେଶ୍ ଶିକ୍ଷାଦେଇଛ, ଭଗବାନ ତୁମର ମଙ୍ଗଳ କରିବେ । ମୁଁ ଜଣେ ମିଶରୀ ମୋର ନାମ ବାଲିଥାଶାର । ଏ ମୋର ଝିଅ । ମୁଁ ରାଜ ରାଜେଶ୍ଵରଙ୍କ ପାଖକୁ ଆସିଥିଲି । ସେ ସାମାନ୍ୟ ବ୍ୟକ୍ତି ଯୋଶେଫ୍ ଘରେ ଅଛନ୍ତି । ସେ ଯେତେବେଳେ ଛୋଟ ଥିଲେ, ତାଙ୍କୁ ଡାଫନିର ତାଳବଗିଚାରେ ଦେଖିଥିଲି । ସେହି ତାଳବଗିଚାରେ ସେଖ୍‍ ଏଲ ଦାହିମ୍‍ର ଛାଉଣୀରେ ଅଛନ୍ତି । ଆମେ ତା’ର ଅତିଥି । ସେଠାକୁ ଆସ, ଦେଖାହେବ ।

 

କାହାକଥା ବୃଦ୍ଧ କହୁଛନ୍ତି, କୁଆଡ଼େ ଚାଲିଛନ୍ତି ବେନ୍‍ହୁର କିଛି ବୁଝିଲା ନାହିଁ । ବହୁଦିନ ପୂର୍ବରେ କୂଅ ପାଖରେ ବେନ୍‍ହୁର ଯାହାଙ୍କୁ ଦେଖିଥିଲା, ସେ ଯେ ସେଇ କଥା କହୁଥିଲା, ବେନ୍‍ହୁର ତାହା ବୁଝିଲା ନାହିଁ ।

 

ଝିଅଟି ବେନ୍‍ହୁର ଆଡ଼କୁ ଅନାଇ କହିଲା–ହଁ, ଆମ ସାଙ୍ଗରେ ଦେଖା କରିବାକୁ ଆସିବେ ।

 

ବେନ୍‍ହୁର କହିଲା–ଆଚ୍ଛା ।

 

ଝିଅଟି କହିଲା–ବଡ଼ ତୃଷ୍ଣା; ଯଦି ଦୟାକରି ପିଆଲାଏ ପାଣି–

 

ପିଆଲାରେ ପାଣି ଭରି ବେନ୍‍ହୁର ଝିଅଟି ହାତକୁ ବଢ଼ାଇ ଦେଲା । ସେମାନେ ଚାଲିଗଲେ । ବେନ୍‍ହୁର ସେମାନଙ୍କ ଆଡ଼କୁ ଅନାଇ ରହିଲା । ଆଖି ଫେରାଇ ଦେଖିଲା, ମେଖାଲା-

 

ସେ ଚାଲିଗଲା ।

 

ମୁଲୁସ୍‍ ଏହା ଦେଖି ଆଶ୍ଚର୍ଯ୍ୟ । ଯାହା ଦେଖିଲା, ଏ ସ୍ୱପ୍ନ ନା ସତ୍ୟ । ବେନ୍‍ହୁରର ଏତେ ଶକ୍ତି, ଏତେ ସାହସ, ପରପାଇଁ ଏତେ ଦୟା । ଶ୍ରଦ୍ଧାରେ ମୁଲୁସ୍‍ର ଅନ୍ତର ଭରିଗଲା । ଯାହା ହେଉ ମୁନିନ ସାଇମଣ୍ଡିସକୁ ଭଲ ଖବର ଦେବ ।

 

ବେନ୍‍ହୁର ପଚାରିଲା–ମୁଲୁସ୍‍, ମାକୁ କ’ଣ କେହି ଭୁଲିପାରେ ?

 

ଏ ପ୍ରଶ୍ନରେ ସେ ଆଶ୍ଚର୍ଯ୍ୟ । ସେ ଜବାବ୍ ଦେଲା–ନା, ନା ଅସମ୍ଭବ, ଯେଉଁ ମାଙ୍କ ଦୟାରେ ଏ ପୃଥିବୀରେ ଜନ୍ମ, ସେ ମାକୁ କ’ଣ ମଣିଷ ଭୁଲିପାରେ !

 

ବେନ୍‍ହୁର କହିଲା–ପିଲାବେଳର କଥା ମନେପଡ଼ୁଛି । ମା କେତେ କଷ୍ଟ କରିଛନ୍ତି–ସହ୍ୟ କରିଛନ୍ତି ।

 

ବେନ୍‍ହୁର ଦୀର୍ଘନିଃଶ୍ଵାସ ପକାଇ କହିଲା–ତମେ ଇହୁଦୀ । ତମକୁ ବିଶ୍ଵାସ କରି ଗୋଟାଏ କଥା କହିବି ?

 

ମୁଲୁସ୍‍ କହିଲା–କୁହ ।

 

ବେନ୍‍ହୁର କହିଲା–ଜେରୁଜେଲମରେ ମୋର ବାପାଙ୍କର କେତେ ମାନ, ଖତିର ଥିଲା । ବାପା ମରିଯାନ୍ତି । ମୋର ଛୋଟ ଭଉଣୀଟିଏ ଅଛି । ବାପା ମରିଗଲା ପରେ କେତେ ଦୁଃଖ କଷ୍ଟ ସହି ଆମ ମୁହଁକୁ ଚାହିଁ ମା ଆମକୁ ମଣିଷ କଲେ । ନିଜର ସୁଖକୁ ନଜର ଦେଇ ନାହାନ୍ତି । ମୋ ମାଆ କେତେ ଭଲ ! କେବେ କାହାକୁ ପଦଟିଏ କଡ଼ାକଥା କହନ୍ତି ନାହିଁ । କେତେ ସୁନ୍ଦର ଦିନ ଯାଉଥିଲା । କିନ୍ତୁ ଦିନେ ସବୁ ଧୂଳିସାତ୍ ହେଲା । ଚୂନା ହୋଇଗଲା ।

 

ଜୀବନର ସବୁକଥା, ଏଇ ମେଖାଲା କ’ଣ ମଧ୍ୟ କହିଲା । କେତେଦିନ ପରେ ଦେଖିଲି ସେଇ ପିଶାଚମୂର୍ତ୍ତି । ସେ ଜାଣିଛି ମୋର ମା ଓ ଭଉଣୀ କଥା ।

 

ମୁଲୁସ୍‍ କହିଲା–ପଚାରିଲେ କ’ଣ କହିବନାହିଁ ?

 

–ନା ।

 

–କାହିଁକି, କ୍ଷତିଟା କ’ଣ ?

 

–କହିବ ନାହିଁ, ତା’ର କାରଣ, ସେ ହେଲା ରୋମାନ୍‍ ଓ ମୁଁ ଇହୁଦୀ ।

 

–କିନ୍ତୁ ରୋମାନ୍‍ମାନଙ୍କର ଇହୁଦୀମାନଙ୍କ ପରି ମା ବାପା ତ ଅଛନ୍ତି ! ତଫାତ୍ କେଉଁଠି-? କହିବ ନାହଁ କାହିଁକି ?

 

–କହିବ ନାହିଁ, ତା’ର କାରଣ ଏ ହେଲା ରାଜ୍ୟର କଥା । ମୋ ବାପାଙ୍କର ଅନେକ ସମ୍ପତି ଥିଲା । ରୋମାନ୍‍ ଅଫିସରମାନେ ଲୁଟି କରି ଭାଗ ଭାଗ କରି ନେଇଛନ୍ତି ।

 

–ତମକୁ ଦେଖି କ’ଣ ସେ ଚିହ୍ନି ପାରିଛି ?

 

–ନା, କାହିଁକି ନା ସେ ଜାଣେ ଯେ, ମୁଁ ମରିଛି ।

 

–ଆଶ୍ଚର୍ଯ୍ୟ ! ତାକୁ ପାଇ ଛାଡ଼ିଦେଲେ, ମାରି ପକାଇଲ ନାହିଁ ? ଏତେବଡ଼ ଶୟତାନକୁ ଛାଡ଼ିଦେଲ ! କିପରି ସମ୍ଭାଳିଲ ନିଜକୁ ?

 

ବେନ୍‍ହୁର କହିଲା–ତା’ହେଲେ ମୋର କ୍ଷତି ହୋଇଥାନ୍ତା । ସେ ଜାଣେ ମୋର ମା ଓ ଭଉଣୀର କଥା । ସେ ଖବର ମୋର ଜାଣିବା ଦରକାର । ସେମାନଙ୍କୁ ଆଗେ ପାଏଁ, ତା’ପରେ ଆଉ ସବୁ । ତମେ ଯଦି ସାହାଯ୍ୟ କର ତାକୁ ବେଶ୍ ଶାସ୍ତି ଦେବି ।

 

–ସେ ରୋମାନ୍‍, ମୁଁ ଇହୁଦୀ । ତା’ ହେଉ, ମୋତେ କ’ଣ କରିବାକୁ ହେବ ?

 

ମଲୁସ୍‍ର ହାତକୁ ନିଜ ହାତରେ ଚାପିଧରି ବେନ୍‍ହୁର କହିଲା–କଠିନ କାମ ନୁହେଁ । ପରେ କହିବି । ଆସ, ଦି’ଜଣ ଯାଉଁ ଯାଉଁ କଥା କହିବାକୁ ଲାଗିଲେ ।

 

ବେନ୍‍ହୁର କହିଲା–ଏହି ସେଖ୍ ଏଲ ଦାହିମ୍‍ଙ୍କୁ ଜାଣ ?

 

–ଜାଣେ ।

 

–ତାଙ୍କର ତାଳବଗିଚା ଜାଣିଛ, ଡାଫନି ଗାଁରେ ? କେତେ ଦୂର ?

 

–ଘୋଡ଼ାରେ ଚଢ଼ି ଗଲେ ଦିଘଣ୍ଟା । ଓଟ ପିଠିରେ ଘଣ୍ଟାଏ ।

 

–ବେଶ୍ ଏ ଘୋଡ଼ାଦୌଡ଼ କେବେ ହେବ ?

 

–କନସାଲ ମାସେଣ୍ଟିୟାସ୍ ଆସିଲେ ହେବ ।

 

ବେନ୍‍ହୁର କହିଲା–ତେବେ ଶୀଘ୍ର କାର୍ଯ୍ୟଟା ହେବା ଦରକାର । ମେଖାଲା ଯଦି ପ୍ରତିଯୋଗିତାରେ ଠିଆହୁଏ, ମୁଁ ମଧ୍ୟ ଠିଆହେବି ।

 

ମୁଲୁସ୍‍ କହିଲା–ତମର କ’ଣ ଅଭ୍ୟାସ ଅଛି ?

 

ବେନ୍‍ହୁର ହସି କହିଲା–ରୋମରେ ସାର୍କସ ମାଣ୍ଡିମାସ ଅଛନ୍ତି, ନାମ ଶୁଣିଛ ?ସେଠାରେ ଘୋଡ଼ାଦୌଡ଼ରେ ମୋର ଘୋଡ଼ାଚଢ଼ା ଦେଖି ସମ୍ରାଟ ନିଜେ ମୋତେ କହିଥିଲେ ଯେ–ମୋ ଘୋଡ଼ା ନେଇ ତମେ ପୃଥିବୀରେ ପ୍ରତିଯୋଗିତା କର ।

 

–ବେଶ୍ ତ ଭଲ ହେବ । ମେଖାଲା ଏଠାରେ ଓହ୍ଲାଇଛି । ଦେଖୁଚ ତ ତା’ର ଦମ୍ଭ । ତା’ନାମରେ ଅନେକ ବାଜି ଧରିଛନ୍ତି ।

 

–ବାଜି ଧରିଛନ୍ତି ! ତା’ର ଅର୍ଥ ?

 

–ଟଙ୍କାର ବାଜି । କେଉଁ ଘୋଡ଼ା ଜିତିବ ତା’ରି ଉପରେ ବାଜି । ମାସେ ହେଲା ମେଖାଲା ଗାଡ଼ିଧରି ଖାଲି ଅଭ୍ୟାସ କରୁଛି ।

 

ବେନ୍‍ହୁର କହିଲା–ଏଇ ଗାଡ଼ି ଘୋଡ଼ା ନେଇ ସେ ଓହ୍ଲାଉଛି ତ । ମୋତେ ତା’ହେଲେ ସେ ତାଳବଗିଚାକୁ ନେଇଚାଲ । ସେଠାରେ ସେଖ୍ ଏଲ ଦାହିମ୍‍ ସାଙ୍ଗରେ ଆଜି ପରିଚୟ କରାଇଦିଅ । ତା’ହେଲେ ତା’ ଘୋଡ଼ା ନେଇ କାଲି ପ୍ରତିଯୋଗିତାରେ ଓହ୍ଲାଇବି ।

 

–ବେଶ୍, ତା’ହେଲେ ଚାଲ । ପ୍ରଥମେ ଡାଫନି ଗାଁକୁ ଚାଲିଯିବା । ସେଠାରୁ ଭଲ ଓଟ ଭଡ଼ାକରି ସେହି ଓଟ ଚଢ଼ି ଯିବା । ଘଣ୍ଟାଏରେ ପହୁଞ୍ଚିବା ।

 

–ତା’ହେଲେ ଚାଲ ।

 

ଦି’ଜଣ ଡାଫନି ଗାଁ ଆଡ଼କୁ ଚାଲିଲେ । ସେଠାରୁ ଭଲ ଓଟ ଭଡ଼ା କରି ଓଟ ପିଠିରେ ଚଢ଼ି ତାଳବଗିଚା ଆଡ଼କୁ ଚାଲିଲେ ।

Image

 

ଛଅ

 

ଗାଁ ପାରି ହେଲେ ରାସ୍ତାଟି ଖାଲିଢିପ । ବଗିଚା ଓ କ୍ଷେତ । ପାହାଡ଼ ଦିହରେ ଅଙ୍ଗୁରଲତା । ଥୋପା ଥୋପା ଅଙ୍ଗୁର ଫଳିଛି । ବଡ଼ ବଡ଼ ତରଭୁଜ ଫଳିଛି । ବାଦାମ, ଲେମ୍ବୁ, ଗଛରେ ଭର୍ତ୍ତି । କ୍ଷେତଗୁଡ଼ିକ ଫସଲରେ ଭରିଛି । ମନ ଆନନ୍ଦରେ ଭରିଯାଏ । ଅଭାବ ଆଉ କ’ଣ-

 

ଚାଲି ଚାଲି ଦୁଇଜଣ ନଦୀ ଧାରକୁ ଆସିଲେ । ନଦୀ କୂଳଦେଇ ଆସି ଗୋଟିଏ ସ୍ଥାନରେ ନଦୀ କୂଳରେ ଚଡ଼ ଦେଖିଲେ । ପୋଖରୀପରି ପାଣି ବନ୍ଧା ହୋଇଛି । ବନ୍ଧର ଗୋଟିଏ କୋଣରେ ପୁରୁଣା ତାଳଗଛ । ଏ ଗଛ ଦେଇ ଟିକିଏ ଆଗେଇ ବାଁଆଡ଼କୁ ବିସ୍ତୀର୍ଣ୍ଣ ସମତଳଭୂମି । ସେ ଜମିରେ ବେଶ୍ ଘଞ୍ଚ ତାଳବଣ । ତଳରେ ସବୁଜ ଘାସ ଯେପରି ଗାଲିଚା । ଉପରେ ନିର୍ମେଘ ଆକାଶ । ଏ ଅପୂର୍ବ ପ୍ରକୃତି ଶୋଭାରେ ବେନ୍‍ହୁର ମୁଗ୍ଧ ହୋଇଗଲା ।

 

ପୋଖରୀ ହିଡ଼ ଉପରେ ଅଙ୍କା ବଙ୍କା ପଥ । ବେନ୍‍ହୁର କହିଲା–ସେଖ୍‍ ଏଲ ଦାହିମ୍‍କୁ ଦେଖିଲେ ଏହିପରି ସାଧାରଣ ସହଜ ମନେହୁଏ । ଏ ସମ୍ପତ୍ତି ରୋମାନ୍‍ମାନେ ଛଡ଼ାଇ ନେଇ ନାହାନ୍ତି କିପରି ?

 

ମୁଲୁସ୍‍ କହିଲା–ଏହାଙ୍କର ପୂର୍ବ ପୁରୁଷ ସେଖ୍ ଥିଲେ । ସେମାନଙ୍କର କେହି ଜଣେ ଡକାଏତଙ୍କ ହାତରୁ ପ୍ରାଣରକ୍ଷା କରିଥିଲେ । ତେଣୁ ରାଜା ତାଙ୍କୁ ଏ ଅଞ୍ଚଳର ଏସବୁ ଜମି ଦେଇଦେଲେ । ଏଇଟା ମରୁଭୂମି–ଡକାୟତମାନଙ୍କର ଭୟ । ରୋମାନ୍‍ମାନଙ୍କୁ ମଧ୍ୟ ସେହି ବିପଦରେ ପଡ଼ିବାକୁ ହୁଏ । ତେଣୁ ଏ ରାସ୍ତାରେ ଯିବା ଆସିବା କରିବାକୁ ହେଲେ ସେଖ୍‍ଙ୍କର ସାହାଯ୍ୟ ନେବାକୁ ପଡ଼େ । ଏ ଅଞ୍ଚଳରେ ସେଖ୍ ସାହେବଙ୍କୁ ସମସ୍ତେ ଖୁବ୍ ମାନନ୍ତି ।

 

ବେନ୍‍ହୁର କହିଲା–ମୁଁ କିନ୍ତୁ ଆଜି ଯାହା ଦେଖିଥିଲି, ସେଥିରେ ସେଖ୍ ସାହେବ ରୋମାନ୍‍ ଉପରେ ପ୍ରସନ୍ନ ଥିଲା ପରି ମନେ ହେଲା ନାହିଁ ।

 

–ରୋମାନ୍‍ମାନଙ୍କ ଉପରେ ସେଖ୍‍ଙ୍କର ବଡ଼ ରାଗ ।

 

ଏ ରାସ୍ତା ଡାମାସ୍କସ୍‍କୁ ଯାଇଛି–ଏଇବାଟ ଦେଇ ଓଟ ଯାଏ । ଥରେ ପାର୍ଥୀୟାନ୍‍ମାନେ କାରାଭାନ ଉପରେ ଆକ୍ରମଣ କରିଥିଲେ । ଖାଲି କ’ଣ ଜିନିଷପତ୍ର ଟଙ୍କା ଲୁଟ କଲେ–ସମସ୍ତଙ୍କୁ ମାରି ପକାଇଲେ । ଏହି କାରାଭାନ ଓଟମାନଙ୍କ ସାଙ୍ଗରେ ରୋମାନ୍‍ ସରକାରର ଖଜଣା ଟଙ୍କା ଯାଇଥିଲା ତାହା ମଧ୍ୟ ଲୁଟି ହେଲା । ରୋମ୍‍ରୁ ହେରଦ ରାଜାଙ୍କୁ ଆଦେଶ ଆସିଲା ଯେ, ତମ ଇଲାକାରେ ଖୁନ ଓ ଲୁଟ ହେଇଛି । ତେଣୁ ଖଜଣା ଟଙ୍କା ତମକୁ ଦେବାକୁ ହେବ । ସୋଜା କହିପଠାଇଲେ ଖଜଣା ଟଙ୍କା ସେ ଠିକ୍ ପଠାଇଥିଲେ । ସରକାରଙ୍କ ସିପାହୀ ରକ୍ଷା କରି ପାରିଲାନି, ତେଣୁ ହେରଦ ରାଜା ଦାୟୀ ହେବ କାହିଁକି ?

 

ମୁଲୁସ୍‍ କହିଲା–ହେରଦ ରାଜା ପଇସାଟିଏ ଦେଲେ ନାହିଁ । ଯେଉଁମାନେ ଖଜଣା ପଠାଇଥିଲେ ସିଜାରଙ୍କ ନିକଟରେ ନାଲିସ କଲେ । ହେରଦ କହିଲେ–ଏଲ ଦାହିମ୍‍ ଦାୟୀ । ତେଣୁ ସେ ସେଖ୍‍ର ସଂପତ୍ତି ଦଖଲ କରିବାକୁ ଲାଗିଲେ । ଏଣେ ଏଲ ଦାହିମ୍‍ ସିଜାର ନିକଟରେ ଅପିଲ କଲେ । ସିଜାର ଯେଉଁ ଜବାବ ଦେଇଥିଲେ ଏଲ ଦାହିମ୍‍ ସେଥିରେ ଖୁବ୍ ଅପମାନ ବୋଧ କରିଥିଲେ । ସେହି ଦିନଠାରୁ ରୋମ୍ ଓ ରୋମାନ୍‍ମାନଙ୍କୁ ସେ ବିଷ ନଜରରେ ଦେଖନ୍ତି ।

 

–କିନ୍ତୁ ସେଖ୍ ଏଲ ଦାହିମ୍‍ କ’ଣ କରିପାରିବେ ? ମୁଲୁସ୍‍ କହିଲା–ବର୍ତ୍ତମାନ ନୁହଁ, ପରେ ସବୁକଥା କହିବି ।

ବେନ୍‍ହୁର ଅନାଇ ଦେଖେ ସିରିୟାନ ଚାଷୀମାନଙ୍କର ସ୍ରୋତ ବୋହି ଚାଲିଛି । ଖଜୁରୀର ଝୁଡ଼ିଉଠାଇ ଅଭିବାଦନ ଜଣାଉଛନ୍ତି । ଅତିଥିମାନଙ୍କୁ ଦେବାକୁ ଚାହାନ୍ତି ।

ଓଟ ପିଠିରୁ ଝୁଙ୍କି ପଡ଼ି ବେନ୍‍ହୁର ଝୁଡ଼ିରୁ ଖଜୁରୀ ନେଲା ଏବଂ କହିଲା–ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ ।

ଖଜୁରୀ ଖାଉଁ ଖାଉଁ ମୁଲୁସ୍‍ କହିଲା–ସାଇମଣ୍ଡିସ୍‍ଙ୍କ ସହିତ ବ୍ୟବସାୟ ଅଛି । ଦୁହେଁ ଦୁହିଁଙ୍କୁ ଖୁବ୍ ବିଶ୍ୱାସ କରନ୍ତି । ବ୍ୟବସାୟ ସମ୍ବନ୍ଧରେ ମୋତେ ୟାଙ୍କ ପାଖକୁ ଆସିବାକୁ ପଡ଼େ । ମୋତେ ମଧ୍ୟ ଖୁବ୍ ଭଲ ପାଆନ୍ତି ।

ଏସବୁ କଥା ଶୁଣୁ ଶୁଣୁ ସାଇମଣ୍ଡିସ୍‍ଙ୍କ କୁଆଁରୀ କନ୍ୟା ଏସ୍‍ଥାର କଥା ମନେପଡ଼ିଲା । ମୁଲୁସ୍‍ କହିଚାଲିଲା–ଏଇ କେତେ ସପ୍ତାହ ପୂର୍ବରୁ ସେଖ୍ ସାଇମାଣ୍ଡିସ୍ ପାଖକୁ ଯାଇଥିଲେ । ମୋତେ ଦେଖି କହିଲେ–ଏତ ଇହୁଦୀ, ୟା ଆଗରେ କହିବାର କିଛି ଆପତ୍ତି ନାହିଁ ତ ! ସେ ଏକ ଆଶ୍ଚର୍ଯ୍ୟ ଘଟଣା କହିଲେ–କେଇ ବର୍ଷ ଆଗରେ ମରୁଭୂମିରେ ଏଲ ଦାହିମ୍‍ ଛାଉଣୀରେ କେଇ ଜଣ ବିଦେଶୀ ପହଞ୍ଚିଲେ । ଏମାନଙ୍କ ଭିତରେ ଥିଲେ ହିନ୍ଦୁ, ଗ୍ରୀକ୍, ମିଶରୀ । ରାତିରେ ସମସ୍ତେ ଏକ ଛାଉଣୀରେ ରହିଲେ ଏବଂ ପରଦିନ ସକାଳେ ଏକା ସାଙ୍ଗରେ ବସି ଉପାସନା କଲେ । ଉପାସନାର ପ୍ରକାର ଅନ୍ୟ ଧରଣର । ରାତିରେ ସମସ୍ତେ ଉପାସନା କରିଥିଲେ । ଉପାସନା ଉପବାସ ଭଙ୍ଗ କରି ସେମାନେ କହିଲେ, ଆକାଶରେ ସେମାନେ ଗୋଟିଏ ନକ୍ଷତ୍ର ଦେଖିଥିଲେ । ସେ ନକ୍ଷତ୍ରରୁ ସେମାନେ ଦୈବବାଣୀ ଶୁଣନ୍ତି ଯେ ଜେରୁଜେଲମ ଯାଅ ଦେଖିବ ରାଜରାଜେଶ୍ଵର ଜନ୍ମ ନେଇଛନ୍ତି । ସେଇଥିପାଇଁ ସେ ଜେରୁଜେଲମ ଯାଉଛନ୍ତି । ଜେରୁଜେଲମକୁ ଆସି ପୁଣି ନକ୍ଷତ୍ରବାଣୀ ଶୁଣିଲି ଯେ, ତମେ ବେଥେଲହାମ୍ ଯାଅ । ଦେଖିବ, ପାହାଡ଼ର ଗୁହାରେ ସତ୍ୟ ଜନ୍ମ ଗ୍ରହଣ କରିଛି । ସେ ଶିଶୁକୁ ପୂଜା କରିବ । ସେତେବେଳେ ପିଶାଚ–ରାକ୍ଷସ ପରି ଶିଶୁ ଜନ୍ମ ନେଲେ ହତ୍ୟା କରା ଯାଉଥିଲା । ଏହି ଭୟରେ ଏହି ଶିଶୁକୁ ପାହାଡ଼ର ଗୁହାରେ ରଖାଯାଉଥିଲା । ଶିଶୁର ନିରାପଦ ବ୍ୟବସ୍ଥା କରି ବିଦେଶୀମାନେ ଫେରିଯାନ୍ତି ।

ବେନ୍‍ହୁର କହିଲେ–ଆଶ୍ଚର୍ଯ୍ୟ ଘଟଣା !

ମୁଲୁସ୍‍ କହିଲେ–ସେଖ୍ ସାହେବଙ୍କ ସହିତ ବାଲଥାସାର ନାମକ ଗୋଟିଏ ମିଶରୀ ସହିତ ଦେଖା ହୋଇଥିଲା ।

ବେନ୍‍ହୁର ଚମକି ପଡ଼ି କହିଲେ–ସେ’ ବୁଢ଼ା, ଯା’ସାଙ୍ଗରେ ଝିଅଟି–

–ହଁ ।

–କିନ୍ତୁ ଏ ରାଜରୋଜେଲର୍‍ଟି କିଏ ?

–ଜାଣେନା । ଶୁଣିଛି ଇହୁଦୀ ଜାତିର ରାଜରାଜେଶ୍ଵର । ସେଖ୍ ସାହେବ ତାହା କହିଥିଲେ । ସେଖ୍ ସାହେବ ତାଙ୍କୁ ଦେଖି ନାହାନ୍ତି; ତେଣୁ ସେ ମରୁଭୂମିରେ ଆସି ବାସ କରୁଛନ୍ତି ଏ ମରୁଭୂମି ଛାଡ଼ି କୁଆଡ଼କୁ ଯା’ନ୍ତି ନାହିଁ ।

ଦିଜଣ କଥା କହୁଁ କହୁଁ ବାଟ ଚାଲିଛନ୍ତି–କିଛି ଦୂରରେ କାନକୁ ଘୋଡ଼ା ଟାପୁର ଶବ୍ଦ ଆସିଲା । ପଛରୁ ଶବ୍ଦ ଆସୁଛି । ପଛକୁ ଅନାଇ ମୁଲୁସ୍‍ କହିଲା–ଆରେ ସେଖ୍ ସାହେବ ଆସୁଛନ୍ତି-

ଘୋଡ଼ା ଛୁଟେଇ ସେଖ୍ ଏଲ ଦାହିମ୍‍ ଆସୁଛନ୍ତି–ପଛରେ ଅନେକ ଲୋକ ।

ଏଲ ଦାହିମ୍‍ ଆସିଲେ ମୁଲୁସ୍‍କୁ ଦେଖି କହିଲେ–ଆସ ଆସ । ସାଇମଣ୍ଡିସ୍‍ଠାରୁ କିଛି ଭଲ ଖବର ନିଶ୍ଚୟ ଆଣିଛ । ସେ ଦୀର୍ଘଜୀବୀ ହୁଅନ୍ତୁ, ଏହାହିଁ ମୋର ଇଚ୍ଛା । ଏ ପିଲାଟି କିଏ ? କଥାବାର୍ତ୍ତା ହେବା ଆସ । ରୁଟି ଖଜୁରୀ ପ୍ରସ୍ତୁତ । ମାଂସ ମଧ୍ୟ ମିଳିବ ।

ଏଲ ଦାହିମ୍‍ ଦି’ଜଣଙ୍କୁ ଛାଉଣୀକୁ ନେଲେ । ବେନ୍‍ହୁର କଥା ମୁଲୁସ୍‍ ଜଣାଇଲା ଏବଂ ବେନ୍‍ହୁରକୁ କହିଲା–ସେ ନିଶ୍ଚୟ ତମକୁ ଘୋଡ଼ା ଦେବେ । ତୁମେ ରହିଲ, ମୁଁ ଆନ୍ତିୟକକୁ ଯାଉଛି-। କାଲି ନିଶ୍ଚୟ ଆସିବି ।

Image

 

ସାତ

 

ରାତି ହୋଇଛି । ପାହାଡ଼ ମଥାରେ ଚାନ୍ଦ ଉଠିଛି ।

 

ଅସହ୍ୟ ଗରମ ବୋଧ ହେଉଛି । ଆନ୍ତିୟକ ସହରର ଯେତେ ଲୋକ ଖୋଲା ଛାତରେ ଆଶ୍ରୟ ନେଇଛନ୍ତି ।

 

ଘର ଛାତ ଉପରୁ ସାଇମାଣ୍ଡିସ୍ ଅଧୀର ଆଗ୍ରହରେ ମୁଲୁସ୍‍ ଅପେକ୍ଷା କରିଛି । ପାଖରେ ରହିଛି ଏସ୍‍ଥାର । ଘର ଆଗରେ ନଦୀ ଲମ୍ବି ଯାଇଛି । ନଦୀ ବକ୍ଷ ଉପରେ ଅସଂଖ୍ୟ ଜାହାଜ ।

 

ନିଃଶ୍ୱାସ ପକାଇ ସାଇମାଣ୍ଡିସ୍ କହିଲା–ଏତେ ରାତି ହେଲାଣି ମୁଲୁସ୍‍ ଯେ ଫେରିଲା ନାହିଁ–କେତେବେଳେ ଫେରିବ ?

 

ଏଇ ରାତିରେ ତାକୁ ପୁଣି ଫେରି ଯିବାକୁ ହେବ, କହିଲା ଏସ୍‍ଥାର ।

 

–ନିଶ୍ଚୟ

 

–ମୋର ମନେ ହେଉଛି ବାପା, ସେ ସତ କଥା କହିଛନ୍ତି ।

 

–ଆମର ମୁନିବ ?

 

–ହଁ ବାପା ।

 

ସାଇମାଣ୍ଡିସ୍ କହିଲା–ଯଦି ସତ ହୁଏ, ତୁ କ’ଣ ଭାବୁଛୁ, ଏ ଐଶ୍ୱର୍ଯ୍ୟରୁ ତୋତେ ବଂଚିତ କରିବି ? ତା’ ନୁହେଁ ମା, ଭାବୁଛି, ଖାଲି ଏତେ ଅଏସରେ ତୋତେ ମଣିଷ କରିଛି । ମୁଁ ଏକ ବୃଦ୍ଧ–ଦେହରେ ଶକ୍ତି ନାହିଁ । ସାଇମଣ୍ଡିସ୍‍ଙ୍କର କଣ୍ଠ ରୁଦ୍ଧ ହେଲା, ଏସ୍‍ଥାର ଆଖିରୁ ଲୋତକ ଝରିଲା ।

 

ଏସ୍‍ଥାର କହିଲା ଏସବୁ ସଂପତ୍ତି ତା’ହାତରେ ଦେଇଦିଅ ବାପା, ତାକୁ ତ ଦେଖିଲ, ଶୁଣିଲ । କେତେ ଉଚ୍ଚ ମନ । ତା’ଛଡ଼ା ବି ଦୁଃଖ କଷ୍ଟ ସବୁ ଅଙ୍ଗରେ ନିଭେଇଛନ୍ତି । ସେ ଦାସତ୍ୱରୁ ଆମକୁ ମୁକ୍ତି ଦେବେ ।

 

–ହଁ, କିନ୍ତୁ ମା, ଏ ଐଶ୍ୱର୍ଯ୍ୟପାଇଁ ମୁନିବକୁ କିଛି କରିବାକୁ ପଡ଼ିନାହିଁ । ଏସବୁ ନିଜ ପରିଶ୍ରମରେ କରି ପାରିଛି । କଥା ଶେଷ ନ ହେଉଣୁ ଛାତ ଉପରେ କାହାର ପଦଶବ୍ଦ ଶୁଣାଗଲା । ମୁଲୁସ୍‍ ଆସିଲା । ସାଇମାଣ୍ଡିସ୍ କହିଲା–ସଂଧାନ ମିଳିଲା ?

 

–ଆଜ୍ଞା ହଁ । କେବଳ ସଂଧାନ ନୁହଁ, ହଜୁର, ପରିଚୟ ପର୍ଯ୍ୟନ୍ତ ଜାଣିଲି । ଶୁଣିଲେ ନିଶ୍ଚୟ ଆନନ୍ଦିତ ହେବେ ।

 

–କ’ଣ ପରିଚୟ ଶୁଣେ ?

 

–ଜାତିରେ ଇହୁଦୀ, ଯେମିତି ସାହସ ସେମିତି ତେଜ । ବହୁ ସମୟ ତାଙ୍କ ସାଙ୍ଗରେ ଥିଲି । ସେଖ୍ ଏଲ ଦାରିମ୍‍ଙ୍କ ସହିତ ଦେଖା ହେଲା, ଆଳାପ ହେଲା । ସେଖ୍ ସାହେବଙ୍କ ଘୋଡ଼ା ଓ ଗାଡ଼ି ନେଇ ସେ କାଲି ବାଜି ଖେଳରେ ଓହ୍ଲାଇବେ ।

 

–ଆଚ୍ଛା, କିନ୍ତୁ ମୁଲୁସ୍‍, ମୁଁ ଯେ ଆହୁରି ଅନେକ କଥା ଜାଣିବାକୁ ଚାହେଁ । ସମୟ ଯାହା ହେଇଛି, ଦେଖୁଚତ ଧନୀମାନଙ୍କ ପଦତଳରେ ଗରିବମାନେ ଲୁଣ୍ଠିତ ଏବଂ ଧନୀମାନେ ଭାବନ୍ତି ସତେ ଯେପରି ବିଧାତା–ଭଗବାନ । କ’ଣ ଦେଖିଲ, ଖୁବ୍ ପଇସା ଖର୍ଚ୍ଚ କରୁଛି ନା ?

 

–ଟଙ୍କା ପଇସା କଥା କାହିଁକି ଦେଖିଲି ନାହିଁ କି ଶୁଣିଲି ନାହିଁ । କେବଳ ଗୋଟିଏ ଚିନ୍ତା, ମା–ଭଉଣୀ । ସେଇ ରୋମାନ୍‍ ଟୋକା ମୁଲୁସ୍‍କୁ ଦେଖି କହିଗଲେ ଅତୀତର କାହାଣୀ । ତାକୁ ବେଶ୍ ଶିକ୍ଷାଟାଏ ଦେଇଛନ୍ତି । ସେ କହିଲେ ଏଇ ମେଖାଲା କୁଆଡ଼େ ତାଙ୍କ ପରିବାରଟାକୁ ଧ୍ଵଂସ କରି ଦେଇଛି । ସେ ପୁଣି କହିଲେ, ଗୋଟାଏ ମେଖାଲାକୁ ଶାସ୍ତି ଦେଇ ଲାଭ କ’ଣ ? ରୋମ୍‍ର ଦୌରାତ୍ମ୍ୟ ଶେଷ କରିବାକୁ ପଡ଼ିବ । ରୋମାନ୍‍ମାନଙ୍କୁ ଶାସ୍ତି ଦେବା ପବିତ୍ର କର୍ତ୍ତବ୍ୟ । ମୁଁ କହୁଛି, ଆସନ୍ତା କାଲି ଯେଉଁ ଘୋଡ଼ାଗାଡ଼ି ଦୌଡ଼ ପ୍ରତିଯୋଗିତା ହେବ ସେ ନିଶ୍ଚୟ ଜିତିବେ ।

 

ସାଇମାଣ୍ଡିସ୍ କହିଲା–ଆଚ୍ଛା ତୁ ଯା, ଭଲ ଖବର ଆଣିଚୁ, ଏଥିପାଇଁ ମୁଲୁସ୍‍ ଉପଯୁକ୍ତ ପୁରସ୍କାର ପାଇବ ।

 

ମୁଲୁସ୍‍ ଯିବା ପରେ ଏସ୍‍ଥାରକୁ ସାଇମାଣ୍ଡିସ୍ କହିଲେ–ମା, ଖାଇବାକୁ ଦେବାକୁ କହ ତ ।

 

ସାଇମଣ୍ଡିସ୍‍ ପାଖରେ ଆସୀନ ଏସ୍‍ଥାରକୁ କହିଲେ–ଏ ଯେ ପ୍ରିନ୍‍ସର ପୁଅ, ଏଥିରେ ଟିକିଏ ବୋଲି ସଂନ୍ଦେହ ନାହିଁ । କି ତେଜ, ସାହସ ? ମା ଭଉଣୀଙ୍କ ଉପରେ କେତେ ପ୍ରେମ ? ତା’ ହାତରେ ସବୁ ସମର୍ପଣ କରିଦେବି । ଏଥିରେ ମୁଁ ଗରିବ ହେବିନି ମା । ତମେ ମୋ ପାଖରେ ଥିଲେ ରାଜାର ଐଶ୍ୱର୍ଯ୍ୟ ଅଛି । ଗୋଟାଏ କଥା କହୁଛି–

 

–କ’ଣ ବାପା ?

 

–ମୋର ଏତେ ଐଶ୍ଵର୍ଯ୍ୟ ଯଦି ତା’ ହାତରେ ସମର୍ପଣ କରେ ?

 

ଏସ୍‍ଥାର ମଥା ତଳକୁ କଲେ । କିଛି ଜବାବ ଦେଲା ନାହିଁ ।

 

–କହ ମା, କହ । ତୋ କଥାରେ ମୁଁ ମନରେ ବଳ ପାଇବି । ଏସ୍‍ଥାର କହିଲା–ତମକୁ ଛାଡ଼ି କୁଆଡ଼େ ଯିବିନି ବାପା, ତମକୁ ଛାଡ଼ି ଯାଇ ପାରିବିନି ।

 

ଏସ୍‍ଥାରର ଦି’ଆଖିରୁ ଲୁହ ଝରିଲା । ସେ ବାପାଙ୍କ କାନ୍ଧରେ ମଥା ରଖିଲା । ଝିଅର ହାତ ଧରି ସାଇମାଣ୍ଡିସ୍ କହିଲା–ଭଗବାନ ତମକୁ ସବୁ ସୁଖରେ ସୁଖୀ କରନ୍ତୁ ମା । ତାଙ୍କ ନିକଟରେ ଏହାହିଁ ମାତ୍ର ପ୍ରାର୍ଥନା ।

 

ସେତେବେଳେ ନଦୀ ସେପଟ ପ୍ରାସାଦରେ ବଡ଼ ସମାରୋହ ଚାଲିଛି । ପ୍ରାସାଦରେ ଅନେକ ଘର । କେଉଁ ଘରେ ଗଳ୍ପ ଜମିଛି ତ କେଉଁଠି ଖିଆ ପିଆ ଚାଲିଛି । ଖେଳ ଘର, ଶୋଇବା ଘର, ସ୍ନାନ ଘର ଧାଡ଼ି ଧାଡ଼ି ଲମ୍ବିଛି ।

 

ପ୍ରତ୍ୟେକ ଘରେ ଝରକା । ଧଳା ପଥରରେ ତଳଟା ଝଲମଲ । ବହୁ ଆଲୋକ ଜଳୁଛି । ଅସଂଖ୍ୟ ବସିବାର ଆସନ, ମିଶରୀୟ ଆସବାବ ପତ୍ର I

 

କେଉଁଠି କି ଖେଳ ଚାଲିଛି, ଗୀତ ନାଚ ଚାଲିଛି ।

 

ଜଣେ ତରୁଣ କହିଲା–ଭଲ କଥା । ମାକ ସେଣ୍ଟିୟାସ୍ କେବେ ଆସୁଛନ୍ତି ପ୍ଳେବିୟାସ୍ ?

 

ଅନ୍ୟ ତରୁଣଟି କହିଲା–ହଠାତ୍ ଏ କଥା ଯେ ?

 

–ବଡ଼ ଗରମ କିନା–ସତେ ଯେପରି ବିସୁଭିୟସ୍ ।

 

ରୋମାନ୍‍ମାନେ ଏଠି ରହିଲେ ସର୍ଦ୍ଦି ଗରମରେ ମରିଯିବେ ।

 

ଏହି ତରୁଣଗୁଡ଼ିକ କନ୍‍ସାଲ ଦସ୍ତରରେ କାର୍ଯ୍ୟ କରନ୍ତି । ମାର୍କ ସେଣ୍ଟିୟାସ୍‍ ଆସୁଥିବାରୁ ଅଭ୍ୟର୍ଥନାପାଇଁ ଅଛନ୍ତି । ଏ ଅସହ୍ୟ ଗରମରେ ସମସ୍ତେ ଅସ୍ଥିର ।

 

ଆଉ ଦଳେ ଟଳି ଟଳି ଆସିଲେ । ଜଣକ ଗଳାରେ ଫୁଲହାର, ଚାଲି ଚଳନ ଯେପରି ସିଜାରଙ୍କ ପୋଷ୍ୟପୁତ୍ର–ଦମ୍ଭ ଓ ଅହଂକାରରେ ଫାଟି ପଡ଼ୁଛି–ଏ ଯେ ମେଖାଲା !!

 

ମେଖାଲା ଗୋଟାଏ ଖେଳ ପାଖରେ ବସିଗଲା । ଖେଳୁ ଖେଳୁ ଡ୍ରାଶାସ୍ କହିଲା–ସେନାପତି କୁଇଣ୍ଟାସ୍‍ର ଖବର କ’ଣ ?

 

ମେଖାଲା କହିଲା–କ’ଣ ନୂଆ ଖବର ଅଛି କି ?

–ହଁ, ତା’ ପୁଅକୁ ଦେଖିଛ ?

ମେଖାଲା ହସି କହିଲା–ସେ ଯେ ଅବିବାହିତ, ପିଲା ଆସିବ କୁଆଡ଼ୁ !

–ପୋଷ୍ୟ ପୁତ୍ର ଗ୍ରହଣ କରିଅଛନ୍ତି, ନାମ ଏରିୟାସ୍ । ଦଳେ କହିଲେ–ପୋଷ୍ୟପୁତ୍ର ଏରିୟାସ୍‍ ।

–ହଁ ଦେଖିବାକୁ ମିଷ୍ଟର ମେଖାଲାଙ୍କ ପରି । ତାଚ୍ଛଲ୍ୟ ଭାବରେ କହିଲା ମେଖାଲା–ମୁଁ ରୋମାନ୍‍, ସେ ଇହୁଦୀ । କିନ୍ତୁ ତା’ କଥା ହଠାତ୍ ଏଠାରେ ପଡ଼ିଲା କାହିଁକି ?

ଡ୍ରାଶାସ୍‍ କହିଲା–ଦେଖିବାକୁ ଯେପରି, ସାହସୀ ମଧ୍ୟ ସେହିପରି । ସିଜାର ତାଙ୍କୁ ବେଶ୍ ଖାତିର କରନ୍ତି । କି ଚାକିରି ତାକୁ ଯଚା ହେଇଥିଲା, ଗ୍ରହଣ କଲା ନାହିଁ ଆଶ୍ଚର୍ଯ୍ୟ ! କାହା ସହିତ ମିଶେ ନାହିଁ କି ଗ୍ରାହ୍ୟ କରେ ନା । କନଶାଲ ତାକୁ ଫଉଜରେ ନେଇଛନ୍ତି, ଆମ ସାଙ୍ଗରେ ଆସିବା କଥା । କିନ୍ତୁ ରାଭେନାରୁ ଦେଖି ନାହିଁ । ଶୁଣିଛି ସେ ଏଠାରେ ନାହିଁ । ଗଲା କୁଆଡ଼େ ?

ମେଖାଲା ଶୁଣି ଶୁଣି ଡାକିଲା–କେସିୟାସ୍‍ ସେ ଡାକରେ ଗୋଟିଏ ତରୁଣ ଶୁଣିଲା । ମେଖାଲା କହିଲା–ଡ୍ରାଶାସ୍‍ର କଥା ଶୁଣିଲ ।

କେସିୟାସ୍ କହିଲା–ହଁ ।

–ଯେଉଁ ଲେକଟା ମୋତେ ଘୋଡ଼ାରୁ ପକାଇ ଦେଇ ଥିଲା, ତାକୁ ଦେଖିଛ ?

–ଦେଖିଛି କିନ୍ତୁ ସେ ?

ଡ୍ରାଶାସ୍ କହିଲା–ତା’କଥା ଯଦି ଶୁଣିବ, ଭାବିବ ମିଛ କହୁଛି ।

–କ’ଣ କଥା ?

–ଜଳଦସ୍ୟୁମାନଙ୍କୁ ଦମନ କରିବାପାଇଁ କୁଇଣ୍ଟାସ୍‍ ଯାଇଥିଲେ । ଜଳଦସ୍ୟୁମାନଙ୍କୁ ପରାସ୍ତ କରି ଫେରିବା ପରେ ପୋଷ୍ୟ ପୁତ୍ର ଗ୍ରହଣ କଲେ ।

–ସେ କ’ଣ ଜଳଦସ୍ୟୁ ଦଳରେ ଥିଲା ?

–ଶୁଣିଲି, କୁଇଣ୍ଟାସ୍‍ର ଜାହାଜ ଭାଙ୍ଗି ଯାଇଥିଲା । ଆମର ଗୋଟିଏ ଜାହାଜର ଲୋକଟିଏ ଦେଖିଥିଲା, କୁଆଡ଼େ ଦି’ଜଣ ପାଣିରେ ଗୋଟିଏ ପଟା ଉପରେ ଭାସୁଥିଲେ । ସେମାନେ କହୁଥିଲେ ଏ ପିଲାଟି ଇହୁଦୀ ।

ଭୃକୁଂଚିତ କରି କହିଲା ମେଖାଲା–ଇହୁଦୀ ।

–ତା ନୁହେଁ ସେ କ୍ରୀତଦାସ । ନାଉରିଆ ଥିଲା ।

ମେଖାଲା ହସି ଉଠିଲା–କ୍ରୀତଦାସ !!

ତା’ପରେ କୋଳାହଳ, ସୁରାପାନ ଓ ନୃତ୍ୟ ଆରମ୍ଭ ହେଲା ।

Image

 

ଆଠ

 

ସେଖ୍ ଏଲ ଦାରିମ୍‍ ବଡ଼ ସମଝଦାର ବ୍ୟକ୍ତି । ଆବେଗରେ କେବେ କାର୍ଯ୍ୟ କରନ୍ତି ନାହିଁ-। ଯାହା କରନ୍ତି, ବେଶ୍‍ ବିବେଚନା କରନ୍ତି । ନିଜର ଏବଂ ଜାତିର ମର୍ଯ୍ୟାଦା ରଖି ସବୁବେଳେ କାର୍ଯ୍ୟ କରନ୍ତି ।

ବେନ୍‍ହୁର ସହିତ କଥାବାର୍ତ୍ତା କରି ବୁଝିଲେ ଯେ, ସେ ଜାତିରେ ଇହୁଦୀ । ବିଶେଷ କାରଣ ନେଇ ସେ ରୋମାନ୍‍ମାନଙ୍କ ଉପରେ କ୍ଷୁବ୍ଧ । ରୋମାନ୍‍ ଧ୍ଵଂସହିଁ ତାଙ୍କର ଏକମାତ୍ର ଲକ୍ଷ୍ୟ । ରୋମାନ୍‍ମାନଙ୍କୁ ହରାଇବାହିଁ ତାଙ୍କର ଉଦ୍ଦେଶ୍ୟ । ବେନ୍‍ହୁରକୁ ସେ ଏଥିପାଇଁ ଚାରୋଟି ଘୋଡ଼ା ଦେବ ।

ବେନ୍‍ହୁର ତା’ର ଦକ୍ଷତା ପ୍ରଦର୍ଶନ କଲା ।

ସେଖ୍‍ ଏଲ ଦାରିମ୍‍ କହିଲେ–ବାଜିରେ ଯେଉଁ ଟଙ୍କା ମିଳିବ, ସବୁ ତୁମର । ମୋର ଟଙ୍କାରେ ଲୋଭ ନାହିଁ–ପ୍ରତିଶୋଧ ଲୋଡ଼ା ।

ମେଖାଲା ଡାସାସ୍‍ଠାରୁ ଶୁଣି ଚିନ୍ତିତ ହେଲା । ଆରେ ଏ ସେଇ ଜୁଡ଼ା ନୁହେଁ ତ ? ଭଲ କରି ସନ୍ଧାନ ନେବା ଦରକାର ।

ପରଦିନ ଛାଉଣୀ ଆଗରେ ଘୋଡ଼ାଗୁଡ଼ିକୁ ପରୀକ୍ଷା କରାହୋଉଛି । ସମୟ ପ୍ରାୟ ନ’ଟା-। ଏଲ ଦାରିମ୍‍ର ଅନୁଚର ଆଭାରନ୍ ଆସି ଜଣାଇଲା ଯେ, ଦେଖା କରିବାକୁ ଗୋଟିଏ ଲୋକ ଆସିଛି ।

ଏଲ ଦାରିମ୍‍ କହିଲେ–ତାଙ୍କୁ ନେଇ ଆସ ।

ବିଦେଶୀ ଲୋକଟିକୁ ଦେଖି କହିଲେ–ତମର ଦରକାର କ’ଣ ? ସେ କହିଲେ, ଆପଣଙ୍କ ଘୋଡ଼ାପାଇଁ ପରା ଭଲ ଚାଳକ ଚାହାନ୍ତି ?

–ସେ ଚାଳକ ପାଇଛି ।

ଲୋକଟି ମୁଖ ମଳିନ ହେଲା । କହିଲା ରୋମ୍‍ର ସିଜରଙ୍କ ଅପେକ୍ଷା ଆପଣଙ୍କର ଘୋଡ଼ା ଭଲ ବୋଲି ଶୁଣିଛି ।

ତୋଷାମଦରେ ଏଇ ଦାରିମ୍‍ ମନ ଢଳିଲା ।

ଲୋକଟି କହିଲା–ଆପଣଙ୍କ ଘୋଡ଼ାଗୁଡ଼ିକୁ କ’ଣ ଦେଖି ପାରେ ?

–ନିଶ୍ଚୟ, କାହିଁକି ନୁହେ । ପଡ଼ିଆରେ ଗୋଟିଏ ଯୁବକ ଘୋଡ଼ା ଚଳାଇ ପରୀକ୍ଷା କରୁଛି-। ସେଠାକୁ ଗଲେ ଦେଖି ପାରିବ ।

ଗୋଟିଏ ଭୃତ୍ୟ ସହିତ ଏଲ ଦାରିମ୍‍ ବିଦେଶୀଟିକୁ ପଡ଼ିଆକୁ ପଠାଇଦେଲା, ଚାଳକକୁ ଦେଖି ସଂଶୟ ହେଲା, ତା’ପରେ ସେ ସେଠାରୁ ଚାଲିଗଲା ।

 

ଏ ବିଦେଶୀ ହେଲା ମେଖାଲା । ଛଦ୍ମ ବେଶରେ ବେନ୍‍ହୁର ସଂଧାନରେ ଆସିଥିଲା ।

 

ଫେରି ଯାଇ ସେ ଗ୍ରେଟାସ୍‍କୁ ଲେଖିଲା–ଗଭର୍ଣ୍ଣର ଗ୍ରେଟାସ୍ । ଜଣେ ଯୁବକ କ୍ରୀତଦାସକୁ ଜାହାଜର ନାଉରିଆ ରୂପେ ନିଯୁକ୍ତ କରିଥିଲେ । ତା’ର ନାମ ବେନ୍‍ହୁର । ନିଶ୍ଚୟ ମନେ ଥିବ । ସେ ମରିନି, ବଂଚିଛି । ବର୍ତ୍ତମାନ ଆନ୍ତିୟକର ସେନାପତି କୁଇଣ୍ଟାସ୍ ତାକୁ ପୋଷ୍ୟପୁତ୍ର ରୂପେ ଗ୍ରହଣ କରିଛନ୍ତି । ଏବେ ତା’ର ନୂଆ ନାମ ଟାମଭିର ଏରିୟାସ୍ । ଏବେ ତା’ର ଅନେକ ସଂପତ୍ତି ଓ ପ୍ରତିପତ୍ତି । ମା ଓ ଭଉଣୀଙ୍କ ଉଦ୍ଧାରପାଇଁ ଲାଗି ପଡ଼ିଛି । ସେ ଯୁବକ ଏବେ ସେଖ୍ ଏଲ ଦାରିମ୍‍ ପାଖରେ ଅଛି । କନସାଲ ମାକସେଣ୍ଟିୟାସ୍‍ ଏଠାକୁ ଆସି ଯଦି ସେଖ୍ ଏଲ ଦାରିମ୍‍କୁ ବନ୍ଦୀ କରି ରୋମ୍‍କୁ ପଠାଇଲେ ମଙ୍ଗଳ ହେବ । ବେନ୍‍ହୁର ସଂପର୍କରେ ଯାହା କରିବାର କଥା ମୁଁ କରିବି-। ଦୁଇଟି ଚିଠି ଦେଇ ଦି’ଜଣ ଲୋକଙ୍କୁ ପଠାଇଛି । ଜଣେ ଜାହାଜରେ ଯିବ ଓ ଅନ୍ୟ ଜଣକ ଘୋଡ଼ାରେ ଯିବ ।

 

ଏତିକିବେଳେ ଆଉ ଏକ ଘଟଣା ଘଟିଲା । ମୁଲୁସ୍‍ ସାଇମାଣ୍ଡିସ୍‍ର ଏକ ଜରୁରୀ ଚିଠି ନେଇ ସେଖ୍ ଏଲ ଦାରିମ୍‍ ହାତରେ ଦେଲା । ଆପଣଙ୍କୁ ଗୋଟିଏ ଖୁବ୍ ଜରୁରୀ ଖବର ଜଣାଉଛି । ରୋମାନ୍‍ମାନଙ୍କ ଛଡ଼ା ଅନ୍ୟ ଜାତିଙ୍କଠାରୁ ଟଙ୍କା ପଇସା ସଂପତ୍ତି ମିଥ୍ୟାରେ କାଢ଼ି ନେବାପାଇଁ ରୋମାନ୍‍ ଅଫିସର ଆସୁଛନ୍ତି । କନସାଲ ମାକ୍ ସେଣ୍ଟିୟାସ୍‍ ଦିନେ ଦିଦିନ ଭିତରେ ଆସୁଛନ୍ତି । ସତର୍କ ରହିବେ । ଆପଣଙ୍କ ବିରୁଦ୍ଧରେ ଭୟଙ୍କର ଚକ୍ରାନ୍ତ ଚାଲିଛି । ଆପଣଙ୍କର ଅନିଷ୍ଟ ଏବଂ ଅପମାନ କରିବାପାଇଁ ଜଣେ ରୋମାନ୍‍ ଅଫିସର ଉଠିପଡ଼ି ଲାଗିଛି । ଆନ୍ତିୟକର ଦକ୍ଷିଣରେ ଯେଉଁ ପଥରେ ଆପଣଙ୍କର କର୍ମଚାରୀମାନେ ନିତି ପହରା ଦେଉଛନ୍ତି, ଏଚିଠି ପାଇବା ପରେ ସେମାନଙ୍କୁ ତୁରନ୍ତ ଆଦେଶ କରନ୍ତୁ, ଯେପରି ସେମାନେ ଯାତ୍ରୀମାନଙ୍କୁ ଭଲ ତଲ୍ଲାସ୍ କରନ୍ତୁ । କାହାକୁ ଯେପରି ଛାଡ଼ି ଦେବେ ନାହିଁ । ଯାଞ୍ଚ କଲେ ଚକ୍ରାନ୍ତର ସଂଧାନ ନିଶ୍ଚୟ ମିଳିବ । ଏ ହୁକୁମ ଶୀଘ୍ର ଜାହିର କରନ୍ତୁ । ମୁହୂର୍ତ୍ତକପାଇଁ ଅପେକ୍ଷା କରିବେନାହିଁ । ପଢ଼ିସାରି ଏଇଠି ପୋଡ଼ିଦେବେ ।

 

ଆପଣଙ୍କର ବଂଧୁ । ଚିଠିଟି ଥରକୁ ଥର ପଢ଼ି ସେଖ୍ ଏଲ ଦାରିମ୍‍ ଅଣ୍ଟି ଭିତରେ ଚିଠିଟି ରଖି ପହରାଦାରମାନଙ୍କୁ ଡାକିଲେ ।

 

ପଡ଼ିଆରୁ ବେନ୍‍ହୁର ଫେରିଆସିଲା ପରେ ସେ ଏ ଚିଠି ତାକୁ ଗୋପନରେ ଦେଖାଇଲେ । ଚିଠିପଢ଼ି ବେନ୍‍ହୁର କହିଲା–ଏଠାକୁ ମୁଁ ଏକ ଉଦ୍ଦେଶ୍ୟରେ ଆସିଥିଲି । ଏ ଉଦ୍ଧତ ମେଖାଲାକୁ ନିଶ୍ଚୟ ପରାସ୍ତ କରିବି । ରୋମାନ୍‍ମାନଙ୍କର ଗର୍ବ ଚୂର୍ଣ୍ଣ କରି ଜଣାଇଦେବାକୁ ଚାହେଁ ଯେ, ଇହୁଦୀମାନେ କୌଣସି ଅଂଶରେ ତାଙ୍କଠାରୁ ନ୍ୟୂନ ନୁହନ୍ତି । ଏ ଚିଠି ପରେ ଆପଣଙ୍କୁ ମୋର ଜୀବନ ଇତିହାସ କହିବା ବାଞ୍ଛନୀୟ ।

 

ବେନ୍‍ହୁର ଜୀବନର କାହାଣୀ କହିଗଲା । ତା’ପରେ କହିଲା–ମାର୍କ ସେଣ୍ଟିୟାସ୍‍ ଆସି ଯଦି କୌଣସି ଉପାୟରେ ଆପଣଙ୍କୁ ବନ୍ଦୀ କରେ ଏବଂ ରୋମ୍‍କୁ ପଠାଏ, ମୁଁ ଆଶ୍ଚର୍ଯ୍ୟ ହେବିନାହିଁ-

 

ସେଖ୍‍ ସାହେବ କହିଲେ–ମୋତେ ପଠେଇବ ରୋମ୍ ! କ’ଣ ଭାବିଛି କି ? ମୋ ତମ୍ବୁରେ ଦଶହଜାର ସଶସ୍ତ୍ର ଜବାନ ପ୍ରସ୍ତୁତ । ଆଜି ଯଦି ତମର ଏ ବୟସ ଫେରି ପାଇଥାନ୍ତି, ତେବେ ଆମ ଜାତିର ଏ ଜନ୍ମଦାସତ୍ୱ ଓ ପରାଧୀନତାକୁ ଧ୍ୱଂସ କରିଥାନ୍ତି ।

 

ଏହା କହି ସେ ପଦଚାରଣା କରିବାକୁ ଲାଗିଲେ । ତା’ପରେ କହିଲେ–ତମର ବୟସ ଫେରି ପାଇଲେ, ହତିଆର ଚଳାଇ ପାରୁଥିଲେ, ଜବାନ ହୋଇଥିଲେ, ଯଦି ଏ ଅପମାନର ଅତ୍ୟାଚାର ରୋକିବାକୁ ମୋର ସାମର୍ଥ୍ୟ ଥାନ୍ତା । କ’ଣ କରିବି । ତମେ ତ ପ୍ରିନ୍‍ସ ହୁର୍‍ର ପୁଅ । କୁଇଣ୍ଟାସ୍‍ର ପୋଷ୍ୟପୁତ୍ରଠାରୁ ଅନେକ ବଡ଼ । ତମର ପିତୃ ପରିଚୟ ବିରାଟ । ପ୍ରକାଶ କର ହୁର୍‍ ।

 

କହୁଁ କହୁଁ ସେ ଆଉ ଥରେ ହୁର୍‍କୁ ଚାପି ଧରିଲେ ବୁକୁରେ–ଏମାନେ ମୋଉପରେ ବି ଅମାନୁଷିକ ଅତ୍ୟାଚାର କରିଛନ୍ତି । ତା’ଠାରୁ ତମଉପରେ ଅଧିକ ଅତ୍ୟାଚାର କରିଛନ୍ତି, ସେ ଅତ୍ୟାଚାର ମୋଉପରେ କରିଥିଲେ ମୁଁ ଦେଶ ଦେଶରେ, ନଗର ଗାଁରେ, ପାହାଡ଼ରେ ବଣରେ ଚିତ୍କାର କରି ରୋମ୍‍ ବିରୁଦ୍ଧରେ ଉତ୍ତେଜିତ କରାନ୍ତି । ଗୋଟାଏ ରୋମାନ୍‍କୁ ମୁକ୍ତି ଦିଅନ୍ତି ନାହିଁ । ରୋମ୍‍କୁ, ରୋମାନ୍‍ ଜାତିଟାକୁ ଜାଳି ନାରଖାର କରିଦିଅନ୍ତି ।

 

ଉତ୍ତେଜନାରେ ବୃଦ୍ଧଙ୍କର ସର୍ବ ଶରୀର କଂପି ଉଠୁଛି ।

 

ଦିହାତ ମୁଷ୍ଟିବଦ୍ଧ । ନିଃଶ୍ଵାସ ଯେପରି ବନ୍ଦ ହୋଇଯିବ । ଦୁତ ଆସି ହଠାତ୍ ଖବର ଦେଲା ଯେ ଗୁପ୍ତଚର ଧରାପଡ଼ିଛି । ଏ ଚିଠି ନେଇ ରୋମାନ୍‍ ଅଶ୍ୱାରୋହୀ ଯାଉଥିଲାବେଳେ ଆପଣଙ୍କ ହୁକୁମ ଆନୁଯାୟି ତଲାସ କରିବାରୁ ଏ ଚିଠି ମିଳିଛି ।

 

ଏ ତ ମେଖାଲାର ଚିଠି । ଗ୍ରେଟାସ୍‍କୁ ଲେଖିଛି ।

 

ସେଖ୍ କହିଲେ–ସେ ଅଶ୍ଵାରୋହୀ କାହିଁ ?

 

–ତାକୁ ଫାଟକରେ ଅଟକ ରଖାହୋଇଛି । ଆପଣଙ୍କ ଆଦେଶ ଅପେକ୍ଷାରେ ।

 

–ଯାଅ ପରେ ବିଚାର ।

 

ଚିଠି ପଢ଼ି ସେ ବେନ୍‍ହୁର ହାତକୁ ଦେଲା । ବେନ୍‍ହୁର ସେ ଚିଠି ପଢ଼ିଲା, କହିଲା–ଭଗବାନ ଏକମାତ୍ର ସହାୟ ।

 

–ନିଶ୍ଚୟ । ଆମେ କାହାରି ଅନ୍ୟାୟ କରିନୁ । ଅତ୍ୟାଚାର କରିନୁ । ସବୁ ଜାତିର ମଣିଷକୁ ମଣିଷ ବୋଲି ଜ୍ଞାନ କରୁ । କ୍ଷମତାର ଦର୍ପରେ ଏବଂ ବିଳାସରେ ଏମାନେ ସବୁ ଭୁଲିଯାଇଛନ୍ତି । ଭଗବାନଙ୍କୁ ମଧ୍ୟ ଭୁଲିଗଲେଣି । ମୁଁ ଦେଖି ପାରୁଛି ହୁର୍‍–ରୋମ୍‍ ଅଚିରେ ଧ୍ଵଂସ ପାଇବ । ଅନ୍ୟାୟ ଅନାଚାର ଅତ୍ୟାଚାର ଅହଂକାର ବିଷରେ ଏମାନେ କେହି ବଞ୍ଚିପାରିବେ ନାହିଁ ।

 

ବେନ୍‍ହୁର କହିଲା–ରୋମ୍‍ର ଏସବୁ ଅତ୍ୟାଚାର ବିରୁଦ୍ଧରେ ସଂଗ୍ରାମ କରିବି । ଏହାହିଁ ମୋର ଜୀବନର ବ୍ରତ । ରୋମରେ ମୁଁ ଯୁଦ୍ଧ କୌଶଳ ଶିଖିଛି । ଅନେକ ରୋମାନ୍‍ ଯୋଦ୍ଧା ସହିତ ମୋର ପରିଚୟ ହୋଇଛି । ମୁଁ କେପ୍‍ଟାନ ହେବାକୁ ଚାହେଁ, ପାର୍ଥୀୟାନମାନଙ୍କୁ ପ୍ରଥମେ ଖେଳରେ ପରାସ୍ତ କରିବାକୁ ଚାହେଁ । ତା’ପରେ ରୋମ୍‍ ଓ ରୋମାନ୍‍ଜାତିଉପରେ ମୋର ଶକ୍ତିର ପରୀକ୍ଷା ହେବ ।

 

ବେନ୍‍ହୁର କାନ୍ଧରେ ହାତରଖି ସେଖ୍ ଏଲ ଦାରିମ୍‍ କହିଲେ–ତମର ଏ କାର୍ଯ୍ୟରେ ମୁଁ ସହାୟ ହେବି । ମୋର ବିଶାଳ ସୈନ୍ୟ ସାମନ୍ତ, ଅସ୍ତ୍ର, ଶସ୍ତ୍ର, ଘୋଡ଼ା ଓଟ ଦେଇ ତମକୁ ସାହାଯ୍ୟ କରିବି । ଭଗବାନହିଁ ଆମର ସହାୟ । ଆଜି ରାତ୍ରି ପୂର୍ବରୁ ମୋର କିଛି ପରିଚୟ ପାଇ ପାରିବ ।

Image

 

ନଅ

 

ସଂଜ ହେଇଛି ।

 

ଏଲ ଦାରିମ୍ ସହରକୁ ଯାଇଛନ୍ତି । ଛାଉଣୀରେ ବସିଛି ବେନ୍‍ହୁର । ହଠାତ୍ ଘୋଡ଼ା ଟାପୁର ଶବ୍ଦ ଭାସି ଆସିଲା ମୁଲୁସ୍‍ ଘୋଡ଼ାରୁ ଓହ୍ଲାଇଲା ।

 

ବେନ୍‍ହୁର ପଚାରିଲା–ତମେ ହଠାତ୍ ଯେ ?

 

–ସେଖ୍ ସାହେବ ଆନ୍ତିୟକରେ ଅଛନ୍ତି । ତମକୁ ବର୍ତ୍ତମାନ ଯିବାକୁ ହେବ ।

 

ତା’ପରେ ଦୁହେଁ ଆନ୍ତିୟକକୁ ଚାଲିଲେ । ସଳଖ ରାସ୍ତାରେ ନ ଯାଇ ଅଙ୍କା ବଙ୍କା ରାସ୍ତାରେ ସାଇମଣ୍ଡେସ୍ ଘରକୁ ଆସିଲେ । ମୁଲୁସ୍‍ କହିଲା–ସେମାନେ ଘରଭିତରେ ଅଛନ୍ତି, ଯାଅ-

 

ଘୋଡ଼ାରୁ ଓହ୍ଲାଇ ବେନ୍‍ହୁର ଘରକୁ ଆସିଲା । ଘରଭିତରେ ସେଖ୍ ସାହେବ । ସାଇମାଣ୍ଡିସ୍ ଓ ଏସ୍‍ଥାର ନୀରବରେ ବସିଛନ୍ତି ।

 

ବେନ୍‍ହୁର ଅଭିବାଦନ କରି କହିଲା–ମୋତେ ଡକେଇଛନ୍ତି ?

 

ସାଇମଣ୍ଡିସ୍‍ କହିଲେ–ଭଗବାନ ତମର, ମଙ୍ଗଳକରନ୍ତୁ । ଏସ୍‍ଥାର ଆସନ ପକାଇ ବେନ୍‍ହୁରକୁ କହିଲା–ବସନ୍ତୁ । ସାଲମଣ୍ଡିସ୍‍ ପାଖରେ ବସିଲା ବେନ୍‍ହୁର ।

 

ଗୋଟାଏ ଦଲିଲ ପତ୍ରର ବଣ୍ଡଲ୍ ସାଇମଣ୍ଡିସ୍‍ ବେନ୍‍ହୁରକୁ ବଢ଼ାଇ ଦେଇ କହିଲା–ତମର ପାଉଣାର ହିସାବପତ୍ର ଏଇଠି ଅଛି । ତମେ ଯେ ପ୍ରିନ୍‍ସଙ୍କ ପୁଅ, ଜାଣି ପାରିଛି । ତମର ହିସାବ ବୁଝି ଦେଖିନିଅ ।

 

ରୋମାନ୍‍ମାନଙ୍କ ହାତରୁ ତମର ବାପାଙ୍କର କେତେ ଟଙ୍କା ଦେଶ ବିଦେଶ ବୁଲି ଆଦାୟ କରିଛି, ତା’ର ହିସାବ ଅଛି । ବ୍ୟବସାୟରେ ଲାଭ ଓ ମୂଳଧନ କଥା ମଧ୍ୟ ଅଛି । ପରିମାଣ ଲକ୍ଷେ ଚଉତିରିଶି ହଜାର ଦୁଇଶହ ହେବ । କୌଣସି ସମ୍ରାଟର ଏହାର ଚାରିଭାଗରୁ ଭାଗେ ହେଲେ ଖଜଣାଖାନାରେ ନାହିଁ । ଏ ଟଙ୍କାରେ ତମେ ରାଜ୍ୟ କିଣିପାର ।

 

ବେନ୍‍ହୁର ଆଖିରେ ଲୁହ ଭରିଗଲା । ସେ କହିଲା–ଆପଣ ଏତେ ମହତ୍, ଉଦାର ! ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ । ଏତେ ଦୁଃଖ କଷ୍ଟରେ ଭଗବାନଙ୍କୁ ମୁଁ ଭୁଲିନି । ଏବେ ମୋର କିଛି କହିବାର ଅଛି । ମୋ କଥା ଆପଣଙ୍କୁ ଶୁଣିବାକୁ ହେବ ।

 

–କୁହ

 

–ଏସବୁ ସମ୍ପତ୍ତି, ମଣିରତ୍ନ, ଘରଦ୍ୱାର ଆପଣଙ୍କୁ ଦେଉଛି । ସେଖ୍‍ ସାହେବ ସାକ୍ଷୀ । ଏସବୁ ଆପଣଙ୍କର–ଏସ୍‍ଥାର । ମୋର ଏଥିରେ ଲୋଭ ନାହିଁକି ପ୍ରୟୋଜନ ନାହିଁ ।

 

ଏସ୍‍ଥାର ଆଖିରେ ରୋତକ । ମୁଖରେ ହସ । ସେଖ୍ ଏଲ ଦାରିମ୍‍ର ଆଖିରୁ ଝରିପଡ଼ିଲା ଲୋତକ । ସେ ଘନ ଘନ ହାତ ବୁଲାଇବାକୁ ଲାଗିଲେ ଦାଢ଼ିରେ ।

 

ବେନ୍‍ହୁର କହିଲା–ଏକଥା ଲେଖି ଦଲିଲ କରି ସିଲ୍ ଦେଇ ଆପଣଙ୍କୁ ଦେବାକୁ ଚାହେଁ-। ଆପଣଙ୍କ ପରେ ଏ ସମ୍ପତ୍ତି ଆପଣଙ୍କର ସନ୍ତାନ ଉପଭୋଗ କରିବ । ଦଲିଲରେ ସାକ୍ଷୀ ରହିବେ ସେଖ୍ ସାହେବ । ଗୋଟାଏ କଥା ବାପାଙ୍କ ମୃତ୍ୟୁ ବେଳକୁ ଯାହା ଟଙ୍କା ଥିଲା, ତାହାହିଁ ନେବି । ତା’ଠାରୁ ପାହୁଲାଟିଏ ଅଧିକ ନୁହେଁ । ମୋର ମା ଓ ଭଉଣୀର ଅନୁସଂଧାନ କରାନ୍ତୁ, ସେଥିପାଇଁ ଯାହା ଅର୍ଥ ଦରକାର ଦେବାକୁ ପ୍ରସ୍ତୁତ ହେବେ । ଆପଣଙ୍କ ଦୟା ।

 

–ଦୟା, ଅପେକ୍ଷା କର । ଏବେ ବି ହିସାବ ଦିଆ ସରିନି । କାଗଜଗୁଡ଼ିକ ପଢ଼, ସମସ୍ତେ ଶୁଣିବେ ।

 

ବେନ୍‍ହୁର କାଗଜ ନେଇ ପଢ଼ିଲା, ବିରାଟ ଫର୍ଦ୍ଦ…

 

ବେନ୍‍ହୁର ଏସ୍‍ଥାର ଆଡ଼କୁ ଅନାଇଲା–କ୍ରୀତଦାସର ପିଲାଝିଲା ମଧ୍ୟ କ୍ରୀତଦାସ । ଏହାହିଁ ଆଇନ । ଏକଥା ତ ବେନ୍‍ହୁର କେବେ ଭାବିନାହିଁ । ସେ କହିଲା–ଏ ଐଶ୍ୱର୍ଯ୍ୟ ବିପୁଳ ସେଥିରେ ସଂଦେହ ନାହିଁ; କିନ୍ତୁ ଏ ଐଶ୍ଵର୍ଯ୍ୟଠାରୁ ତମର ମନର ଐଶ୍ଵର୍ଯ୍ୟ କେତେ ବିରାଟ ! ଏତେ ପ୍ରାଚୁର୍ଯ୍ୟ ଭିତରେ ଆପଣଙ୍କ ମନ କଳୁଷିତ ହୋଇନି । ଏହାର ମର୍ଯ୍ୟାଦା ନ ଦେଲେ ମହାପାପ ହେବ । ସେଖ୍‍ ସାହେବ ସାକ୍ଷୀ । ତାଙ୍କ ଆଗରେ ଦଲିଲ ଲେଖି ମୁଁ ମୁକ୍ତି ଦେବି ।

 

ସାଇମାଣ୍ଡିସ୍ କହିଲା–ତମରି କଥାରେ ମୋ ମନରୁ ଦାସତ୍ଵର ବଂଧନ କଟିଛି । ତମେ ମୁକ୍ତି ଦେଲେ କ’ଣ ହେବ, ଆମର ମୁକ୍ତି ମିଳିବ ନାହିଁ । ଏ ଆଇନ ମାନିବ ନାହିଁ–ଚିରିଦିନପାଇଁ ଆମେ କ୍ରୀତଦାସ, ଦେଖୁନ ମୋର କାନରେ କଣା ହୋଇଛି

 

–ଏକଥା କିଏ କଲା, ବାପା ?

 

–ନା, ନା ସେ ମୋତେ କ୍ରୀତଦାସ କରିନାହାନ୍ତି । କ୍ରୀତଦାସ ହୋଇଥିଲି କେବଳ ଏସ୍‍ଥାରର ମାକୁ ବିବାହ କରିବାପାଇଁ । ତାଙ୍କ ମା ଥିଲେ ତମ ପରିବାରର ଚିର କ୍ରୀତଦାସୀ ।

 

ବେନ୍‍ହୁର କହିଲା–ଏତେ ଉଚ୍ଚ ଆପଣଙ୍କର ମନ ! ମୁଁ ଆପଣଙ୍କର ଦାସାନୁଦାସ ହେଲେ ଧନ୍ୟହେବି ।

 

–ଛି ! ଏକଥା କହିବାର ନୁହେଁ । ମୁଁ ଯାହା ଅଛି, ସେଇଆ ରହିବି । ତମର ବିଷୟ ସମ୍ପତ୍ତି ଦେଖିବି । ବ୍ୟବସାୟ ଦେଖିବି ।

 

ଦୀର୍ଘ ନିଃଶ୍ଵାସ ପକାଇ ବେନ୍‍ହୁର କହିଲା, ମୋର ‘ନା’ବୋଲି କହିବାର କ’ଣ ଉପାୟ ଅଛି ? ତା’ପରେ ବେନ୍‍ହୁର ଏସ୍‍ଥାର ଆଡ଼କୁ ଅନାଇ କହିଲା–ଏସ୍‍ଥାର ତମେ କିଛି କୁହ ? ସଂକୋଚ କରନା ?

 

ଏସ୍‍ଥାର କହିଲା–ମୋର ବାପା ନାହାନ୍ତି । ବାପାଙ୍କୁ କିଏ ଦେଖିବ ? ମୁଁ ବାପାଙ୍କର ସେବା କରିବି–ଏହାଛଡ଼ା ମୋର କିଛି ଲୋଡ଼ା ନାହିଁ ।

 

–ବେଶ୍‍, ସେଇଆ ହେଉ ।

 

ତା’ପରେ ଅନେକ ସମୟ ଧରି ସମସ୍ତେ ନୀରବ ରହିଲେ ।

 

ବେନ୍‍ହୁର କହିଲା–ଗ୍ରେଟାସ୍ ଓ ମେଖାଲା ମୋର ସର୍ବସ୍ଵ ଲୁଣ୍ଠନ କରିଛନ୍ତି । ସେମାନେ ଜାଣନ୍ତି ସିଜାର ନିକଟରେ ଆମର ଖାତିର ଅନେକ ଏବଂ ସେମାନେ ଦି’ଜଣ ମୋତେ ମାରିବାକୁ ଉଦ୍ୟମ କରିବେ ।

 

ସାଇମାଣ୍ଡିସ୍ କହିଲେ–ନିଶ୍ଚୟ । ଆଚ୍ଛା କୁଇଣ୍ଟାସ୍‍ କ’ଣ ତମକୁ ସମ୍ପତ୍ତି ଘରଦ୍ଵାର ଦେଇଛନ୍ତି ?

 

–ସେ ମୋତେ ଦେଇଛନ୍ତି ସ୍ଥାବର ସମ୍ପତ୍ତି । ମିଶଲାଶେର ଚମତ୍କାର ଭିଲା ଓ ରୋମରେ ଅନେକ ଗୁଡ଼ିଏ ବଡ଼ ବଡ଼ ଘର ଓ ବଗିଚା ।

 

–ସେସବୁ ବିକ୍ରିକରି ନଗଦ ଟଙ୍କା ରଖ । ମୋତେ ଲେଖିଦିଅ କେଉଁଠି କେତେ ସମ୍ପତ୍ତି ଅଛି । ସେଗୁଡ଼ିକ ବିକି ଟଙ୍କା ବ୍ୟବସ୍ଥା କରିବି । କିଛି କରିବା ପୂର୍ବରୁ ସେମାନେ ଯେପରି ଲୁଣ୍ଠନ କରିପାରିବେ ନାହିଁ ।

 

–ବେଶ୍‍ କାଲି ସକାଳେ ତା’ର ହିସାବ ଦେବି ।

 

–ତମେ ବେଶ୍‍ ହୁସିଆର ଥିବ, କାରଣ ତମ ଉପରେ…

 

–ହୁସିଆର ଅଛି–ରହିବି ।

 

–ବେଶ୍, ତା’ହେଲେ ରାତିହେଲାଣି । ଶୋଇପଡ଼, ମୁଁ ମଧ୍ୟ ଶୋଇବାକୁ ଯିବି ।

 

ବେନ୍‍ହୁର କିନ୍ତୁ ଶୋଇବାକୁ ଗଲା ନାହିଁ ।

 

ମନରେ ତା’ର କେତେ ଚିନ୍ତା ଭାବନା ମୁଣ୍ଡ ଟେକିଲା । ସେ ଛାତ ଉପରେ ଠିଆ ହେଲା-। ଜୋଛନା ରାତି । ଚନ୍ଦ୍ର କିରଣରେ ନଦୀର ବୁକୁ ଝଲମଲ କରୁଛି ।

 

ବେନ୍‍ହୁର ଏକାକୀ ଠିଆ ହୋଇଛି । କଳ୍ପନାରେ ତନ୍ମୟ । କାହାର ନିଃଶ୍ୱାସର ଶବ୍ଦରେ ଚମକିପଡ଼ିଲା । ଦେଖିଲା, ରୂପସୀ ଏସ୍‍ଥାର । କେତେବେଳେ ଆସି ପାଖରେ ଠିଆ ହୋଇଛି ।

 

–ତମେ କେବେ ରୋମ୍‍କୁ ଯାଇଛ ଏସ୍‍ଥାର ?

 

–ନା ।

 

–ଯିବାର ଇଚ୍ଛା ଅଛି ?

 

–ନା–

 

–ଏତେବଡ଼ ସହର, ଦେଖିବାକୁ ଇଚ୍ଛା ହୁଏନା ।

 

–ନା, ରୋମ୍‍କୁ ଭୟ ଲାଗେ ।

 

ବେନ୍‍ହୁର ଏସ୍‍ଥାର ଆଡ଼କୁ ଅନାଇଲା । ଭଉଣୀର କଥା ମନେ ପଡ଼ିଲା ।

 

ଏସ୍‍ଥାର କହିଲା–ମୋର ମନେହୁଏ ରୋମ୍ ବଡ଼ ସହର; କିନ୍ତୁ ସେଠାରେ ମଣିଷ, ଦେବତା, ମନ୍ଦିର କିଛି ନାହିଁ–ଯିମିତି ରାକ୍ଷସୀ । ଯେ ଯାଏ ସେଠାରେ ସବୁହରାଏ । ଶାନ୍ତିପାଏ ନା-। ରୋମରେ ଆପଣଙ୍କର ବଡ଼ ଘର–ବଗିଚା ଅଛି, ନୁହେଁ ?

 

–ହଁ କେତେ ଫୁଲ, ଝରଣା, ମୂର୍ତ୍ତି ଅଛି ।

 

–ସେଠାରେ ଲୋକ ନ ଥାନ୍ତି, ଭିଡ଼ ନ ଥାଏ ।

 

–ସବୁବେଳେ ଭିଡ଼ । କେତେ ଲୋକ ଯା’ନ୍ତି ଆସନ୍ତି । କାହିଁକି ପଚାରୁଛ କୁହ ତ ?

 

–ଏହିପରି ହଜୁର ।

 

–ନା, ନା, ମୋତେ ହଜୁର କୁହନା, ମୁଁ ବନ୍ଧୁ । ନା, ନା, ତୁମର ବଡ଼ ଭାଇ । ଭାଇ ବୋଲି ଡାକ ।

 

–ଭାଇ !

 

–ହଁ ଆପଣ କୁହ ନାହିଁ ତୁମେ କୁହ । ତମେ ଆଜିଠାରୁ ମୋର ସାନ ଭଉଣୀ ।

 

ଉଦାସ ନୟନରେ ଅନାଇଛି ଏସ୍‍ଥାର ।

 

ବେନ୍‍ହୁର କହିଲା–ଟିରା ବୋଲି ମୋର ଭଉଣୀଟିଏ ଅଛି ।

 

–ରୋମାନ୍‍ମାନେ ଧରି ନେଇଛନ୍ତି ?

 

ବେନ୍‍ହୁର କହିଲା–ହଁ, ତାକୁ ନ ପାଇବା ପର୍ଯ୍ୟନ୍ତ ମୋ ମନରେ ସୁଖ ଶାନ୍ତି ନାହିଁ ।

Image

 

ଦଶ

 

ବାଜି–ଦୌଡ଼ ଆଗରୁ ସେଖ୍ ଏଲ ଦାରିମ୍‍ଙ୍କୁ ସତର୍କ ରହିବାକୁ ପଡ଼ିବ । କିଏ ଜାଣେ ମେଖାଲା ଯଦି ବାଜିରେ ହାରେ, ତେବେ ଆକ୍ରୋଶରେ ଲୁଟ ତରାଜ କରି ନେଇଯିବ । ବେନ୍‍ହୁର ଜୀବନର ସୁରକ୍ଷା ଭାର ତାଙ୍କ ଉପରେ ।

ରାସ୍ତାରେ ମୁଲୁସ୍‍କୁ ଭେଟିଲା ବେନ୍‍ହୁର । ମୁଲୁସ୍‍ ସବୁ ନିୟମ କାନୁନ ଦୌଡ଼ର କହିଲା, ମେଖାଲା ଦୌଡ଼ରେ ଲାଲ ପୋଷାକ ପିନ୍ଧିବ ଓ ତମେ ଧଳା ପୋଷାକ ପିନ୍ଧିବ । ଯେଉଁମାନେ ବାଜି ଧରିବେ, ସେମାନେ ଧଳା ଓ ଲାଲ ରିବନ ପିନ୍ଧିବେ । ଇହୁଦୀ ଓ ଆରବ ଲୋକମାନେ ଧଳା ରିବନ ବ୍ୟବହାର କରିଥାନ୍ତି । ତମ ଗାଡ଼ିଠାରୁ ମେଖାଲା ଗାଡ଼ି ଉଚ୍ଚ । ଏସବୁ ଜାଣିରଖ ।

ବେନ୍‍ହୁର କହିଲା–ମେଖାଲା ବାଜିରେ ଯେଉଁଠି ରହିବ, ତମେ ସେଠାରେ ରହିବ । ମନେ ଅଛି ତ ଫାଟକ ପାଖ ଗେଲେରିରେ ।

ବେନ୍‍ହୁର ରାସ୍ତାରେ ଆସୁଥିବା ବେଳେ ଖଣ୍ଡିଏ ବିଜ୍ଞାପନ କାଗଜ ପାଇଥିଲା । ସେଖ୍ ଏଲ ଦାରିମ୍‍ଙ୍କୁ ରାସ୍ତାରେ ଦେଖା ହେଲା ।

ସେ ପଚାରିଲେ–ସେଇଟା କି କାଗଜ ?

ବେନ୍‍ହୁର କହିଲା–ଶୁଣନ୍ତୁ, ମୁଁ ପଢ଼ୁଛି । ରଙ୍ଗଭୂମିରେ ଯେଉଁ ଯେଉଁ ଖେଳ ହେବ ତାହାର ଫର୍ଦ୍ଦ ଲେଖା ହୋଇଛି, କେଉଁ ଖେଳ ପ୍ରଥମେ ହେବ ଏବଂ ପଛରେ ହେବ ଲେଖା ହୋଇଛି । ତା’ର ବି । ପ୍ରତିଯୋଗିମାନଙ୍କର ନାମ, ଜାତି ଏଇସବୁ । ଶେଷରେ ଚାରି ଘୋଡ଼ା ଯୋଚା ଗାଡ଼ିର ଦୌଡ଼ ପ୍ରତିଯୋଗିତା ।

ଦୁଇ ନମ୍ବର ପ୍ରତିଯୋଗିତାରେ ଏଲ୍ ଦାରିମ୍‍ର ଘୋଡ଼ା ଏବଂ ପରିଚୟ ଦିଆ ଯାଇଛି । ପରିଚୟରେ ଅଛି, ସେ ଆରବ ମରୁଭୂମିର ସେଖ୍ । ରଙ୍ଗ ଲାଲ । ଚାଳକ ବେନ୍‍ହୁର । ଇହୁଦୀ ଓ ଧଳା ରଙ୍ଗର ପୋଷାକ ।

ବେନ୍‍ହୁର ଦେଖିଲା ଯେ, ‘ଟାସିଭିର ଏରିୟାସ’ ବଦଳରେ ବେନ୍‍ହୁରର ନାମ ରହିଛି । ଏହା ନିଶ୍ଚୟ ମେଖାଲାର କୌଶଳ ।

ପରଦିନ ଆନ୍ତିୟକରେ ଖେଳ ଜମିଉଠିଲା । ସର୍କସ ପ୍ରାଙ୍ଗଣରେ ଗେଲେରିଗୁଡ଼ିକରେ ସ୍ତ୍ରୀ ପୁରୁଷମାନଙ୍କର ପ୍ରବଳ ଭିଡ଼ । ସମସ୍ତଙ୍କ ମନରେ ଉଦବେଗ ଓ ଉତ୍ତେଜନା । ପ୍ରତିଯୋଗିମାନେ ଚାଲିଛନ୍ତି । ଗେଲେରିରୁ ଚିତ୍କାର ଶୁଭୁଛି । କିଏ ପାଟି କରୁଛି ମେଖାଲା, ମେଖାଲା । ଅନ୍ୟ ଦଳର ଚିତ୍କାର ବେନ୍‍ହୁର, ବେନ୍‍ହୁର । ଦର୍ଶକମାନଙ୍କ ମଧ୍ୟରେ ପ୍ରତିଯୋଗୀମାନଙ୍କ ମଧ୍ୟରେ ଶକ୍ତି ସାମର୍ଥ୍ୟର ଆଲୋଚନା, ପାଟିତୁଣ୍ଡ ।

ଖେଳ ଆରମ୍ଭ ହେଲା, ସମୟ ପ୍ରାୟ ତିନିଟା । ଲଙ୍ଗଜମ୍ପ, ହାଇଜମ୍ପ, କୁସ୍ତି ପରେ ବିଶ୍ରାମ-

ବିଶ୍ରାମ ପରେ ଘୋଡ଼ା ଦୌଡ଼ର ପ୍ରତିଯୋଗିତା ।

ସମସ୍ତଙ୍କର ଖିଆପିଆ ଆରମ୍ଭ ହୋଇଛି । ସମସ୍ତଙ୍କ କଣ୍ଠରେ କେବଳ ଦିଓଟି ନାମ–ମେଖାଲା ଓ ବେନ୍‍ହୁର, ବେନ୍‍ହୁର ଓ ମେଖାଲା । ସେଖ୍ ଏଲଦାରିମ୍‍, ସାଇମଣ୍ଡିସ୍‍ ଓ ଏସ୍‍ଥାର ପାଖାପାଖି ବସି ମଧ୍ୟାହ୍ନ ଭୋଜନ କରୁଛନ୍ତି ।

ହଠାତ୍ ବିଗୁଲ ବାଜି ଉଠିଲା । ପଡ଼ିଆର ପଶ୍ଚିମ ଦିଗରେ ଗୋଟିଏ ଖମ୍ବ । ସେଇ ଖମ୍ବ ଉପରେ ଜଣେ ଲୋକ ଆସି କାଠ ତିଆରି ସାତଟା ଗୋଲା ଓ ମାଛ ବସେଇ ଦେଲା । ଘୋଡ଼ାଗୁଡ଼ିକ ଖେଳପଡ଼ିଆରେ ଘୂରି ବୁଲିଲେ । ଘୋଡ଼ାମାନେ ଥରେ ଥରେ ବୁଲିଲେ, ଗୋଟିଏ ଗୋଟିଏ ଗୋଲା ଓ ମାଛ ଘୁଂଚାଇ ନିଆଯାଏ ତଳକୁ ।

ଏଥର ଦି’ଜଣ ପ୍ରତିଯୋଗି ଘୋଡ଼ାଯୋଚା ଗାଡ଼ି ନେଇ ଆସି ପଡ଼ିଆର ସୀମାରେ ଠିଆ ହେଲେ । ଗେଲେରିରେ ଘନଘନ କରତାଳି ପଡ଼ିଛି । ସମସ୍ତେ ମୁଣ୍ଡ ଉଠାଇ ସେମାନଙ୍କୁ ଦେଖୁଛନ୍ତି-। ଘୋଡ଼ା ଯେ ଚଳାଏ, ସେ ଗାଡ଼ିରେ ଠିଆ ହୋଇଛି ଦଉଡ଼ି ଧରି । ପ୍ରତ୍ୟେକ ପ୍ରତିଯୋଗୀ ପଛରେ ଜଣେ ଜଣେ ଅନୁଚର । ଘୋଡ଼ା ଯଦି ବିଗିଡ଼ିଯିବ, ଏହି ଅନୁଚରମାନେ ଘୋଡ଼ା ଅଟକାଇବେ ।

 

ପୁଣି ବିଗୁଲ ବାଜିଉଠିଲା, ପ୍ରତିଯୋଗିମାନେ ଘୋଡ଼ା ଛୁଟେଇ ଦେଲେ । ଗେଲେରିରେ ଲୋକେ ଠିଆ ହୋଇ ପଡ଼ିଲେ । କି ବିକଟ ଚିତ୍କାର ! ଆରମ୍ଭ ହେଲା ଦୌଡ଼ ।

 

ଯେଉଁଠାରେ ବାଜି ଆରମ୍ଭ ହେବ, ସେଠାରେ ଘୋଡ଼ା ଯୋଚା ଗାଡ଼ିଗୁଡ଼ିକ ସେହି ଦଉଡ଼ର ପଛପଟେ ଧାଡ଼ି ଧାଡ଼ି ଠିଆ ହେଲେ । ବିଗୁଲ ପୁଣି ବାଜି ଉଠିଲା, ଦଉଡ଼ି ଘୁଞ୍ଚାଇ ନିଆଗଲା, ସଙ୍ଗେ ସଙ୍ଗେ ଗାଡ଼ିଗୁଡ଼ିକ ଛୁଟିଲା ।

 

ଗେଲେରିରେ ଚିତ୍କାର–ସାବାସ, ସାବାସ, କଳା ଘୋଡ଼ା ଆଗରେ ଗଲା, ନା ନା ଧଳା ଘୋଡ଼ା । ମେଖାଲା ଆଗରେ ଚାଲିଛି, ତୀର ଭଳି ଗାଡ଼ି ଛୁଟିଛି, ମେଖାଲା ନିଶ୍ଚୟ ଜିତିବ । ମେଖାଲା ଓ ବେନ୍‍ହୁର ସମସ୍ତଙ୍କୁ ଟପି ଆଗେଇ ଚାଲିଛନ୍ତି ଓ ତାଙ୍କ ପାଖରେ ଏଥେନି । ସେମାନେ ଯେ ଆଗକୁ ଟପିଗଲେ । ବେନ୍‍ହୁର ପଛରେ ପଡ଼ିଗଲା–ବିଚରା ଇହୁଦୀ, ଏସ୍‍ଥାରର ବୁକୁ ଦୁରୁ ଦୁରୁ କଂପୁଛି । ଏଇ ଯେ ମେଖାଲା ଚାଲିଛି, ଏଥର ବେନ୍‍ହୁର ଟପି ଯାଇଛି । ସମସ୍ତଙ୍କ ଆଗରେ ଛୁଟିଛି ବେନ୍‍ହୁରର ଘୋଡ଼ା । ମେଖାଲା ବେନ୍‍ହୁରର ଶତ୍ରୁ, ସେ ମଧ୍ୟ ଧାଇଁଛି ଟପିବାକୁ । ଲୋକଟା ଖରାପ କିଛି ଗୋଟାଏ ଯଦି କରିପକାଏ, ତେବେ !

 

ତିନୋଟି ସ୍ତମ୍ଭ ଠିଆ ହୋଇଛି । ସ୍ତମ୍ଭଗୁଡ଼ିକରୁ ପଡ଼ିଆଟା ବଙ୍କେଇ ଯାଇଛି । ଗାଡ଼ି ବୁଲାଇବା ଏଠାରେ ସହଜ ନୁହେଁ, ଅନେକ ଗାଡ଼ି ଏଠାରେ ଜଖମ ହୁଏ । ଏସ୍‍ଥାର ଭୟରେ ଥରିଉଠିଲା ।

 

ମେଖାଲା କୌଶଳ କଲା, ବାଙ୍କ ମୁହଁରେ ଚାବୁକରେ ବେନ୍‍ହୁର ଘୋଡ଼ା ଉପରେ ଚାବୁକ ଲଗାଇଲା । ଦର୍ଶକମାନେ ଚିତ୍କାର କଲେ, କି ଅବ୍ୟାପାର !! ଅନେକ ଗାଳିଦେଲେ ଛି ଛି ।

 

ଚାବୁକ ଖାଇ ଘୋଡ଼ାମାନେ ରାଗି ଉଠିଲେ । ଲଗାମ ମାନିଲେ ନାହିଁ । କିନ୍ତୁ ଭଗବାନ ସହାୟ । ବେନ୍‍ହୁର ଜୋରରେ ଲଗାମ ଧରି ବାଙ୍କ ପାରି ହୋଇଗଲା, ଗେଲେରିରେ ହାତତାଳି ପଡ଼ିଲା ଥରକୁ ଥର ।

 

ତା ପରେ ପୁଣି ଛୁଟି ଚାଲିଲେ । ବେନ୍‍ହୁର ଓ ମେଖାଲା ।

 

ହଠାତ୍ ଚିତ୍କାର ହେଲା । କ’ଣ ହେଲା ! ବେନ୍‍ହୁର ଆଗେଇ ଯିବାର ଦେଖି ମେଖାଲା ବଦମାସୀ କରି ବାଧା ଦେବାକୁ ଗଲା । କିନ୍ତୁ ବେନହୁରର ଚମତ୍କାର କୌଶଳ, ସେ ପାର ହୋଇଗଲା । କିନ୍ତୁ ମେଖାଲା ଧକା ସହିପାରିଲା ନାହିଁ । ଲଗାମ ଛିଡ଼ିଗଲା । ମେଖାଲା ଗାଡ଼ିରୁ ଓଲଟି ମାଟିରେ ଲୋଟିପଡ଼ିଲା । ବେନ୍‍ହୁର ଜିତିଗଲା । କମ୍ପି ଉଠିଲା ଜୟଧ୍ଵନି । ବନସାଲ୍ ଆସନ ଛାଡ଼ି ଠିଆ ହୋଇ ବେନ୍‍ହୁର ମଥାରେ ପିନ୍ଧାଇଲେ ଜୟ ମୁକୁଟ ।

 

ଗେଲେରିରୁ ଦର୍ଶକମାନେ ଚିତ୍କାର କରି ବେନ୍‍ହୁରକୁ ଘେରି ଯାଇ ଜୟଧ୍ୱନି କଲେ ।

 

ସୂର୍ଯ୍ୟ ସେତେବେଳେ ଅସ୍ତ ପ୍ରାୟ ।

Image

 

ଏଗାର

 

ଦୌଡ଼ରେ ଜୟମୁକୁଟ ପିନ୍ଧି ନଦୀ ପାରି ହୋଇ ବେନ୍‍ହୁର ସେଖ୍‍ ସାହେବଙ୍କ ସାଙ୍ଗରେ ଆସିଲେ । ଗଭୀର ରାତିରେ ସେମାନେ ମରୁଭୂମିରେ ଯାତ୍ରା କରିବେ । ବ୍ୟବସ୍ଥା ଅନୁଯାୟୀ ସେ ରାସ୍ତାରେ ତିରିଶ ଘଣ୍ଟା ପୂର୍ବରେ ସେଖ୍ ସାହେବଙ୍କ କାରାଭାନ ଚାଲି ଯାଇଛନ୍ତି ।

 

ସେଖ୍‍ର କି ଆନନ୍ଦ ! ବେନ୍‍ହୁରକୁ କି ପୁରସ୍କାର ଦେବେ ? ସେ ଯାହା ଦରକାର କରିବେ ଦେବେ–ଟଙ୍କା, ସଂପତ୍ତି, ଐଶ୍ୱର୍ଯ୍ୟ । ବେନ୍‍ହୁର କହିଲା–ନା, ଏ ଐଶ୍ୱର୍ଯ୍ୟ ତା’ର ଲୋଡ଼ା ନାହିଁ । ଏ ଐର୍ଶ୍ଵର୍ଯ୍ୟ ଓ ସଂପତ୍ତିଠାରୁ ଆପଣଙ୍କର ସ୍ନେହର ମୂଲ୍ୟ ଅଧିକ ।

 

ଦିଜଣ ବାହାରିବା ବେଳକୁ ମୁଲୁସ୍‍ ହାଜିର ହୋଇ କହିଲା–ବେନ୍‍ହୁରଙ୍କ ସହିତ ଦେଖା କରିବାକୁ ଜଣେ ଆସିଛନ୍ତି । ସେଖ୍ ସାହେବ କହିଲେ–ତାଙ୍କୁ ଅପେକ୍ଷା କରିବାକୁ କୁହ । ମୁଲୁସ୍‍ ତମର ଖବର କ’ଣ ?

 

ମୁଲୁସ୍‍ କହିଲା–ବେନ୍‍ହୁରଙ୍କ ଜିତାପଟ ହେବାରେ ତାଙ୍କର ପୁରସ୍କାର ଟଙ୍କା ତାଙ୍କୁ ନ ଦେବାକୁ ରୋମାନ୍‍ମାନେ ଫଳି କରିଥିଲେ, ହେଲେ ଖେଳର କର୍ମକର୍ତ୍ତା କାନ ଦେଲେ ନାହିଁ । ସେମାନେ କହିଲେ–ମେଖାଲାକୁ ବେନ୍‍ହୁର ଧକା ଦେଇଥିଲେ, ତେଣୁ ଏହା ଅନ୍ୟାୟ; କିନ୍ତୁ କର୍ତ୍ତା କହିଲେ, ମେଖାଲା ଯେ ବେନ୍‍ହୁର ଘୋଡ଼ାରେ ଚାବୁକ ମାରିଥିଲା ସେକଥା ଭୁଲିଯାଉଛ ?

 

–ମେଖାଲାର ଖବର କ’ଣ, ମଲାଣି ?

 

–ମରିନି ଯେ, ବେଶ୍‍ ଜଖମ ହୋଇଛି । କବିରାଜମାନେ କହୁଛନ୍ତି ଯେଉଁ ହାଡ଼ ଭାଙ୍ଗିଯାଇଛି ତାହା ଠିକ୍ ଆଉ ହେବନି । ମଲେ ତ କଣ୍ଟା ଯାଆନ୍ତା । ପଙ୍ଗୁ ହୋଇ ସାରାଜୀବନ ରହିବ । ଏଇ ତ ଭଗବାନଙ୍କ ବିଚାର !

 

–ଥାଉ ସେକଥା । ଏ ଲୋକଟି କାହିଁକି ଆସିଛି ଜାଣିଛ ?

 

–ନା ।

 

–ତେବେ ତାକୁ ଡାକ ।

 

ମୁଲୁସ୍‍ ଲୋକଟିକୁ ନେଇଆସିଲା । ସେ କହିଲା–

 

ବାଲଥାଶଙ୍କ ପାଖରୁ ଆସିଛି । ସେ ଇହୁଦୀ ପ୍ରାସାଦକୁ ଝିଅକୁ ନେଇଯାଇଛନ୍ତି । ଇରାସ ବିଜୟୀବୀରଙ୍କୁ ନିମନ୍ତ୍ରଣ କରିଛନ୍ତି ।

 

ଅପୂର୍ବ ରୂପସୀ ଇରାସର ନିମନ୍ତ୍ରଣ !!

 

ବେନ୍‍ହୁର ସେଖ୍‍ ସାହେବଙ୍କୁ କହିଲେ–ଆପଣ ଅନୁମତି ଦେଲେ, ଯାଇପାରେଁ ।

 

ସେଖ୍ କହିଲେ–ବେଶ୍ ଯାଅ । ମୁଁ କିନ୍ତୁ ଆଜି ବାହାରିବି । ତମପାଇଁ ଗୋଟିଏ ଭଲ ଘୋଡ଼ା ଓ ଗାଇଡ୍‍ଟିଏ ରଖିଦେବି । ତା’ସାଙ୍ଗରେ ଯିବ–ଡେରି କରିବ ନାହିଁ ।

 

–ନା, ସେଇଆ ହେବ ।

 

ପରଦିନ ବେନ୍‍ହୁର ଲୋକଟି ସାଙ୍ଗରେ ବାହାରିଗଲା । ବିରାଟ ପ୍ରାସାଦପୁରୀ । ଫାଟକ ପାରିହୋଇ ଭିତର ସରୁରାସ୍ତାରେ ଚାଲିଲେ । ଦରଜା ବନ୍ଦ । ବେନ୍‍ହୁରକୁ ସେଠାରେ ଠିଆ କରାଇ ଲୋକଟି କହିଲା–ଅପେକ୍ଷା କରନ୍ତୁ । ଖବରଦିଏଁ ।

 

ଲୋକଟି ଚାଲିଗଲା ।

 

ଅନେକ ସମୟ ଧରି ବେନ୍‍ହୁର ଅପେକ୍ଷାକଲା । ତା’ପରେ ନିଃଶବ୍ଦରେ କବାଟ ଖୋଲିଲା । ବେନ୍‍ହୁର ଭିତରକୁ ପଶିଲା । ନିସ୍ତବ୍‍ଧପୁରୀ । ବେନ୍‍ହୁର ଆଶ୍ଚର୍ଯ୍ୟ ହେଲା ।

 

କେଇଟା କୋଠରୀ ପାରିହୋଇ ଗୋଟିଏ ସଜ୍ଜିତ କୋଠରୀରେ ପଶି ବେନ୍‍ହୁର ବସିପଡ଼ିଲା । ଚତୁର୍ଦ୍ଦିଗରେ ନିଝୁମ ନିସ୍ତବ୍‍ଧତା । ଏ ତ ପ୍ରାସାଦ ନୁହେଁ, ସମାଧି ମନ୍ଦିର ।

 

ମନେହେଲା ଏହା ମେଖାଲାର ଚକ୍ରାନ୍ତ ନୁହେଁ ତ । ସେ କିଛି ଭାବିବା ପୂର୍ବରୁ ଦୁଇଜଣ ଲୋକ ଖାକି ରଙ୍ଗର ପୋଷାକ ପିନ୍ଧି ପଶିଆସିଲେ । କେବଳ ବିରାଟକାୟ ନୁହଁ, ବେଶ୍ ଶକ୍ତିମାନ୍ ।

 

ବେନ୍‍ହୁର କହିଲା–ମୋତେ ମାରିବାକୁ ଆସିଛ ତ ?

 

ଜଣେ କହିଲା–ହଁ ।

 

–ଦି’ଜଣ ଏକା ସାଙ୍ଗରେ ଯୁଦ୍ଧ କରିବ, ନା ଜଣେ ଜଣେ ଯୁଦ୍ଧ କରିବ ? ଏତ ପଶୁ ଲଢ଼େଇ ନୁହଁ ବୀର ଲଢ଼େଇ ।

 

ମୋଟା ଜଣକ କହିଲା–ତମେ ଏହା ସାଙ୍ଗରେ ଲଢ଼ । ମୁଁ ବସି ଦେଖେ । ମୁଁ ଇଶାରା ଦେଲେ ଲଢ଼େଇ ଆରମ୍ଭ ହେବ ।

 

ଇଶାରା ପାଇବା ମାତ୍ରକେ ମଲ୍ଲଯୁଦ୍ଧ ଆରମ୍ଭ ହେଲା । ବେନ୍‍ହୁର ହାତଟା ମୋଡ଼ି କାନ ତଳକୁ ଲଗେଇଲା ଗୋଟାଏ ଘୁସି । ଏକା ଘୁସିରେ ସାଙ୍ଗେ ସାଙ୍ଗେ ମୃତ୍ୟୁ ।

 

ବେନ୍‍ହୁର ଆରଜଣକ ଆଡ଼କୁ ଅନାଇଲା । ସେ ବେନ୍‍ହୁରର ଶକ୍ତି ଦେଖି ବିସ୍ମିତ । ସେ କହିଲା–ତମେ ତ କମ୍ ନୁହଁ । ତମେ ଇହୁଦୀ ସତ କିନ୍ତୁ...

 

ବେନ୍‍ହୁର କହିଲା–ତମେ ଟାମଭିସ୍ ଏରିୟାସ୍‍କୁ ଜାଣ ?

 

–କୁଇଣ୍ଟାସ୍ ଏରିଆସ୍‍ର ପୁଅ ତ ! କୁଇଣ୍ଟାସ୍ ମୋର ଗୁରୁଜୀ ।

 

–ତା’ ପୁଅକୁ ଜାଣ ?

 

–ଜାଣେ । ମୋର ନାମ କର୍ଡ । ତାଙ୍କୁ କେତେ କୌଶଳ ଶିକ୍ଷା ଦେଇଛି । ପିଲାଟା ଯଦି ଥା’ନ୍ତା ନା ବୁଝନ୍ତ । ସିଜାର ତାଙ୍କୁ ଏପରି ଭଲପାନ୍ତି ଯେ, ସେ ଯଦି ଆକାଶର ଚନ୍ଦ୍ର ଚାହାନ୍ତା ସେ ଆଣି ଦିଅନ୍ତେ । ଏ କୌଶଳଟା ତ ମୋର କୌଶଳ, ଶିଖିଲ କୁଆଡ଼ୁ ?

 

ବେନ୍‍ହୁର କହିଲା–ମୁଁ ଯଦି କହେଁ ମୁଁ ସେଇ ଟାମଭିସ୍‍ ଏରିୟାସ୍–

 

ଆରେ ସତେ ତ ! ଆରେ ମୁଁ କ’ଣ ଏକଥା ଜାଣେ ! ମୋତେ କୁହାଗଲା ଯେ, ଗୋଟାଏ ଇହୁଦୀକୁ ଖତମ୍ କରିବାକୁ ହେବ ।

 

ବେନ୍‍ହୁର କହିଲା–କିଏ ଏକଥା କହିଛି ତମକୁ ?

 

–ମେଖାଲା । ଏଇ ଗତକାଲି ରାତିରେ । ଏ ଜନ୍ମରେ ଆଉ ଠିଆହୋଇ ପାରିବନି ସେ-। ବିଛଣାରେ ଶୋଇ ମୋତେ ମିନତି କରି କହିଲା, ହଜାରେ ଟଙ୍କା ଦେବି ପୁରସ୍କାର ।

 

ବେନ୍‍ହୁର କହିଲା–ହଜାରେ ପାଇବ, ତା’ପରେ ମୋଠାରୁ ତିନିହଜାର, ଯଦି ମୋ କଥାରେ ଚଳ ।

 

ସେ କହିଲା–ତିନି ନୁହଁ ଚାରିହଜାର ଦିଅ । ତା’ହେଲେ ସବୁ ମିଶି ପାଞ୍ଚ ହଜାର ହେବ । ସେ ଟଙ୍କାରେ ମୁଁ ଗୋଟାଏ ବ୍ୟବସାୟ ଖୋଲିଦେବି । ଶୀଘ୍ର କୁହ ତ କ’ଣ କରିବି ?

 

ବେନ୍‍ହୁର କହିଲା–ବେଶ୍ ଚାରି ହଜାର ଦେବି, ଯେଉଁ ପିଲାଟା ମଲା, ସେ ମୋ ଭଳି ଦିଶୁଛି । ମୋର ଏ ପୋଷାକ ତାକୁ ପିନ୍ଧେଇ ଦିଅ । ମୁଁ ତା’ର ପୋଷାକ ପିନ୍ଧୁଛି । ତମେ ଯାଇ କହିବ ବେନ୍‍ହୁର ମରିଛି । କେହି ଜାଣି ପାରିବେ ନାହିଁ, ତେଣୁ ମେଖାଲା ଠାରୁ ପାଇବ ହଜାରେ ଟଙ୍କା ପୁରସ୍କାର ।

 

–ଠିକ୍ ବୁଦ୍ଧି ବତେଇଛ ।

 

ବେନ୍‍ହୁର କହିଲା–ତା’ଠାରୁ ଟଙ୍କା ନେଇ ମୋ ପାଖକୁ ଆସିବ ସେଖ୍‍ଙ୍କ ଛାଉଣୀକୁ । ସେଠାକୁ ଆସି ଟଙ୍କା ନେଇ ଯିବ ।

 

ବେନ୍‍ହୁର ସବୁକଥା ସାଇମଣ୍ଡିସ୍‍କୁ କହିଲା । ବେନ୍‍ହୁର ମୃତ୍ୟୁ ହେବାର ଜାଣିଲେ ମେଖାଲା ଆଶ୍ଵସ୍ତ ହେବ । ଜୀବନ ମଧ୍ୟ ନିରାପଦ ରହିବ ।

 

ସେହି ରାତିରେ ବେନ୍‍ହୁର ଜେରୁଜେଲମ ମା ଓ ଭଉଣୀଙ୍କ ସଂଧାନରେ ବାହାରି ପଡ଼ିଲା ଏବଂ ଏସ୍‍ଥାରକୁ କହିଗଲା–ମା ଓ ଟିରାଙ୍କୁ ଯଦି ପାଏଁ ତେବେ ତମକୁ ନେଇଯିବି । ତମେ ଯିବ ତ ?

 

ଏସ୍‍ଥାର ଆଖିରେ ଲୁହ ଭରିଗଲା । କହିଲା, ହଁ ।

 

ଏଣେ କର୍ଡ ଲୋକଟିର ଶବକୁ କବର ଦେଇ ମେଖାଲାକୁ ହାତ ବଢ଼ାଇଲା–ତମର ଶତ୍ରୁ ବେନ୍‍ହୁର ମରିଛି, ମୋତେ ବକସିସ୍ ଦିଅ । ମେଖାଲା ହଜାରେ ଟଙ୍କା ଦେଲା । ଗ୍ରେଟାସ୍‍କୁ ଜଣାଇ ଚିଠି ଲେଖିଲା ମେଖାଲା ।

 

ବଂଧୁ, ବ୍ୟସ୍ତ ହେବନି । ଶତ୍ରୁ ନିପାତ ହୋଇଛି । ଆମେ ଏବେ ନିଶ୍ଚିନ୍ତ, ନିରାପଦ ।

 

କର୍ଡ ଯାହା କହିଥିଲା ସେଇଆ କଲା । ନଗଦ ପାଞ୍ଚ ହଜାର ଧରି ରୋମ୍‍କୁ ଗଲା । ସେଠାରେ ସର୍କସ ପାଖରେ ଖୋଲିଲା ଏକ ମଦର ଦୋକାନ । ମନରେ ତା’ର ଏହି ଅଭିଳାଷ ଥିଲା । ସେ ଅଭିଳାଷ ପୂର୍ଣ୍ଣ ହେଲା ।

Image

 

ଚତୁର୍ଥ ପରିଚ୍ଛେଦ

ଏକ

 

ଏ ଭିତରେ ତିରିଶ ଦିନ ବିତିଗଲା ।

 

ଏଇ କେତୋଟି ଦିନ ଭିତରେ କେତେ ଅଦଳ ବଦଳ ଘଟିଗଲା । ଗ୍ରେଟାସ୍‍ଙ୍କ ବଦଳରେ ପଲଟିଆସ୍ ପାଇଲେଟ୍‍ ଗଭର୍ଣ୍ଣର ହୋଇ ଆସିଛନ୍ତି । ସାଇମାଣ୍ଡିସ୍ ବହୁ ମୋହର ଖର୍ଚ୍ଚ କରି ଗ୍ରେଟାସ୍‍କୁ ବିଦାୟ କରିଛନ୍ତି । ସିଜାରଙ୍କ ପ୍ରିୟପାତ୍ର ସେଜଲାଶଙ୍କୁ ବହୁତ ଘୁସ୍ ଦେଇ ଏହା କରାଇଛନ୍ତି, କାରଣ ବେନ୍‍ହୁରକୁ ନିରାପଦରେ ରଖିବା ଦରକାର ଏବଂ ସେ ଟିରା ଓ ତା’ ମାର ସଂଧାନ ପାଇପାରିବ । ମେଖାଲାକୁ ହରାଇ ବେନ୍‍ହୁର ଘୋଡ଼ାଦୌଡ଼ରେ ଜିତିଥିବା ଅର୍ଥ ବ୍ୟୟ ହୋଇଛି ।

 

ଯେଉଁମାନେ ଖରାପ ଲୋକ, ସେମାନେ ଭଲ ହୋଇ ଯାନ୍ତି ପାଇଲେଟ୍‍ଙ୍କର ମନ ପରିବର୍ତ୍ତନ ହୋଇଛି । ସେ ଆସି ପ୍ରଥମେ ଜେଲଖାନା ଦେଖିବାକୁ ଗଲେ । ସେ ଆଦେଶ କଲେ ଯେ, ବନ୍ଦୀମାନଙ୍କର ନାମ ଠିକଣା ଏବଂ କାହିଁକି ବନ୍ଦୀ ହୋଇଛନ୍ତି ବିବରଣୀ ପେଶ୍‍କର । ସେ ବିବରଣୀ ପଢ଼ି ବୁଝି ପାରିଲେ ଯେ, ବିନା ଦୋଷରେ ଆକ୍ରୋଶରେ ସତକୁ ସତ ବହୁ ଲୋକଙ୍କୁ ଜେଲଖାନାରେ ଭର୍ତ୍ତି କରା ହୋଇଛି । ସମସ୍ତଙ୍କୁ ମୁକ୍ତି ଦିଆଗଲା । ଅନେକଙ୍କ ସଂପର୍କରେ ଧାରଣା ଥିଲା ଯେ, ସେମାନେ ମରି ଯାଇଛନ୍ତି । ସେମାନେ ମଧ୍ୟ ଖଲାସ ପାଇଲେ । କଏଦୀମାନଙ୍କର ରିପୋର୍ଟ ଦାଖଲ କରି କାରାଗାରର ଅଧ୍ୟକ୍ଷ ଗଭର୍ଣ୍ଣର ପାଇଲେଟ୍‍କୁ ଆସି ଜଣାଇଲା ଯେ, ସେରିଆ ପାହାଡ଼ରେ ରହିଛି ଆନ୍ତେଲିଆର ଟାଉଆର । ପାହାଡ଼ ତଳରେ ଅନେକ ସ୍ଥାନ କାଟି ତା’ତଳରେ କରା ହୋଇଛି ଅନ୍ଧକୂପ । ରାଜଦ୍ରୋହୀ ବନ୍ଦୀମାନଙ୍କୁ ସେହି ଅନ୍ଧକୂପରେ ବନ୍ଦୀ କରା ହୋଇଥାଏ ।

 

ଜେଲର ସବୁ ଟିକି ନିଖି ଦେଖି କହିଲେ–ରାଜ୍ୟପାଳ ଗ୍ରେଟାସ୍ ଯେଉଁଦିନ ପ୍ରଥମ ଆସନ୍ତି, ସେଦିନ ଗୋଟାଏ ଘର ଆଗରେ ଜଖମ ହୋଇଥିଲେ । ସେଥିପାଇଁ ଅନେକ ଲୋକଙ୍କୁ ଗିରଫ୍ କରାଯାଇଛି ଏବଂ କେଇ ଜଣଙ୍କୁ ଅନ୍ଧକୂପରେ ରଖା ଯାଇଛି ।

 

ନକ୍‍ସା ଦେଖି ସେ ଅନ୍ଧକୂପର ସଂଧାନ ମିଳିଲା । କିନ୍ତୁ ଚାବି ନଥିଲା । ବହୁ କଷ୍ଟରେ ଭିତରକୁ ଯାଇ ଦେଖନ୍ତି ଯେ, ତିନିଜଣ ବନ୍ଦୀ ଅଛନ୍ତି । ସେ ଭିତରୁ ଜଣେ ବୃଦ୍ଧ, ଆଖି ଓ ଜିଭ ନାହିଁ, ଉଲଗ୍ନ, ଚମଟା ଧୁଡ଼ୁ ଧୁଡ଼ୁ, ନଖଗୁଡ଼ିକ ବଡ଼ ବଡ଼ । ଆଉ ଏକ କୂପରେ ଦୁଇଟି ସ୍ତ୍ରୀ ଲୋକ–ଇହୁଦୀ ମା ଓ ଝିଅ । ମା ମିନତିକଲା–ମୋତେ ବନ୍ଦୀ କର ପଛେ ଏ ଝିଅଟାକୁ ଯାତନା ଦିଅନାହିଁ ।

 

ପାଇଲେଟ୍ ପାଖରେ ଗେସିଆସ୍ ଆସି କହିଲା–ଆଦେଶ କରନ୍ତୁ ।

 

ପାଇଲେଟ୍‍ ଚମକି ଉଠି କହିଲେ–ବର୍ତ୍ତମାନ, ବର୍ତ୍ତମାନ ତାଙ୍କୁ ମୁକ୍ତ କର । ଗ୍ରେଟାସ୍‍ ସତରେ ମଣିଷ ନ ଥିଲା–ପଶୁ, ରାକ୍ଷସ । ଛି, କଏଦୀମାନଙ୍କ ସଂପର୍କରେ ଲେଖା ଅଛି ମିଥ୍ୟା ଅଭିଯୋଗ । ସମସ୍ତଙ୍କୁ ଖଲାସ କରିଦିଅ, କାହାକୁ ବନ୍ଦୀ କରନାହିଁ ।

 

ଏ ଦିଓଟି ସ୍ତ୍ରୀ ଲୋକ–ବେନ୍‍ହୁରର ମା ଓ ଭଉଣୀ ଟିରା ।

 

ଆଠବର୍ଷ ହେଲା ଗ୍ରେଟାସ୍ ତାଙ୍କୁ ଅନ୍ଧକୂପରେ ପୂରାଇଛି । ଯେଉଁ ଘରେ କୁଷ୍ଠ ରୋଗୀମାନଙ୍କୁ ରଖା ହେଉଥିଲା, ସେଠାରେସେମାନଙ୍କୁ ରଖା ହୋଇଥିଲା । ଗ୍ରେଟାସ୍‍ର ଉଦ୍ଦେଶ୍ୟ ଥିଲା କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇ ଏମାନେ ମରିଯିବେ ।

 

ଦି ଜଣଙ୍କୁ ଅନ୍ଧ କୂପରୁ ବାହାର କରି ଅଣାଗଲା । ସେମାନଙ୍କର ଚେହେରା ଦେଖି ସମସ୍ତେ ଚିକିତ ହୋଇ ପଡ଼ିଲେ ।

 

ଗେସିଆସ କହିଲେ–ଆପଣଙ୍କର ପରିଚୟ ? ନାମ, ଘର ବିଷୟ କହିପାରିବେ ?

 

ଆଠବର୍ଷ ତଳର ଘଟଣା ବର୍ଣ୍ଣନା କଲେ ବେନ୍‍ହୁରର ମା ।

 

କୂପ ମଧ୍ୟରେ କି ଦୂର୍ଗନ୍ଧ–ଆବର୍ଜନା ସର୍ବାଙ୍ଗରେ କୁଷ୍ଠରୋଗ ବ୍ୟାପି ଯାଇଛି । ବେନ୍‍ହୁରର ମା ମେଖାଲା ବିରୁଦ୍ଧରେ ସବୁକଥା ବଖାଣିଲେ । ସେ ଲେଖି ସାରି କହିଲେ–ମା, ଆଉ ଭୟ ନାହିଁ, ଆଜି ଆପଣମାନେ ମୁକ୍ତି ପାଇବେ ।

 

ଆପଣଙ୍କର ପୋଷାକ ପତ୍ର ଆଣି ଦେଉଛି, ତାହା ପିନ୍ଧି ବାହାରକୁ ଆସିବେ। ଏହା କହି ଖାଦ୍ୟପାଇଁ ଜଣେ ଭୃତ୍ୟକୁ କହିଗଲେ ।

 

ବେନ୍‍ହୁରର ମା କହିଲେ–ଭଗବାନ ତମର ମଙ୍ଗଳ କରନ୍ତୁ ।

 

ଲୋକବାକଙ୍କୁ ଯଥାରୀତି ଉପଦେଶ ଓ ନିର୍ଦ୍ଦେଶ ଦେଇ ଗ୍ରେସିଆସ୍ ଚାଲି ଆସିଲେ ।

 

ସଂଜରେ ସେମାନଙ୍କୁ ମୁକ୍ତି ମିଳିଲା ।

 

ମାଙ୍କ ଆଖିରେ ଭରିଛି ଲୋତକ । ଦୀର୍ଘ ନିଃଶ୍ଵାସ ପକାଇ ଟିରା କହିଲେ–ମା, ପୃଥିବୀରେ ଆଜି ବି ଆଲୋକ ଅଛି ।

 

ନିଶ୍ୱାସ ପକାଇ ମା କହିଲେ–ଅଛି ଥିବ । କିନ୍ତୁ ତୋତେ ନେଇ କୁଆଡ଼କୁ ଯିବି–ମଥା ଗୁଞ୍ଜିବାକୁ ଆଶ୍ରୟ ମିଳିବ କେଉଁଠାରେ ?

Image

 

ଦୁଇ

 

କାରାଗାରରୁ ମୁକ୍ତି ପାଇ ବେନ୍‍ହୁରର ମା ଓ ଭଉଣୀ ଘର ଆଡ଼କୁ ଯେତେବେଳେ ଚାଲିଥାନ୍ତି, ଠିକ୍ ସେତିକି ବେଳକୁ ଅଲିଭ ପାହାଡ଼ର ପ୍ରସ୍ତରମୟ ପ୍ରଦେଶ ଭିତରେ ଯାଉଥାନ୍ତି ଜଣେ ତରୁଣ ପଥିକ ।

 

ଗ୍ରୀଷ୍ମକାଳ । ପଥିକ ଧୀର ମନ୍ଥର ଗତିରେ ପୂର୍ବ ଦିଗରୁ ଉଠୁଛନ୍ତି । ମୁହଁ ଆଖିରେ ଉଦବେଗର ଚିହ୍ନ । କୁଆଡ଼େ ଯାଉଛନ୍ତି ତାଙ୍କର ଯେପରି ଖିଆଲ ନାହିଁ । ମନତଳେ ଯେପରି ଗୁମୁରି ଉଠିଛି ବେଦନା–ମା ଜନନୀ ଜନ୍ମଭୂମି ତୋ ବୁକୁକୁ ମୁଁ ଫେରିଆସିଛି ।

 

ପାହାଡ଼ ଉପରେ ଉଠି ଅନାଇ ଦେଖିଲା–ଜେରୁଜେଲମ, ସୁନାର ଜେରୁଜେଲମ ସହର ଆଜି ଶୋଇ ପଡ଼ିଛି ।

 

ଏ ତରୁଣ ପଥିକ ହେଉଛନ୍ତି ବେନ୍‍ହୁର । ଗୋଟାଏ ବଡ଼ ପଥର ଉପରେ ବସି ଦେଖିଲା କି ଅପରୂପ ସୌନ୍ଦର୍ଯ୍ୟ, କେତେ ଘର ବଗିଚା–ସେଇ ନଦୀ ପାହାଡ଼, ଅତୀତର କେତେ ସ୍ମୃତି ମନରେ ଉଙ୍କି ମାରିଲା ।

 

ଦ୍ରାକ୍ଷାକୁଞ୍ଜ–କେତେ ଗଛ !! ଶୁଷ୍କ ନଦୀ–ନଦୀ ଧାରରେ କ୍ଷେତ ଲମ୍ବିଛି । ତା’ପରେ ଧଳା ଧଳା ପ୍ରାଚୀର ଦୁର୍ଗ ପରି ମଥା ଟେକିଛି । ଏ ପ୍ରାଚୀର ରାଜା ସଲୋମନ ଆରମ୍ଭ କରିଥିଲେ ଓ ହେରଦ୍ ଶେଷ କଲେ । ଅତୀତରେ ଏଇ ମାଟିରେ ତା’ ଜୀବନର କେତେ ହସ କାନ୍ଦ ଦୁଃଖ ସୁଖ ଶାନ୍ତି–ମା, ଟିରା !! ସତରେ କ’ଣ ଘଟିଗଲା ।

 

ମନେପଡ଼ିଲା ସାଇମାଣ୍ଡିସ୍ । ଏସ୍‍ଥାର ସେଖ୍ ଏଲ ଦାରିମ୍‍ ମେଖାଲାର ଚକ୍ରାନ୍ତ–କର୍ଡ-!!

 

ସେ ଗ୍ରେଟାସ୍ ଆଜି ନାହିଁ ତା’ସ୍ଥାନରେ ପାଇଲଟ୍‍ । ମେଖାଲା ଜଖମ ହୋଇ ଶଯ୍ୟାଶାୟୀ ହୋଇଛି । ଉଠିବାର ସାମର୍ଥ୍ୟ ନାହିଁ, ସେ ଜାଣିଛି ଯେ, ବେନ୍‍ହୁର ଆଉ ବଂଚି ରହିନି, ତେଣୁ ବେନ୍‍ହୁର ଆଜି ନିରାପଦ,ଦେଶ ଦେଶରେ ମା ଓ ଭଉଣୀ ସଂଧାନରେ ସେ ଘୂରି ବୁଲିବ । ସେ ଶୁଣିଛି ଇହୁଦୀ ଘରେ ରାଜ ରାଜେଶ୍ଵର ଜନ୍ମଗ୍ରହଣ କରିଛନ୍ତି । ମନୁଷ୍ୟ ପୁତ୍ର ରୂପେ ଏ ଧରା ଧାମରେ ଅବତୀର୍ଣ୍ଣ ହୋଇଛନ୍ତି । ଜୀବନ ଯାଉ ପଛକେ, ସେ ମା ଓ ଭଉଣୀର ସଂଧାନ ନେବ । ତାଙ୍କ ସହିତ ଦେଖା ହେଲେ ସେ ମନୁଷ୍ୟ ପୁତ୍ର–ଈଶ୍ଵର ପୁତ୍ରଙ୍କ ପାଖରେ ରହି ଦିନ କାଟିବ ।

 

କଥା ଅଛି ମୁଲୁସ୍‍ ବେନ୍‍ହୁର ଥିବା ଏହି ପାହାଡ଼କୁ ଆସିବ । ସେଠାରେ ତାଙ୍କ ସହ ଦେଖା ହେବ ।

 

ଆସିବା ବେଳକୁ ସାଇମଣ୍ଡିସ୍‍ଠାରୁ ବେନ୍‍ହୁର ଶୁଣିଛି ଯେ, ତାଙ୍କ ପ୍ରାସାଦରେ ଅମରା ଏବେ ବି ରହିଛି । ସେ ଏକାକୀ ଅଛି । ସାଇମାଣ୍ଡିସ୍ ଅମରାର ସବୁ ବ୍ୟବସ୍ଥା କରି ଦେଇଛନ୍ତି–ଅନେକ ଅନୁରୋଧ ସତ୍ତ୍ଵେ ଅମରା ପ୍ରାସାଦ ଛାଡ଼ି ଯିବାକୁ ମଙ୍ଗି ନାହିଁ । ପ୍ରାସାଦର ମାଲିକଙ୍କର ଦୁର୍ଗତି କଥା କିଏ ନ ଜାଣେ । ତେଣୁ କେହି ପ୍ରାସାଦକୁ କିଣିବାକୁ ଇଚ୍ଛା କରିନାହାନ୍ତି । ପ୍ରାସାଦଟି ଏକ ଭୂତଘର, ବେନ୍‍ହୁର ଆସିବ ଏହି ବିଶ୍ୱାସରେ ଜଗି ରହିଛି ଅମରା । ଅମରା ଖବର ପାଇ ବେନ୍‍ହୁର ଜେରୁଜେଲମକୁ ଆସିବାକୁ ମନ ବଳାଇଛି।

 

ସୂର୍ଯ୍ୟ ଅସ୍ତ ହେଲା, ମୁଲୁସ୍‍ କୁଆଡ଼େ ଗଲା । ବେନ୍‍ହୁର ପାହାଡ଼ରୁ ଓହ୍ଲାଇଲା । ଗୋଟିଏ ଗାଁରେ ପଶି–ନଦୀ ଅତିକ୍ରମ କରି ଦେଖେ ଯେ, ଗୋଟିଏ ମେଷପାଳକ ମେଷମାନଙ୍କୁ ଧରି ଚାଲିଛି । ବେନ୍‍ହୁର ମେଷପାଳକ ସହିତ ଚାଲିଲା ଏବଂ ଅତି ଶୀଘ୍ର ଜେରୁଜେଲମ ସହରରେ ପହଞ୍ଚିଗଲା ।

 

ମେଷପାଳକ ତା’ଘରକୁ ଚାଲିଗଲା ଏବଂ ବେନ୍‍ହୁର ଗୋଟାଏ ଗଳି ଭିତରେ ପଶି ତା’ଘର ଆଡ଼କୁ ଚାଲିଲା, ମନ ତଳରେ କେତେ ଅଶାନ୍ତ ଝଡ଼ । ବେଦନାରେ ମଥିତ ହୋଇ ଉଠୁଥିଲା ଅନ୍ତର ।

 

ଆକାଶରେ ଚନ୍ଦ୍ର ଉଠିଛି । ଜୋଛନାର ଆଲୋକ ଝରି ପଡ଼ିଛି । ବେନ୍‍ହୁର ତା’ର ଘରର ଫାଟକ ପାଖରେ ପହଞ୍ଚିଲା । ସେ ଠିଆହୋଇ ଘର ଆଡ଼କୁ ନିର୍ନିମେଷ ନୟନରେ ଅନାଇ ରହିଛି । କାନ୍ଥରେ ସରକାରୀ ବିଜ୍ଞପ୍ତି ଟଙ୍ଗା ହୋଇଛି–ଏହା ସମ୍ରାଟଙ୍କ ସଂପତ୍ତି ।

 

ଭାବିଲା, ଫାଟକରେ ଆଘାତ କରି ଡାକିବ । ଫାଟକ କେଉଁ କାଳରୁ ବନ୍ଦହୋଇ ରହିଛି-। ନିସ୍ତବ୍‍ଧ ପୁରୀ । କିଏ ଫାଟକ ଖୋଲିଦେବ–କିଏ ବା ଉତ୍ତର ଦେବ ।

 

ସାଇମାଣ୍ଡିସ୍ କହିବାନୁସାରେ ଯଦି ଅମରା ସତରେ ଭିତରେ ଥାଏ । ଏହାଭାବି ସେ ବେଶ୍ ଜୋରରେ ଆଘାତ କଲା । କିନ୍ତୁ ଏ କ’ଣ–ଯେତେ ଡାକିଲେ ବି କେହି ହେଲେ ଶୁଣୁ ନାହାନ୍ତି-

 

ରାସ୍ତା ପାଖରେ ଅନେକ ଝରକା । ବେନ୍‍ହୁର ଝରକା ଭିତର ଦେଇ ଅନାଇଲା । ଝରକାବାଟେ କାହାର ହେଲେ ଦେଖା ନାହିଁ । ଘରଟା ସଂପୂର୍ଣ୍ଣ ଶ୍ରୀହୀନ ହୋଇ ପଡ଼ିଛି ।

 

ବେନ୍‍ହୁର ଆକାଶ ଆଡ଼କୁ ଅନାଇଲା । ଚାନ୍ଦରୁ ଝରୁଛି ଅଜସ୍ର କିରଣ । ସଦର ଫାଟକରେ ବସିପଡ଼ିଲା–ଅତୀତର କେତେ କଥା ମନେପଡ଼ୁଛି । ଏହି ପୁରୀରେ କେତେ ହସ କେତେ ଆନନ୍ଦ ଥିଲା; କିନ୍ତୁ ବେନ୍‍ହୁର ବସି ପାରିଲା ନାହିଁ । ସେ କ୍ଳାନ୍ତ–ସିଡ଼ିରେ ଶୋଇପଡ଼ିଲା ।

 

ଏଣେ ଆନ୍ତେଲିଆ ଦୁର୍ଗରୁ ଏହି ଜୋଛନା ରାତିରେ ମା ଓ ଟିରା ନିଃଶବ୍ଦରେ ଧୀରେ ଧୀରେ ଆସି ପ୍ରାସାଦ ପାଖରେ ଠିଆ ହେଲେ । ତାଙ୍କ ମନରେ ଅସରନ୍ତି ଭୟ, କାଳେ ସିପାହୀମାନେ ତାଙ୍କୁ ଧରି ସହର ବାହାରେ ଛାଡ଼ିଦେଇ ଆସିବେ ।

 

ନିସ୍ତବ୍‍ଧ ପୁରୀ, ଦୁହେଁ ଅନାଇ ରହିଛନ୍ତି । ନୟନରୁ ଝରି ପଡ଼ୁଛି କାତର ଅଶ୍ରୁ । ପାଦ ଥରୁଛି । ଦେହ ଅବଶ ହୋଇ ଯାଇଛି । ମା ବସିପଡ଼ିଲେ । ଟିରା ବସିଲା ଯାଇ ମା ପାଖରେ । କଥା ନାହିଁ ତୁଣ୍ଡରେ–ଆଖିରେ ଲୁହ ।

 

ବସି ବସି ରାତି ଶେଷ ହୋଇ ଆସିଲା । ମା କହିଲେ–ଟିରା, ରାତି ଥାଉଁ ଥାଉଁ ଚାଲି ଯିବା । ଲୋକବାକ ପୁଣି ଉଠିବେ ।

 

ଦିଜଣ ଉଠିଲେ । କାନ୍ଥକୁ ଧରି ଧରି ସଦର ଆଡ଼କୁ ଆସିଲେ । ଆସି ଦେଖନ୍ତି ଯେ, କିଏ ସେପରି ସଦର ଦରଜାର ସିଡ଼ିରେ ଶୋଇଛି–ଶୋଇଛି କିଏ ? ମୁହଁଟି ଭଲ କରି ଦିଶୁନି, ଅସ୍ପଷ୍ଟ ଆଲୋକ ।

 

ନିଦରେ ବେନ୍‍ହୁର ନିଶ୍ଵାସ ମାରିବାରେ ଲାଗିଥାଏ । ରୁମାଲଟି ନିଶ୍ୱାସରେ ମୁହଁଉପରୁ ଖସିଯାଇଥାଏ । ସଚକିତ ହୋଇ ଦେଖିଲେ ମା ବେନ୍‍ହୁରକୁ ! ଅଧୀର ମାତୃହୃଦୟ ମଥିତ ହୋଇ ଉଠିଲା–ତାଙ୍କର ପ୍ରାଣର ବେନ୍‍ହୁର । ମନ ବ୍ୟାକୁଳ ଅଧୀର ହୋଇ ଉଠିଛି । ମନେହେଲା ତା’ର ମୁହଁଟି ପୋଛି ଦେଇ ବୁକୁରେ ଚାପି ଧରିବେ, କହିବେ ବାବାରେ କୁଆଡ଼େ ଯାଇଥିଲୁ ତୁ । ଦରିଦ୍ର ସଙ୍ଖାଳୀ ମୋର–ରଙ୍କରତନରେ ।

ସେ ଚମକି ପଡ଼ିଲେ, ନା, ନା, ତାଙ୍କ ଦେହରେ ଯେ କୁଷ୍ଠ । ବେନ୍‍ହୁର ଏ ବ୍ୟାଧିରେ ଜର୍ଜରିତ ହେବନାହିଁ ।

ସେ; ଟିରାର ହାତ ହଲାଇ କହିଲେ–ଦେଖୁଚୁ ? ବେନ୍‍ହୁର, ତୋର ଭାଇ ।

ଟିରା ଶିହରି ଉଠିଲା–ଭାଇ, ଭାଇ, ମୋ ଭାଇ । ମା କହିଲେ–ନା, ଥାଉ, ଚାଲ ପଳାଇ ଯିବା, ଯେପରି ଆମକୁ ସେ ଦେଖି ନପାରିବ । ବଞ୍ଚିଛି–ବଞ୍ଚିଥାଉ । ଆମକୁ ମିଳିଲା ସତ; କିନ୍ତୁ ତାପାଖରେ ଆମେ ଧରାଦେବା ନାହିଁ । ଆମ ଦେହରେ ଯେ କୁଷ୍ଠ ରୋଗ ମା ! କୁଷ୍ଠ ।

ଟିରା ହାତଧରି ମା ଚାଲିଗଲେ ସନ୍ତର୍ପଣରେ ।

ଛାତିଭିତରେ ପ୍ରଳୟ । ଛାତି ତଳଟା କରତି ହୋଇଗଲା । କ୍ରନ୍ଦନରେ ଅନ୍ତରଟା ଭରିଗଲା । କ’ଣ ହେଲା ଏ ! ବିକଳହୃଦୟ ଅତୃପ୍ତ ପ୍ରାଣରେ ପ୍ରିୟ ପୁତ୍ରଠାରୁ ବିଦାୟ ନେଉଛି ଅଲକ୍ଷ୍ୟରେ–ଅଜାଣତରେ । ଯେଉଁ ପୁଅ ଆଜିପର୍ଯ୍ୟନ୍ତ ମା ଭଉଣୀପାଇଁ ପ୍ରାଣ ଦେବାକୁ ପ୍ରସ୍ତୁତ ।

 

ସେତେବେଳ ପର୍ଯ୍ୟନ୍ତ ବେନ୍‍ହୁର ଶୋଇଛି । ଯେଉଁ ମାନଙ୍କୁ ସେ ଖୋଜିବୁଲୁଛି ନଈ ପାହାଡ଼ ଗାଁ ଜଙ୍ଗଲ ସେମାନେ ଆସି ଇମିତି ଚାଲିଗଲେ–ଭାଗ୍ୟର କି ନିଷ୍ଠୁର ଉପହାସ ।

 

ମା ଓ ଟିରା ଚାଲିଛନ୍ତି । ଏବେ ବି ସକାଳ ହେଇନି । ଅନେକ ଦୂରରେ ଗୋଟିଏ ସ୍ତ୍ରୀ ଲୋକକୁ ଦେଖିଲେ । ଦିହର ରଙ୍ଗ କଳା । ମସ୍ତକର କେଶରାଶି ଧଳା । ହାତରେ ଗୋଟାଏ ଝୁଡ଼ି । ଝୁଡ଼ି ଭିତରେ ଶାକସବ୍‍ଜୀ । ମା ଚିହ୍ନି ପାରିଲେ–ଏ ତ ଅମରା ।

 

ସେମାନେ ଏକ ଆଢ଼ୁଆଳରେ ଅମରାକୁ ଦେଖିଲେ । ସେ ପ୍ରାସାଦ ଆଡ଼େ ଚାଲିଛି ଅମରା । ମା ଅପେକ୍ଷା କଲେ । ବେନ୍‍ହୁରକୁ ସିଡ଼ି ପାଖରେ ଦେଖି କ’ଣ ଭାବିବ ଅମରା ।

 

ଫାଟକ ଆଗରେ ଅମରା ତା’ର ଝୁଡ଼ି ନେଇ ରଖି ବେନ୍‍ହୁରକୁ ନିରୀକ୍ଷଣ କଲା । ତା’ପରେ ବସିପଡ଼ି ବେନ୍‍ହୁରକୁ ଶତ ଚୁମ୍ବନରେ ମଣ୍ଡିତ କରିଦେଲା ।

 

ନିଦ ଭାଙ୍ଗିଯିବାରୁ ବେନ୍‍ହୁର ଧଡ଼ପଡ଼ ହୋଇ ଉଠବସି କହିଲା–ଅମରା ! ଅମରା ବେନ୍‍ହୁର ପାଖରେ ବସିଲା । ମୁହଁରେ କଥା ନାହିଁ । ତା’ମୁହଁ ଆଡ଼କୁ ଅନାଇ ରହିଛି ।

 

ବେନ୍‍ହୁର କହିଲା–ମା, ଟିରା, ଏମାନଙ୍କର ଖବର ଜାଣିଛ ? ମା ଓ ଟିରା ଏକଥା ଶୁଣି ପାରିଲେ । ତାଙ୍କର ମନେହେଲା ସତରେ ଯେପରି ବୁକୁଫଟାଇ କାନ୍ଦିବେ–ପ୍ରାଣଟା ବାହାରିଯିବ ସତେ ।

 

ଅମରା ମୁହଁରେ କଥା ନାହିଁ । ବେନ୍‍ହୁର କହିଲା–ତମ ସାଙ୍ଗରେ ଭିତରକୁ ଯିବି । ଏ ଘର ମୋର–ସମ୍ରାଟର ନୁହେଁ । ବିଜ୍ଞାପନଟା ମୁଁ ଏବେ ଖୋଲି ଛିଣ୍ଡାଇ ପକାଇ ଦେବି । ଏ ମୋ ଘର ।

 

ଅମରା ସାଙ୍ଗରେ ବେନ୍‍ହୁର ଘରକୁ ପଶିଲା ।

 

ଘରଟି ଯେପରି ଶ୍ମଶାନ ।

 

ମା ଓ ଟିରା ଅନେକ ସମୟ ସେଠାରେ ଠିଆ ହୋଇ ରହିଲେ । ତା’ପରେ ନିଶ୍ଵାସ ପକାଇ ମା କହିଲେ–ଟିରା, ଏଠାରେ ଆମର ସ୍ଥାନ ନାହିଁ । ଆମ ଦେହରେ କୁଷ୍ଠ । ଆମକୁ ଦେଖିଲେ ମଣିଷ ଘୃଣା କରି ଦୂରେଇ ଯାଏ । ଆମେ ବଞ୍ଚି ମଧ୍ୟ ମରିଯାଇଛୁ ।

 

ମା ଆଖିରେ ଅଶ୍ରୁର ବନ୍ୟା । ନୟନର ଲୋତକରେ ଟିରା ଦେଖୁଛି, ଚତୁର୍ଦ୍ଦିଗ ଝାପ୍‍ସା ହୋଇଯାଇଛି । ସେମାନେ ଆଉ ଠିଆ ହେଲେ ନାହିଁ । ଯିବାକୁ ଲାଗିଲେ ନିରୁଦ୍ଦେଶ ପଥରେ । ଏ ଚାଲିବାର ଶେଷ କେଉଁଠି କିଏ କହିବ ?

Image

 

ତିନି

 

ପରଦିନ । ରାତି ସେତେବେଳକୁ ଶେଷ ହୋଇଚି–ଭୋରର ଆଲୋକ ଫୁଟି ଉଠିଛି ପୂର୍ବଦିଗରେ । ଏଲ ରୋଜଲାର ବଡ଼ କୂଅ ଧାରରେ ବସିଲା ଅମରା । ହାତରେ ତା’ର ଗୋଟିଏ ଝୁଡ଼ି ଓ ପାଣିର ସୁରେଇ । ଝୁଡ଼ିରେ ଅଛି ଗୋଟିଏ ଗାମୁଛା ।

 

ପୋଷାକ ଦେଖିଲେ ମନେହୁଏ, ଖୁବ୍ ବୁନିଆଦି ଘରର ଦାସୀ । କୂଅର ପାଣିନେବ ଏବଂ ବଜାରରୁ ମାଂସ ପନିପରିବା ନେଇଯିବ । ସହରର ଏ ଅଞ୍ଚଳରେ ଯେତେ ଲୋକ ସେହି କୂଅରୁହିଁ ପାଣି ନିଅନ୍ତି । ଅମରା ରାତିରେ ବାହାରୁଥିଲା, କାରଣ ରାସ୍ତାରେ ଲୋକ ନଥାନ୍ତି । ଦେଖିଲେ କାଳେ ସୈନ୍ୟମାନଙ୍କୁ କହିଦେବେ କାରାଗାରରେ ପୁରାଇଦେବାକୁ । ସେ ଗଲେ ଘରର ସଂପତ୍ତି ବାଡ଼ି କିଏ ଦେଖିବ । ଏ କେଇ ବର୍ଷ ହେଲା ସେ ଏହିପରି ବଞ୍ଚିଛି । ମନରେ ଆଶା ରଖିଛି ଦିନେ ନା ଦିନେ ବେନ୍‍ହୁର ଫେରିବ । ଆଜି ତା’ର ନିୟନମଣି ବେନ୍‍ହୁର ଆସିଛି । ଫେରିଆସିଛି ।

 

ବଜାରରୁ ସେ ବହୁତ ଜିନିଷ କିଣି ନେବ ଆଜି ।

 

ବେନ୍‍ହୁର ଯେଉଁ ସବୁ ଜିନିଷ ଭଲପାଏ, ତାକୁ ରାନ୍ଧି ଖୁଆଇବ ।

 

ଝୁଡ଼ି ଓ ଜଳପାଇଁ ସୁରେଇଟି ମାଟିରେ ରଖି କୂଅର ଟିକିଏ ଦୁରରେ ଅମରା ବସି ଦେଖିଲା ଯେ, ସେ ଏକା, କୂଅକୁ କେହି ଆସିନି । ଚମଡ଼ାର ଥଳି ଓ ଲମ୍ବା ଦଉଡ଼ି ନେଇ କୂଅ ତଳକୁ ଆସିଲା । ଥଳିରେ ଦଉଡ଼ି ବାନ୍ଧି କୂଅତଳର ଖରିଦଦାରମାନଙ୍କ ଆଶାରେ ରହିଲା । କିଏ କିଏ ନିଜର ବାଲଟି ବା ଥଳି ଆଣି ପାଣି ଉଠାନ୍ତି । ଅନେକ ତା’ ନକରି ଝରିକୁ ପଇସା ଦିଅନ୍ତି, ସେ ପାଣି ଉଠାଇ ବାଲିଟି, ଥଳି ସବୁ ଭରିଦିଏ ।

 

ଅମରା ଚୁପ୍ କରି ବସିଛି । ଝରି ସଙ୍ଗରେ କି କଥା ବା କହିବ । ଝରି କହିଲା–କ’ଣ ପାଣି ଉଠେଇଦେବି, ଅମରା କହିଲା–ହଁ, ପରେ ।

 

ଅଲିଭ ପାହାଡ଼ ପଛରେ ସୂର୍ଯ୍ୟ ଉଠିଲା, ଅମରା ତଥାପି ବସିଛି, ବସି ବସି ଭାବୁଛି । ପ୍ରତିଦିନ ସେ ବଜାରକୁ ଯାଏ–ବଜାରରେ ଲୋକମାନଙ୍କୁ ଅନାଇ ଦେଖେ, ଯଦି ସେମାନଙ୍କ ମଧ୍ୟରେ ବେନ୍‍ହୁରର ଦେଖାପାଏ ବା ବେନ୍‍ହୁରର ମା ଓ ଟିରାର କୌଣସି ଦିନ କେବେ ଦେଖାପାଏ ।

 

ଏତେଦିନର ପ୍ରତୀକ୍ଷା ପରେ ବେନ୍‍ହୁରକୁ ଗୋଟେଇ ପାଇଛି ଫାଟକରେ । ଟିରା ଓ ସାଆନ୍ତାଣି ଗଲେ କୁଆଡ଼େ । ବେନ୍‍ହୁର ମିଠାକୁ ଭଲପାଏ, ମହୁକୁ ଭଲପାଏ । ରୁଟିରେ ମହୁ ଲଗାଇ ଖାଇବାକୁ ତାକୁ ଭଲଲାଗେ । ଆଜି ବଜାରରୁ ସେ ମିଠାଇ ଓ ମହୁ ନେଇ ଯିବ । ଟିକିଏ ବେଳ ହେଲେ ଦୋକାନପାଟ ଖୋଲିବ ।

 

ବେଳ ହେଲା । କୂଅ ତଳରେ ଭିଡ଼, ଜମିଲା । ହଠାତ୍ ଭିଡ଼ରୁ କଥାଟିଏ ଭାସି ଆସିଲା-। ଜଣେ ସ୍ତ୍ରୀ ଲୋକ କୂଅରୁ ପାଣି ନେଉଁ ନେଉଁ କହୁଛି–କାଲି ଏହି ପାଇଲଟ୍‍ ସାହେବର ଆଦେଶରେ ଜେଲଖାନାର ସବୁଘର ଖୋଲାପଡ଼ିଛି । ସମସ୍ତଙ୍କୁ ମୁକ୍ତି ମିଳିଛି, ଗୋଟିଏ ଅନ୍ଧକୂପ ଭିତରୁ ମା ଓ ଝିଅଟିଏ ବାହାରିଛନ୍ତି । ତାଙ୍କର କୁଆଡ଼େ କୁଷ୍ଠରୋଗ ହୋଇଛି ।

 

କଥାଟା ଶୁଣି ଅମରା ଚମକି ଉଠିଲା । ସେ ସ୍ତ୍ରୀ ଲୋକଟିକୁ ପଚାରିଲା, ତମେ ଦେଖିଛ–ନା କାହା ମୁହଁରୁ ଶୁଣିଛ ?

 

ସ୍ତ୍ରୀ ଲୋକଟି କହିଲା ଜଣେ କ୍ରୀତଦାସ ତାକୁ କହିଲା ଏବଂ ସେ ଏହି କାରାଗାରରେ ବନ୍ଦୀ ରହିଥିଲା, ମୁକ୍ତି ପାଇଛି । ସେ କହୁଥିଲା ଦେଖିଛି ବୋଲି ।

 

ଅମରା ଜାଣିଛି ଯେ କାରାଗାରଟି ଦୂରରେ । ଟିରା ଓ ସାନ୍ତାଣୀ ସେଠାରେ ବନ୍ଦୀ ଥିଲେ-। ସେ ଆଖପାଖରେ ବହୁତ କୁଷ୍ଠରୋଗୀ ଥାନ୍ତି । ବେଳ ଅଧିକ ହେଲେ ଯେତେବେଳେ କେହି ନଥାନ୍ତି, କୁଷ୍ଠ ରୋଗୀମାନେ ପାଣିପାଇଁ ଆସନ୍ତି । ଅମରା ଠିକ୍ କଲା, ସେ ଏଠାରେ ଅପେକ୍ଷା କରିବ କୁଷ୍ଠରୋଗୀମାନଙ୍କୁ ଦେଖିବାପାଇଁ । ଯଦି ମିଳିବେ ତା’ର ସାନ୍ତାଣୀ ଓ ଟିରା !

 

ବେଳ ଅଧିକ ହେଲା । କୂଅ ତଳରୁ ଭିଡ଼ କମିଗଲା । ଅମରା ଦେଖିଲା କୁଷ୍ଠ ରୋଗୀମାନେ ଆସୁଛନ୍ତି । କି କଦର୍ଯ୍ୟ ହୋଇ ଉଠିଛି ଚେହେରା । ଦିଓଟି ସ୍ତ୍ରୀଲୋକ ଆସୁଛନ୍ତି ସେ ଭିତରୁ । ସେମାନଙ୍କର କି ସଙ୍କୋଚ–କି କୁଣ୍ଠା ।

 

ଅମରା ବସି ବସି ଦେଖୁଛି ସମସ୍ତଙ୍କୁ । ଦି’ଜଣ ଧୀରେ ଧୀରେ ଭୟରେ ଆସୁଛନ୍ତି । ଏହା ଦେଖି ଝରି ତାଙ୍କ ଉପରକୁ ତିରସ୍କାରରେ ଢେଲାଟାଏ ପକାଇଲା । ତାଙ୍କ ଭିତରୁ ଜଣେ କହି ଉଠିଲା–କୁଷ୍ଠରୋଗୀ–ଏମାନଙ୍କର କ’ଣ ଶେଷ ନାହିଁ ! ଆଉ ଜଣେ କହି ଉଠିଲା–ତୁମେ ସବୁ ମାଡ଼ି ଆସ ନାହିଁ କହୁଛି ୟାଡ଼କୁ । ସେ ପଟେ ଥାଅ, ବଜାତ୍ ମାଇକିନା I

 

ଅମରା ସେମାନଙ୍କୁ ଚିହ୍ନିଲା ଟିରା ଓ ସାଆନ୍ତାଣୀ । ଅମରା ଦେଖି ଶିହରି ଉଠିଲା । ଯେଉଁ ମୁଖ ଦେଖିଲେ ମଣିଷ ଦୁଃଖ ପାଶୋରି ଯାଉଥିଲା ତା’ର ପୁଣି ଏ କି ରୂପ । ଅମରା ତାଙ୍କ ଆଡ଼କୁ ନିର୍ନିମେଷ ନୟନରେ ଅନାଇ ରହିଛି । ମା ଡାକିଲେ ସସ୍ନେହ କଣ୍ଠରେ–ଅମରା ! ଅମରା ଚମକି ଉଠିଲା ।

 

ଧଡ଼ପଡ଼ ହୋଇ ଦିପାଦ ଆଗେଇ ଗଲା । ଆଖିରେ ଭରିଗଲା ଲୋତକ । ଅମରା ମା ପାଦତଳେ ଲୋଟିପଡ଼ିଲା ।

 

ମା ଓ ଟିରା କେଇପାଦ ପଛକୁ ଘୁଞ୍ଚିଯାଇ କହିଲେ–ପାଖକୁ ଆ’ନା ଅମରା ଆମର କୁଷ୍ଠରୋଗ ।

 

ଟିରା କହିଲା–ମନ୍ଦିଏ ପାଣିଦିଅ, ବଡ଼ ଶୋଷ ।

 

ଅମରା ନିଜକୁ ସମ୍ବରଣ କରି ଟିରାକୁ ପାଣିଦେଲା । ତା’ପରେ କିଣି ଆଣିଥିବା ରୁଟି ଓ ଫଳଦେଲା ଝୁଡ଼ିରୁ । ନେପ୍‍କିନଟି ଦେବା ବେଳକୁ ମା କହିଲେ–ଅମରା, ଆମର କୁଷ୍ଠରୋଗ, ଦିଅନା ଲୋକ ଦେଖିଲେ ପଥର ମାରିବେ । ଝୁଡ଼ି, ସୁରେଇ ଓ କିଛି ଖାଦ୍ୟ ଦେଲେ ଚଳିବ । ହଁ, ଜୁଡ଼ାକୁ ଦେଖିଥିଲି । ସେ ଫାଟକ ଆଗରେ ଶୋଇଥିଲା । ତାକୁ ଡାକିପାରିନି–କାହିଁକିବା ଡାକିବି ?

 

ଅମରା କହିଲା–ମା ସେ ଘରେ ଅଛି । ତା’ର ଖିଆ ପିଆ ବୁଝୁଛି । ତମମାନଙ୍କ ପାଇଁ ସେ ବଡ଼ ବ୍ୟାକୁଳ ।

 

ମା’ଙ୍କ ନୟନରେ ଅଶ୍ରୁ–ଆମ କଥା ମୋଟେ କିଛି କହିବୁନି ଅମରା । ଶୁଣିଲେ ସେ ହତାଶ ହେବ ।

 

ନୟନର ଅଶ୍ରୁ ପୋଛୁ ପୋଛୁ ଅମରା କହିଲା–ନା, ମା କହିବି ନାହିଁ । କିନ୍ତୁ ମା, ତମପାଇଁ ସେ ଯେ କେତେ ବ୍ୟାକୁଳ । ମୁହଁରେ କଥା ନାହିଁ, ଖାଲି ମା ଓ ଟିରା ।

 

–ତା’ହେଲେ । ଅଶ୍ରୁର ଭାରରେ ମା’ର କଣ୍ଠ ରୁଦ୍ଧ ହୋଇଗଲା । ସେ କହିଲେ–ସେ ବଞ୍ଚିଥାଉ । ଭଲରେ ରହୁ । ସେଇ ମୋର ପରମ ସୁଖ । ତାକୁ ନ ପାଇ ମୋର ଦୁଃଖ ନାହିଁ । ତୁ ସବୁଦିନ ଏଠାକୁ ଆସିବୁ । ତୋ ଠଉଁ ଖବର ମିଳିବ । ଯେଉଁ କେଇଦିନ ବଞ୍ଚିବି ୟାଠାରୁ ବଳି ମୋର କିଛି କାମନା ବାସନା ନାହିଁ ।

 

ଅମରା କହିଲା–କିନ୍ତୁ ଟିରାର କଥା ?

 

ମା କହିଲେ–ମୁଁ ମଲେ ତୁ ତାକୁ ଦେଖିବୁ ଅମରା । ତା’ର କୌଣସି କଷ୍ଟ ହେବନାହିଁ । ତୋତେ ପାଇଲେ ସେ ସବୁକଷ୍ଟ ଭୁଲିଯିବ ।

 

ଅମରା ଯେପରି ନୀରବ–ନିଷ୍ପନ୍ଦ । ମୁହଁର ଭାଷା ହରେଇଛି ।

Image

 

ଚାରି

 

କେଇମାସ ବିତଗଲା ଏହିପରି ।

 

ମୁଲୁସ୍‍ ଜୁଡ଼ିଆକୁ ଆସିଲା । ବେନ୍‍ହୁରର ମନରେ ଶାନ୍ତି ନାହିଁ, କ୍ଳାନ୍ତି ନାହିଁ । ମା ଓ ଭଉଣୀର ସନ୍ଧାନରେ ଘୂରିବୁଲୁଛି । କୁଆଡ଼ୁ ଟିକିଏ ସନ୍ଧାନ ପାଇନି ।

 

ମୁଲୁସ୍‍କୁ ଦେଖି କହିଲା–ମୁଲୁସ୍‍ କ’ଣ ହେବ କହିଲ, କୁଆଡ଼େ ଯେ ସନ୍ଧାନ ମିଳୁନାହିଁ ।

 

ମୁଲୁସ୍‍ କହିଲା–ରାସ୍ତାରେ ଘୂରି ବୁଲିଲେ କ’ଣ ସନ୍ଧାନ ପାଇବ । ମୁଁ ରାଜ୍ୟପାଳଙ୍କୁ ସବୁ ଜଣାଇ ଦରଖାସ୍ତ କରିଛି । ଏଠାରେ ବିଚାର ନ ହେଲେ ସିଜାରଙ୍କ ପାଖରେ ଆବେଦନ କରିବି ।

 

ବେନ୍‍ହୁର କିଛି କହିଲା ନାହିଁ, କେବଳ ମୁଲୁସ୍‍ ଆଡ଼କୁ ଚାହିଁ ରହିଲା ।

 

ମୁଲୁସ୍‍ର ଦରଖାସ୍ତର ଉତ୍ତର ଆସିଲା ଯେ, ବେନ୍‍ହୁରର ମା ଓ ଭଉଣୀକୁ କାରାଗାରରୁ ମୁକ୍ତି ଦିଆ ହୋଇଛି ତାଙ୍କର କୁଷ୍ଠ ରୋଗ ହୋଇଛି, ତେଣୁ ସହରରେ ରହିବାକୁ ଦିଆ ହୋଇନି । ସେମାନେ ଏବେ କେଉଁଠି, ସରକାର ତାହା ଜାଣନ୍ତି ନାହିଁ ।

 

କୁଷ୍ଠ ରୋଗ ଶୁଣି ବେନ୍‍ହୁରର ମଥାଟା ଝିମ୍‍ ଝିମ୍‍ କଲା । ମନେ ହେଲା, ଯେପରି ପାଦତଳର ପୃଥିବୀଟା ରସାତଳକୁ ଦବି ଯାଉଛି, ଆଖି ଆଗରୁ ଆଲୋକ ଯେପରି ନିର୍ବାପିତ ।

 

ସେ କହି ଉଠିଲା–ମୁଁ ଯାଉଛି ଏବେ ତା’ର ସଂଧାନରେ ।

 

ମୁଲୁସ୍‍ କହିଲା–କେଉଁଠାରେ ସଂଧାନ କରିବ ?

 

–ରାସ୍ତାଘାଟ ସବୁଆଡ଼େ ।

 

ମୁଲୁସ୍‍ କହିଲା–ଗୋଟିଏ ସ୍ଥାନ ଅଛି, ସେଠାରେ ସଂଧାନ କଲେ ହୁଏତ ମିଳିପାରେ ।

 

–କେଉଁଠାରେ ?

 

–ଯେଉଁଠି କୁଷ୍ଠ ରୋଗୀମାନେ ଆଶ୍ରୟ ନେଇଛନ୍ତି ।

 

ଦିଜଣ ସଂଧାନରେ ବାହାରିଲେ । ଯାଉଁ ଯାଉଁ ବେନ୍‍ହୁର କହିଲା–ସେମାନେ ବଂଚିଛନ୍ତି କି ନାହିଁ କିଏ କହିବ । ଏତେ ଦୁଃଖ କଷ୍ଟ ଲାଂଛନା–ତା’ପରେ ଏ ଯେଉଁ ରୋଗ ।

 

ଗଭୀର ଦୁଃଖ ଆକ୍ରୋଶରେ ବେନ୍‍ହୁର ମନ ଆନ୍ଦୋଳିତ ହେଲା । କି ନିର୍ମମ ଏ ରୋମାନ୍‍ ଶତ୍ରୁ। ମୋର ମନେ ହେଉଛି କ’ଣ ଜାଣ ମୁଲୁସ୍‍–ଇଚ୍ଛା ହେଉଛି, ଏହି ଦାମ୍ଭିକ ପିଶାଚ ରୋମାନ୍‍ମାନଙ୍କୁ ଯଦି ସମୂଳେ ଧ୍ଵଂସ କରିପାରେ, ରୋମ୍‍ର ସିଂହାସନଟାକୁ ଟାଇବାର ନଦୀରେ ପକାଇ ଦେଇ ପାରେ, ତେବେ ଏହି ସବୁ ରାକ୍ଷସ ଅଫିସରଗୁଡ଼ାକର ମାଂସକୁ କୁକୁରକୁ ଖାଇବାକୁ ଦେବି। ମନର ଜ୍ଵଳନ ଯଦି ପ୍ରଶମିତ ହୁଏ ।

 

ସେଦିନ ଦି’ଜଣ ଜେରୁଜେଲମର ଦରିଦ୍ର ପଲ୍ଲୀ ପଥରେ ଚାଲିଛନ୍ତି । ଗୋଟାଏ ବାଙ୍କ ବୁଲି ଦେଖନ୍ତି ଯେ, ଦଳେ ଦଳେ ଲୋକ ଶୋଭା ଯାତ୍ରା କରି ଚାଲିଛନ୍ତି । ଶୋଭାଯାତ୍ରାରେ ଅଛନ୍ତି କେଇ ଜଣ ବୃଦ୍ଧ ପୁରୋହିତ ଓ ରାଜ୍ୟର ଇହୁଦୀମାନେ ।

 

ପ୍ରଶ୍ନ କଲା ସେ । ଜଣେ କହିଲା–ତମେ କେଉଁଠି ଥାଅକି ? କିଛି ଜାଣନା । ପାଇଲଟ୍‍ ରାଜ୍ୟପାଳ ପୋଖରୀ ଖୋଳାଉଛି ଜଳ କଷ୍ଟ ଦୂର କରିବାପାଇଁ । ଯେଉଁ ଅର୍ଥ ଖରଚ ହେବ, ଜୁଲୁମ କରି ମନ୍ଦିରରୁ ଲୁଟ କରି ଖରଚ କରିବ ।

 

ବେନ୍‍ହୁରର ଦିଓଟି ଆଖି ଜଳିଉଠିଲା–ଦେବତାର ଧନରତ୍ନ ଉପରେ ପୁଣି ଆଖି ପକାଇଛି ଦୁର୍ଦ୍ଧର୍ଷ ରୋମାନ୍‍; ତାହା ଉପରେ ମଣିଷର କି ଅଧିକାର ଅଛି ?

 

–ଏସବୁ ଶୟତାନି ଚାଲ, ଅଧିକାର ପ୍ରଶ୍ନ ଉଠେନା । ଏ ଯେ ଚକ୍ରାନ୍ତ, ଆମେ ସେମାନଙ୍କର ଦାସାନୁଦାସ, ଚାକର । ତେଣୁ ଆମର ଦେବତା–ମନ୍ଦିର ପୁଣି କ’ଣ ? ତେଣୁ ଆମେ ରାଜ୍ୟପାଳ ପାଇଲଟ୍ ନିକଟରେ ପ୍ରତିବାଦ ଜଣାଇବାକୁ ଯାଉଛୁ, ଏହା ଆମେ କରିବାକୁ ଦେବା ନାହିଁ–ନା କେବେ ନୁହେଁ ।

 

ବେନ୍‍ହୁର କହିଲା–ତମ ସାଙ୍ଗରେ ମୁଁ ଯିବି ।

 

ସେମାନେ କହିଲେ–ଲଢ଼େଇ ହୋଇପାରେ, କାରଣ ପ୍ରାଣ ଭୟରେ ସେମାନେ ଫୌଜ ଲଗେଇ ଦେବେ ।

 

–ପ୍ରାଣ ଯିବ ଯାଉ, ତା’ବୋଲି ଏପରି ଅତ୍ୟାଚାର ସହ୍ୟ କରିବି ? ନା କେବେ ନୁହେଁ । ମୁଁ ବେଶ୍ ଭଲ ରକମର ଲଢ଼େଇ କରି ଜାଣେ ।

 

–ବେଶ୍, ତାହା ହେଲେ ଆସ ଆମ ସାଙ୍ଗରେ ।

 

ବେନ୍‍ହୁର ଓ ମୁଲୁସ୍‍ ତାଙ୍କ ସାଙ୍ଗରେ ଚାଲିଲେ । ଶୋଭାଯାତ୍ରା ପ୍ରିଟୋରିଆର ଫାଟକରେ ପହଞ୍ଚିଲା, ପୁରୋହିତମାନେ ଫାଟକ ଭିତରକୁ ପଶିଗଲେ । ପଛରେ ଉଦ୍‍ଗ୍ରୀବ ଜନତାର ଉଚ୍ଛ୍ଵସିତ ତରଙ୍ଗ । ଫାଟକର ଆଗରେ ଜଗିଥିଲା ଜଣେ ଫୌଜଦାର ଓ ସୈନ୍ୟତରଙ୍ଗ । ସେମାନେ ଅଟକାଇ ପାରିଲେ ନାହିଁ ଏ ଜନତା । ଫାଟକ ସେପଟେ ଚାଲିଛି ସୈନଦଳର ଲାଠି ନିର୍ମମ ଭାବରେ । ଏଣେ ଜନତା ମୃତ୍ୟୁପଣ କରି ଆଗେଇ ଚାଲିଛି ।

 

ଯେଉଁମାନେ ଫାଟକ ବାହାରେ ସେମାନେ ପଚାରନ୍ତି–କ’ଣ କଥା କ’ଣ, କ’ଣ ଚାଲିଛି-?

 

–ଫାଟକର ସେ ପଟେ ଚାଲିଛି ଲଢ଼େଇ । ଜନତା ଉତ୍‍କ୍ଷିପ୍ତ ହୋଇଉଠିଲା–ଦିନେ ତ ମରିବା, ଭୟ କ’ଣ ! ଏ ଅତ୍ୟାଚାର ଆମେ ସହ୍ୟ କରିପାରିବା ନାହିଁ । ଚିତ୍କାର ଉଠିଲା–ଭାଇମାନେ, ଭୟ କରନା, ସେମାନେ ବା କେଇ ଜଣ, ତାଙ୍କୁ ହରାଇବାକୁ ଡେରି ହେବନି, ଆସ, ଚାଲ ।

 

ବେନ୍‍ହୁର ବଜ୍ରଗମ୍ଭୀର କଣ୍ଠରେ କହିଲା–ମୋ ପଛରେ ତମେ ଆସ । ମୁଁ ସମସ୍ତଙ୍କୁ ଭିତରକୁ ନେଇଯିବି । ସେମାନେ ମଣିଷ–ଦେବତା ନୁହେଁ ।

 

ଭିଡ଼ ଠେଲି ଜନତା ଆଗରେ ଆଗେଇ ଚାଲିଛି ବେନ୍‍ହୁର । ପ୍ରବଳ ଉତ୍ସାହରେ ସମସ୍ତେ ଭିତରକୁ ପଶିଲେ ଅଗଣା ପାରି ହୋଇ ରାଜ୍ୟପାଳଙ୍କ ପଶ୍ଚିମ ପାଖ କୋଠି ଆଡ଼କୁ ଆଗେଇ ଗଲେ । ଜନତରଙ୍ଗରେ ମନଟା ଭରି ଉଠିଛି । ରାଜ୍ୟପାଳଙ୍କ କୋଠି ବନ୍ଦ । ଉପରେ ବାରଣ୍ଡା । ସମସ୍ତେ ଉପର ଆଡ଼କୁ ଅନାଇ ଏକ ସଙ୍ଗରେ ଚିତ୍କାର କରି ଉଠିଲେ–ଓହ୍ଲାଇ ଆସ ପାଇଲଟ୍‍–ଶୀଘ୍ର ଆସ, ରାଜ୍ୟପାଳ ଓହ୍ଲାଇ ଆସ ।

 

ବେଳ ଦିପହର ହେଲା । ରାଜ୍ୟପାଳ ଓହ୍ଲାଇଲେ ନାହିଁ । ଅସରାଏ ବୃଷ୍ଟି ଝରି ପଡ଼ିଲା ଅକାଶରୁ । ସମସ୍ତେ ଠିଆ ହୋଇ ଭିଜିଲେ, ତଥାପି ଚଙ୍କିଲେ ନାହିଁ । ତୁହାକୁ ତୁହା ଚିତ୍କାର ଶୁଭୁଛି–ରାଜ୍ୟପାଳ ତଳକୁ ଆସ ।

 

ଆସ୍ତେ ଆସ୍ତେ ଭିଡ଼ ବେଶୀ ହେଉଛି–ଲୋକ ଜଗୁଛନ୍ତି ପଛକୁ ପଛ । ତୁହାକୁ ତୁହା ସେହି ପ୍ରବଳ ଚିତ୍କାର ।

 

ବେହନୁର ଶୁଣିଲା ଯେ, ଲାଠି ଚାଲୁଛି ଭିତରେ କିନ୍ତୁ ଦିଶୁନାହିଁ । ଜଣେ ଲୋକ ବେନ୍‍ହୁରକୁ ତା’କାନ୍ଧରେ ଟେକି କହିଲା–ଦେଖି ପାରୁଛ କ’ଣ ଚାଲିଛି ?

 

ବେନ୍‍ହୁର କହିଲା–କି ନିର୍ଦ୍ଦୟ ଭାବରେ ଲାଠିମାଡ଼ ହେଉଛି ।

 

ଲୋକଟା କହିଲା–ବୁଝିଲ ନା ଏସବୁ ଚାଲାଖି, ଫନ୍ଦି ! ବେନ୍‍ହୁର ଦେଖିଲା ଗୋଟିଏ ବୃଦ୍ଧ ପୁରୋହିତ ମଥା ଉପରେ ଲାଠି ପଡ଼ିଲା । ରକ୍ତାକ୍ତ ହୋଇ ସେ ମାଟିରେ ପଡ଼ିଗଲେ–ମୃତ୍ୟୁ । ବେନ୍‍ହୁର କାନ୍ଧରୁ ଓହ୍ଲାଇ ଚିତ୍କାର କଲା କବାଟ ଖୋଲ । କବାଟ ନ ଖୋଲିବାରୁ କହିଲା ଚାଲ ସେ ବଡ଼ ବଡ଼ ଗଛ ଆଡ଼କୁ । ସମସ୍ତେ ଦୌଡ଼ିଲେ ।

 

ବେନ୍‍ହୁର କହିଲା–ସମସ୍ତ ଠିଆହୁଅ ।

 

ଫୌଜଦାର ତା’ର ସିପାହୀମାନଙ୍କୁ ନେଇ ଆସୁଛି । ସେମାନଙ୍କ ହାତରେ ହତିଆର ଅସ୍ତ୍ର ଶସ୍ତ୍ର ବହୁତ । ଆମର ସମ୍ବଳ କେବଳ ଗଛର ଡାଳ । ଏଇଥିରେ କେତେ ସମୟ ରହିପାରିବ । ଚାଲ ଆମେ ବାହାରକୁ ଯିବା ।

 

ବେନ୍‍ହୁରର କଥା ଶୁଣି ସମସ୍ତେ ବାହାରକୁ ଆସିଲେ ଏବଂ ଫୌଜଦାର କହିଉଠିଲ–ଇହୁଦୀ କୁକୁରଗୁଡ଼ାକ ।

 

ବେନ୍‍ହୁର ଜବାବ ଦେଲା–ଆମେ ଇହୁଦୀ ସବୁ କୁକୁର, ତମେ ରୋମାନ୍‍ଗୁଡ଼ାକ ମଣିଷ-। କୁକୁର ସାଙ୍ଗରେ ଯୁଦ୍ଧକରି ପାରିବ ? ରହ ପୁଣି ଆମେ ଯାଉଛୁ ।

 

ବାହାରେ ଯେପରି ଭିଡ଼, ଘରଗୁଡ଼ିକର ଛାତ ଓ ଗଛ ଡାଳରେ ସେପରି ଲୋକାରଣ୍ୟ । ପାଚେରୀ, ପାହାଡ଼ରେ ଅସମ୍ଭବ ଲୋକ । ସମସ୍ତେ ଏକ ସ୍ୱରରେ ଚିତ୍କାର କରୁଅଛନ୍ତି–ଏ କୁତ୍ତା ରୋମାନ୍‍ଗୁଡ଼ାକୁ ମାର ।

 

ଫାଟକରେ ଜଣେ ଫୌଜଦାର ଓ ଅନେକ ସୈନ୍ୟ । ବେନ୍‍ହୁର ସମସ୍ତଙ୍କ ଆଗରେ ଚାଲିଛି । ଫୌଜଦାର କହିଲା–ତୁ କିଏ ? ରୋମାନ୍‍ ନା ଇହୁଦୀ ?

 

ବେନ୍‍ହୁର କହିଲା–ମୁଁ ଇହୁଦୀ । ଏଇଟା ଇହୁଦୀମାନଙ୍କର ଦେଶ । ଆମର ଜନନୀ ଜନ୍ମଭୂମି । ତୁ ଏଠାରେ କାହିଁକି ?

 

–ହୁଁ: କ’ଣ ଲଢ଼େଇ କରିବୁ ?

 

–ତମ ସାଙ୍ଗରେ ।

 

–ହଁ ।

 

–କିନ୍ତୁ ମୋ ହାତରେ ହତିଆର ନାହିଁ ।

 

–ମୁଁ ଦେବି ହତିଆର । ଲଢ଼େଇ କରିବାକୁ ସାହସ ଅଛି; ଜଣେ ସୈନ୍ୟଠାରୁ ଗୋଟିଏ ଖଣ୍ଡା ଆଣି ଫୌଜଦାର ବେନ୍‍ହୁରକୁ ଦେଲା ଏବଂ ପଚାରିଲା–ବେଓନେଟ ଦରକାର, ଢାଲ ଦରକାର ।

 

–ନା, ଆଉ କିଛି ପ୍ରୟୋଜନ ନାହିଁ । ଗୋଟାଏ ଖଣ୍ଡା ଦରକାର ।

 

ସୈନ୍ୟମାନଙ୍କୁ ଫୌଜଦାର କହିଲା–ତମେ ଠିଆ ରହ । ଏ ଲଢ଼େଇ ଦି’ଜଣଙ୍କ ଭିତରେ-

 

ଲଢ଼େଇ ଆରମ୍ଭ ହେଲା । ବେନ୍‍ହୁର ଏକ ପ୍ରତ୍ୟକ୍ଷ ଯୋଦ୍ଧା । ରୋମରେ ଦେଖିଛି ଯୁଦ୍ଧ କୌଶଳ । ବେନ୍‍ହୁରର ପରାକ୍ରମ ନିକଟରେ ଏ ସାମାନ୍ୟ ଫୌଜଦାର କେତେ ସମୟ ଯୁଦ୍ଧକରିବ-। ବେନ୍‍ହୁରର ଖଣ୍ଡା ଫୌଜଦାରର ବୁକୁ ବିଦ୍ଧକଲା । ଝଲକାଏ ଝଲକାଏ ରକ୍ତ ଝରିପଡ଼ିଲା । ଫୌଜଦାରର ଦିହ ମାଟିରେ ଲୋଟିପଡ଼ିଲା ।

 

ବେନ୍‍ହୁର ତା’ ଦିହ ଉପରେ ଗୋଟାଏ ପାଦରଖି ଠିଆ ହେଲା । ଗ୍ଳାଡିଏଟର ଭଙ୍ଗୀରେ ଖଣ୍ଡାଟି ଉଠାଇ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଲା ।

 

ତୁମୂଳ ଜୟଧ୍ଵନି ଉଠିଲା ଜନତା କଣ୍ଠରୁ । ରୋମାନ୍‍ ସୈନ୍ୟ ନିଷ୍ପନ୍ଦ, ସତେ ଯେପରି କାଠକୁଣ୍ଢେଇ । ବେନ୍‍ହୁର କହିଲା ଏହାର ଢାଲ ତରବାର ନେଇ ଚାଲିଲି–ବିଜୟ ନିଶାଣ !

 

ଏକଥା କହି ଫୌଜଦାରର ଢାଲ ତରବାଲ ଧରି ବାହାରି ଚାଲିଗଲା । ଜନତା କଣ୍ଠରେ ବିପୁଳ ଜୟଧ୍ଵନି ।

Image

 

ଦୁଇ

 

ପାହାଡ଼ ବୁକୁରେ ଯୀଶୁଙ୍କ କ୍ରୁଶ ବିଦ୍ଧ ମୂର୍ତ୍ତି ଆଡ଼କୁ ଅନାଇ ବାଲ୍‍ଥାଶାରା କହି ଉଠିଲେ–ପ୍ରଭୁ ହେ କୃପାନିଧି ! ସେମାନଙ୍କୁ ତୁମେ କ୍ଷମା କର । ସେମାନେ ଜାଣନ୍ତି ନାହିଁ ଯେ କି ମହାପାପ ସେମାନେ କରିଛନ୍ତି ।

 

କ୍ରୁଶ ତଳରେ ମୂର୍ଚ୍ଛିତ ହୋଇ ପଡ଼ିଲେ ବାଲ୍‍ଥାଶାର, ସେ ମୂର୍ଚ୍ଛା ଆଉ ଭାଙ୍ଗିଲା ନାହିଁ–ମୃତ୍ୟୁ ଘଟିଲା ।

 

ସୂର୍ଯ୍ୟ ପାହାଡ଼ର ଆଢ଼ୁଆଳରେ ଅସ୍ତ ହେଉଛନ୍ତି । ସଂଧ୍ୟାର ମଳିନ ଛାୟା ଧୀରେ ଧୀରେ ପୃଥିବୀ ବୁକୁରେ ଓହ୍ଲାଇ ଆସୁଛି ।

 

ଜଡ଼ିତ କଣ୍ଠରେ ସାଇମାଣ୍ଡିସ୍ କହିଲେ–ପ୍ରଭୁ ହେ, ତମ ରାଜ୍ୟକୁ ପୁଣି କେବେ ଫେରିଆସିବ ?

 

ବେନ୍‍ହୁର ଆଖି ମୁଦିଛି, ସେ କହି ଉଠିଲା–ପ୍ରଭୁଙ୍କ ରାଜ୍ୟ ସ୍ଵର୍ଗରେ । ରାଜ ରାଜେଶ୍ୱର ରୂପେ ସେ ସେଠାରେ ନିତ୍ୟ ବିରାଜମାନ ।

 

ହଠାତ୍ ପାହାଡ଼, ପୃଥିବୀ ଘନ ଘନ ଦୋହଲି ଉଠିଲା, ନଦୀ ଜଳରେ, ସାଗର ଢେଉରେ ଗଭୀର ଉଚ୍ଛ୍ୱସିତ ପ୍ଳାବନ । ପ୍ରଚଣ୍ଡ ଭୂମିକମ୍ପ । ଆକାଶରେ କଳାମେଘ ଘୋଟିଗଲା । ଘନ ଘନ ବିଦ୍ୟୁତ ଝଟକିଲା । ସତେ ଯେପରି ପ୍ରଳୟ ଘଟୁଛି ।

 

ଏହି ପ୍ରଭଂଜନ ଭିତରେ ଆକାଶ ବିଦୀର୍ଣ୍ଣ କରି ଦୈବବାଣୀ ଶୁଣିଲା–ପ୍ରେମ, ଭକ୍ତି, ବିଶ୍ୱାସ କର, ସତ୍‍କର୍ମ କର । ସ୍ଵର୍ଗରେ ଆସନ ପାଇବ । ପାଖକୁ ଆସିଲେ । ମା କହିଲେ–ହେ ପ୍ରେମାସ୍ପଦ, ପାଖକୁ ଆସନା, ଆମେ ଅଛୁଆଁ କୁଷ୍ଠରୋଗୀ ।

 

ମୃଦୁହାସ୍ୟ କରି ଯୀଶୁ କହିଲେ–ସେଥିପାଇଁ ଏତେ ସଂକୋଚ କାହିଁକି ମା ?

 

ଭିଡ଼ର ଜନତା ଅନାଇ ଦେଖୁଛନ୍ତି–ଶୁଣୁଚ ଶୁଣୁଚ କଥା ମା କହିଲେ–ଆମେ ଯେ କୁଷ୍ଠରୋଗୀ । ଆମେ ମଣିଷ ନୋହୁଁ । ଜନତା ଚିତ୍କାର କଲା–ଏହି କୁଷ୍ଠରୋଗୀଗୁଡ଼ାକୁ ମାରି ତଡ଼ିଦିଅ । ପଳାଅ ଯେତେ ସବୁ– ।

 

ଯୀଶୁ ହାତ ଉଠାଇ ବାରଣ କଲେ ଏବଂ ମାକୁ କହିଲେ–ଶୁଣ ମା, ଏତେ ଦୁଃଖ କଷ୍ଟ ଭିତରେ ତମେ ତ ଭଗବାନଙ୍କ ଉପରୁ କେବେ ବିଶ୍ୱାସ ହରାଇନାହଁ । ତେବେ କାହିଁକି ସଂକୋଚ କରୁଛ ।

 

ଏକଥା କହି ଦୁଇଜଣଙ୍କ ମସ୍ତକ ସ୍ପର୍ଶକଲେ । ସ୍ପର୍ଶରେ ଚାହୁଁ ଚାହୁଁ ଚକିତ ମାତ୍ରକେ ମିଳାଇଗଲା ଦେହର କ୍ଷତ । ଦେହର ସବୁ ମଳିନତା ଦୂର ହୋଇଗଲା । ଲାବଣ୍ୟ, ଦୀପ୍ତିରେ ଦି’ଜଣ ଭରିଉଠିଲେ । ଯୀଶୁ ଆଉ ଠିଆହେଲ ନାହିଁ । ଚାଲିବାକୁ ଆରମ୍ଭ କଲେ ।

 

ଜନତା ଏ ବ୍ୟାପର ଦେଖି ଆଶ୍ଚର୍ଯ୍ୟ । ଟିରାକୁ ନେଇ ପ୍ରଭୁଙ୍କ ଜୟଗାନ କରି କରି ଯୀଶୁ ପଛରେ ଚାଲିଲେ ବେନ୍‍ହୁରର ମା ।

 

ଯୀଶୁଙ୍କର ମହନୀୟ ବାଣୀ ଦେଶରେ ସୃଷ୍ଟି କଲା ଝଡ଼ । ଦଳ ଦଳ ଆସି ପାଦ ପାଖରେ ଲୋଟିପଡ଼ିଲେ ନୂତନ ମନ୍ତ୍ରରେ ଦୀକ୍ଷିତ ହେବାପାଇଁ । ସେମାନେ ଘୋଷଣା କଲେ–ଯୀଶୁଙ୍କ ବାଣୀହିଁ ଆମର ସଂପଦ, ଧର୍ମ ।

 

ବୃଦ୍ଧ ପୁରୋହିତମାନେ ରାଗିଉଠିଲେ । ସେମାନେ ପାଇଲଟ୍‍ ପାଖରେ ନାଲିସ୍ କଲେ ଯେ, ଯୀଶୁ ଲୋକମାନଙ୍କୁ ଭଣ୍ଡ କଥାରେ ଭୁଲାଇ ଧର୍ମତ୍ୟାଗୀ କରାଉଅଛି ।

 

ପାଇଲଟ୍ ଆଦେଶ କଲା–ଯୀଶୁ ନାସ୍ତିକ, ବିଧର୍ମୀ, ତାକୁ ନେଇ କ୍ରୁଶରେ ଚଢ଼ାଇ ହତ୍ୟାକର ।

 

ଯୀଶୁଙ୍କ ମନରେ ଦୁଃଖ, ଶୋକ, ଦ୍ଵନ୍ଦ, ଭୟ ନାହିଁ । ଏତେବଡ଼ ଅନ୍ୟାୟ ଅତ୍ୟାଚାରର ପ୍ରତିକାରରେ ସେ ଅକୁଣ୍ଠ ଅମ୍ଳାନ ଚିତ୍ତରେ କ୍ରୁଶରେ ପ୍ରାଣ ବିସର୍ଜନ କଲେ ।

 

ବେନ୍‍ହୁର କିନ୍ତୁ ଏହା ସହ୍ୟ କରିପାରିଲା ନାହିଁ । କ୍ଷମା କରି ପାରିଲାନି ଅତ୍ୟାଚାରୀର ପୀଡ଼ନ । ନିଜର ଫଉଜ ନେଇ ବେନ୍‍ହୁର ମୁଣ୍ଡ ଟେକି ଠିଆହେଲା । ଈଶ୍ୱରପୁତ୍ର ଯୀଶୁଙ୍କ ଉପରେ ଯେ ଏହି ପୀଡ଼ନ କରିଛି, ତାକୁ ଶାସ୍ତି ଦେଇ ଏ ପିଶାଚର ଅତ୍ୟାଚାରରୁ ମୁକ୍ତ କରିବାକୁ ହେଲେ ସଂଗ୍ରାମ, ଲୋଡ଼ା । ସଂଗ୍ରାମ, ସଂଗ୍ରାମ ପରେ ଶାନ୍ତି ଆସିବ ।

 

ବେନ୍‍ହୁରର ପରିକଳ୍ପନା ଏବଂ ଚାଳନାରେ ଇହୁଦୀମାନେ ଜୟ କଲେ । ଜୁଡ଼ିଆ ସ୍ଵାଧୀନ ହେଲା । ରୋମାନ୍‍ମାନଙ୍କର ପରାଜୟ ହେଲା ।

 

ମା ଓ ଟିରାର ରୋଗମୁକ୍ତି ଅମରା ଦେଖିଛି । ଅମରା ସେମାନଙ୍କ ପାଖକୁ ନିତି ଅସେ । ପାନୀୟ ଓ ଖାଦ୍ୟ ଆଣିଦିଏ । ଦି’ଜଣଙ୍କୁ ଦେଖି ଅମରା ଅବାକ୍ ହୋଇଉଠେ । ମା କହନ୍ତି–ଆଶ୍ଚର୍ଯ୍ୟ ହୁଅନା ଅମରା–ଏତ ପ୍ରଭୁଙ୍କ କୃପା–ପ୍ରଭୁଙ୍କ କୃପାରେ ଅସମ୍ଭବ କ’ଣ ?

 

ଅମରା କହିଲା–ଏବେ ଜୁଡ଼ାକୁ ଦେଖା ଦିଅ । ତାକୁ ଆଉ କାହିଁକି କଷ୍ଟ ଦେଉଛ । ତମମାନଙ୍କ ପାଇଁ ତା’ ମନରେ ଏତେ ଟିକିଏ ହେଲେ ସୁଖ ନାହିଁ, ଶାନ୍ତି ନାହିଁ, ଦେଶ କାମରେ ନିଜକୁ ଅର୍ପଣ କରି ମଧ୍ୟ ସେ ଯେପରି ନିର୍ବିକାର, ନିର୍ଲିପ୍ତ ।

 

ସେଦିନ ବେନ୍‍ହୁର ଭୋରରେ ରାସ୍ତାରେ ଚାଲିଛି । ଅମରା ଏହା ଜାଣି ମା ଓ ଟିରାକୁ ନେଇ ଆସି ଆଗରୁ ଠିଆ ହୋଇଛି ରାସ୍ତା କଡ଼ରେ ।

 

ବେନ୍‍ହୁର ଘୋଡ଼ା ଚଢ଼ି ଚାଲିଛି । ହଠାତ୍ ରାସ୍ତାରେ ଦେଖିଲା, ବିଶ୍ଵାସ ହେଲା ନାହିଁ । ଏ କ’ଣ ସ୍ଵପ୍ନ । ମା ଟିରା ସାଙ୍ଗରେ ଅମରା ।

 

ଘୋଡ଼ା ଅଟକାଇ ବେନ୍‍ହୁର ତାଙ୍କ ପାଖକୁ ଦୌଡ଼ି ଆସିଲା । କାହାକୁ କିଛି ନ କହି ଅମରାକୁ କହିଲା–ଅମରା, ଏମାନେ ମୋର ମା ଓ ଟିରା !!

 

ଅମରା କହିଲା–ହଁ ଜୁଡ଼ା । କ’ଣ ଚିହ୍ନି ପାରୁନୁ ।

 

–ମା, ମା, ମା । ବେନ୍‍ହୁର ମାକୁ ଜଡ଼ାଇ ଧରିଲା । ମା ଆଖିରେ ଅଶ୍ରୁ ଭରିଗଲା ।

 

ବେନ୍‍ହୁର ମୁଣ୍ଡ ଉପରେ ହାତ ବୁଲାଉ ବୁଲାଉ ମା କହିଲେ–

 

–ଜୁଡ଼ାରେ, ମୋର ଜୁଡ଼ା ।

 

ବେନ୍‍ହୁର କହିଲା–ତମକୁ ପୁଣି ଫେରି ପାଇଛି ମା, ପ୍ରଭୁଙ୍କର ଅସୀମ ଦୟା ।

 

ମା କହିଲେ–ସ୍ପର୍ଶ ମାତ୍ରକେ ସେ ରୋଗମୁକ୍ତ କଲେ । ଅଛୁଆଁକୁ ପବିତ୍ର କଲେ । ତାଙ୍କ କୃପାରେ ସବୁ ଫେରି ପାଇଛି ବାବା । ତାଙ୍କୁ କେବେ ଭୁଲିବୁନି ଜୁଡ଼ା । ସେ ଶାନ୍ତିମୟ, ପ୍ରେମମୟ ।

 

–ସେ ଆମର ସହାୟ, ସମ୍ବଳ, ସେ ଆମର ସବୁ, ଏହା କହି ମା ଆଡ଼କୁ ଅନାଇ ବେନ୍‍ହୁର କହିଲେ–ଟିରାକୁ ନେଇ ତମେ ଘରକୁ ଯାଅ ମା । ଆମର କର୍ତ୍ତବ୍ୟ ଏବେ ବି ବାକିଅଛି । ଜାତିର ଆହ୍ଵାନ ।

 

ମା କହିଲେ–ଲଢ଼େଇ କରିବୁ ?

 

–ନା, ମା ।

 

–ତେବେ ଏ ହତିଆର କାହିଁକି ?

 

–ରୋମାନ୍‍ମାନଙ୍କୁ ଏ ଦେଶରୁ ଉଚ୍ଛେଦ କରିଛି କିନ୍ତୁ ଶତ୍ରୁ ଶେଷ ହୋଇ ନାହିଁ । ଏ ଶତ୍ରୁମାନେ ରୋମାନ୍‍ମାନେ ନୁହନ୍ତି–ଏହି ବୃଦ୍ଧ ପୁରୋହିତ ଦଳ । ଏହି ପୁରୋହିତଗୁଡ଼ାକ ପାଇଁ ପ୍ରଭୁ କ୍ରୁଶରେ ଚଢ଼ିଲେ । ସେ ଅପରାଧପାଇଁ ମୁଁ ଦଣ୍ଡ ଦେବାକୁ ଚାହେଁ ।

 

ମା କୌଣସି ଜବାବ ଦେଲେ ନାହିଁ, ବେନ୍‍ହୁର ଘୋଡ଼ା ଉପରେ ବସିଲା ।

 

ମା ଡାକିଲେ–ଜୁଡ଼ା !

 

–ମା !

 

–ପ୍ରଭୁଙ୍କର ବାଣୀ କ’ଣ ଭୁଲିଗଲୁ, ପ୍ରେମକରି ଜୟ କରିବା ମଧ୍ୟ ସମ୍ଭବ; ହିଂସା, ବିଦ୍ୱେଷର ଜୟ ଜୟ ନୁହେଁ–ଶାନ୍ତି ।

 

ବେନ୍‍ହୁର କହିଲା–ସେଇଆ ହେବ ମା, ପ୍ରଭୁଙ୍କ ବାଣୀ କେବେହେଲେ ନିଷ୍ଫଳ ହୋଇ ପାରେନା, ସେଇଆ ହେବ ।

 

–ପ୍ରଭୁ ତୋର ମଙ୍ଗଳ କରନ୍ତୁ, ଜୁଡ଼ା ।

Image

 

ଶେଷ ପରିଚ୍ଛେଦ

ଏକ

 

ବେନ୍‍ହୁରର ଏ ପ୍ରକାର ସାହସ ଓ ବୀରତ୍ଵ ଦେଖି ଜୁଡ଼ିଆର ଲୋକମାନେ ତାକୁ ନେତା କଲେ । ବେନ୍‍ହୁର ଜନତାର ନେତୃତ୍ଵ ନେଇ ସୈନ୍ୟ ତୟାର କଲା । ସମସ୍ତେ ପ୍ରତିଜ୍ଞା କଲେ ଯେ, ଅତ୍ୟାଚାରୀ ରୋମାନ୍‍ମାନଙ୍କ ହାତରୁ ଜୁଡ଼ିଆକୁ ଉଦ୍ଧାର କରିବାକୁ ପଡ଼ିବ । ଏଥିପାଇଁ ସମୟ ଓ ଶିକ୍ଷା ପ୍ରୟୋଜନ ।

 

ଏତେ ବ୍ୟସ୍ତତା ଭିତରେ ମଧ୍ୟ ବେନ୍‍ହୁରର ମା ଓ ଟିରାର ସଂଧାନ କରିବାରେ ବିରାମ ନାହିଁ ।

 

ଏ ସମୟରେ ମହାପୁରୁଷ ଯୀଶୁ ତାଙ୍କର ଧର୍ମ ପ୍ରଚାର କରିବା ଉଦ୍ଦେଶ୍ୟରେ ଜେରୁଜେଲମ ଆସିଲେ । ସେ ଶୁଣାଇଲେ ଅମରବାଣୀ–ସର୍ବ ଜୀବେ ଦୟା, ମମତା, ପ୍ରେମ ପ୍ରଦର୍ଶନ କର, କାହାକୁ ହିଂସା କରନା, ବିଦ୍ୱେଶ କରନା, ଶାନ୍ତିରେ ଅବସ୍ଥାନ କର । ସେ ଏହି ବାଣୀ ପ୍ରଚାର କଲେ । ତାଙ୍କର ବାଣୀ ଶୁଣିବାପାଇଁ ରାଶି ରାଶି ସ୍ତ୍ରୀପୁରୁଷ ରୁଣ୍ଡ ହେଲେ ।

 

ଭିଡ଼ ଭିତରେ ଏକପ୍ରାନ୍ତରେ କୁଣ୍ଠିତ, ସଙ୍କୁଚିତ ଚିତ୍ତରେ ଠିଆ ହୋଇଛନ୍ତି ବେନ୍‍ହୁରର ମା–ସଙ୍ଗରେ ଟିରା । ସେମାନେ କୁଷ୍ଠରୋଗୀ, ଆଗକୁ ଆସିବାକୁ ଭୟଲାଗୁଛି ।

 

ଈଶ୍ୱରପୁତ୍ର ଯୀଶୁ ସେମାନଙ୍କୁ ଭିଡ଼ ଭିତରେ ଦେଖିଲେ । ଭିଡ଼ ଭିତରକୁ ପଶି ଆସିଲେ-। ସେମାନେ ଭୟରେ ଘୁଂଚି ଯାଉଥିଲେ । ମନୁଷ୍ୟ ପୁତ୍ର ମଧୁର ସ୍ନେହଭରା କଣ୍ଠରେ ତାଙ୍କୁ ଡାକିଲେ । ସେ ଡାକରେ ସେମାନେ ଠିଆହେଲେ । ଯୀଶୁ

 

ବାଲଥାଶାରଙ୍କର ମଲାଦିହ ଅଣାଗଲା, ଦାସ ଦାସୀ ପରିଜନ ଶେଷ ଦର୍ଶନ କଲେ, କିନ୍ତୁ ସେହି ଅପୂର୍ବ ସୁନ୍ଦରୀ ଦୁହିତା ଇରାଶ କୁଆଡ଼େ ଗଲା । ଇରାଶ କାହିଁ ? ବେନ୍‍ହୁର ଭାବିଲା ଇରାଶ ତେବେ କ’ଣ ଆତ୍ମହତ୍ୟା କଲା ! କୁଆଡ଼େ ଗଲା ସେ ?

 

ବାଲଥାଶାରଙ୍କୁ କବର ଦେଇ ବେନ୍‍ହୁର ତା’ ପ୍ରାସାଦକୁ ଫେରି ଆସିଲା ମା ଓ ଟିରା ପାଖକୁ ।

 

ସମସ୍ତେ ଯୀଶୁଙ୍କପାଇଁ କାତର ହୋଇ ଉଠିଥିଲେ । ବେନ୍‍ହୁର କହିଲା–କାହାପାଇଁ ଶୋକ କରୁଛ ମା, ଭଗବାନଙ୍କର କ’ଣ ମୃତ୍ୟୁ ଅଛି ? ମୃତ୍ୟୁହୀନ ଭଗବାନ । ତାଙ୍କର ବାଣୀ ଆମର ମନ୍ତ୍ର–ପ୍ରେମ, ଭକ୍ତି, ବିଶ୍ୱାସ ଓ ସତ୍‍କାର୍ଯ୍ୟ ।

 

ପୁଣି କେଇ ବର୍ଷ ବିତିଗଲା ।

 

ଜେରୁଜେଲମର ହୁର୍‍ ପ୍ରାସାଦରେ ରହୁଥିଲେ ବେନ୍‍ହୁରର ମା ଓ ଟିରା, ଏ ଭିତରେ ବେନ୍‍ହୁର ସହିତ ଏସ୍‍ଥାରର ବିବାହ ହୋଇ ଯାଇଛି । ଏସ୍‍ଥାରକୁ ନେଇ ବେନ୍‍ହୁର ଇତାଲୀର କୁଇଣ୍ଟାସ୍‍ ଦେଇଥିବା ପ୍ରସାଦରେ ରହିଛି ।

 

ସେ ଦିନ ଦିପହର ହୋଇଛି । ବେନ୍‍ହୁର ଘରେ ନାହିଁ । ଏସ୍‍ଥାର ଦିଓଟି ପିଲାଙ୍କୁ ନେଇ ତା’ର ଏକ ସୁସଜ୍ଜିତ କୋଠରୀରେ ବସିଛି । ଦି’ଜଣ ପିଲା ଖେଳୁଛନ୍ତି, ଏସ୍‍ଥାର ବସି ଖେଳ ଦେଖୁଛି ।

 

ଟିରା ଓ ତା’ର ମା ଏଠାକୁ କିଛି ଦିନ ହେଲା ଆସିଛନ୍ତି ।

 

ଜଣେ ଦାସୀ ଏତିକିବେଳେ ଖବର ଦେଲା ଯେ–ଜଣେ ଭଦ୍ର ମହିଳା ଆସିଛନ୍ତି ।

 

ଏସ୍‍ଥାର ଏବେ ଘରର କର୍ତ୍ତୀ । ମା ସର୍ବଦା ପୂଜା କର୍ମରେ ବ୍ୟସ୍ତଥିବାରୁ ଏସ୍‍ଥାର ଉପରେ ସଂସାର ଭାର ।

 

ଏସ୍‍ଥାର କହିଲା–ତାଙ୍କୁ ଏଠାକୁ ନେଇଆସ ।

 

ଦାସୀ ଅତିଥିଙ୍କୁ ନେଇ ଆସିଲା । ଏସ୍‍ଥାର ତାଙ୍କୁ ଦେଖି ଚମକି ପଡ଼ିଲା ।

 

ଏସ୍‍ଥାର ଦେଖି କହିଲା–ଆପଣଙ୍କୁ ମୁଁ ଜାଣେ । କଥା ଶେଷ ନହେଉଣୁ ସ୍ତ୍ରୀଟି କହିଲା–ମୁଁ ଇରାଶ, ବାଲିଥାଶାର ମୋର ବାପା ।

 

ଇରାଶକୁ ଏସ୍‍ଥାର ବସିବାକୁ ଆସନଟିଏ ଦେଲା ।

 

ଇରାଶ କହିଲା–ନା, ମୁଁ ବସିବି ନାହିଁ । ବର୍ତ୍ତମାନ ଚାଲିଯିବି ।

 

ଦିଜଣ ଦି’ଜଣକୁ ଦେଖିଲେ । ଇରାଶ ଦେଖିଲା ଏସ୍‍ଥାରର ଅପରୂପ ସୌନ୍ଦର୍ଯ୍ୟ, ସୁଖର ସଂସାର । ଦିଓଟି ପିଲା । ସେ ଭାଗ୍ୟବତୀ ।

 

ଏସ୍‍ଥାର ଦେଖିଲା ଇରାଶ ତା’ର ସମବୟସୀ; ଅଥଚ ମୁଖଆଖିରେ ମଳିନ ଛାୟା, ଯେପରି ଅନେକ କଷ୍ଟ ପାଇଛି । ପିଲାଙ୍କୁ ଦେଖି ଇରାଶ କହିଲା–ତମରି ଏଇଗୁଡ଼ିକ... ?

 

–କ’ଣ ତାଙ୍କ ସାଙ୍ଗରେ ଦେଖା କରିବ ?

 

ଇରାଶ ଶିହରି ଉଠି କହିଲା–ନା, ଶୁଣ ତମର ସ୍ୱାମୀ ଘରେ ନାହାନ୍ତି । ସେ ଆସିଲେ ତାଙ୍କୁ କହିବ ତାଙ୍କର ଚିରଶତ୍ରୁ ମରିଯାଇଛି । ମୋତେ ଯେ କଷ୍ଟ ଦେଇଛି, ମୋରି ହାତରେ ତା’ର ମୃତ୍ୟୁ ଘଟିଛି ।

 

ଏସ୍‍ଥାର ଚମକିଉଠି କହିଲା–କିଏ ସେ ଶତ୍ରୁ ?

 

–ମେଖାଲା, ତମ ସ୍ୱାମୀକୁ କହିବ–ମେଖାଲାକୁ କି ଆଖିରେ ଦେଖିଥିଲି ସତରେ ! ମନରେ ବାସନା ଥିଲା ରୋମାନ୍‍ ସ୍ୱାମୀ କରିବି । ରୋମାନ୍‍ ହେବି । ମୁଁ ତମ ସ୍ୱାମୀଙ୍କର ବହୁ ଅନିଷ୍ଟ କରିଛି । ଏବେ ମୋଦ୍ୱାରା ତମ ସ୍ୱାମୀଙ୍କର କୌଣସି ଅନିଷ୍ଟ ହେବାର ଭୟ ନାହିଁ । ହଁ, ତାଙ୍କୁ କହିବ, ମୁଁ କହିଛି ବୋଲି ଯେ, ରୋମାନ୍‍ ହେବାକୁ ଯିବା ଏବଂ ପରେ ହେବାର ଦୁଇଟି ଭିତରେ ତଫାତ୍ ନାହିଁ ।

 

ଏ କଥା କହି ଇରାଶ ଯିବାକୁ ଉଦ୍ୟତ ହେଲା । ଇରାଶକୁ ଚାଲିଯିବାର ଦେଖି ଏସ୍‍ଥାର କହିଲା–ଭଉଣୀ, ରୁହ । ତାଙ୍କ ସାଙ୍ଗେ ଦେଖା ନ କରି ଯିବ କିପରି ! ଏବେବି ସେ ତମକୁ ଖୋଜୁଛନ୍ତି । ସେ ତ ତମର ପର ନୁହନ୍ତି । ମୁଁ ତ ତମକୁ ଭଉଣୀପରି ଦେଖେ–

 

ଇରାଶ କହିଲା–ମିଛରେ ଡାକନା, ମୁଁ ଆଜି ଯେ ହରେଇଛି, ଏ କେବଳ ମୋର ।

 

ଏସ୍‍ଥାର ବାଧାଦେଇ କହିଲା–ଆମେ କ’ଣ ତମର କିଛି କରିପାରିବୁ ନାହିଁ ?

 

ଇରାଶ ପିଲା ଦିଓଟିକୁ ଅନାଇଲା । ଏସ୍‍ଥାର ତାହା ଦେଖି କହିଲା–ଏମାନଙ୍କୁ ତମର ପିଲା ବୋଲି ମନେକର ।

 

ଇରାଶ ପାଖକୁ ଆସି ପିଲାଦିଓଟିଙ୍କ ମୁହଁରେ ଚୁମ୍ବନ ଆଙ୍କିଦେଲା । ତା’ପରେ ତନ୍ମୟ ଦୃଷ୍ଟିରେ କିଛିକ୍ଷଣ ଅନାଇ ହଠାତ୍ ଘୂରିପଡ଼ି କୌଣସି କଥା ନ କହି ଦ୍ରୁତଗତିରେ ସେଠାରୁ ବାହାରିଗଲା ।

 

ବେନ୍‍ହୁର ଘରକୁ ଆସି ଇରାଶର କଥା ଶୁଣିଲା । ସେ ଶୁଣି ସ୍ତମ୍ଭିତ ହୋଇ ପଲଙ୍କଉପରେ ବସିପଡ଼ିଲା ।

Image

 

ଶେଷ

 

ରୋମ୍‍ର ସିଂହାସନରେ ନିରୋ ଏବେ ସମ୍ରାଟ । ସାଇମଣ୍ଡିସ୍‍ ବଞ୍ଚିଛନ୍ତି । ଖ୍ରୀଷ୍ଟାନମାନଙ୍କ ଉପରେ ନିରୋଙ୍କର ପ୍ରବଳ ଅତ୍ୟାଚାର ଚାଲିଛି ।

 

ମିଲୋଶାମକୁ ସାଇମାଣ୍ଡିସ୍ ଦିନେ ସଞ୍ଜବେଳେ ଆସି ବେନ୍‍ହୁରକୁ ଏ କାହାଣୀ ଜଣାଇଲେ ।

 

ଏ ଅତ୍ୟାଚାର କିପରି ବନ୍ଦ କରାଯିବ, ଦି’ଜଣ ଚିନ୍ତା କରୁଥିବା ବେଳେ ଜଣେ କ୍ରୀତଦାସ ଖଣ୍ଡିଏ ଚିଠିନେଇ ବେନ୍‍ହୁରକୁ ଦେଲା ।

 

ବେନ୍‍ହୁର ପଚାରିଲା–ଏ ଚିଠି କିଏ ଦେଇଛି ?

 

–ଜଣେ ଆରବଦେଶର ଲୋକ ।

 

–ସେ କେଉଁଠି ?

 

–ଚିଠିଦେଇ ଚାଲିଗଲା । କିଛି କହିଲାନି ।

 

–ଆଶ୍ଚର୍ଯ୍ୟ । କିଏ ଚିଠି ଦେଇଛି ?

 

ବେନ୍‍ହୁର ଲଫାଫା ଛିଣ୍ଡାଇ ଚିଠି ପଢ଼ିଲା । ବେନ୍‍ହୁର କହିଲା–ସେଖ୍‍ ଏଲ ଦାରିମ୍‍ର ପୁତ୍ର ଚିଠି ଲେଖିଛି–ମୁଁ ପଢ଼ୁଛି ଶୁଣନ୍ତୁ । ବେନ୍‍ହୁର ଚିଠିପଢ଼ିଲା–ଆନ୍ତିୟାସର ତାଳବଣ ଛଡ଼ା ସମସ୍ତ ସମ୍ପତ୍ତି ସେଖ୍‍ ସାହେବ ବେନ୍‍ହୁରକୁ ଦାନ କରିଛନ୍ତି ଦଲିଲରେ । ତାଳବଣଟି କେବଳ ପୁଅକୁ ଦେଇଛନ୍ତି । ପୁଅ ଲେଖିଛି ପିତାଙ୍କ ଦାନରେ ସେ ଅତ୍ୟନ୍ତ ଆନନ୍ଦିତ ।

 

ଚିଠିପଢ଼ି ବେନ୍‍ହୁର ସାଇମାଣ୍ଡିସ୍ ଆଡ଼କୁ ଅନାଇଲା । ସାଇମାଣ୍ଡିସ୍ କହିଲେ–ଏସବୁ ଭଗବାନଙ୍କର ଦୟା । ଏ ଦାନ ତମେ ମଥାପାତି ନେବ ।

 

–କିନ୍ତୁ...

 

–କିନ୍ତୁ ଆଉ କ’ଣ ଜୁଡ଼ା । ତମର ନିଜର ଏତେ ସମ୍ପତ୍ତିର ଗୋଟିଏ କପର୍ଦ୍ଦକ ବିଳାସ ବ୍ୟସନରେ ଅପବ୍ୟୟ କରୁନା । ପ୍ରଭୁଙ୍କ ମନ୍ଦିର ପ୍ରତିଷ୍ଠା କରିଛ । ପ୍ରଭୁଙ୍କ ସେବାରେ ସର୍ବସ୍ଵ ବ୍ୟୟ କରିଛ । ରୋମାନ୍‍ମାନେ ଖ୍ରୀଷ୍ଟିୟାନମାନଙ୍କ ଉପରେ ଯେତେ ଅତ୍ୟାଚାର କରନ୍ତୁନା କାହିଁକି, ଗୋଟିଏ ଜିନିଷକୁ ସେ ଅମର୍ଯ୍ୟାଦା କରିବେନାହିଁ । ପ୍ରଭୁଙ୍କ କବର ଏବେ ବି ଅକ୍ଷୁର୍ଣ୍ଣ ରଖିଛନ୍ତି । ମୁଁ କହୁଛି, ପ୍ରଭୁଙ୍କ କବର ତଳରେ ତଳେ ତିଆରିକର ପ୍ରଭୁଙ୍କ ମନ୍ଦିର । ରୋମାନ୍‍ମାନେ ସେ ସ୍ଥାନ ସ୍ପର୍ଶ କରିବେ ନାହିଁ । ସେଠାରେ ଖ୍ରୀଷ୍ଟିଆନମାନେ ପାଇବେ ନିରାପଦ ଆଶ୍ରୟ । ପ୍ରଭୁଙ୍କ ବାଣୀ ପ୍ରଚାରରେ ତା’ହେଲେ କୌଣସି ବାଧା ନ ଥିବ ।

 

ବେନ୍‍ହୁର କହିଲା–ଭଲକଥା । କାଲିଯାଇ ମୁଁ ବ୍ୟବସ୍ଥା କରିବି ।

 

ମୁଲୁସ୍‍କୁ ଡାକି ବେନ୍‍ହୁର ଆଦେଶ କଲେ–ଜାହାଜ ଠିକ୍‍କର । କାଲି ମୁଁ ରୋମ୍ ଯିବି । ତମେ ମଧ୍ୟ ମୋ ସାଙ୍ଗରେ ଯିବ ।

 

ସାଇମାଣ୍ଡିସ୍ କହିଲେ–ତାହାହିଁ କର ଜୁଡ଼ା । ବେନ୍‍ହୁରର ହାତଧରି ତା’ଆଡ଼କୁ ଅନାଇ ଏସ୍‍ଥାର କହିଲା–ମୁଁ ମଧ୍ୟ ତମ ସାଙ୍ଗରେ ଯିବି । ପ୍ରଭୁଙ୍କ ସେବାକାର୍ଯ୍ୟ ବେଳେ ମୁଁ ତମ ସାଙ୍ଗରେ ଥିବି ।

 

ମୁଁ ତୁମର ସ୍ତ୍ରୀ, ସହଧର୍ମିଣୀ ।

Image